ଵିଵାହ

ଲେଖା: ଶିଶିର ସାହୁ ମନୋଜ

ଵି ଅଵ୍ୟୟ ପରସ୍ପର ଅର୍ଥରେ ‘ଵହ୍’ ଧାତୁ ଶବ୍ଦ ସହ ଯୁକ୍ତ ହୋଇ ‘ଵିଵାହ’ ହେଲା ।
✔ଵି+ଵହ୍ ଧାତୁ+ଭାବ. ଅ➡ଵିଵାହ

ଵହ୍ ଧାତୁର ଅନେକ ଅର୍ଥରେ ଵ୍ୟଵହାର ଅଛି !
୧. ଵହନ କରିବା
୨. ଵହିବା―(ପ୍ରବାହିତ ହେବା)
୩. ଚଳାଇବା
୪. ବାଟ କଢା଼ଇ ନେବା
୫. ଵିସ୍ତାରିତ କରିବା
୬. ଧାରଣ କରିବା
୭. ଘେନି ପଳେଇଯିବା, ଚୋରି କରିନେବା, ହରଣ କରିବା
୮. ପିନ୍ଧିବା
୯. ଗର୍ଭଧାରଣ କରିବା
୧୦. ଟାଣିବା
୧୧. ଟେକି ଧରିବା
୧୨. ଵିଵାହ କରିବା
୧୩. ସହ୍ୟ କରିବା
୧୪. ଅନୁଭବ କରିବା
୧୫. ନିଶ୍ଵାସ ମାରିବା

ଵହ୍ ଧାତୁର ଏତେ ଅର୍ଥ ଯୋଗୁଁ ଏଥିରୁ ଅନେକ ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଛି ଵିଶେଷତଃ ଵହିବା ଓ ଵହନ କରିବା ଅର୍ଥରେ ଵହନ, ଵହିତ୍ର, ଵହଳ ଆଦି ଅନେକ ଶବ୍ଦର ନୈରୁକ୍ତି ନିର୍ଣ୍ଣୟ ହୋଇଛି !

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏକ ଵୈଦିକ ଶବ୍ଦ ଵହତୁ (ଵହ୍ ଧାତୁ + କର୍ତ୍ତୁ. ଅତୁ) ରୁ ଵିଵାହ ଓ ଉଦ୍ଦାହ (ଉତ୍[ଉପରେ] + ଵହ୍ ଧାତୁ + ଭାଵ.ଅ) ଶବ୍ଦ ସୃଷ୍ଟି ହୋଇଥିବା ଉଲ୍ଲେଖ ରହିଛି ।

ଵିଵାହ, ଉଦ୍ଦାହ ଓ ପରିଣୟ ଆଦିଏ ସମସ୍ତ ଶବ୍ଦର ଅର୍ଥ ଗୋଟାଏ ହିଁ ଅଟେ ଆଉ ତାହା ହେଉଛି ପଵିତ୍ର ବନ୍ଧନରେ ଆବଦ୍ଧ ହୋଇଯିବା !

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵିଵାହ ଓ ଉଦ୍ଦାହ ଶବ୍ଦରେ ବହ୍ ଧାତୁକୁ ବହନ କରିବା ଅର୍ଥରେ ଵ୍ୟଵହାର କରାଯାଇଥିବା କୁହାଯାଇଥିଲେ ହେଁ ଏ ଧାତୁ ଶବ୍ଦର ଅନ୍ୟ ଅର୍ଥ ଯାକ ମଧ୍ଯ ଵିଵାହର ସଂଜ୍ଞାକୁ ଉପସ୍ଥାପିତ କରୁଅଛି ।

ବହନ◆→ଵିଵାହ ପରେ ସଂସାରର, ନିଜ ଗେରସ୍ତ କି ଭାରିଯାର ସମସ୍ତ ସମସ୍ୟା ଵହନ କରିବାକୁ ହୋଇଥାଏ;

ବହିବା◆→ନିଜ ପତି କି ପତ୍ନୀ ର ସ୍ଵଭାବ ସମାନ ଵହିବାକୁ ପଡି଼ଥାଏ,ଅର୍ଥାତ୍ ପତି ଓ ପତ୍ନୀ ପରି ମନୋଭାବ ରଖିବାକୁ ହୋଇଥାଏ ଅନ୍ୟଥା ଗୋଟାଏ ସୁଖି ସଂସାର ଗଠନ ସର୍ଵଥା ଅସମ୍ଭବ ହୋଇପଡେ଼ । ପୁଣି ଦେଖାଯାଏ ଅଧିକାଂଶ ପତ୍ନୀ କି ପତିର କଥା ବହକିଯାଇଥାନ୍ତି(ଭୂଲିଯାଇଥାନ୍ତି);

ଚଳେଇବା◆→ପତିଙ୍କ ପାଇଁ ତାଙ୍କର ଘରଣୀ ତାଙ୍କ ଜୀଵନ ଗାଡି଼ ଚଳାନ୍ତି―କାରଣ ପତ୍ନୀ ନ ଚାହିଁଲେ ଭାତ ମୁଠାଏ ଵି ମିଳିବାର ନାହିଁ ! ଆଉ ଯଦି ପତ୍ନୀ ରାଗିଯାଇ କେଶ୍ କରିଦିଏ ତ ଶେଷରେ ଫାଶୀ ଯାଏଁ କଥା ଯାଇପାରେ ନ ହେଲେ ଆତ୍ମହତ୍ୟା !
ପତ୍ନୀଙ୍କ ଆଖିରେ ପତି ଘର ସଂସାରରୂପୀ ଗାଡ଼ିକୁ କୃଷ୍ଟି କରି ଉକ୍ତ ପରିଶ୍ରମରୁ ପ୍ରାପ୍ତ ଅର୍ଥ ବଳରେ ଚଳେଇଥାଆନ୍ତି ! (କାମଦାମ ନକଲେ, ଟଙ୍କା ନରଖିଲେ ତମକୁ ଝିଅ କିଏ ଦବ ଯେ ବାହା ହେବ);

ବାଟ କଢାଇ ନେବା◆→ଜୀଵନ ସାଥିଟିଏ ଥିଲେ ଯେତେ ଵିପଦ ଆସୁ ସବୁ ଵିପଦରେ ସାହାଯ୍ୟ କରେ ତହିଁରୁ ହାତ ଧରି ବାଟ କଢା଼ଇ ନିଏ;

ବିସ୍ତାରିତ ହେବା◆→ଵିଵାହ ପୂର୍ବରୁ ଯେନତେନ ପ୍ରକାରେଣ ଚଳିଯାଉଥିବା ଲୋକର ଜୀଵନ ଵିସ୍ତାରିତ ହୁଏ ତାହାର ଵିଚାର ଵିସ୍ତାର ଲାଭ କରେ ! ଆଗେ କେଵଳ ନିଜ ଵିଷୟରେ ଚିନ୍ତା କରୁଥିବା ଲୋକଟେ ଵି ନିଜର ନୂଆ ପରିବାରଟେ ପାଇ ତା’ର ଉନ୍ନତି ଵିଷୟରେ ଭାବିବାକୁ ବାଧ୍ୟ ହୁଏ;

ଧାରଣ କରିବା◆→ଵିଵାହ କଲାପରେ ପତି ଵା ପତ୍ନୀର ସବୁକିଛି ଧାରଣ କରିବାକୁ ହୋଇଥାଏ ! ପତି ଓ ପତ୍ନୀଙ୍କୁ ପରସ୍ପରର ଅଳିଅର୍ଦ୍ଦଳି, ସ୍ନେହପ୍ରେମ, ରାଗରୁଷା, ଦୋଷ ଓ ପାପ ଧାରଣ କରିବାକୁ ହୁଏ ଆଉ ପତ୍ନୀକୁ ପତିର ସନ୍ତାନ ଧାରଣ କରିବାକୁ ହୋଇଥାଏ ।

ଚୋରିକରିବା, ହରଣ କରିବା, ନେଇ ପଳେଇବା◆→ ଆଗକାଳରେ ଯେତେବେଳେ କୌଣସି କନ୍ୟାକୁ ଦେଖି କାହାର ହୃଦୟ ଚୋରି ହୋଇଯାଉଥିଲା, ସେ ଲୋକ ତାହାକୁ କନ୍ୟା ସମ୍ମତିରେ ହରଣ କରି ଵିଵାହ କରୁଥିବାର ଅନେକ ପୌରାଣିକ ଆଖ୍ୟାନ ରହିଛି । 

ଆଜିକାଲି କାହାର ହୃଦୟ ଚୋରି ହେଇଗଲେ ଆଉ ପରସ୍ପର ଠାରୁ ଭିନ୍ନେ ରହି ନପାରି ପ୍ରେମ ଵିଵାହ କରିବାକୁ ବାଧ୍ୟ ହେଉଛନ୍ତି  ନହେଲେ ଘର ଲୋକଙ୍କ ଅସହମତିରେ ଘରଛାଡି ଧରାଧରି ହେଇ ପଳଉଛନ୍ତି ! (ଯୁଗ ବଦଳିଛି ଅର୍ଥ ର ସାର୍ଥକତା ବଦଳିନି);

ପିନ୍ଧାଇବା◆→ଆଗକାଳରେ ସ୍ଵୟଂବର ସଭାରେ ମାଳା ପିନ୍ଧାଇ ବର ଚୟନ ହେଉଥିଲା ଓ ଚୟନିତ ଵ୍ୟକ୍ତି ସହ କନ୍ୟାର ଵିଵାହ ସମ୍ପନ୍ନ କରାଯାଉଥିଲା ଆଜିକାଲି ତ ରାଜା, ରାଜକୁମାରୀ କି ରାଜପୁତ୍ର ସେତେ ନାହାନ୍ତି ତେଣୁ ସ୍ଵୟଂବର ସଭାର ସଂସ୍କୃତି ନାହିଁ କହିଲେ ଚଳେ, ତେବେ ଵିଵାହକାଳରେ କନ୍ୟା ମଙ୍ଗଳସୂତ୍ର ଓ ବ୍ରତସୂତା ପିନ୍ଧୁଛି ଏବଂ ଵର ପଇତା ଧାରଣ କରୁଛି । ଆଜିରେ ବରକନ୍ୟା ପରସ୍ପରକୁ ଉଭୟ ବରମାଲ୍ୟ ପିନ୍ଧାନ୍ତି ଯାହା ଏବେ ଵିଵାହ ର ଗୋଟାଏ ବଡ଼ ବିଧି ମଧ୍ୟରେ ଅନ୍ୟତମ ହୋଇଅଛି;

ଗର୍ଭଧାରଣ କରିବା◆→ମୁନି ଋଷିଙ୍କ ଯୁଗରେ ଲୋକେ କେଵଳ ସନ୍ତାନ ଲାଭ ଆଶାରେ ଵିଵାହ କରୁଥିଲେ ବୋଲି ପୁରାଣ ମାନଙ୍କରେ ଉଲ୍ଲେଖ ମିଳେ ଵିଵାହ କରି ଗର୍ଭଧାରଣ କରିବା ଓ ନିଜ ଵଂଶର ରକ୍ଷା କରିବା କେଵଳ ମନୁଷ୍ୟ କାହିଁକି ସମସ୍ତ ଜୀବଙ୍କ ଜୀଵନର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଆଜିର ଵସ୍ତୁଵାଦୀ ସମାଜର ଭୋଗଵାଦୀ ଚିନ୍ତାଧାରା ଯୋଗୁଁ ଲୋକେ ଏତେ ସନ୍ତାନ ଉତ୍ପନ୍ନ କରିସାରିଲେଣି ଯେ ପୃଥିବୀରେ ଜନସଂଖ୍ୟା ଵିସ୍ଫୋରଣ ହୋଇଯାଇଛି;

ଟାଣିବା◆→ଵିଵାହ ପୂର୍ବରୁ ଯେତେ ସ୍ଵାଧୀନତା ମିଳିଥାଏ ଵିଵାହ ପରେ ସେ ସମସ୍ତ ଚାଲିଯାଏ । ଵିଵାହ ପରେ ଵ୍ୟକ୍ତିର ଚର୍ତୁପାର୍ଶ୍ଵରେ ନୈତିକତା ଓ ନିଷ୍ଠାର ରେଖା ଟଣା ହେଇଯାଏ ।ଦୁହେଁ ଦୁଇଜଣଙ୍କୁ ପରସ୍ପରରେ ଏକ ରେଖା ମଧ୍ୟରେ ବାନ୍ଧି ତତ୍ପର ଜୀଵନ କାଟିଦିଅନ୍ତି;

ଟେକି ଧରିବା◆→ଵିଵାହ ପରେ ପତିପତ୍ନୀଙ୍କୁ ପରସ୍ପରର ମାନ ସମ୍ମାନକୁ ଯଗିବାକୁ ପଡି଼ବ । ଜୀଵନସାଥିର ସମ୍ମାନ ପ୍ରତି ଯଦି ଆଞ୍ଚ ଆସେ ତେବେ ଵିରୋଧୀ ତତ୍ତ୍ୱ ଵିରୋଧରେ ଲଢିବାକୁ ପଡି଼ବ !
ତେଣିକି କପାଳ ଫାଟୁ କି ଭାଗ୍ୟ !

ନିଜ ନିଜର ସାଥିର ଦୋଷ ନଦେଖି ବଡେ଼ଇ କରିବା ଉଚିତ୍, ଟେକାଟେକି କରି ରଖିବା ଉଚିତ୍ ଅନ୍ୟଥା ସେ ଉଭୟ କେବେଵି ସୁଖୀ ହୋଇପାରିବେନି ! ସର୍ଵଦା ବାଡି଼ଆପିଟାରେ ତାଙ୍କ ଦିନକାଳ ଗତ ହେଇଯିବ;

ସହ୍ୟ କରିବା◆→ପ୍ରଵାଦ ଅଛି ପରା, “ସଂସାର ମଧ୍ୟରେ ଘର କରିଥିଲେ ପଥର ପଡି଼ଲେ ସହି !” ଵିଵାହ କଲା ମାତ୍ରେ ଯେତେ ବଡ଼ ସିଂହ ହେଇଥାଉ ତାକୁ ମେଣ୍ଢା ଭଳି ନିଜ ପତ୍ନୀର ସବୁ ରାଗରୁଷାକୁ ସହିବାକୁ ହୁଏ ! ଗଧ ପରି ନିଜ ନୂଆ ପରିବାର ପାଇଁ ଖଟିବାକୁ ହୁଏ ! ଛାଞ୍ଚୁଣି ଠାରୁ ଚଟୁ ଓ ଚିମୁଟା ପାହାର ଯାଏଁ ସବୁ ସହିବାକୁ ହୁଏ ! ସାହି ପଡି଼ଶାଙ୍କର ଟାହିଟାପରା ଓ ଗେଲଗମାତ ଠାରୁ ନିନ୍ଦା ଅପଵାଦ ଯାଏଁ ସବୁ ସହିବାକୁ ହୁଏ ! ପତିକୁ ପତ୍ନୀର ହୁମୁଦୁମୁ ସହିବାକୁ ହୁଏ ପତ୍ନୀକୁ ମଧ୍ଯ ପତିର ଅପାରଗତା ଯୋଗୁଁ ଅନେକ ନିନ୍ଦା ଅପମାନ ସହିବାକୁ ପଡେ଼ ! ଵିଵାହ ପରେ ବଡ଼ ବଡ଼ ଅଧର୍ଯ୍ୟ ମଣିଷ ସେଇଥିପାଇଁ ଧୈର୍ଯ୍ୟଵାନ ହୋଇଯିବାର ଦେଖାଯାଏ ! ବାର ଵର୍ଷ କୁକୁର ଲାଞ୍ଚ ନଳୀରେ ପୁରେଇ ସିଧା ହେଉ କି ନହେଉ ବଙ୍କା ବୁଦ୍ଧିଆ ମଣିଷ କିନ୍ତୁ ଏକା ପାହାରକେ ସିଧା ହେଇଯାଆନ୍ତି;

ଅନୁଭବ କରିବା◆→ଜୀଵନରେ ଵିଵାହ କଲାପରେ ଅନୁଭବ କରିନଥିବା ଅନେକ କଥା ଅନୁଭୁତ ହୋଇଥାଏ ! ରାଗରୁଷା ଠାରୁ ଆରମ୍ଭ କରି ଦାମ୍ପତ୍ୟ ସୁଖଯାଏଁ, ଛାଞ୍ଚୁଣି ଠେଙ୍ଗା ମାଡ଼ଠାରୁ ଆରମ୍ଭ କରି ପ୍ରେମାଲିଙ୍ଗନ ଓ ଚୁମ୍ଵନ ଯାଏଁ ଯେତେ ଯେତେ ଵିଵାହ ପରଵର୍ତ୍ତୀ ଅନୁଭବ ଅଛି ସବୁ ଅନୁଭୂତ ହୋଇଥାଏ । (ଉତ୍ତମ ଅନୁଭବ ସୁଖୀ ଵୈଵାହିକ ଜୀଵନ ପାଇଁ ଉପଯୁକ୍ତ ହୋଇଥାଏ, ଦୁଃଖଯୁକ୍ତ ଅନୁଭବ ଵିଵାହ ଵିଚ୍ଛେଦର କାରଣ ହେଇଥାଏ !)

ନିଶ୍ଵାସ ମାରିବା◆→ଵିଵାହ ପୂର୍ବରୁ ଏକାକି ଶାନ୍ତିରେ ନିଶ୍ଵାସ ମାରୁଥିବା ଲୋକକୁ ନିଜର ସାଥିପାଇଁ ମଧ୍ଯ ସୁଖ ଶାନ୍ତିର ନିଶ୍ଵାସ ପ୍ରଶ୍ଵାସ ପାଇଁ ଅନେକ ପରିଶ୍ରମ କରିବାକୁ ହୁଏ ! ଆଉ ବେଳେ ବେଳେ ସେ ସ୍ଵୟଂ ବରଂ ନିଶ୍ଵାସ ନେଉ କି ନ ନେଉ ନିଜ ସାଥୀ ପାଇଁ ସୁଖଶାନ୍ତିର ନିଶ୍ଵାସ ପ୍ରଶ୍ଵାସ ପାଇଁ ଲଢିବାକୁ ହିଁ ପଡି଼ଥାଏ

ଵିଵାହ ଶବ୍ଦର ଆଉ କିଛି ପ୍ରତିଶବ୍ଦ:
●(ଦାରା)ପରିଗ୍ରହ●→ପରି (ସଂପୂର୍ଣ୍ଣ ଭାବେ) + ଗ୍ରହ ଧାତୁ(ଗ୍ରହଣ କରିବା) + ଭାବ.ଅ
●ପରିଣୟ●→ପରି(ସଂପୂର୍ଣ୍ଣ ଭାବେ) + ନୀ ଧାତୁ (ନେବା, ପାଇବା) ଭାବ.ଅ
●ପାଣିଗ୍ରହ/●→ପାଣି (ହସ୍ତ) + ଗ୍ରହ୍ ଧାତୁ. ଅଧିକରଣେ.ଅ (ଅନ୍ୟ ରୂପ – ପାଣିଗ୍ରହଣ)

ଓଡ଼ିଆରେ ଆମେ ବାହାଘର,ଵିହା ଓ ଵିଭା ଆଦି କହିଥାନ୍ତି, ବଙ୍ଗାଳୀରେ ଵିଵାହ ଛଡ଼ା ପାର୍ସୀରୁ ଆନୀତ ଶାଦୀ ଓ ମିଲନ୍ କରିବା ଆଦି ଶବ୍ଦ ମଧ୍ଯ ଚଳୁଅଛି !

◆◆◆ଵିଵାହ ଓ ଧର୍ମ◆◆◆
ସନାତନ ଧର୍ମର ଦଶବିଧ ସଂସ୍କାର ମଧ୍ୟରୁ ଵିଵାହ ହେଉଛି ଗୋଟିଏ ମୁଖ୍ୟ ସଂସ୍କାର ।ସନାତନ ଧର୍ମଗ୍ରନ୍ଥ ଓ ଶାସ୍ତ୍ର ଗୁଡି଼କରେ ଆଠ ପ୍ରକାରର ଵିଵାହ ଵିଷୟରେ ଉଲ୍ଲେଖ
କରାଯାଇଛି,
●→ବ୍ରାହ୍ମ
●→ଦୈଵ
●→ଆର୍ଯ୍ୟ
●→ପ୍ରାଜାପତ୍ୟ
(ଏସବୁଥିରେ ଵହ୍ ଧାତୁର ଅଧିକାଂଶ ସାତ୍ତ୍ଵିକ ଅର୍ଥ ଯଥା: ଵହନ କରିବା, ଵହିବା, ଚଳାଇବା, ବାଟ କଢା଼ଇ ନେବା, ଵିସ୍ତାରିତ କରିବା, ଧାରଣ କରିବା ଆଦି କାର୍ଯ୍ୟ କରୁଅଛି)

●→ଆସୁର ବିବାହ—କନ୍ୟାକୁ କିଣିକି ଵିଵାହ 
(ଏଭଳି ଵିଵାହ ଆଜି ଵି ଵିଶ୍ଵର କେତେକ ଜାତିରେ ହେଉଥିବା ଦେଖାଯାଏ/ଗୁଜରାଟର କେତେକ ଜାତି କନ୍ୟା ଘରକୁ ଆର୍ଥିକ ସହାୟତା ଦେଇ ଵିଵାହ କରୁଥିଲା ଵେଳେ ଭାରତର ଅଧିକାଂଶ ଅଞ୍ଚଳରେ ଵରକୁ ଯୌତୁକ ରୂପକ ଉତ୍କୋଚ ଟଙ୍କା ଦେଇ କିଣାଵିକା କରାଯାଏ ଯାହା ନିଶ୍ଚିତ ଭାବରେ ଆସୁରିକ ଵିଵାହ କୁହାଯିବା କଥା)

●→ଗାନ୍ଧର୍ବ ବିବାହ—ବରକନ୍ୟାଙ୍କ ଅନୁରାଗ ବଶତଃ ମିଳନ (ଏଠାରେ ଵହ୍ ଧାତୁର ପିନ୍ଧିବା ଅର୍ଥ କାର୍ଯ୍ୟ କରୁଅଛି ଯେହେତୁ ସାଧାରଣତଃ ଗନ୍ଧର୍ବ ଵିଵାହ ବରକନ୍ୟାଙ୍କ ମଧ୍ୟରେ ମାଳା ଅଦଳ ଵଦଳରୁ ଆରମ୍ଭ ହୋଇ ପରେ ବେଦିରେ ଵିଵାହ କଲାରୁ ସମ୍ପନ୍ନ ହେଉଥିଲା)

●→ରାକ୍ଷସ ବିବାହ— କନ୍ୟାପକ୍ଷୀୟ ଲୋକମାନଙ୍କୁ ହାଣି ମାରି କନ୍ୟାର ଇଛା ଵିରୁଦ୍ଧରେ ତାକୁ ବଳପୂର୍ବକ ହରଣ କରି ବିବାହ କରିବା (ଏଠାରେ ଵହ୍ ଧାତୁର ଘେନି ପଳେଇଯିବା, ଚୋରି କରିନେବା, ହରଣ କରିବା ଆଦି ଅର୍ଥ କାର୍ଯ୍ୟ କରୁଅଛି)

●→ପୈଶାଚ—ନିର୍ଜନରେ ନିଦ୍ରା ବା ମଦ୍ୟପାନଦ୍ୱାରା ଅଚେତନା ବା ଉନ୍ନତ୍ତା କନ୍ୟାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ କରିବା (ଏଠାରେ ଵହ୍ ଧାତୁର ସହ୍ୟ କରିବା ଅର୍ଥ କାର୍ଯ୍ୟ କରୁଅଛି)

★→ଭାରତୀୟ ଵୈଵାହିକ ନୀତି ଅପେକ୍ଷାକୃତ ଅଧିକ ଉନ୍ନତ ସାମାଜିକ ଵ୍ୟଵସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଏଥିରେ ପୃଥିବୀରେ ମନୁଷ୍ୟ ମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରାୟ ସମସ୍ତ ପ୍ରକାରର ଵିଵାହ ପ୍ରଥାକୁ ଗ୍ରହଣ କରାଯାଇଥିଲେ ହେଁ ସାଧାରଣତଃ ସାତ୍ତ୍ଵିକ ନୀତି ଗୁଡି଼କୁ ଅଧିକ ଗୁରୁତ୍ୱ ଦିଆଯାଇଛି । 
★→ଖ୍ରୀଷ୍ଟିଆନ ତଥା ପଶ୍ଚିମ ଵିଶ୍ଵର ଅତ୍ୟାଧୁନିକ ଵିଵାହପ୍ରଥା ଗନ୍ଧର୍ବ ଵିଵାହ ପ୍ରକାରର 
★→ମୁସଲମାନ ମାନଙ୍କ ଵିଵାହ ନୀତି କେଵଳ ଏକ ସାମାଜିକ ଚୁକ୍ତିନାମା ଏବଂ ତାହା କେବେଵି ଭଙ୍ଗ କରାଯାଇପାରିବାର ମଧ୍ଯ ଵ୍ୟଵସ୍ଥା ରହିଛି ପୁଣି ଏକପତ୍ନୀବ୍ରତ ବଦଳରେ ଏଥିରେ ବହୁପତ୍ନୀ ଗ୍ରହଣର ସୁଵିଧା ମଧ୍ଯ ପ୍ରଦାନ କରାଯାଇଛି । 

© ଶିଶିର ସାହୁ ମନୋଜ 

Leave a Comment

Your email address will not be published. Required fields are marked *

Scroll to Top