ଲେଖା: ଦେଵ ତ୍ରିପାଠୀ

ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା।

ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ ପଟ୍ଟନାୟକ, ବୈକୁଣ୍ଠ ମହାନ୍ତି, ବିନୋଦ କାନୁନଗୋଙ୍କ ପରି ଯୋଗଜନ୍ମାଙ୍କ ଚରଣରେଣୁରେ ପବିତ୍ର  ହୋଇଥିବା ସେଇ ମାଟି ଥିଲା କେଉଁ ଏକ ଅଜଣା ଦେବତାର ଆଶିଷରେ ଗଢ଼ା । କେବେ ଦିନେ ଗୋପବନ୍ଧୁ ଚୌଧୁରୀ ପାଇଥିଲେ ସେ ମାଟିର ବାସ୍ନା । ଏହାର ଗହଳ ଆମ୍ବଗଛ ମେଳରେ ମହକି ଉଠୁଥିଲା ଉଦ୍ଗତ କେତେ ଆତ୍ମାର ପ୍ରାର୍ଥନା । ଜାତୀୟତା ତଥା ଦେଶପ୍ରେମର ଚେତନାରେ ପରିପୁଷ୍ଟ ସେ ଭୁଇଁ ଦିନେ ପାଲଟି ଯାଇଥିଲା ଭାରତବର୍ଷର ଏକ ବିରଳ ସାଧନାର ସ୍ବର୍ଗ ! ମହାନ ବିପ୍ଳବୀ, ଆତ୍ମତ୍ଯାଗୀଙ୍କ ସାଧନାର କୀର୍ତ୍ତିସ୍ଥଳ ! ସେଠି ସାକାର ହେଲା ସେଇ ମାନବବାଦୀ ଦେବତାଙ୍କ ସ୍ବପ୍ନ: ଚିରନ୍ତନ ଶାନ୍ତି, ଜ୍ଞାନ, ଦେଶପ୍ରେମ ଓ ଆଦର୍ଶବୋଧରର କାନନ – ଅଳକାଶ୍ରମ !


ଋଷିପ୍ରତିମ ସତ୍ତା ଓ ସୃଜନର ସମୁଜ୍ଜ୍ୱଳ ଏବଂ ଅନନ୍ୟ ଦୁର୍ଲଭ ପ୍ରତିଭା ଭାରତମଣି ଗୋପବନ୍ଧୁଙ୍କ କରକମଳରେ ୧୯୨୨ ମସିହା ଶ୍ରୀପଞ୍ଚମୀ ତିଥିରେ ଶୁଭଉଦଘାଟିତ ହୋଇଥିଲା ଏଇ ଆଶ୍ରମ । ସେ ଆଶ୍ରମ ଥିଲା ଈଶ୍ୱରଙ୍କ କରୁଣାରେ ଭରପୁର ।

ଖେରସ ଜମିଦାର ପରିବାରର ଗୋପବନ୍ଧୁ ଚୌଧୁରୀ ଚାକିରୀ ଛାଡି ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା ପରେ ସହଧର୍ମିଣୀ ତଥା ଗାନ୍ଧୀଚରଖା ସଂଘର ସଦସ୍ୟ ରମାଦେବୀଙ୍କୁ ସଙ୍ଗରେ ନେଇ ଆରମ୍ଭ କରିଥିଲେ ଏହି ଆଶ୍ରମ । ପରେ ଏହା ଏକ ବିରାଟ ଅନୁଷ୍ଠାନରେ ପରିଣତ ହୋଇ ସମାଜ ସଂସ୍କାର, ବିଦେଶୀବସ୍ତ୍ର ବର୍ଜନ, ମାଦକ ଦ୍ରବ୍ୟ ପରିହାର, ଅସ୍ପୃଶ୍ୟତା ନିବାରଣ, ଅରଟରେ ସୂତା କାଟିବା ଦିଗରେ କାର୍ଯ୍ୟକାରୀ ହୋଇଚାଲିଥିଲା । ଆଶ୍ରମର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ତତକାଳୀନ ଜିଲାବୋର୍ଡ ଦ୍ବାରା ପରିଚାଳିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋରୀଚରଣ କାନୁନଗୋଙ୍କ ଘୋଷଣାନୁଯାୟୀ ଏହି ଆଶ୍ରମଟି ପରିଣତ ହୋଇଥିଲା ଏକ ଜାତୀୟ ବିଦ୍ୟାଳୟ ଭାବେ । ଏଥିରେ ଶିକ୍ଷକତା କଲେ ପ୍ରାଣକୃଷ୍ଣ ପଢ଼ିଆରୀ, ରାମକୃଷ୍ଣ ନନ୍ଦ, ନିଳମଣି ପ୍ରଧାନ, ଗୁଣନିଧୁ ମହାନ୍ତି, ଉଦୟନାଥ ଷଡ଼ଙ୍ଗୀ, ବିଶ୍ବନାଥ ପରିଡ଼ା, ସହଦେବ ଦାସ, ବାବାଜୀ ରାମଚନ୍ଦ୍ର ଦାସ, ଭଦ୍ରକର ଗୋକୁଳାନନ୍ଦ ମହାନ୍ତିଙ୍କ ସହ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରାଜକିଶୋର ଦାସ, ଦ୍ଵାରକାନାଥ ମହାପାତ୍ର ପ୍ରମୁଖ ।

ସୃଜନଶୀଳତା ପାଇଁ ବ୍ୟାସକବି ଫକୀରମୋହନଙ୍କ ‘ଛ’ମାଣ ଆଠଗୁଣ୍ଠ’, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଇଂରାଜୀ ପ୍ରବନ୍ଧ, ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ‘ବାରବାଟୀ ଦୁର୍ଗ‘, ନନ୍ଦକିଶୋର ବଳଙ୍କ ‘ଶର୍ମିଷ୍ଠା‘, ଆଚାର୍ଯ୍ୟ ହରିହରଙ୍କ ଇଂରାଜୀ ବ୍ୟାକରଣ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିବା ବେଳେ ‘ଅଳକା‘ ନାମକ ହାତଲେଖା ପତ୍ରିକା ପ୍ରକାଶ ପାଉଥିଲା । ଗଞ୍ଜାମ, ସମ୍ବଲପୁର, ବାଲେଶ୍ବର ଆଦି ଅଞ୍ଚଳରୁ ଆସିଥିବା ସ୍ଵାଧୀନତା ସଂଗ୍ରାମୀମାନେ ଏହି ଆଶ୍ରମକୁ ତାଲିମ ନେବାକୁ ଆସୁଥିଲେ । ଆଶ୍ରମରୁ ଖଦୀବସ୍ତ୍ର, ସତରଞ୍ଜି, ଦରି ବୁଣା ତାଲିମ ନେଇ ଆଶ୍ରମକୁ ଫେରିଆସିଥିବା ନବକୃଷ୍ଣ ଚୌଧୁରୀ ଅନ୍ତେବାସୀମାନଙ୍କୁ ଲୁଗାବୁଣା ଓ ସତରଞ୍ଜି ତିଆରି ପାଇଁ ତାଲିମ ପ୍ରଦାନ କରିଥିଲେ।

ଗୋପବନ୍ଧୁ ଚୌଧୁରୀ ‘ସୂତାକଟା‘ ନାମକ ଏକ ପୁସ୍ତକ ରଚନା କରି ସୂତା ଲୁଗା ପ୍ରସ୍ତୁତି ଓ ସତରଞ୍ଜି କୌଶଳ ଲୋକାଦୃତ କରିଥିଲେ । ଆଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ଗାଁ ଗାଁ ବୁଲି ଛୁଆଁ ଅଛୁଆଁ ସମସ୍ତଙ୍କ ଠାରୁ ଚାଉଳ, ମାଣ୍ଡିଆ ଆଦି ମୁଠି ଭାବେ ସଂଗ୍ରହ କରାଯାଉଥିଲା । ଏହାକୁ ‘ଗାନ୍ଧୀମୁଠି‘ କୁହାଯାଉଥିବା ବେଳେ ମୁଠି ସଂଗ୍ରହ ମାଧ୍ୟମରେ ଲୋକଙ୍କ ନିକଟରେ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଯାଇପାରୁଥିଲା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରୁଥିଲା ।

ସମାଜର ସମ୍ରାନ୍ତ ଶ୍ରେଣୀର ନାରୀମାନେ ଅଳକାଶ୍ରମରେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସରଳାଦେବୀ ଓ ରମାଦେବୀ ପ୍ରଥମେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେବା ପରେ ଅନେକ ମହିଳା ଯୋଗଦେଇଥିଲେ । ଏନେଇ ଇଂରେଜ ସରକାରଙ୍କ ଦ୍ବାରା ସେମାନଙ୍କୁ ବନ୍ଦୀ ହେବାକୁ ପଡିଥିଲା । ବନ୍ଦୀ ରହିବା ପରେ ବିଭିନ୍ନ ସଙ୍ଗଠନ ସହିତ ଯୋଗାଯୋଗରକ୍ଷା କରିବା ସମ୍ଭବ ହେଉନଥିବାରୁ ଅଳକାଶ୍ରମ ପରିଚାଳନା ତଥା ସ୍ୱାଧୀନତା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସୁବିଧା ନ ଥିଲା । ୧୯୩୦ ମସିହାର ‘ଲବଣ ସତ୍ୟାଗ୍ରହ‘ ସମୟରେ ଅଳକାଶ୍ରମ ପ୍ରାୟ ବନ୍ଦ ହୋଇଯାଇଥିଲା । ପରପର୍ଯ୍ୟାୟରେ ଆଶ୍ରମର କର୍ମକର୍ତ୍ତାଗଣ କଟକସ୍ଥ ସ୍ବରାଜ ଆଶ୍ରମରେ ଯୋଗଦେଇ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଗୁଜରାଟର ସାବରମତୀ ଆଶ୍ରମ, ପୁନାର ପୌନାର ଆଶ୍ରମ, ବିହାରର ସଦାକତ ଆଶ୍ରମ, କଟକର ସ୍ୱରାଜ ଆଶ୍ରମର ସମସାମୟିକ ଏଇ ଅଳକାଶ୍ରମ । ହେଲେ ସ୍ଵାଧୀନତା ସଂଗ୍ରାମର ଯଜ୍ଞବେଦୀ ସାଜିଥିବା ଅଳକାଶ୍ରମ ଆଜି ତା’ର ସ୍ଥିତି ହରାଇବାକୁ ବସିଛି । ଲୋକଙ୍କ ସ୍ମୃତିରୁ ଦୂରେଇଯାଇଛି ଏହି ଜାତୀୟ ଆଶ୍ରମ।

ଏବେ ମଧ୍ୟ ଆଶ୍ରମର ସେହି ବିଧ୍ୱସ୍ତ କ୍ଷେତ୍ର ଭିତରେ ବୁଲିଲାବେଳେ ଅନୁଭବ କରିହୁଏ ସନ୍ଥ ଗୋପବନ୍ଧୁଙ୍କ ବଜ୍ରଆହ୍ୱନ ! ସେହି ପୁଣ୍ୟଭୂମିରେ ଅନୁଭବ କରିହୁଏ ସେଇ ସାଧନା ଓ ସୃଜନର ସଂକଳ୍ପ, ଆହୁରି ମଧ୍ୟ ସେଠି ଅନୁଭବ କରିହୁଏ ଦେଶପ୍ରେମୀ ଜାତୀୟତାବାଦୀ ଚରିତ୍ର ନିର୍ମାଣର ପ୍ରେରଣାର ଅସ୍ତଗାମୀ କରୁଣ ଦୃଶ୍ୟାବଳୀକୁ !

ଫଟୋ: ଅରକ୍ଷିତ ପୃଷ୍ଟି, ଜଗତସିଂହପୁର 

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

11 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

14 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

19 hours ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago