ସପ୍ତପୁରୀ ଅମାବାସ୍ୟା

ଲେଖା: ଶିବାଶିଷ ମ‌ହାପାତ୍ର
ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ ପ୍ରାନ୍ତରେ ଅଲଗା ଅଲଗା ଶୈଳୀରେ ପାଳନ କରାଯାଏ ଏହି ପର୍ବ । ଭାଦ୍ରବ ମାସର ଅମାବାସ୍ୟାକୁ “ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ । 
କିନ୍ତୁ ଐତିହାସିକ ସହର ସୁବର୍ଣ୍ଣପୁର ବା ସୋନପୁରରେ ଏହି ସପ୍ତପୁରୀ ଅମାବାସ୍ୟା ପାଳନ କରାଯାଏ ଏକ ଭିନ୍ନ ଢ଼ଙ୍ଗରେ । କିମ୍ବଦନ୍ତୀ ଅନୁସାରେ ଏହି ପ୍ରାଚୀନ ସହରକୁ “ପଶ୍ଚିମ ଲଙ୍କା” ବୋଲି ଅବିହିତ କରିଥାନ୍ତି ଏବଂ ଏହି କ୍ଷେତ୍ରର ପ୍ରାଚୀନତମ ଦେବୀ ହେଉଛନ୍ତି “ମା ଲଙ୍କେଶ୍ବରୀ” । କାହିଁ କେଉଁ ଆବହମାନ କାଳରୁ ଏହି ଅଞ୍ଚଳରେ “ସପ୍ତପୁରୀ ଅମାବାସ୍ୟା” ପାଳିତ ହୋଇଥାଏ “ଲଙ୍କାପୋଡ଼ି” ଭାବରେ । ମାଟି ଏବଂ କାଠ ତିଆରି ହାତୀ, ଘୋଡ଼ା ତଥା ମାଙ୍କଡ଼ମାନଙ୍କର ଥାଏ ବିଶେଷ ଚାହିଦା । ହାତୀ, ଘୋଡ଼ା ସବୁ ଧରି ଦିନ ସାରା ଖେଳନ୍ତି ପିଲା ।ରାତି ହେଲେ ମାଙ୍କଡ଼ ଲାଞ୍ଜରେ ନିଆଁ ଲଗାଇ ପିଲାମାନେ କରିଥାନ୍ତି ନଗର ପରିକ୍ରମା । ନଗର ପରିକ୍ରମା ପରେ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥାନ୍ତି ସମସ୍ତେ । ପରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଡ଼ାଯାଇଥାଏ ଏସବୁ ଖେଳନା । 
ଝିଅ ପିଲାଙ୍କ ପାଇଁ ମଧ୍ୟ ଆଣିଥାଏ ଅନେକ ଖୁସିର ସମ୍ଭାର । ସାହି ସାହି ହୋଇ ବିଭିନ୍ନ ପ୍ରକାରର ମାଟି ତିଆରି ଖେଳନାରେ ଖେଳ ଖେଳିଥାନ୍ତି । ଏସବୁ ଖେଳନାକୁ କୁହାଯାଏ କୁଣ୍ଢି କାଞ୍ଚି । ସାହିର‌ ଗୋଟିଏ ଝିଅକୁ ବୋହୂ ସଜେଇ ନେଇ ଯାଆନ୍ତି ନିକଟସ୍ଥ ବନ୍ଧ ବା ପୋଖରୀକୁ । ସେଇଠୁ ପାଣି ଆଣି ପୂଜା କରନ୍ତି ହନୁମାନଙ୍କୁ । ସେହି ମାଟିର କୁଣ୍ଢି କାଞ୍ଚିରେ ଲିଆ, ନଡ଼ିଆ, ଖଇ ଦେଇ ପୂଜା କରି ଭୋଗ ଲଗାନ୍ତି ହନୁମାନଙ୍କ ପାଖରେ । ପରେ ଏହି ଭୋଗ ସାହିର ସବୁ ଘରେ ଦେଇ ଆସନ୍ତି ।
ଏହି ଦିନ ସହର ସାରା ଅନୁଷ୍ଠିତ ହୋଇଥାଏ ବିଭିନ୍ନ ପୂଜା ଅର୍ଚ୍ଚନା । ଘର ମାନଙ୍କରେ ଦେଖାଯାଇଥାଏ ବିଭିନ୍ନ ପ୍ରକାରର ଖିରି ପିଠା ମଣ୍ଡାର ସମ୍ଭାର  । ସ୍ଥାନୀୟ ଲୋକଙ୍କ ମତ ତଥା ବିଶ୍ବାସ ଅନୁସାରେ ଆଜିର ଦିନରେ ପ୍ରଭୁ ଶ୍ରୀହନୁମାନ ନିଜ ଲାଞ୍ଜରେ ନିଆଁ ଲଗାଇ ପୋଡ଼ି ରଚିଥିଲେ ଧ୍ବଂସ ଲୀଳା ସୁବର୍ଣ୍ଣ ଲଙ୍କା ସହରରେ । ଏହି ଦିନକୁ ମନେପକାଇ ପ୍ରତିବର୍ଷ ଏହି ଭାଦ୍ରବ ମାସ ଅମାବାସ୍ୟା ଦିନ ପାଳନ କରାଯାଏ “ଲଙ୍କାପୋଡ଼ି” ଭାବରେ ଏହି ଐତିହାସିକ ପଶ୍ଚିମ ଲଙ୍କା ସହରରେ ।
Courtesy: Odisha Stories

Leave a Comment

Your email address will not be published. Required fields are marked *

Scroll to Top