ଲେଖା: ଶ୍ରୀକାନ୍ତ ସିଂହ
~ ଅଢ଼ଙ୍ଗଗଡ଼ ଗ୍ରାମର ପଶ୍ଚିମେଶ୍ୱର, ନୀଳକଣ୍ଠେଶ୍ୱର ମନ୍ଦିର ଓ ପୂରଣ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ~
ଅନେକ ବର୍ଷ ପୂର୍ବେ, କେଉଁ ରାଜାରାଜୁଡ଼ା ଯୁଗରେ ଅଢ଼ଙ୍ଗଗଡ଼ରେ ଶାସନ କରୁଥିଲେ ରାଜା ରଘୁରାମ ଚମ୍ପତିରାୟ l ରଘୁରାମଙ୍କ ପୂର୍ବରୁ ତାଙ୍କ ପୂର୍ବ ପୁରୁଷମାନେ ଏଠାରେ ଶାସନ କରୁଥିଲେ, ମାତ୍ର ଏବେ ଜମିଦାରଙ୍କ ଉତ୍ତର ପୁରୁଷମାନେ ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି l ଅଢ଼ଙ୍ଗଗଡ଼ରେ ନା କୌଣସି ଗଡ଼ ରହିଛି, ନା କୌଣସି ରାଜବାଟୀର ଚିହ୍ନବର୍ଣ୍ଣ ଦେଖିବାକୁ ମିଳେ l ସବୁକିଛି ମାଟିରେ ମିଶି ଧୂଳିସାତ ହୋଇଛି l ରାଣୀ ତାଙ୍କ ବିବାହ ସମୟରେ ଆଣିଥିବା ଦୁର୍ଗାପ୍ରତିମା ଏକ ଚାଳିଘରେ ପୂଜା ପାଉଛନ୍ତି ଏବଂ ଆଉ ଏକ ଚାଳିଘରେ ପୂର୍ବ ପୁରୁଷଙ୍କ ଅସ୍ତ୍ରଶସ୍ତ୍ର ପୂଜା ପାଉଛି l
ନାମ, ଗୋତ୍ର, ପରିଚୟ ଗୋପନ ରଖି, ରାଜାଙ୍କ ଜଣେ ଉତ୍ତର ଦାୟାଦ ନିଜ ଦୁଃଖ ବଖାଣିଲେ ଯାହା l ତାଙ୍କ କହିବାନୁଯାୟୀ, ତାଙ୍କ ପୂର୍ବପୁରୁଷଙ୍କ ଅନ୍ୟାୟ, ଅତ୍ୟାଚାର, କ୍ରୁର ଶାସନ, ପ୍ରଜାପୀଡ଼ନ ଯୋଗୁ ତଥା ପ୍ରଜାଙ୍କ ନାକ ନିଶ୍ୱାସ ଓ ଅଭିଶାପ ହେତୁ ସେମାନେ ଆଜି ବହୁତ ହୀନିମାନ ଓ କଷ୍ଟରେ କାଳାତିପାତ କରୁଛନ୍ତି l ସମୟ କ୍ରମେ ତାଙ୍କର ବିଲବାଡ଼ି ଭୂସମ୍ପତ୍ତି ଆଦି ବିକ୍ରିବଟା ହେଇଯିବା ଦ୍ୱାରା ଛୋଟିଆ ଦୋକାନଟିଏ କରି ଏବେ ଗୁଜୁରାଣ ମେଣ୍ଟାଉଛନ୍ତି l ସମୟ ସ୍ରୋତରେ ସବୁକିଛି ଆଜି ବଦଳି ଯାଇଛି l ଏବେ କିନ୍ତୁ ସେଇ ଅଞ୍ଚଳରେ ଦୁଇଟି ଶିବ ମନ୍ଦିର ରହିଛି ଯାହାକି ଅଢ଼ଙ୍ଗଗଡ଼ ରାଜବଂଶ ଦ୍ୱାରା କୌଣସି ସମୟରେ ନିର୍ମାଣ ହୋଇଥିଲା l
#ପଶ୍ଚିମେଶ୍ୱର_ମହାଦେବ_ମନ୍ଦିର: ଅଢ଼ଙ୍ଗଗଡ଼ ପରିସରରେ ରାଜା ରଘୁରାମ ଚମ୍ପତି ରାୟଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ଏକ ପୁରାତନ ଶିବ ମନ୍ଦିର ନିର୍ମାଣ ହୋଇଥିଲା l ଏହି ମନ୍ଦିରଟି ପଶ୍ଚିମେଶ୍ୱର ମହାଦେବ ନାଁରେ ଖ୍ୟାତ l ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ନିହାତି ଭାବେ ଚାରିଶହ ବା ପାଞ୍ଚଶହ ବର୍ଷ ପୁରୁଣା ହେବ l ପୋଡ଼ା ଇଟା, ପଥର ଓ ଚୂନ ଗୁଡ଼ରେ ତିଆରି ହୋଇଥିବା ମନ୍ଦିର ଟି ପ୍ରାୟ ତିରିଶ ଫୁଟ ଉଚ୍ଚ ହେବ l ରେଖ ବିମାନ ଓ ପୀଢ଼ ଶୈଳୀର ଜଗମୋହନ ସହିତ ସମ୍ମୁଖ ଭାଗରେ ଏକ ପଥର ନିର୍ମିତ ନାଟ ମଣ୍ଡପ ରହିଛି l କାରୁକାର୍ଯ୍ୟ ରହିତ ଏହି ମନ୍ଦିର ଗାତ୍ରରେ ଗଣେଶ, କାର୍ତ୍ତିକ ଓ ପାର୍ବତୀଙ୍କ ପ୍ରତିମା ରହିଛି l ଜଗମୋହନ ମଧ୍ୟ ଭାଗରେ ଵୃଷବ ଓ ଗର୍ଭଗୃହରେ ବୃତ୍ତାକାର ଯୋନିପୀଠରେ ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠା ହୋଇଛନ୍ତି l
#ନୀଳକଣ୍ଠେଶ୍ଵର_ମହାଦେବ_ମନ୍ଦିର: ପଶ୍ଚିମେଶ୍ୱର ମନ୍ଦିର ଠାରୁ ଅନତୀ ଦୂରରେ ନୀଳକଣ୍ଠେଶ୍ୱର ମହାଦେବ ନାମରେ ଆଉ ଏକ ପୁରୁଣା ଶିବ ମନ୍ଦିର ରହିଛି l ଗ୍ରାମ୍ୟ ପରିବେଶରେ ବୃକ୍ଷଲତା ଘେରା ପ୍ରାକୃତିକ ପରିବେଶରେ ମନ୍ଦିରଟି ଦଣ୍ଡାୟମାନ l ମନ୍ଦିର ନିକଟରେ ଏକ ଜଳାଶୟ ବି ରହିଛି l ଏହି ମନ୍ଦିରର ବିଶେଷତ୍ୱ ହେଲା, ନବକଳେବର ସମୟରେ ଏଠାରୁ ଦେବୀ ସୁଭଦ୍ରାଙ୍କ ଦାରୁ ସନ୍ଧାନ ହୋଇଥିଲା l ଯାହାର ସ୍ମାରକ ସ୍ୱରୂପ ଏକ ରଥ ଚକ ସେଠାରେ ରହିଛି l ପୀଢ଼ ଶୈଳୀର ଏହି ମନ୍ଦିରରେ ପାର୍ଶ୍ଵଦେବଦେବୀଙ୍କ ପ୍ରତିମା ରହିଥିଲେ ହେଁ କୌଣସି ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି ଏଠାରେ ଦେଖିବାକୁ ମିଳେ ନାହିଁ l
କଟକରୁ ଜଗତସିଂହପୁର ଯିବା ରାସ୍ତାରେ, ବାଲିଆ ଓ ଅଣଖିଆ ମଝିରେ ବାମ ଦିଗକୁ ଏକ ରାସ୍ତା ପଡ଼ିଛି ଅଢ଼ଙ୍ଗଗଡ଼ ଗ୍ରାମକୁ l ଆଉ ସେଇ ଅଢ଼ଙ୍ଗଗଡ଼ ଗ୍ରାମରେ ସ୍ୱଳ୍ପ ପରିଚିତ ଏଇ ଦୁଇ ପୁରୁଣା ଶିବ ମନ୍ଦିର ଦେଖିହେବ l
#ସୋମନାଥ_ମନ୍ଦିର: ବାଲିଆରୁ ଦକ୍ଷିଣ ଦିଗରେ ଯାଇ ବିଲୁଆଖାଇ ନଦୀ ସେତୁ ପାର ହେଲାପରେ ପଡ଼ିବ ମଇଁନ୍ଦିପୁର ଗାଁ, ଆଉ ସେଠାରୁ ଅଳ୍ପ ଦୂର ଆଗକୁ ଗଲେ ପଡ଼ିବ ପୂରଣ ଗାଁ l ସେଇ ପୂରଣ ଗାଁରେ ବିଲ ମଝିରେ ରହିଛି ଆଉ ଏକ ପୁରୁଣା ସୋମନାଥ ମହାଦେବ ମନ୍ଦିର l ପଞ୍ଚରଥ ପୀଢ଼ ଶୈଳୀ ମନ୍ଦିର ଓ ପୀଢ଼ ଜଗମୋହନ ଥିବା ଏହି ଦେଉଳଟି ନିହାତି ଭାବେ ପାଞ୍ଚ ଶହ ବର୍ଷରୁ ଅଧିକ ପୁରାତନ ହେବା ଅନୁମାନ କରାଯାଏ l ଗର୍ଭ ଗୃହରେ ବିରାଟ ଏକ ବୃତ୍ତାକାର ଯୋନିପୀଠରେ ଶିବଲିଙ୍ଗ ରହିଛନ୍ତି l ମନ୍ଦିର ଭିତରେ କେତେକ ପ୍ରାଚୀନ ପାଷାଣ ମୂର୍ତ୍ତି ପୂଜା ପାଉଥିବାବେଳେ, ପାର୍ଶ୍ୱଦେବଦେବୀଙ୍କ ମୂର୍ତ୍ତି ଗୁଡ଼ିକ ମଧ୍ୟ ପ୍ରାଚୀନ l ସୋମନାଥଙ୍କ ଦକ୍ଷିଣ ପାର୍ଶ୍ୱରେ ଏକ ବୈଷ୍ଣବ ମନ୍ଦିର ରହିଛି l
କୌଣସି ସମୟରେ ଏଠାରେ ଶତାବ୍ଦୀ ପୁରାତନ ଏକ ମନ୍ଦିର ଥିବା ଅନୁମାନ କରାଯାଏ l କାରଣ ମନ୍ଦିର ପରିସରରେ କାନ୍ଥକୁ ଡେରା ହୋଇ କଳା ମୁଗୁନି ପଥରରେ ତିଆରି ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏକ ଭଗ୍ନାବଶେଷ ଦେଖିବାକୁ ମିଳେ l ଯାହାକି କୌଣସି ମନ୍ଦିରର ଦ୍ୱାରବନ୍ଧର ଭଗ୍ନ ଅଂଶ ହୋଇଥିବା ଅନୁମାନ କରାଯାଏ l ଅବଶ୍ୟ ଏହା ଉପରେ ଅଧିକ ଗବେଷଣା କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା l
ଅଢ଼ଙ୍ଗଗଡ଼ ଗ୍ରାମର ଇତିହାସକୁ ନିକଟରୁ ଦେଖିବା ସହିତ ଈଶ୍ୱରାନୁଭୂତିର ଏକ ସ୍ୱତନ୍ତ୍ର ଅନୁଭବ ନେଇ ଫେରି ଆସିଥିଲି ସେଦିନ l
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago