ମାରଦା ମନ୍ଦିର

ଲେଖା: ଜଗନ୍ନାଥ ଦୋରା
~ଐତିହାସିକ ମାରଦା ମନ୍ଦିର (ଶରଣ ଶ୍ରୀକ୍ଷେତ୍ର) ~
ପଥର ଶିଳ୍ପ ଓ କଂସା କାରିଗରୀ ଏବଂ ଇତିହାସ ଓ କିମ୍ବଦନ୍ତୀକୁ ନେଇ ପରିଚିତ ଗାଁଟି ମଥୁରା l ପୋଲସରା ବ୍ଲକ ମଥୁରା ପଞ୍ଚାୟତ ଓଡିଶା ଇତିହାସର ଅନ୍ୟ ଏକ ମୁକସାକ୍ଷୀ l ଓଡ଼ିଶା ଓ ଶ୍ରୀ ଜଗନ୍ନାଥଙ୍କୁ ମୋଗଲ ଆକ୍ରମଣ ଦେଖାଦେବାରୁ, ତତ୍କାଳୀନ ଆଠଗଡ ରାଜ୍ୟର ରାଜା ମଥୁରାରେ ନିର୍ମାଣ କରିଥିଲେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର l ଚତୁର୍ଦ୍ଧାମୂର୍ତ୍ତି ଏଠାରେ ଆଶ୍ରୟ ନେଇଥିବାରୁ ଏହାକୁ ଏକାଧାରାରେ ଶରଣ ଶ୍ରୀକ୍ଷେତ୍ର, ଦ୍ୱିତୀୟ ଶ୍ରୀକ୍ଷେତ୍ର, ମଥୁରା କ୍ଷେତ୍ର ବୋଲି କୁହଯାଏ l ଶ୍ରୀମନ୍ଦିର ଛାଡ଼ି ଆସିବା ପରେ, ଏହି ମନ୍ଦିରରେ ଶ୍ରୀଜୀଉଙ୍କର ଗୁପ୍ତଲୀଳା ଓ ସେବା ପ୍ରାୟ ଅଢ଼େଇ ବର୍ଷ ଧରି ହୋଇଥିଲା l ଏହି ଐତିହାସିକ ସ୍ଥାନଟି ରାଜ୍ୟ ରାଜଧାନୀରୁ ୧୪୫ କି.ମି. ଓ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ଠାରୁ ୫୦ କି.ମି. ଦୂର ମଥୁରା ଗ୍ରାମରେ ଅବସ୍ଥିତ l
ସୂଚନା ମିଳିଲା, ମୋଗଲମାନେ ପୁରୀ ଆକ୍ରମଣ କରିବେ, ପଶ୍ଚିମବଙ୍ଗର ମୋଗଲ ସୁବେଦାର ତକିଖାନ୍ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି l ଏ ଖବର ପାଇ ପୁରୀ ଗଜପତି ମହାରାଜ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କର ଚିନ୍ତା ବଢ଼ିଲା l ମହାବାହୁ ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ “ମୋତେ ଶ୍ରୀମନ୍ଦିରରୁ ଗଞ୍ଜାମ ନିକଟସ୍ଥ ଆଠଗଡ଼ର ମଥୁରା ନିକଟ ହାତୀବାଡ଼ି ପର୍ବତକୁ ନେଇ ତାହାର ଦକ୍ଷିଣ ପାର୍ଶ୍ୱର ଏକ ଉଦ୍ୟାନରେ ରଖିବ l ମହାବାହୁଙ୍କ ଆଦେଶକ୍ରମେ ଶ୍ରୀଜିଉଙ୍କୁ ଚିଲିକା କୂଳେ କୂଳେ ବାଲୁଗାଁ ବାଟରେ ଖଲ୍ଲିକୋଟ ଦେଇ ଆଠଗଡ଼ ପୋଲସରା ନିକଟସ୍ଥ ମଥୁରାର ହାତୀବାଡ଼ି ପର୍ବତରେ ରଖି ପୂଜାର୍ଚ୍ଚନା କଲେ l
ତତ୍କାଳୀନ ଆଠଗଡ଼ ରାଜା ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ରାଜା ରଘୁନାଥ ହରିଚନ୍ଦନ ଜଗଦେବ ମଥୁରା ନିକଟରେ ଆରମ୍ଭ କଲେ ମନ୍ଦିର ନିର୍ମାଣ କାର୍ଯ୍ୟ l ପୁରୀରୁ ପଥର ଶିଳ୍ପୀଙ୍କୁ ଆଣି ମାତ୍ର ପଞ୍ଚଚାଳିଶି ଦିନ ମଧ୍ୟରେ ଉନ୍ନତ କାରୁକାଯ୍ୟପୂର୍ଣ୍ଣ ଭବ୍ୟ ମନ୍ଦିର ନିର୍ମାଣ କଲେ l ବଉଳା ପଥରରେ ନିର୍ମିତ ଏହି ମନ୍ଦିରରେ ଶ୍ରୀଜୀଉଙ୍କୁ ପ୍ରାୟ ଅଢ଼େଇ ବର୍ଷ ଅର୍ଥାତ ତିରିଶି ମାସ ପୂଜା ଅର୍ଚ୍ଚନା କରାଗଲା l ଦାଆରେ ଏହି ସ୍ଥାନକୁ ସଫା କରିଥିବାରୁ ଏବଂ ଆଟୁଘର ସଦୃଶ ଏ ମନ୍ଦିର ନିର୍ମାଣ ହୋଇଥିବାରୁ ଏହାକୁ ମାରଦା ବୋଲି କୁହାଯାଏ l
ପରେ ପରେ ପୁରୀ ମନ୍ଦିରକୁ ଆକ୍ରମଣର ଶଙ୍କା ଦୂର ହେବା ପରେ ଶ୍ରୀଜିଉଙ୍କୁ ପୁଣି ଶ୍ରୀମନ୍ଦିରକୁ ଫେରେଇ ନିଆଗଲା l ସେହି ମହାର୍ଘ ସ୍ମୁତିର ସନ୍ତକ ରୂପେ ଆଜି ବି ସଗର୍ବେ ଠିଆ ହୋଇଛି ଐତିହାସିକ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର l ଗଜପତି ମହାରାଜ ଆଠଗଡ଼ ମହାରାଜଙ୍କୁ କହିଥିଲେ “ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ, ପୁରୀ ଶ୍ରୀମନ୍ଦିର ବଡ଼ ଏକାଦଶୀ ଦିନ ଦୀପ ଲାଗିବା ବେଳେ ଏହି ଗଡ଼ ଓ ମନ୍ଦିରର ମହିମା ଗାନ କରାଯିବ” l
ସେହି ଉକ୍ତିଟି ହେଲା
“ଶରଣ ପଞ୍ଜର ମାନ ଉଦ୍ଧାରଣ ଭାଇ ଭାଇ,
ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦ୍ଦେବଜୀ ମହାରାଜଙ୍କୁ ଶଙ୍ଖରେ ବୁଡାଇ,
ଘଣ୍ଟରେ ଘୋଡାଇ,
ଚକ୍ର ଆଢ଼ୁଆଳରେ ରଖହେ ମହାବାହୁ” ! 
ଜଗନ୍ନାଥ ସିନା ନାହାନ୍ତି ହେଲେ ଆଜି ବି ଶ୍ରୀଜୀଉଙ୍କ ପିଣ୍ଡିକୁ ପୂଜା କରାଯାଏ l ୧୭୩୩ ମସିହାରେରେ ମାରଦା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା l ଶ୍ରୀଜୀଉଙ୍କ ଯିବାପରଠୁ ଆଜି ଯାଏଁ ଏଠି ପିଣ୍ଡିପୂଜାର ପରମ୍ପରା ରହିଆସିଛି l ରାଜତନ୍ତ୍ରର ଅବସାନ ପରେ ଅବହେଳିତ ହୋଇପଡିଛି ଐତିହ୍ୟ ସମ୍ପୂର୍ଣ ଶରଣ ଶ୍ରୀକ୍ଷେତ୍ର l ବର୍ତମାନ କିଛି ଜଗନ୍ନାଥ ପ୍ରେମୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମନ୍ଦିର ଉନ୍ନତିର ଦାୟିତ୍ୱ ନେଇଛନ୍ତି l
ଏହି ମନ୍ଦିର ନିର୍ମାଣ ପାଇଁ ଆଠଗଡ଼ର ରାଜା ପୁରୀରୁ କିଛି କାରିଗରୀଙ୍କୁ ଏଠାକୁ ଆଣିଥିଲେ l ସେହି କାରିଗରମାନେ ଏଠାରେ ରହି ପଥର ଦେହରେ ନିଜର କଳା ନୈପୁଣ୍ୟ ଦେଖାଉଛନ୍ତି l ମଥୁରା ଗାଁ ପଥର ଶିଳ୍ପୀ କାରିଗରୀ ପାଇଁ ତ ବେସ୍ ଜଣାଶୁଣା, ତା ସହ ଏଠାରେ କଂସା ଓ ପିତଳ କାରିଗରୀ ମଧ୍ୟ ଦେଖିବାକୁ ମିଳେ l
ପବିତ୍ର ଉତ୍କଳ ମାଟିରେ ଥିବା କୀର୍ତ୍ତିରାଜି ଓ ଧର୍ମସ୍ଥଳୀ ଗୁଡ଼ିକର ରକ୍ଷଣାବେକ୍ଷଣ ନିତ୍ୟାନ୍ତ ଆବଶ୍ୟକ, କାହିଁକି ନା ଏ ସବୁ ଆମର ଗର୍ବ ଓ ଗୌରବ !

Leave a Comment

Your email address will not be published. Required fields are marked *

Scroll to Top