ରାଜରାଜୁଡା କ୍ଷେତ୍ର

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ
ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ

ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣଶୂରର ରାଜ୍ୟ ଥିଲା ବାଣପୁର, ଯାହାର ଐତିହାସିକ ନାମ ଥିଲା ବଙ୍କାଡ଼ଗଡ଼। ବ୍ରଜବନ୍ଧୁ ଦାଶଙ୍କ ବାଣପୁର ଇତିହାସ ଏବଂ ଡାକ୍ତର ଦିବ୍ୟସିଂହ ମିଶ୍ରଙ୍କ ବାଣପୁର ଇତିକଥା ପୁସ୍ତକର ତଥ୍ୟ ଓ ଓଡିଶା ଇତିହାସକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ ଜେ ଆନୁମାନିକ ୧୫୬୬ ଖ୍ରୀଷ୍ଟାବ୍ଦରେ ଅଧୁନା ଯାଜପୁର ନିକଟସ୍ଥ କୌଣସି ଏକ କ୍ଷେତ୍ରର କ୍ଷତ୍ରିୟ ବୀର ଯଦୁରାଜଙ୍କ ଦ୍ୱାରା ଏହି ଗଡ଼ଟି ପୁନଃ ସ୍ଥାପିତ ହୋଇଥିଲା। ଯାହାର ରାଜଧାନୀ ଥିଲା ଆଜିର ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଶାଳିଆ ନଦୀ କୂଳ। ଏହାର ନାମ ଥିଲା ନୀଳାଦ୍ରିପ୍ରସାଦ, ତଥା ଶାଳିମା ନଗରୀ।

ଇତିହାସ କୁହେ ଯେ, ଏହି ଗଡ଼ର ଇତିହାସ ପ୍ରାୟ ୧୭୦୦ ବର୍ଷ ପୁରୁଣା। ଏହାର ଗୌରବମୟ ନାମ ଥିଲା କଙ୍ଗୋଦ ରାଜ୍ୟ। ଏଠାରେ ମାଠର ବଂଶ ଖ୍ରୀଷ୍ଟାବ୍ଦ ୩୫୦ରୁ ୪୩୦ ପର୍ଯ୍ୟନ୍ତ ଶାସନ କରିଥିଲେ। ଏହା ପରେ ଶାସନଭାର ଶୈଳୋଦ୍ଭବ ବଂଶର ରାଜାମାନଙ୍କ ହସ୍ତକୁ ଯାଇଥିଲା। ସେମାନଙ୍କର ଶାସନକାଳ ଥିଲା ଖ୍ରୀଷ୍ଟାବ୍ଦ ୫୭୦ରୁ ୭୩୫ ପର୍ଯ୍ୟନ୍ତ। ପରବର୍ତ୍ତୀ ସମୟରେ ଖ୍ରୀଷ୍ଟାବ୍ଦ ୭୩୫ରୁ ୯୫୦ ପର୍ଯ୍ୟନ୍ତ ଏହି ବୀରଭୂମି ଭୌମକର ବଂଶର ଅଧୀନରେ ରହିଥିଲା। କିନ୍ତୁ ୯୫୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହାର ଶାସକ କିଏ ଥିଲେ ଏବଂ ଏହାର ସୀମା କେତେ ଦୂର ପର୍ଯ୍ୟନ୍ତ ବିସ୍ତୃତ ଥିଲା, ତାହାର ସଠିକ ତଥ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ। ଶେଷରେ କୁମାର ଯଦୁରାଜ ଏହି ଖଣ୍ଡବିଖଣ୍ଡିତ ଅଞ୍ଚଳକୁ ଏକତ୍ର କରି ବଙ୍କାଡ଼ଗଡ଼ ନାମରେ ଶାସନ ଆରମ୍ଭ କରିଥିଲେ।
ଏହି ରାଜା ନିଜ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ତତ୍କାଳୀନ ଖୋର୍ଦ୍ଧାର ଭୋଇ ବଂଶର ଗଜପତିଙ୍କଠାରୁ “ମାନସିଂହ” ସନଦ ପ୍ରାପ୍ତ କରିଥିଲେ। ତାଙ୍କ ସୁପୁତ୍ର ରାଜା ଗୋବିନ୍ଦ ଚନ୍ଦ୍ର ମାନସିଂହ (ଖ୍ରୀ. ୧୬୧୫–୧୬୪୭) ଜଣେ ବୈଷ୍ଣବ ଅନୁଗାମୀ ହେବା ସହ ଭଗବାନ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଥିଲେ। କୁହାଯାଏ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ସେବା ପାଇଁ ସର୍ବଦା ଆଗ୍ରହୀ ଏବଂ ବ୍ୟାକୁଳ ରହୁଥିଲେ। ଅର୍ଥାତ୍ ଜଣେ ରଙ୍କ ପରି ଭକ୍ତିଭାବରେ ଲୀନ ରହୁଥିବାରୁ, ସେ ବଙ୍କାଡ଼ଗଡ଼ର ଇଷ୍ଟଦେବତା ରୂପେ ସ୍ଥାପିତ ଶ୍ରୀଜଗନ୍ନାଥ ବିଗ୍ରହଙ୍କୁ “ରଙ୍କନାଥ” ନାମରେ ଗଡ଼ର ରାଜଧାନୀ ନୀଳାଦ୍ରିପ୍ରସାଦରେ ପ୍ରତିଷ୍ଠା କରିଥିଲେ। ଦେବତାଙ୍କ ସେବା ପାଇଁ ସେ ବହୁ ଜମି ଭୋଗ ଖଞ୍ଜିବା ସହ ପୂଜାନୀତି ନିମନ୍ତେ ବ୍ରାହ୍ମଣମାନଙ୍କୁ ଅନେକ ନିଷ୍କର ଜମି ଦାନ କରିଥିଲେ। ପ୍ରଭୁଙ୍କ ନିମନ୍ତେ ଗୋପସାଗର ନାମରେ ଏକ ପୁଷ୍କରିଣୀ ଏବଂ ମଧୁବନ ନାମରେ ଏକ ବିଶାଳ ଆମ୍ବତୋଟା ସୃଷ୍ଟି କରିଥିଲେ।
ଏହାର ଅନେକ ବର୍ଷ ପରେ ଗଡ଼ର ଷଷ୍ଠ ରାଜା ରଘୁନାଥ ମାନସିଂହ (ଖ୍ରୀ. ୧୬୫୫–୧୬୫୬) ଏକଦା ଶ୍ରୀକ୍ଷେତ୍ରରେ ଥିବା ସମୟରେ ସେଠାକାର ଜୀଉମାନଙ୍କ ଚନ୍ଦନଯାତ୍ରା ନୀତି ପ୍ରତି ଆକର୍ଷିତ ହୋଇ ନିଜ ରାଜ୍ୟରେ ପ୍ରଭୁ ରଙ୍କନାଥଙ୍କ ପାଖରେ ଏହି ଚନ୍ଦନଯାତ୍ରାର ଶୁଭାରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେଥିପାଇଁ ଗୋପାଳପୁରଠାରେ ଏକ ପୁଷ୍କରିଣୀ ଖନନ କରାଇ ତାହାର ନାମ “ମାଜଣା ପୁଷ୍କରିଣୀ” ରଖିଥିଲେ। ଏହାର ଅନ୍ୟ ନାମ ରଘୁନାଥ ପୁଷ୍କରିଣୀ ମଧ୍ୟ ଅଟେ। ଅଦ୍ୟାପି ଉକ୍ତ ପୁଷ୍କରିଣୀରେ ମହାପ୍ରଭୁ ଶ୍ରୀ ରଙ୍କନାଥ, ଦେବୀ କାଠି ଭଗବତୀ, ଦକ୍ଷେଶ୍ୱର, ବାଲୁଙ୍କେଶ୍ୱର, କପିଳେଶ୍ୱର ତଥା ପାଖାପାଖି ଅନ୍ୟାନ୍ୟ ଦେବଦେବୀ ବୈଶାଖ ଖରାରେ ଚନ୍ଦନ କ୍ରୀଡ଼ା କରିବାକୁ ଯାଆନ୍ତି।
ବାଣପୁର ଇତିହାସରୁ ଜଣାପଡ଼େ ଯେ, ଯେତେବେଳେ ଖୋର୍ଦ୍ଧା ଗଜପତି ବୀରକିଶୋର ଦେବ (ଖ୍ରୀ. ୧୭୩୭–୧୭୯୩) ଏବଂ ମରହଟ୍ଟାମାନଙ୍କ ବାରମ୍ବାର ଆକ୍ରମଣରେ ବଙ୍କାଡ଼ଗଡ଼ର ଶେଷ ରାଜା ହରିସେବକ ମାନସିଂହ ଅତିଷ୍ଠ ହୋଇପଡ଼ିଥିଲେ, ସେତେବେଳେ ବାଧ୍ୟ ହୋଇ ସେ ନିଜ ପୈତୃକ ରାଜ୍ୟ ଓ ଭିଟାମାଟି ଛାଡ଼ି ଚିଲିକା ନିକଟସ୍ଥ ଗୁରୁବାଇକୁ ଚାଲିଯାଇଥିଲେ। ଏହା ଆନୁମାନିକ ୧୭୭୯ ମସିହାର ଘଟଣା।
କେତେକ ଗବେଷକଙ୍କ ମତାନୁସାରେ, ଏହାର କିଛି ବର୍ଷ ପରେ ଏହି ବଂଶର ଦାୟାଦମାନେ ଗଜପତିଙ୍କ ସ୍ୱୀକୃତି ନେଇ ପାରିକୁଦଠାରେ ଏକ ଖୁଦ୍ର ଗଡ଼ ସ୍ଥାପନ କରି ସେଠାରେ ଅଦ୍ୟାବଧି ବାସ କରିଆସୁଛନ୍ତି ଏବଂ ନିଜ ଇଷ୍ଟଦେବତା ଶ୍ରୀ ରଙ୍କନାଥ ଦେବଙ୍କ ସେବା କରୁଛନ୍ତି। କଥିତ ଅଛି, ରାଜା ବଙ୍କାଡ଼ଗଡ଼ ତ୍ୟାଗ କରିବା ସମୟରେ ନିଜର ସମସ୍ତ ସମ୍ପତ୍ତି ପ୍ରଭୁ ରଙ୍କନାଥ ଏବଂ ଚକଦେବଙ୍କ ସେବାରେ ଖଞ୍ଜି ଦେଇଥିଲେ।
ଜନଶ୍ରୁତି ଅନୁସାରେ ବଙ୍କାଡ଼ଗଡ଼ର ପତନ ପରେ ଠାକୁରମାନଙ୍କର ଯଥାର୍ଥ ଯତ୍ନ ନିଆଯାଇନଥିଲା। ଅଥବା କୌଣସି ଏକ ସମୟରେ ନିକଟସ୍ଥ ଶାଳିଆ ନଦୀରେ ଆସିଥିବା ଭୟଙ୍କର ବନ୍ୟା କାରଣରୁ ପ୍ରଭୁ ରଙ୍କନାଥଙ୍କ ବିଗ୍ରହ ନଷ୍ଟ ହୋଇଯାଇଥିଲା। ଗଡ଼ର ପୁରାତନ ଲୋକମାନଙ୍କ କହିବା ଅନୁସାରେ, ବନ୍ୟାର ପ୍ରଖର ସ୍ରୋତ ଶାନ୍ତ ହେବା ପରେ ସ୍ଥାନୀୟ ଲୋକମାନେ ଶ୍ରୀବିଗ୍ରହମାନଙ୍କୁ ଖୋଜିଥିଲେ। ସେଥିମଧ୍ୟରୁ ବର୍ତ୍ତମାନ ବାଣପୁର ସହରର ରଙ୍କନାଥ ମନ୍ଦିରରେ ପୂଜିତ ଶ୍ରୀବଳଭଦ୍ରଙ୍କ ବିଗ୍ରହ ହେଉଛି ନୀଳାଦ୍ରିପ୍ରସାଦରେ ପୂଜିତ ସେହି ପ୍ରାଚୀନ ବିଗ୍ରହ। ସେହିପରି ସାହସପୁର ଗ୍ରାମବାସୀ ଦେବୀ ସୁଭଦ୍ରାଙ୍କ ବିଗ୍ରହକୁ ଉଦ୍ଧାର କରି ନିଜ ଗ୍ରାମରେ ପୂଜା କରିଥିଲେ ଏବଂ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଚାଷଙ୍ଗରାରେ ପ୍ରତିଷ୍ଠିତ ହୋଇଥିଲେ। କିନ୍ତୁ ଏହି ସମ୍ବନ୍ଧରେ ବର୍ତ୍ତମାନର ପାରିକୁଦ ରାଜବଂଶ କିଛି ଜାଣନ୍ତି ନାହିଁ ବୋଲି ମତ ପ୍ରକାଶ କରନ୍ତି। ତେଣୁ ଏହାର ସତ୍ୟାସତ୍ୟ ଉପରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି।
କିଛି ଗବେଷକଙ୍କ ମତରେ ବଙ୍କାଡ଼ଗଡ଼ର ପତନ ପରେ ପ୍ରଭୁ ରଙ୍କନାଥଙ୍କ ପୂଜାନୀତି ଉପେକ୍ଷିତ ହୋଇପଡ଼ିଥିଲା। ଯେଉଁ କାରଣରୁ ସ୍ଥାନୀୟ ଶ୍ରଦ୍ଧାଳୁ ଏବଂ ପାରିକୁଦର ରାଜପରିବାରଙ୍କ ଉଦ୍ୟମରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜିର ବାଣପୁର ସହରକୁ ଅଣାଯାଇଥିଲା। ଏଠାରେ ପ୍ରଥମେ ଏକ ଚାଳମଣ୍ଡପ ନିର୍ମାଣ କରାଯାଇ ଠାକୁରମାନଙ୍କୁ ଥଇଥାନ କରାଯାଇଥିଲା।
ସ୍ୱାଧୀନତା ପରବର୍ତ୍ତୀ ସମୟରେ କାଳର ପ୍ରଭାବରେ ଠାକୁରଙ୍କ ଅମାପ ସମ୍ପତ୍ତି ମାତ୍ର ୪୦ ବାଟିରେ ସୀମିତ ହୋଇଗଲା। କିନ୍ତୁ ଦେବସ୍ୱ ଅର୍ଥ ଆତ୍ମସାତ କରିବାକୁ ଲୋଭୀ ମଣିଷ ସେତିକି ମଧ୍ୟ ସହ୍ୟ କରିପାରିଲେ ନାହିଁ। ଏକ ସମୟରେ ଶାଳିଆ ନଦୀର ବନ୍ୟା ପ୍ରଭାବରେ ଶ୍ରୀଜୀଉ ଏବଂ ତାଙ୍କ ଛଣଛପର ଦେଉଳ କିଛି ଦିନ ପର୍ଯ୍ୟନ୍ତ ଜଳମଗ୍ନ ହୋଇ ରହିଥିଲା। ପାଗ ଅନୁକୂଳ ହେବା ପରେ ବିଗ୍ରହମାନଙ୍କୁ ପାରିକୁଦ ରାଜା, ସ୍ଥାନୀୟ ସହଦେବ ପାତ୍ର ଏବଂ ଅନ୍ୟ କିଛି ଶ୍ରଦ୍ଧାଳୁଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏକ ପକ୍କା ଗୃହକୁ ସ୍ଥାନାନ୍ତର କରାଯାଇଥିଲା।
ରାଜା ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ଏକ ଟ୍ରଷ୍ଟ ଗଠନ କରିଥିଲେ, ଯାହାର ସଭାପତି ଥିଲେ ନିଜେ ପାରିକୁଦ ରାଜା ସାହେବ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ତତ୍କାଳୀନ ରାଜନିଯୁକ୍ତ ମନ୍ଦିର ତହସିଲଦାର ରାଜକିଶୋର ପ୍ରଧାନ କିଛି ଦୁର୍ବୃତ୍ତଙ୍କ ସହ ମିଶି ଠାକୁରଙ୍କ ଅବଶିଷ୍ଟ ସମ୍ପତ୍ତିକୁ ଆତ୍ମସାତ କରିନେଲେ। ଶୁଣାଯାଏ, ୧୯୮୦ ଦଶକରେ ଏପରି ଏକ ଦୁର୍ଦ୍ଦିନ ଆସିଥିଲା, ଯେତେବେଳେ ପ୍ରଭୁଙ୍କ ରୀତିନୀତି ପାଳନ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଦୋକାନ ବଜାର ବୁଲି ବୁଲି ଅର୍ଥ ସାହାଯ୍ୟ ମାଗିବାକୁ ପଡ଼ିଥିଲା।
ସମୟ ପୁଣି ଆସ୍ତେ ଆସ୍ତେ ବଦଳିଲା। ୧୯୮୧ ମସିହାରେ ସ୍ଥାନୀୟ ଶ୍ରଦ୍ଧାଳୁ ଡାକ୍ତର ଦିବ୍ୟସିଂହ ମିଶ୍ର ଏବଂ ଶ୍ରୀଯୁକ୍ତ ସୋମନାଥ ପାଣିଙ୍କ ଆଗ୍ରହ ଦେଖି ପାରିକୁଦର ତତ୍କାଳୀନ ରାଜା ସାହେବ ପ୍ରତାପ ସିଂହଦେଓ ଏହି ଦୁଇଜଣଙ୍କୁ ମନ୍ଦିର ପରିଚାଳନାର ଦାୟିତ୍ୱ ପ୍ରଦାନ କରି ଏକ ଟ୍ରଷ୍ଟ ଗଠନ କରାଇଥିଲେ। ଏହା ପରେ ମହାପ୍ରଭୁଙ୍କର ବନ୍ଦ ହୋଇଯାଇଥିବା ସମସ୍ତ ଯାନିଯାତ୍ରାର ପୁନଃଆରମ୍ଭ କରାଯାଇଥିଲା। ଝୁଲଣଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପୁନର୍ବାର ଆରମ୍ଭ କରାଗଲା। ଏଥିରେ ପାରିକୁଦର ରାଜାମାନେ ରଥର ଛେରାପହଁରା କରିଆସୁଛନ୍ତି |
କ୍ରମଶଃ ଅନେକ ବୈଦାନ ଭକ୍ତ ଓ ଶ୍ରୀଜଗନ୍ନାଥପ୍ରେମୀ ଏହି ଧର୍ମସୁଅରେ ସ୍ୱତଃପ୍ରବୃତ୍ତ ଭାବରେ ସାମିଲ ହୋଇଥିଲେ। ଏହି ଧର୍ମସୁଅର ଅଗ୍ରଭାଗରେ ଥିଲେ ଏହି ମାଟିର ଗର୍ବ ଓ ଗୌରବ ଜଷ୍ଟିସ ରଙ୍ଗନାଥ ମିଶ୍ର, ତତ୍କାଳୀନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ହାଡ଼ିବନ୍ଧୁ ସେନାପତି, ସୋମନାଥ ପାଣି ପ୍ରମୁଖ। ୧୯୯୧ ମସିହାରେ ପ୍ରଭୁ ରଙ୍କନାଥଙ୍କ ନିର୍ଦ୍ଦେଶ, ତଥା ପ୍ରଭୁଙ୍କ ସ୍ୱଇଚ୍ଛାରେ ଡାକ୍ତର ସୁରେନ୍ଦ୍ରନାଥ ମହାନ୍ତି, ବ୍ରଜସୁନ୍ଦର ସୁବୁଦ୍ଧି, କେଦାରନାଥ ନନ୍ଦ, ନଳିନୀ ସୁବୁଦ୍ଧି, ପ୍ରମୋଦ ନାୟକ, ନୌକା ଆଚାରୀ, ସୋମନାଥ ପାଣି, କିଶୋର ସେନାପତି ପ୍ରମୁଖଙ୍କୁ ନେଇ “ରଙ୍କନାଥ ଉନ୍ନୟନ ପରିଷଦ” ଗଠନ କରାଯାଇଥିଲା।
ଶ୍ରୀ ରଙ୍କନାଥ ବୋଧହୁଏ ବାଣପୁରବାସୀଙ୍କ ଭକ୍ତିଭାବ ଦେଖି ମନ୍ଦିର ଭିତରେ ଆଉ ରହିବାକୁ ଇଚ୍ଛା କଲେ ନାହିଁ। ଭକ୍ତ ପ୍ରମୋଦ ପଟ୍ଟନାୟକଙ୍କୁ ବୋଧହୁଏ ସେ ତାଙ୍କ ଘୋଷଯାତ୍ରା ନିମିତ୍ତ ଏକ ଗୁଣ୍ଡିଚା ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଭୁଙ୍କ ଆଦେଶକୁ ପାଳନ କରି ସେ ଠାକୁରଙ୍କ ପାଇଁ ଏକ ଗୁଣ୍ଡିଚା ମନ୍ଦିର ନିର୍ମାଣ କରିଦେଲେ। ଏହି ଧର୍ମକାର୍ଯ୍ୟରେ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମବାସୀମାନେ ଆଉ ଏକ ପାଦ ଆଗକୁ ବଢ଼ାଇ ଗ୍ରାମର ଆରାଧ୍ୟଦେବୀ ମା’ ଗେଲବତୀଙ୍କୁ ମାଉସୀମା’ ଙ୍କ ସ୍ଥାନ ପ୍ରଦାନ କରି ଭାଇ-ଭଉଣୀଙ୍କୁ ପୋଡ଼ପିଠା ଭୋଗ ଲାଗି କରିବାର ପରମ୍ପରା ଆରମ୍ଭ କରିଥିଲେ।
ରାଜା ଗୋବିନ୍ଦ ଚନ୍ଦ୍ର ମାନସିଂହଙ୍କ ଦ୍ୱାରା ଷୋଡ଼ଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ରଥଯାତ୍ରା ସମୟକ୍ରମେ ବନ୍ଦ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପୁନଃଆରମ୍ଭ କରାଯାଇଛି। ଶହ ଶହ ବର୍ଷ ଧରି ବନ୍ଦ ହୋଇଯାଇଥିବା ଏହି ପରମ୍ପରାକୁ ପୁନର୍ଜୀବିତ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିନୋଟି ରଥରେ ବିରାଜମାନ କରାଯାଇ ପ୍ରଭୁ ରଙ୍କନାଥଙ୍କ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେଉଛି।
ଠାକୁରଙ୍କ ପୁରୁଣା ପକ୍କା ଗୃହକୁ ଭଙ୍ଗାଯାଇ ୨୦୦୬ ମସିହାରେ ଆଉ ଜଣେ ବିଷ୍ଣୁଭକ୍ତ ଶ୍ରୀ ନାରାୟଣ ସେନାପତିଙ୍କ ଉଦ୍ୟମରେ ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ବର୍ଷ ବାହୁଡ଼ା ଏକାଦଶୀ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ନୂତନ ମନ୍ଦିରରେ ନୀଳାଦ୍ରି ବିଜେ କରାଯାଇଥିଲା। ସତେ ଅବା ମା’ ସରସ୍ୱତୀ ଶ୍ରୀ କାଶୀନାଥ ପାତ୍ର ଏବଂ ବ୍ରଜସୁନ୍ଦର ପାତ୍ରଙ୍କ କଣ୍ଠରେ ବିରାଜମାନ ହୋଇ ସେମାନଙ୍କୁ ଦିଅଁମାନଙ୍କ ଚଳଣି ଓ ନୀତିକାନ୍ତି ପାଇଁ ବଜାରରେ କେତେକ ଦୋକାନଗୃହ ନିର୍ମାଣ କରିବାକୁ ପ୍ରେରଣା ଦେଇଥିଲେ। ସେମାନଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ନିମନ୍ତେ କେତେକ ଦୋକାନଗୃହ ନିର୍ମାଣ କରାଯାଇଥିଲା। ଭକ୍ତମାନଙ୍କ ତୃଷ୍ଣା ନିବାରଣ ପାଇଁ ଗୌରୀଶଙ୍କର ନାମକ ଜଣେ ଶ୍ରଦ୍ଧାଳୁ ମନ୍ଦିର ପାଖରେ ପାନୀୟ ଜଳର ସୁବ୍ୟବସ୍ଥା କରିଥିଲେ।
ସମୟର ପ୍ରଭାବରେ ଆମ ଦେଶରୁ ରାଜା-ରାଜୁଡ଼ାଙ୍କ ଶାସନ ଚାଲିଯାଇଛି। ଏହି ମାଟି କେତେ ବୀର ରାଜା-ମହାରାଜାଙ୍କ ଶାସନ ଦେଖିଛି। ସମସ୍ତେ ବିଧାତାଙ୍କ ନିର୍ଦ୍ଧାରିତ କର୍ତ୍ତବ୍ୟ ସମ୍ପାଦନ କରି ଆରପାରିକୁ ଚାଲିଯାଇଛନ୍ତି। କିନ୍ତୁ ସେହି ବଙ୍କାଡ଼ଗଡ଼ର ଆରାଧ୍ୟ ଇଷ୍ଟଦେବ ଶ୍ରୀଶ୍ରୀ ରଙ୍କନାଥ ଆଜି ମଧ୍ୟ ବାଣପୁରରେ ବିରାଜମାନ ଅଛନ୍ତି ଏବଂ ସର୍ବସାଧାରଣଙ୍କୁ ଏହି ବାର୍ତ୍ତା ପ୍ରଦାନ କରୁଛନ୍ତି— ସେବା, ଭକ୍ତି ଓ ଶ୍ରଦ୍ଧା ହିଁ ଶ୍ରେଷ୍ଠ। ମନୁଷ୍ୟର ମୃତ୍ୟୁ ହୁଏ, କିନ୍ତୁ ତାଙ୍କର କୀର୍ତ୍ତି, ଯଶ ଓ ଧର୍ମକାର୍ଯ୍ୟ ତାଙ୍କୁ ଚିରକାଳ ପାଇଁ ଅମରତ୍ୱ ପ୍ରଦାନ କରିଥାଏ।
Sri Sri Rankanath Deba Bankadagada Banapur Shailodbhava Nayagada Nayagarh Itihasa Prasant Das
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

10 hours ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

3 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

5 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

6 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

6 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

7 days ago