ଲେଖା: ଦେଵ ତ୍ରିପାଠୀ ୧୯୭୪ ମସିହା । ମହାରାଷ୍ଟ୍ରର କେଉଁ ଏକ ମଫସଲ ଅଞ୍ଚଳରେ ଚିତ୍ରାୟିତ (ସୁଟିଂ) ହେଉଛି କଳାଧଳା କଥାଚିତ୍ରଟିଏ, ନିମ୍ନ ମଧ୍ୟବିତ୍ତ ପରିବାରର ତରୁଣୀଟିର ଜୀବନରେ ସଂଘର୍ଷ ଓ ସଂଘାତର କାହାଣୀକୁ ନେଇ । ତତ୍କାଳୀନ ହିନ୍ଦି ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତ୍ରୀ ରାଖି ଅଭ୍ୟାସଗତ ଭାବେ ମୁହଁରେ ରୂପଚର୍ଯ୍ୟାର ସମସ୍ତ ଆବଶ୍ୟକୀୟ ପ୍ରଲେପ ମାଖି ପ୍ରସ୍ତୁତ ରହିଛନ୍ତି । ମାତ୍ର ତରୁଣ ନୂତନ ଫଟୋଗ୍ରାଫର୍ ଜଣକ ଅନୁନୟ-ସ୍ନିଗ୍ଧ କଣ୍ଠରେ କହିଲେ ସେସବୁ ପ୍ରସାଧନକୁ ପୋଛିଦେବା ପାଇଁ, ଚରିତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ! ଅନାମଧ୍ୟେୟ ଯୁବକଟିଏ ଯେ ରାଖିଙ୍କ ପରି ପ୍ରତିଷ୍ଠିତ ଅଭିନେତ୍ରୀଙ୍କ ବେଶଭୂଷା, ପରିଧାନ, ରୂପସଜ୍ଜାରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦବ ! ଏତେ ଆସ୍ପର୍ଦ୍ଧା ! ନିର୍ଦ୍ଦେଶକ ନିରବ ! କ୍ୟାମେରାମ୍ୟାନ ନିଜ କଥାରେ ଅଟଳ ! ପରିସ୍ଥିତିକୁ ବୁଝି ଅଭିନେତ୍ରୀ ନିଜର ରୂପଚର୍ଯ୍ୟା ବଦଳାଇଦେଲେ ଅବଶ୍ୟ ! କିଛି ଦିନ ଉତ୍ତାରେ ବମ୍ବେ ନଗରୀରେ କଥାଚିତ୍ରର ପ୍ରାରମ୍ଭିକ ଚିତ୍ର ପ୍ରଦର୍ଶନୀ (ପ୍ରିମିଅର୍ ସୋ) । ଉଦ୍ଦିଷ୍ଟ ଅନ୍ଧକାର କକ୍ଷରେ ନିଜର ବାନ୍ଧବୀମାନଙ୍କ ସହ ଆଗଧାଡ଼ିରେ ବସିଛନ୍ତି ରାଖି, ମୁହଁ ଶୁଖାଇ ! “ଓଡ଼ିଶା କି କୋଉଠୁ ଗୋଟେ କ୍ୟାମେରାମ୍ୟାନ୍ ଆସିଛି ଯେ, ଲାଇଟ୍ ନାହିଁ, ମେକପ୍ ନାହିଁ, ସହଜେ ତ କଳାଧଳା ସିନେମା ! ମୁଁ ନିହାତି ଭୁତୁଣୀଟେ ପରି ଦିଶୁଥିବି !” ତାଙ୍କ ଠିକ୍ ପଛ ଧାଡ଼ିରେ ବସି ଏକଥା ଶୁଣୁଥିଲେ ଶଙ୍କାଗ୍ରସ୍ତ ଓଡ଼ିଆ କ୍ୟାମେରାମ୍ୟାନ ଜଣକ ! ଝାଳରେ ଗାଧୋଇ ପଡ଼ିଲେଣି ସେତେବେଳକୁ ରାଖିଙ୍କ ଅଭିମାନ ଓ କ୍ଷୋଭକୁ ଦେଖି ! ତେବେ ପ୍ରଦର୍ଶନୀ ଉପରାନ୍ତେ ରାଖି ବ୍ୟସ୍ତ ହୋଇ ଖୋଜିଲେ କ୍ୟାମେରାମ୍ୟାନଙ୍କୁ ! ବଡ଼ ଦୟନୀୟ ଅବସ୍ଥାରେ ଥିବା ସେଇ ଯୁବକଙ୍କ ପିଠି ଥାପୁଡ଼ାଇ ଦେଇ କହିଥିଲେ, “ଫଟୋଗ୍ରାଫିର ଯେ ନିଜସ୍ଵ ଏକ ଭାଷା ଅଛି, ସେ ଯେ ସ୍ବତନ୍ତ୍ର ଭାବେ ସୃଜନରେ ଲାଳିତ୍ୟ ଫୁଟାଇପାରେ, ନୂଆ କିଛି କରିପାରେ – ସେ ଧାରଣା ମୋର ନ ଥିଲା ! ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଅଭିନନ୍ଦନ ! ଆପଣଙ୍କ ସୃଜନର ନିର୍ଝରିଣୀ ଏମିତି ବହିଚାଲୁ ।” ରାଖିଙ୍କ ପରି ପ୍ରଚଣ୍ଡ ପ୍ରତିଭାଶାଳୀ ଅଭିନେତ୍ରୀଙ୍କ ଆବେଗପୂର୍ଣ୍ଣ କଥାପଦକ ସେଇ କ୍ୟାମେରାମ୍ୟାନଙ୍କ ପାଇଁ ଥିଲା ଜୀବନର ସବୁଠାରୁ ବଡ଼ ପୁରସ୍କାର ! କହିବା ବାହୁଲ୍ୟ, ଶ୍ରେଷ୍ଠ କ୍ୟାମେରା ପରିଚାଳନା ନିମନ୍ତେ ରାଖିଙ୍କ ଅଭିନୀତ ସେଇ ଚଳଚ୍ଚିତ୍ର 27 DOWN ଲଭିଲା ସେ ବର୍ଷର ଜାତୀୟ ପୁରସ୍କାର ! ରାଖିଙ୍କ ପ୍ରେରଣାରୁ ସେ ସୃଜନର ନିର୍ଝରିଣୀ ଫିଟିଲା, ସେ ବହିଗଲା କଳକଳ ହୋଇ, ଦୁଇକୂଳକୁ ସ୍ନିଗ୍ଧଶ୍ୟାମଳ କରି । କେତେବେଳେ ମାଟିକୁ କଲା ଆର୍ଦ୍ର, ରସମୟ ତ କେବେ ପ୍ରପାତ ହୋଇ ସୂର୍ଯ୍ୟରଶ୍ମୀ ସାଉଁଟି ଫୁଟାଇଲା ଇନ୍ଦ୍ରଧନୁ, କେବେ ଶିଳାବନ୍ଧୁର ବୁକୁରେ ତୋଳିଲା ଅପୂର୍ବ ସଙ୍ଗୀତ ! ସେ ଅପୂର୍ବ କିଶୋର ବୀର ! ଆଦିମୀମାଂସା, ଲାବଣ୍ୟପ୍ରୀତି, ଆରଣ୍ୟକ ପରି କଥାଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ । ଥରେ ସେ ଝର ପାହାଡ଼ ଫଟାଇ ବାହାରି ଆସିବା ପରେ କେବେ ବି ଶୁଖିନି ! କେବେ କାନଭାସ୍’ର ରଙ୍ଗରେ, କେବେ କଲମର ଝରରେ, କେବେ କ୍ୟାମେରାର ରିଲ୍’ରେ କବିତା ହୋଇ ଝରିଛି । ଏକାଧାରରେ ସେ ବନିଯାଇଛନ୍ତି କବି, ଚିତ୍ରଶିଳ୍ପୀ, ଫଟୋଗ୍ରାଫର୍, ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ । ବାରିପଦାରୁ ଆସି କଟକ ମାଟିରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉପଯୁକ୍ତ ସୁଯୋଗ ନ ପାଇ ବମ୍ବେ ଚଳଚ୍ଚିତ୍ର ଜଗତକୁ ମୁହାଁଇଥିଲେ ଅପୂର୍ବ କିଶୋର ବୀର। ଚିତ୍ରନିର୍ମାଣକୁ କେବଳ ଚଳଚ୍ଚିତ୍ର ନିର୍ମାଣ ମଧ୍ୟରେ ସୀମିତ ନ ରଖି ସାମଗ୍ରିକ କଳାତ୍ମକ ଦୃଷ୍ଟିଭଙ୍ଗୀ ରଖି ସେ ସ୍ରଜନ୍ତି ଚିତ୍ରମାନ । ସେପାଇଁ ତାଙ୍କ ଚଳଚ୍ଚିତ୍ରମାନ ହୋଇଥାନ୍ତି ବହୁ ପରୀକ୍ଷା ଓ ପ୍ରୟୋଗର ମୁକ୍ତଭୂମି ! ସେଥିରେ ଥାଏ ସଙ୍ଗୀତ, ସୃଜନ, ଲାଳିତ୍ୟ, ଅଭିନୟ, ଚାରୁକଳା ଓ ଜୀବନଜିଜ୍ଞାସା ! ଏସବୁକୁ ଆପଣାଇ ପାରିଥିବାରୁ ସାଫଲ୍ୟ ଓ କୃତିତ୍ୱ ତାଙ୍କ ପାଦସ୍ପର୍ଶ କରିଛି ! Bin Kingsley ଅଭିନୀତ ତଥା ସାତଟି ଓସ୍କାର ବିଜୟୀ ଗାନ୍ଧୀ ଚଳଚ୍ଚିତ୍ରର କ୍ୟାମେରାମ୍ୟାନ ହେବା ତାଙ୍କ ଜୀବନର ଅନ୍ୟ ଏକ ସଫଳତା ! କଥାଚିତ୍ର ଦାସୀ ଓ ପ୍ରାମାଣିକ ଚିତ୍ର ‘ମା’ ଓରୁ’ରେ ଚିତ୍ର ଉତ୍ତୋଳନ ପାଇଁ ସେ ଲଭିଛନ୍ତି ଏକାଧିକ ଜାତୀୟ ପୁରସ୍କାର ! ଘରୋଣ୍ଡା ଚଳଚ୍ଚିତ୍ର ପାଇଁ FilmWorld ପୁରସ୍କାର, କନ୍ନଡ଼ ଚିତ୍ର “ଓନନ୍ଦାନ୍ଦୁ କାଲ୍ଲାଦାଲ୍ଲ” ପାଇଁ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ସ୍ବତନ୍ତ୍ର ଭାବେ ସମ୍ମାନିତ ହେବା ଶ୍ରୀ ବୀରଙ୍କ ସାଫଲ୍ୟମଣ୍ଡିତ ଜୀବନର କିୟଦଂଶ ମାତ୍ର ! ପଦ୍ମଭୂଷଣ ମନୋଜ ଦାସଙ୍କ ଆରଣ୍ୟକ ଗଳ୍ପ ଏବଂ ମହାପାତ୍ର ନୀଳମଣି ସାହୁ ଆଦିମୀମାଂସା ଗଳ୍ପକୁ ଚିତ୍ର ମାଧ୍ୟମରେ ପ୍ରକାଶ କରି ଓଡ଼ିଆ କଳାପ୍ରେମୀଙ୍କ ନିକଟରେ ସେ ପାଇପାରିଛନ୍ତି ସ୍ବତନ୍ତ୍ର ପରିଚୟ । ଜୟଦେବ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଅପୂର୍ବ କିଶୋର ବୀର । ତାଙ୍କ ସୃଜନୀ ତାଲିକାରେ ରହିଛି ୩୦୦ରୁ ଉର୍ଦ୍ଧ୍ବ ସଂକ୍ଷିପ୍ତ କଥାଚିତ୍ର, ୫୦ରୁ ଅଧିକ ପ୍ରାମାଣିକ ଚିତ୍ର, ଏକାଧିକ ଓଡ଼ିଆ, ହିନ୍ଦି, ଦକ୍ଷିଣ ଭାରତୀୟ ବାସ୍ତବବାଦୀ (Realistic) କଥାଚିତ୍ର । ଯାହାଙ୍କ ଦୃଷ୍ଟିର ଦ୍ୟୁତିରେ ଲୁହା ପାଲଟିଯାଏ ପରଶମଣି, ପଥର ହୁଏ ବାଙମୟ, ସେଇ ସୃଜନ ଉଚ୍ଚାଟ ଅପୂର୍ବ କିଶୋର ବୀର ମହୋଦୟଙ୍କ ସୃଜନର ନିର୍ଝର, ମଧୁର ଛଳଛଳ କବିତାର ଧାରା ପରି ନିରନ୍ତର ବହିଚାଲୁ, ଏତିକି କାମନା !
| | |