ଲେଖା: ଦେଵ ତ୍ରିପାଠୀ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଗଦି, ଘଣ୍ଟେଶ୍ୱର, ପୀରହାଟ ଏବଂ ଏଗୁଡ଼ିକର ଆଖପାଖ ଅଞ୍ଚଳକୁ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ‘ଭେଡା’ କୁହାଯାଏ । ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ନିମ୍ନରେ ଥିବା କାରଣରୁ ଅଧିକାଂଶ ସମୟରେ ସମୁଦ୍ରସଂଲଗ୍ନ ନଦୀ ଓ ସେମାନଙ୍କ ଶାଖାନଦୀଗୁଡ଼ିକରେ ଜୁଆର ମାଡିଆସି ସମସ୍ତ ଅଞ୍ଚଳ ଜଳମଗ୍ନ ହୁଏ । ଲୁଣାଜଳରେ ବୁଡ଼ିରହୁଥିବାରୁ ସମ୍ଭବତଃ ଏହି ଅଞ୍ଚଳକୁ ଭେଡା କୁହାଯାଏ ।
ବୁଡି ଅଞ୍ଚଳରେ ଭଲ ଚାଷ ହୋଇ ନ ପାରିଲେ ମଧ୍ୟ ପ୍ରଚୁର ଘାସ ଉତ୍ପନ୍ନ ହୁଏ, ଗୋରୁଙ୍କ ପାଇଁ ଖାଦ୍ୟାଭାବ ନ ଥାଏ, ଲୋକେ ଆଗ୍ରହରେ ଗୋପାଳନ କରନ୍ତି, କିନ୍ତୁ କ୍ଷୀର ବିକ୍ରୀ କରିପାରନ୍ତି ନାହିଁ । କ୍ଷୀରକୁ ଅଧିକ ସମୟ ସାଇତି ରଖି ନ ପାରି ଲୋକେ ଛେନା ତିଆରି କରୁଥିଲେ, ମାତ୍ର ଛେନା ଦୁଇଦିନ ପରେ ଖଟା ହୋଇଯାଏ, ଆଉ ଚାଷୀକୂଳ ହତାଶ ହୁଅନ୍ତି ।
ଜଣେ କିନ୍ତୁ ହତାଶ ହୁଅନ୍ତିନି, ବରଂ ସବୁ ହତାଶୀ ଚାଷୀଙ୍କ ପାଇଁ ବାଟଟିଏ ବାହାର କରନ୍ତି ।
ରସଗୋଲା ଓ ଛେନାଗଜା ତିଆରି କରି ବିକ୍ରୀ କରିବାରେ ଅଭ୍ୟସ୍ତ ସେଇ ଭଦ୍ରବ୍ୟକ୍ତି ଜଣକ ଆଗ୍ରହୀ ଥିଲେ ମିଠା ତିଆରିକୁ ନେଇ ପରୀକ୍ଷାନିରୀକ୍ଷା କରିବାରେ ।
ଛେନାରେ ସୁଜି କିମ୍ବା ମଇଦା କିଛି ନ ମିଶାଇ ଏକ ସୁଆଦିଆ ମିଠା କରିବାର ସ୍ବପ୍ନ ଦେଖୁଥିଲେ ସେ । ପ୍ରଥମେ ଛେନାର କୁନିକୁନି ଗୁଲି କରି ଚିନି ସିରାରେ ଫୁଟାଇ ନୂଆ ପ୍ରକାରର ମିଠା ପ୍ରସ୍ତୁତ କଲେ । ଗ୍ରାହକଙ୍କ ପ୍ରଶଂସା ପାଇ ପରେ ପରେ ଗୁଆଛେନାରୁ ପାଣି ନିଗାଡି ତାକୁ ଛୁରୀରେ କାଟି ଖୁରୁମା ପରି ସରୁ ଖଣ୍ଡ ମାନ କରି ଚିନି ସିରାରେ ଫୁଟାଇ ନୂଆ ମିଠାର ରୂପଦେଲେ ।
ଆଃ . . କି ମିଠା . . କି ସ୍ବାଦ . .
ଖାଇଲାବେଳେ ଦାନ୍ତକୁ ମୁଡୁମୁଡୁ ଓ କାଉଁକାଉଁ ଲାଗୁଥିବାରୁ ଓ ଖାଣ୍ଟିଛେନାରୁ ତିଆରି ହୋଇଥିବାରୁ ଲୋକମୁଖରେ ସେ ମିଠା ପରିଚିତ ହେଲା “ଆମ ଓଡ଼ିଆ ମିଠା ଛେନାମୁଡୁକି” ।
ଗ୍ରାହକୀୟ ସମର୍ଥନ ମିଳିଲା ଆକାଶଛୁଆଁ, ଏଇ ମିଠା ପ୍ରସ୍ତୁତ ଓ ବିକ୍ରୟରେ ଯୋଗଦେଲେ କେତେ କେତେ ପରିବାର, ଅସଂଖ୍ୟ ହତାଶୀ ମନରେ ଆଶାର କିରଣ ଜାଳିଥିଲେ ସେ, ଆଉ ଅର୍ଥାଭାବ ଓ ଅନାଟନରୁ ମୁକୁଳିଥିଲେ ଭେଡାର ବାସିନ୍ଦାଏ ।
ସେଇ ‘ଇନୋଭେଟର’ ଜଣକ ଥିଲେ ଗଦି ଅଞ୍ଚଳର ୰ପଦନ ବିଶ୍ୱାଳ । ତାଙ୍କ ଦ୍ଵାରା ଉଦ୍ଭାବିତ ଏଇ ଛେନାମୁଡୁକି ଆଜି ଭଦ୍ରକ ର ସୀମାସରହଦ ଟପି ପରିବ୍ୟାପ୍ତ, ପ୍ରସାରିତ । ଖାଣ୍ଟି ଓଡିଆ ମିଠାର ନଗର କଟକ ସମେତ ବିଭିନ୍ନ ଅଞ୍ଚଳରେ ଏହି ମିଠାର ନିଆରା କାରିଗରୀ ଆଜି ଦୃଷ୍ଟିଗୋଚର । ଅହମଦାବାଦ, ବେଙ୍ଗାଲୁରୁ, କୋଲକତା, ଦିଲ୍ଲୀ ଆଦି ମହାନଗରୀରେ ଆଜି ଏଇ ମିଠାର ସ୍ବତନ୍ତ୍ର ବ୍ୟବସାୟ କେନ୍ଦ୍ର ଉପଲବ୍ଧ । ଆମ ରାଜଧାନୀ ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ଏଇ ମିଠା ତାର ନିଆରା ଓ ଅଭୁଲା ସୁଆଦରେ ଜନତାଙ୍କୁ ବାନ୍ଧି ରଖିପାରିଛି । ‘ଆମ ଓଡ଼ିଆ ମିଠା ଛେନାମୁଡୁକି’ ସହିତ ଛେନାମୁଡୁକିର ଲିଗାସୀ ଆଜି ଭଦ୍ରକ ଜିଲ୍ଲାକୁ ଓଡ଼ିଆ ମିଠା ଜଗତରେ କଟକ ଓ ପୁରୀ ପରେ ତୃତୀୟ ସ୍ଥାନର ଅଧିକାରୀ କରାଇପାରିଛି ।