ଵର୍ଷ

ଲେଖା: ଶିଶିର ସାହୁ ମନୋଜ

ଵର୍ଷ ଶବ୍ଦଟି ସାରା ଭାରତରେ ସାଧାରଣତଃ year ଅର୍ଥରେ ଵ୍ୟଵହୃତ ହୋଇଥାଏ, କିନ୍ତୁ ଏ ଶବ୍ଦର ଆହୁରି ଅନେକ ଅର୍ଥ ମଧ୍ୟ ରହିଛି । ଯଥା,
● ଵର୍ଷାଋତୁ; ଵର୍ଷାକାଳ
● ମେଘ
● ରେତଃପାତ
● ଦେଶ
● ପୃଥିବୀର ବିଭାଗ

ଆମେ ଆମ ଦେଶକୁ ଗର୍ଵରେ ଭାରତଵର୍ଷ କହିଥାଉ । ଏଠାରେ ଵ୍ୟଵହୃତ ଵର୍ଷ ଶବ୍ଦଟି ପୃଥିବୀର ଏକ ଦେଶ ଵା ଵିଭାଗ ଅର୍ଥରେ ଵ୍ୟଵହୃତ ହୋଇଅଛି । ପୃଥିବୀର ପୁରାଣୋକ୍ତ ଦେଶ ବା ବିଭାଗମାନଙ୍କ ମଧ୍ଯରୁ ଭାରତ ଗୋଟିଏ ବର୍ଷ । ପ୍ରାଚୀନ ହିନ୍ଦୁମାନେ ପୃଥିବୀରେ ନଅଗୋଟି ବର୍ଷ ଥିବାର ଉଲ୍ଲେଖ କରିଅଛନ୍ତି; ଯଥା—
■ ଭାରତ
■ କୁରୁ
■ ହିରଣ୍ମୟ
■ ରୁମଣ୍ବକ
■ ଇଳାବୃତ
■ ହରି
■ କେତୁମାଳ
■ ଭଦ୍ରାଶ୍ବ
■ କିନ୍ନର ବା କିଂପୁରୁଷ ଇତ୍ୟାଦି

ଏହି ଵର୍ଷ ଶବ୍ଦକୁ ଵୃଷ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵୃଷ୍ ଧାତୁର ଅର୍ଥ:
● ବର୍ଷଣ କରିଵା
● ପ୍ରଭୁ ହେଵା
● ଝରାଇଵା; ବୁହାଇଵା
● ଓଦା କରିଵା;ବତୁରାଇଵା
● ଉତ୍ପନ୍ନ କରିବା; ଜନ୍ମ କରିବା
● ଆଘାତ କରିବା
● ଖଣ୍ଡ ଖଣ୍ଡ କରିଵା

ଵୃଷ୍ ଧାତୁରୁ ନିଷ୍ପନ୍ନ ଶବ୍ଦଗୁଡ଼ିକ ମଧ୍ୟରେ ଅଧିକାଂଶକୁ ଏହାର ବର୍ଷଣ କରିଵା, ଝରାଇଵା; ବୁହାଇଵା, ଓଦା କରିଵା; ବତୁରାଇଵା ଇତ୍ୟାଦି ଅର୍ଥରେ ନିଷ୍ପନ୍ନ କରାଯାଇଛି । ସେହି ଶବ୍ଦଗୁଡ଼ିକ ଯଥା ― ବର୍ଷଣ, ବର୍ଷ୍ମ, ବାର୍ଷୁକ, ବୃଷ୍ଟି ଇତ୍ୟାଦି ସେହିପରି ଵୃଷ, ଵୃଷଭ, ଵୃଷା ଆଦି ଶବ୍ଦ ପ୍ରଭୁ ହେଵା ଓ ଉତ୍ପନ୍ନ ଵା ଜନ୍ମ କରିଵା ଅର୍ଥରେ ଵୃଷ୍ ଧାତୁରୁ ନିଷ୍ପନ୍ନ ହୋଇଅଛି ।

ଦେଶ ଵା ଵିଭାଗ ଅର୍ଥରେ ‛ଭାରତଵର୍ଷ’ ଶବ୍ଦରେ ଵ୍ୟଵହୃତ ‛ଵର୍ଷ’ ଶବ୍ଦଟି ଵୃଷ୍ ଧାତୁରୁ ଖଣ୍ଡ ଖଣ୍ଡ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ।

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top