ଲେଖା: ଦେଵ ତ୍ରିପାଠୀ
ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱର ଓ ଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ ।
ନୀଳସମୁଦ୍ର ଏବଂ ତୁଷାରାବୃତ ନୀଳପର୍ବତରେ ଲୀଳା କରନ୍ତି ନୀଳଦେହୀ ପରମପୁରୁଷ ଭିନ୍ନ ଭିନ୍ନ ରୂପରେ । ବଦ୍ରିନାଥ – ବିଷ୍ଣୁଙ୍କ ସ୍ବରୂପ; ରାମେଶ୍ବରରେ ରାମନାଥ ଶିବ ରୂପରେ ପୂଜିତ; ଦ୍ଵାରକାରେ ଶ୍ରୀକୃଷ୍ଣ ଏବଂ ନୀଳାଚଳରେ ଶ୍ରୀଜଗନ୍ନାଥ । ବଡ଼ ବିଚିତ୍ର ମଧ୍ୟ ସେମାନଙ୍କ ପୂଜାପଦ୍ଧତିର ଧାରା – ବଦ୍ରିନାଥରେ ତୁଷାରାଚ୍ଛନ୍ନ ଗିରିକନ୍ଦରରେ ବିଷ୍ଣୁ ବର୍ଷର ଆଠମାସ ଅବଧି କରନ୍ତି ଅନନ୍ତ ଶୟନ; ରାମେଶ୍ବରରେ ଦିନଭରି ଚାଲିଥାଏ ଅବାରିତ ସ୍ନାନ; ଦ୍ଵାରକା ପୀଠରେ ମୂହୁର୍ମୁହୁଃ ବଦଳାଇ ଚାଲିଥାନ୍ତି ପରିଧାନ; ଏବଂ ଶ୍ରୀକ୍ଷେତ୍ରରେ ଚାଲିଥାଏ ଷାଠିଏ ପଉଟି ଅନ୍ନବ୍ୟଞ୍ଜନର ନିରତ ସେବନ ।
ମଣିଷ ସହିତ ଏକାତ୍ମ ହେବା ଲକ୍ଷ୍ୟରେ ମଣିଷ ପରି ଜୀଇଁବାକୁ ହୁଏ ଭଗବାନଙ୍କୁ – ସ୍ନାନ, ପରିଧାନ, ଭୋଜନ, ଶୟନରେ ବାନ୍ଧି ହୋଇ ।
ଆମ ଶ୍ରୀକ୍ଷେତ୍ର ପୁରୀ ଧାମରେ ରହିଛି ଏକ ପ୍ରାଣସ୍ଫୂର୍ତ୍ତିମୟ, ଆବେଗମୟ, ଭାବମୟ ଜୀବନଯାତ୍ରା । ଭାବର ଠାକୁର ଜଗନ୍ନାଥ ଏଠି ଓଡ଼ିଆ ଜାତିର ମାନ, ଅଭିମାନ, ଓଡ଼ିଆର ଗର୍ବ, ଓଡ଼ିଆର ଆତ୍ମା ।
ଯେଉଁ ଅଚଳ ଅଟଳ ମୂକବଧିର ଦାରୁବିଗ୍ରହମାନେ ନୀଳାଚଳର ପ୍ରସ୍ତର ବେଷ୍ଟନୀ ମଧ୍ୟରେ ରତ୍ନସିଂହାସନରେ ବିରାଜମାନ, ସେ ମାନବ ନ ହେଲେ ମଧ୍ୟ ତାଙ୍କଠାରେ ସାଧାରଣ ମାନବ ପରି ଦନ୍ତମାର୍ଜନ, ସ୍ନାନ, ଚନ୍ଦନଧାରଣ, ଭୋଜନ, ଶୟନଠାରୁ ଆରମ୍ଭ କରି ମାନସିକ ତୃପ୍ତି ନିମନ୍ତେ ବାହ୍ୟ ଭ୍ରମଣ ଏବଂ ଅନ୍ୟାନ୍ୟ ଆମୋଦପ୍ରମୋଦ ଆଦି ଚଳଣି ପରିଲକ୍ଷିତ ହୁଏ ।
ପ୍ରତ୍ୟହ ତାଙ୍କର ସେବାରେ ଲିପ୍ତ ରହିଥା’ନ୍ତି ହଜାର ହଜାର ନିଯୋଗ।
ଶ୍ରୀଜଗନ୍ନାଥ ଦିନକରେ ପ୍ରାୟ ୭ ଥର ଭୋଜନ କରନ୍ତି ଏବଂ ୫୬ ପ୍ରକାରର ଭୋଗ ତାଙ୍କୁ ଅର୍ପଣ କରାଯାଇଥାଏ । ୬୪ ଉପଚାରରେ ପୂଜା ନୈବେଦ୍ୟ ମଧ୍ୟ କରାଯାଇଥାଏ ।
ସେ ପୁଣି ପିନ୍ଧନ୍ତି ପାଟପୀତାମ୍ବରୀ, ଭୂଷିତ ହୁଅନ୍ତି ନାନା ମୂଲ୍ୟବାନ ଅଳଙ୍କାରରେ । ଆକୁମାରୀହିମାଳୟରୁ ପ୍ରତି ଦିନ ହଜାର ହଜାର ଆବାଳବୃଦ୍ଧବନିତା ତାଙ୍କୁ ସାକ୍ଷାତ କରନ୍ତି, ଗୁହାରି କରନ୍ତି ।
ଜଗତରେ ଏତେ ଦିଅଁ ଥାଇ କେବଳ ଏହାଙ୍କଠାରେ ହିଁ ଦେଖିବାକୁ ମିଳେ ଏପରି ମହାଡମ୍ବରପୂର୍ଣ୍ଣ ଜୀବନଯାପନ, ସେଥିପାଇଁ ତ ଶ୍ରୀଜଗନ୍ନାଥ ଜଗତଠାକୁର, ଜଗତର ମଣି, ଓଡିଆର ଗଣଦେବତା, ବିଚିତ୍ର ତଥା ସଦା ରହସ୍ୟମୟ ।
ଇଏ ଏମିତି ଏକ ଠାକୁର ଯାହା ପାଇଁ ଓଡ଼ିଆଣୀ ମା’ଟିଏ କହିପାରେ “ମୋ ପିଲା ପଛେ ଭୋକରେ ମରୁ, କିନ୍ତୁ ମୋ କାଳିଆର ଷାଠିଏ ପଉଟି ମଣୋହି ହେଉ . . !”
ଆଉ ସେଇ ଠାକୁର କହେ “ମୋର ଷାଠିଏ ପଉଟି ମଣୋହି ପଛେ ନହେଉ, କିନ୍ତୁ ମୋ ଓଡ଼ିଆ ପୁଅଝିଅ ମାନଙ୍କ ପେଟ ପୁରୁ . . “
ସେହି ଭାବର ଠାକୁର ପ୍ରତିବର୍ଷ ଓହ୍ଲାଇ ଆସନ୍ତି ଅଗଣିତ ମଣିଷର ଅଭ୍ୟନ୍ତରକୁ, ମଣିଷର ଶ୍ରଦ୍ଧାମୟ ପ୍ରାଣସତ୍ତାର ଅନୁପମ ସ୍ପର୍ଶ ଲଭିବାକୁ । ସେହି ରଙ୍ଗମୟ, ଆବେଗମୟ, ବୈଚିତ୍ର୍ୟମୟ କୋଳାହଳର ନାମ ରଥଯାତ୍ରା ।
ଆଉ ସେଇ ଭାବ, ଆବେଗରେ ବନ୍ଧା ଠାକୁର ଭକ୍ତପ୍ରିୟ ଶ୍ରୀଜଗନ୍ନାଥ । ସେହି ଜଗନ୍ନାଥ ଏକ ସ୍ପନ୍ଦନ, ଆବେଦନ, ଆଲୋଡନ ଯାହା ଆଜି ବିଶ୍ୱରେ ପ୍ରସାରିତ ଓ ପରିବ୍ୟାପ୍ତ ।