ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ

ଲେଖା: ଶିବାଶିଷ ମହାପାତ୍ର

ଆମ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ! ଅସୁମାରୀ ପରମ୍ପରାର ନାୟକ ! 

ସମ୍ବଲପୁର ତଥା ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ଵରୀ । ଦୂତୀବାହନ ଓଷା ବା ପୁଅ ଜିଉଁତିଆ ପୂଜାରୁ ଆରମ୍ଭ ହୋଇଥାଏ ଶାରଦୀୟ ଦୁର୍ଗାପୂଜା । ଏହାପର ଷୋହଳ ଦିନ ଧରି ହୋଇଥାଏ ଷୋଡ଼ଶ ଉପଚାର । ବିଭିନ୍ନ ଶକ୍ତିପୀଠରେ କରାଯାଇଥାଏ ନିଶି ପୂଜା ତଥା ପଡ଼ିଥାଏ ବଳି । ବଳିପ୍ରଥା ଏହି ପୂଜାର ଏକ ପ୍ରମୁଖ ଆକର୍ଷଣ । ଛେଳି, ମେଣ୍ଢା, କୁକୁଡ଼ା,ପାରା ଆଦି ପଶୁପକ୍ଷୀଙ୍କ ବଳି ପଡିଥାଏ । ଦିନଥିଲା ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ପଡୁଥିଲା ବଳି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପରମ୍ପରାରେ ।

ବହୁ ଆଗରୁ ଶାସ୍ତ୍ର ସହିତ ଶସ୍ତ୍ରର ପୂଜା ମଧ୍ୟ ରହି ଆସିଛି । ରାଜା ଶାସନ ସମୟରୁ ବିଜୟା ଦଶମୀ ବା ଦଶହରା ତିଥିରେ ପାଳିତ ହୁଏ ଖଣ୍ଡାଧୁଆ ପର୍ବ । ଏହି ଦିନ ରାଜା ଅଭିଷିକ୍ତ କରୁଥିଲେ ସମଲେଶ୍ଵରୀ ମନ୍ଦିରର ମୁଖ୍ୟ ପୂଜକଙ୍କୁ ରାଜା ଭାବରେ । ପୂଜକଙ୍କ ପାଦଧୋଇ ତାଙ୍କୁ ବସାଉଥିଲେ ପାଲିଙ୍କି ଉପରେ । ରାଜା ନିଜେ ଧାରଣ କରୁଥିଲେ ସେନାପତିଙ୍କ ବେଶ । ପରେ ସେମାନେ ଯାଉଥିଲେ ଏକ ଶୋଭାଯାତ୍ରାରେ ଏବଂ ଏହି ଗୋଟିଏ ଦିନର ସେନାପତି ନିଜେ ଏହି ଶୋଭାଯାତ୍ରାର ଆଗରେ ଯାଉଥିଲେ । ମହାନଦୀର ଜଳରେ ପାଟ ଖଣ୍ଡା ସହିତ ଅନ୍ୟାନ୍ୟ ଖଣ୍ଡା ସବୁ ଧୁଆ ହେଉଥିଲା । ରାଜା ନିଜେ ଧୋଉଥିଲେ ପାଟଖଣ୍ଡା


ଏହା ପରେ ଶୋଭାଯାତ୍ରା ଫେରି ଆସେ ମନ୍ଦିରକୁ । ସେଠାରେ ବିଧି ଅନୁସାରେ ପୂଜା ପରେ ବଳି ପଡ଼ିଥାଏ । ପରେ ରାଜା ଫେରି ଆସନ୍ତି ରାଜ ମହଲକୁ । ସେଠାରେ ରାଜା ପରିଧାନ କରନ୍ତି ରାଜପୋଷାକ, ରାଜସିଂହାସନରେ ବସାଇ ସଂସ୍କୃତ ଶ୍ଲୋକ ସହିତ ରାଜ ତିଳକ ଏବଂ ରାଜମୁକୁଟ ପିନ୍ଧା ଯାଉଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିବା ଆଖଡ଼ା ଦଳ ତଥା ଛତର୍ ଦଳ ଆସିଥାନ୍ତି ଆଖଡ଼ା କେନ୍ଦ୍ରକୁ । ସେଠାରେ ପ୍ରଦର୍ଶିତ ହେଉଥିଲା ବିଭିନ୍ନ ପ୍ରକାରର ଯୁଦ୍ଧ କୈ।ଶଳ । ଖଣ୍ଡାଯୁଦ୍ଧ, ମଲ୍ଲଯୁଦ୍ଧ ସହିତ ଧନୁଶର ସହିତ ହେଉଥିଲା ବିଭିନ୍ନ ପ୍ରତିଯୋଗିତା ମାନ ।ଆଜି ନାହିଁ ରାଜା ଶାସନ କି ସମ୍ବଲପୁରର ରାଜପରିବାର ! ତେଣୁ ଏ ସମସ୍ତ କାର୍ଯ୍ୟ କରିଆସୁଛନ୍ତି ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ । ଚୌହାନ ରାଜବଂଶର ଜଣେ ବଂଶଧର ସମଲେଶ୍ଵରୀ ମନ୍ଦିର ତଥା ଦେବୀଙ୍କ ଉପରେ ଥିବ ଯାହାଙ୍କ ପାଣ୍ଡିତ୍ୟ ତଥା ଆଖଡ଼ା ଖେଳରେ ଯିଏ ଥିବେ ପାରଙ୍ଗମ ତାହାଙ୍କୁ ବଛାଯାଏ ‘ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ’ ଭାବରେ ।
କିଛି ଦିନ ଆଗରୁ ଓସ୍ତାଦ ଶ୍ରୀ ପିତାମ୍ବର ରାଏଙ୍କ ପରଲୋକ ଘଟିଥିଲା ଏବଂ ନୂତନ ଓସ୍ତାଦ ଭାବରେ ଶ୍ରୀ ସୁରେନ୍ଦ୍ର ନାଏକଙ୍କୁ ପାରମ୍ପରିକ ଗଡ଼ଜାତ ପରମ୍ପରାରେ ଅଭିଷେକ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ବୀର ସୁରେନ୍ଦ୍ର ସାଏଙ୍କ କାକା ଶ୍ରୀ ବଳରାମ ସିଂହ ମଧ୍ୟ ଥିଲେ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ।

©️Odisha Stories

Leave a Comment

Your email address will not be published. Required fields are marked *

Scroll to Top