ଆମ ଖାଦ୍ୟ

ଆମ ଓଡ଼ିଆ ମିଠା ଛେନାମୁଡୁକି

ଲେଖା: ଦେଵ ତ୍ରିପାଠୀ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଗଦି, ଘଣ୍ଟେଶ୍ୱର, ପୀରହାଟ ଏବଂ ଏଗୁଡ଼ିକର ଆଖପାଖ ଅଞ୍ଚଳକୁ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ‘ଭେଡା’ କୁହାଯାଏ । ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ନିମ୍ନରେ ଥିବା କାରଣରୁ ଅଧିକାଂଶ ସମୟରେ ସମୁଦ୍ରସଂଲଗ୍ନ ନଦୀ ଓ ସେମାନଙ୍କ ଶାଖାନଦୀଗୁଡ଼ିକରେ ଜୁଆର ମାଡିଆସି ସମସ୍ତ ଅଞ୍ଚଳ ଜଳମଗ୍ନ ହୁଏ । ଲୁଣାଜଳରେ ବୁଡ଼ିରହୁଥିବାରୁ ସମ୍ଭବତଃ ଏହି ଅଞ୍ଚଳକୁ ଭେଡା କୁହାଯାଏ ।
ବୁଡି ଅଞ୍ଚଳରେ ଭଲ ଚାଷ ହୋଇ ନ ପାରିଲେ ମଧ୍ୟ ପ୍ରଚୁର ଘାସ ଉତ୍ପନ୍ନ ହୁଏ, ଗୋରୁଙ୍କ ପାଇଁ ଖାଦ୍ୟାଭାବ ନ ଥାଏ, ଲୋକେ ଆଗ୍ରହରେ ଗୋପାଳନ କରନ୍ତି, କିନ୍ତୁ କ୍ଷୀର ବିକ୍ରୀ କରିପାରନ୍ତି ନାହିଁ । କ୍ଷୀରକୁ ଅଧିକ ସମୟ ସାଇତି ରଖି ନ ପାରି ଲୋକେ ଛେନା ତିଆରି କରୁଥିଲେ, ମାତ୍ର ଛେନା ଦୁଇଦିନ ପରେ ଖଟା ହୋଇଯାଏ, ଆଉ ଚାଷୀକୂଳ ହତାଶ ହୁଅନ୍ତି ।
ଜଣେ କିନ୍ତୁ ହତାଶ ହୁଅନ୍ତିନି, ବରଂ ସବୁ ହତାଶୀ ଚାଷୀଙ୍କ ପାଇଁ ବାଟଟିଏ ବାହାର କରନ୍ତି ।
ରସଗୋଲା ଓ ଛେନାଗଜା ତିଆରି କରି ବିକ୍ରୀ କରିବାରେ ଅଭ୍ୟସ୍ତ ସେଇ ଭଦ୍ରବ୍ୟକ୍ତି ଜଣକ ଆଗ୍ରହୀ ଥିଲେ ମିଠା ତିଆରିକୁ ନେଇ ପରୀକ୍ଷାନିରୀକ୍ଷା କରିବାରେ ।
ଛେନାରେ ସୁଜି କିମ୍ବା ମଇଦା କିଛି ନ ମିଶାଇ ଏକ ସୁଆଦିଆ ମିଠା କରିବାର ସ୍ବପ୍ନ ଦେଖୁଥିଲେ ସେ । ପ୍ରଥମେ ଛେନାର କୁନିକୁନି ଗୁଲି କରି ଚିନି ସିରାରେ ଫୁଟାଇ ନୂଆ ପ୍ରକାରର ମିଠା ପ୍ରସ୍ତୁତ କଲେ । ଗ୍ରାହକଙ୍କ ପ୍ରଶଂସା ପାଇ ପରେ ପରେ ଗୁଆଛେନାରୁ ପାଣି ନିଗାଡି ତାକୁ ଛୁରୀରେ କାଟି ଖୁରୁମା ପରି ସରୁ ଖଣ୍ଡ ମାନ କରି ଚିନି ସିରାରେ ଫୁଟାଇ ନୂଆ ମିଠାର ରୂପଦେଲେ ।
ଆଃ . . କି ମିଠା . . କି ସ୍ବାଦ . .
ଖାଇଲାବେଳେ ଦାନ୍ତକୁ ମୁଡୁମୁଡୁ ଓ କାଉଁକାଉଁ ଲାଗୁଥିବାରୁ ଓ ଖାଣ୍ଟିଛେନାରୁ ତିଆରି ହୋଇଥିବାରୁ ଲୋକମୁଖରେ ସେ ମିଠା ପରିଚିତ ହେଲା “ଆମ ଓଡ଼ିଆ ମିଠା ଛେନାମୁଡୁକି”
ଗ୍ରାହକୀୟ ସମର୍ଥନ ମିଳିଲା ଆକାଶଛୁଆଁ, ଏଇ ମିଠା ପ୍ରସ୍ତୁତ ଓ ବିକ୍ରୟରେ ଯୋଗଦେଲେ କେତେ କେତେ ପରିବାର, ଅସଂଖ୍ୟ ହତାଶୀ ମନରେ ଆଶାର କିରଣ ଜାଳିଥିଲେ ସେ, ଆଉ ଅର୍ଥାଭାବ ଓ ଅନାଟନରୁ ମୁକୁଳିଥିଲେ ଭେଡାର ବାସିନ୍ଦାଏ ।
ସେଇ ‘ଇନୋଭେଟର’ ଜଣକ ଥିଲେ ଗଦି ଅଞ୍ଚଳର ୰ପଦନ ବିଶ୍ୱାଳ । ତାଙ୍କ ଦ୍ଵାରା ଉଦ୍ଭାବିତ ଏଇ ଛେନାମୁଡୁକି ଆଜି ଭଦ୍ରକ ର ସୀମାସରହଦ ଟପି ପରିବ୍ୟାପ୍ତ, ପ୍ରସାରିତ । ଖାଣ୍ଟି ଓଡିଆ ମିଠାର ନଗର କଟକ ସମେତ ବିଭିନ୍ନ ଅଞ୍ଚଳରେ ଏହି ମିଠାର ନିଆରା କାରିଗରୀ ଆଜି ଦୃଷ୍ଟିଗୋଚର । ଅହମଦାବାଦ, ବେଙ୍ଗାଲୁରୁ, କୋଲକତା, ଦିଲ୍ଲୀ ଆଦି ମହାନଗରୀରେ ଆଜି ଏଇ ମିଠାର ସ୍ବତନ୍ତ୍ର ବ୍ୟବସାୟ କେନ୍ଦ୍ର ଉପଲବ୍ଧ । ଆମ ରାଜଧାନୀ ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ଏଇ ମିଠା ତାର ନିଆରା ଓ ଅଭୁଲା ସୁଆଦରେ ଜନତାଙ୍କୁ ବାନ୍ଧି ରଖିପାରିଛି । ‘ଆମ ଓଡ଼ିଆ ମିଠା ଛେନାମୁଡୁକି’ ସହିତ ଛେନାମୁଡୁକିର ଲିଗାସୀ ଆଜି ଭଦ୍ରକ ଜିଲ୍ଲାକୁ ଓଡ଼ିଆ ମିଠା ଜଗତରେ କଟକ ଓ ପୁରୀ ପରେ ତୃତୀୟ ସ୍ଥାନର ଅଧିକାରୀ କରାଇପାରିଛି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago