ମାଣିକେଶ୍ବର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ

ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ କଟକ ଜିଲ୍ଲାର ଅନ୍ୟତମ ପୁରାତନ ଐତିହାସିକ କୀର୍ତ୍ତି ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶୁକଲେଶ୍ୱର ଗ୍ରାମର ମାଣିକେଶ୍ବର ମନ୍ଦିର ଭଗବତୀ ପୀଠ ଓ ଭଦ୍ରେଶ୍ୱର ଗ୍ରାମରେ ଥିବା ବୀରଭଦ୍ରେଶ୍ୱର ମହାଦେବ ମନ୍ଦିର l ଅନୁମାନ କରାଯାଏ ଆଜକୁ ପ୍ରାୟ ବାରଶହ ବର୍ଷ ପୂର୍ବେ ଭୌମକର ଶାସନ ସମୟରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା l


ମାଣିକେଶ୍ବର ମନ୍ଦିର ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଓ ଭଗ୍ନ ଅବସ୍ଥାରେ ଥିବାବେଳେ ବୀରଭଦ୍ରେଶ୍ୱର ମନ୍ଦିର ଅପେକ୍ଷକୃତ ଭାବେ ଭଲ ଅବସ୍ଥାରେ ରହିଛି l ମାଣିକେଶ୍ବର ମନ୍ଦିର ତଥା ଏହାର ପରିସରସ୍ଥ ଅନ୍ୟ ସମସ୍ତ ମନ୍ଦିର ଖଣ୍ଡବିଖଣ୍ଡିତ ଅବସ୍ଥାରେ ରହିଛି l ଦେବଦେବୀଙ୍କ ଭଗ୍ନ ପ୍ରତିମା ଓ କାରୁକାର୍ଯ୍ୟପୂର୍ଣ୍ଣ କଳାକୃତି ମନ୍ଦିର ପରିସରରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳେ l



ଭଗ୍ନଦେଉଳର ଏପରି ଦୁର୍ଦ୍ଦଶା ଦେଖି ଯେ କୌଣସି ଐତିହ୍ୟପ୍ରେମୀ ଓ କଳାପ୍ରେମୀ ଆଖିରେ ଲୁହ ଆସିଯିବା ସ୍ୱାଭାବିକ l ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏ ସମସ୍ତ ମନ୍ଦିର କଳାପାହାଡ଼ ଦ୍ୱାରା ଧ୍ବଂସ କରାଯାଇଥିଲା l ଏହି ପବିତ୍ରପୀଠ ମାଣିକେଶ୍ବର ମନ୍ଦିର ପରିସରରେ ଭଗବତୀ ଦୁର୍ଗାଙ୍କର ସାତ ଫୁଟରୁ ଉର୍ଦ୍ଧ୍ୱ ଏକ ବିରାଟ ପ୍ରତିମା ରହିଛି l ବୋଧହୁଏ ଏତେ ପୁରାତନ ଓ ବିରାଟ ଦୁର୍ଗା ପ୍ରତିମା ଅନ୍ୟତ୍ର କେଉଁଠି ନଥିବ l


ସେହିପରି ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଆଉ ଏକ ପ୍ରାଚୀନ ମନ୍ଦିର ହେଉଛି ବୀରଭଦ୍ରେଶ୍ୱର ଶିବ ମନ୍ଦିର l ଏହି ମନ୍ଦିରଟି ମଧ୍ୟ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱର ଗ୍ରାମରେ ଅବସ୍ଥିତ l ମନ୍ଦିରଟିର ନାଟମଣ୍ଡପ ଓ ଜଗମୋହନର ଉପରିଭାଗ ନାହିଁ l ମୁଖ୍ୟ ମନ୍ଦିର ବା ବିମାନଟି ଦଣ୍ଡାୟମାନ l



ମନ୍ଦିର ଗାତ୍ରରେ ପାର୍ଶ୍ଵ ଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ସୁନ୍ଦର ପ୍ରତିମା ରହିଛି l ମହାଦେବଙ୍କ ସମୁଖରେ ଥିବା ବୃଷଭ ବେକ ଓ ଦେହରେ ଶହେ ଆଠ ଘୁଙ୍ଗୁର ଖୋଦିତ ହୋଇଛି l ଯାହାକୁ ଗଣିବାକୁ ଚେଷ୍ଟା କଲେ ପ୍ରତିଥର ଗଣନା ଭୁଲ ହୁଏ ବୋଲି ପୂଜକ କୁହନ୍ତି l


ମନ୍ଦିର ପ୍ରବେଶ ପଥରେ ମଧ୍ୟ ସୁନ୍ଦର କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l ଗର୍ଭଗୃହସ୍ଥ ଶିବଲିଙ୍ଗରେ ଉଭୟ ଶିବ ଓ ଶକ୍ତିଙ୍କ ରୂପ ଖୋଦିତ ହୋଇଛି l ମନ୍ଦିର ପରିସରରେ ହନୁମାନଙ୍କର ଏକ ବିଚିତ୍ର ପ୍ରତିମା ଦେଖିବାକୁ ମିଳେ, ଯେଉଁଥିରେ ହନୁମାନ ହସ୍ତରେ ଖଡ୍ଗ ଧାରଣ ପୂର୍ବକ ଲହ ଲହ ଜିହ୍ୱା ବାହାରକୁ ବାହାର କରିଛନ୍ତି l ମୂର୍ତ୍ତିର ନିମ୍ନ ବାମ ଭାଗରେ ହନୁମାନଙ୍କ ଗନ୍ଧମାର୍ଦ୍ଦନ ଧାରଣ ରୂପ ମଧ୍ୟ ଖୋଦିତ ହୋଇଛି l


ସ୍ଥାନୀୟ ଲୋକେ କିନ୍ତୁ ଏହାଙ୍କୁ ନାରୀଶକ୍ତି ରୂପରେ ପୂଜା କରୁଛନ୍ତି l କେହି କେହି ଏହାଙ୍କୁ ସପ୍ତମାତୃକାଙ୍କ ଏକ ରୂପ ନରସିଂହୀ ବୋଲି ବିବେଚନା କରନ୍ତି l ମନ୍ଦିରକୁ ଲାଗି ଏକ ବିରାଟ ପୁଷ୍କରିଣୀ ମଧ୍ୟ ରହିଛି l ସୁଖର କଥା ଏବେ ମନ୍ଦିରରେ ଉନ୍ନତିମୂଳକ କାର୍ଯ୍ୟ ସ୍ୱରୂପ ପଥର ଖୋଦେଇ କାର୍ଯ୍ୟ ଦ୍ରୁତ ଗତିରେ ସରକାରୀ ସ୍ତରରେ ଚାଲିଛି l



ଲୋକଲୋଚନ ଠାରୁ ବହୁଦୂରରେ ଅଥଚ କଟକ ସହରଠାରୁ ଅନତି ଦୂରରେ ଏହି ଦୁଇ ପ୍ରାଚୀନ କୀର୍ତ୍ତିରାଜିକୁ ଯେ କୌଣସି ସମୟରେ ବୁଲି ଯାଇପାରିବେ l 

© Srikanta Singh 

Leave a Comment

Your email address will not be published. Required fields are marked *

Scroll to Top