ଭାରତମଣି

ଲେଖା: ଦେଵ ତ୍ରିପାଠୀ

୧୯୨୨ ମସିହା, ଜୁନ ମାସ, ହଜାରିବାଗ ଜେଲ୍, ବିହାର ।

ନୂଆ କରି ଜେଲ୍’ର ଦାୟିତ୍ଵ ନେବାକୁ ଆସିଲେ ଭାରତୀୟ (ବିହାରୀ) ଜେଲର୍ ଜଣେ । ଦାୟିତ୍ଵ ଗ୍ରହଣ କରିବା ଦିନ ହିଁ ସେ ଦେଖି ଆଶ୍ଚର୍ଯ୍ୟଚକିତ ହେଲେ, ୨୨ ବର୍ଷୀୟ ଓଡ଼ିଆ ପ୍ରହରୀ ପିଲାଟେ ସବୁ ଭଲମନ୍ଦ ବୁଝୁଥାଏ ଜଣେ ବନ୍ଦୀଙ୍କର ! କଁ ପାଇଁ ଏତେ ଶ୍ରଦ୍ଧା, ଏତେ ସମ୍ମାନ, ଜଣେ ବନ୍ଦୀ ପାଇଁ ! ପ୍ରହରୀ ଆଜି ବନ୍ଦୀ ଅପରାଧୀର ପୂଜାରୀ ! ଆଶ୍ଚର୍ଯ୍ୟ !

ସରକାରୀ କାଗଜପତ୍ର ଆଉ ଅଦାଲତର ନିର୍ଦ୍ଦେଶପତ୍ର ଅଣ୍ଡାଳିଲେ ଜେଲର୍ ! ବନ୍ଦୀଜଣକ କିଏ ! କ’ଣ ତା’ର ଅପରାଧ ! ଦିନେ ପ୍ରହରୀଠାରୁ ପଚାରି ବୁଝିନେଲେ । ସବୁ ଶୁଣି ସ୍ବଗତୋକ୍ତି କରିଥିଲେ ଜେଲର୍, ଏଭଳି ବନ୍ଦୀଙ୍କୁ ପାଇ ହଜାରିବାଗ ଜେଲ୍ ଆଜି ଧନ୍ୟ ! ମୁଣ୍ଡରୁ ଟୋପିଟି କାଢ଼ି ଲମ୍ବ ହୋଇ ପଡ଼ିଯାଇଥିଲେ ସେଇ ‘ଅପରାଧୀ’ଙ୍କ ପାଦତଳେ !

୫୪ ବର୍ଷ ପରେ, ସେଇ ଜେଲ୍ ପ୍ରହରୀ, କଟକ ଜିଲ୍ଲା ରଣହତା ଗ୍ରାମର ରଜନୀ ନାୟକ, ସେବେଳକୁ ୭୬ ବର୍ଷର ବୃଦ୍ଧ ! ଭୋ ଭୋ ହୋଇ କାନ୍ଦି ପକାଉଥିଲେ ସେଇ ବନ୍ଦୀ ଅପରାଧୀଙ୍କ ଗୁଣ ସୁମରଣା କରି ! କୋହଭରା କଣ୍ଠରେ ଲୁହ ପିଇ ପିଇ କହିପାରିଥିଲେ ପଦିଏ କଥା: “କି ଲୋକ ସେ ! ସେ ତ ଦେବତା ! ଭଗବାନ ! ସେଭଳି ଲୋକ ଆଉ ମିଳିବେନି ! ଆହା! ବାପ ମଧ୍ୟ ପୁଅକୁ ଏମିତି କହିବନି ! କେଡ଼େ ମିଠା କଥା ତାଙ୍କର ! ଏବେବି ମୁଁ ଅନୁଭବ କରେ ମୁଣ୍ଡ ଉପରେ ସେଇ ସ୍ନେହବୋଳା ହାତର ସ୍ପର୍ଶ !”

ଠିକ ତ କହିଥିଲେ ରଜନୀ ନାୟକ ! ଆର୍ତ୍ତଜନଙ୍କ ଦୁଃଖ ନିବାରଣ ପାଇଁ ଭଗବାନ ଅବତରି ଥିଲେ ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ !

ସେଇ ସତ୍ୟବାଦୀଠୁ ମାଇଲିଏ ଦୂର ବନପୁର ! ସେଇ ଗାଁର ନାଥ ବାରିକଙ୍କ ପୁଅ ରାମ ବାରିକ । ଓଡ଼ିଆଙ୍କ ମଉଡ଼ମଣି ଗୋପବନ୍ଧୁଙ୍କୁ ୩୪ ବର୍ଷ ବୟସରୁ ମହାପ୍ରୟାଣ ଯାଏଁ ଏଇ ରାମ ଥିଲେ ପ୍ରକୃତରେ ତାଙ୍କ ହନୁମାନ ! କାୟା ସଙ୍ଗେ ଛାୟା ! ଗୋପବନ୍ଧୁଙ୍କ ସେବାରେ ଯେପରି ସଁପି ଦେଇଥିଲେ ନିଜକୁ ! ସେସବୁ ତାଙ୍କ ଜୀବନ-ମହାଭାରତର ମହାର୍ଘ ପର୍ବ ଗୋଟିଏ ଗୋଟିଏ ! ଭାରତମଣି ଗୋପବନ୍ଧୁଙ୍କ ପରି ଗୋଟିଏ ଧ୍ରୁବତାରାକୁ ନିକଟରୁ ନିରେଖିଥିଲେ ସେ ! ଅପହଞ୍ଚ ଗୋଟେ ଆଦର୍ଶକୁ ଅନୁଭବ କରିଥିଲେ ସେ ! ସେ ଆଦର୍ଶ ତାଙ୍କ ଜୀବନ ଉପରେ ଏମିତିକା ଗହୀରିଆ ଗାର ଟାଣି ଦେଇଥିଲା ଯେ, ନିଜ ପୁଅଟିକୁ ସେ ଚାହୁଁଥିଲେ ଭାରତମଣି ଗୋପବନ୍ଧୁ କରି ଗଢ଼ିବାକୁ !

ପୁଅ କିନ୍ତୁ ଜୀବନର ପଥ ଅଣ୍ଡାଳୁ ଅଣ୍ଡାଳୁ ଅଦୃଶ୍ୟ ହୋଇଗଲା ଦିନେ ! ବାପର ସ୍ବପ୍ନକୁ ଇତି କରି !

ବାବାଜୀ ହେବାର ଆଶଙ୍କା କରି ବାପ ବିବାହ ବନ୍ଧନରେ ମଧ୍ୟ ଛନ୍ଦି ଦେଇଥିଲା ତାକୁ । ବୋହୂ ଘରକୁ ଆସିଲା ବେଳକୁ ପୁଅ କିନ୍ତୁ ପାର୍ ! ସଂସାରର‌ ଅସାରତା ଗାଇ ଗାଇ !

‘ଭାରତମଣି’ ହେବା କି ଏତେ ସହଜ ! ବାପର କୋଳରେ ବସି ପରା ସେ ଶୁଣିଥିଲା ସେଇ ମହାପୁରୁଷଙ୍କ ତ୍ୟାଗ ତିତିକ୍ଷାର କଥା, ସେବା ଓ ମାନବପ୍ରେମର କଥା ! ତାଙ୍କ ପରି ସିନା ହେଇପାରିବନି, ତାଙ୍କରି ପାଦରେଣୁ ମୁଣ୍ଡରେ ମାରି ତାଙ୍କ ପଥ ଅନୁସରି ଯାଇ ତ ପାରିବ !

ତା’ ଆଖପାଖରେ କେତେ ଭୋକ, କେତେ ଦୁଃଖ ! ତା’କୁ ଯିବାକୁ ହେବ ! ନିଜ’ ବାଟରେ ! ଭୋକିଲା ଲୋକଙ୍କ ପାଇଁ ! ଦୁଃଖୀରଙ୍କିଙ୍କ ପାଇଁ !

ରାମ ବାରିକ ପୁଅର ଫେରିବାକୁ ଅପେକ୍ଷା କରି ନ ଥିଲେ ! ଆଖିରୁ ଲୁହ ଗଡ଼ି ନ ଥିଲା ! ବୋହୂକୁ ଅନ୍ୟତ୍ର ବିବାହ କରିବାକୁ ବୁଝାଇଲେ, ସେଥିରେ ତାଳ ଦେଲେ ବୋହୂର ବାପାମା’ । ‌ ବୋହୂର ଜିଦ୍ ପାଖରେ ହାର ମାନିଲେ ସଭିଏଁ ! ସାଧୁ, ସତ୍ୟନିଷ୍ଠ ଶ୍ୱଶୁରଙ୍କ ସହ ଦେଶବାସୀଙ୍କ ସେବାରେ ହସି ହସି ନିଜକୁ ନୈବେଦ୍ୟ କରିଦେଲା ଶେଷରେ ସେ !

ଡ଼ଃ ବିକ୍ରମ ଦାସଙ୍କ ବହି ପାଇଁ ଗୋପବନ୍ଧୁଙ୍କ କଥା କହୁ କହୁ କାନ୍ଦି ପକାଉଥିଲେ ରାମ ବାରିକ ! ଏମିତି କେତେ ଲୋକ କାନ୍ଦୁଥିଲେ ଗୋପବନ୍ଧୁଙ୍କ ପାଇଁ, କାରଣ ଲୋକଙ୍କ ପାଇଁ କାନ୍ଦି ଆସିଥିଲେ ସେ ଜୀବନସାରା । ଦିନେ ଗୋପବନ୍ଧୁ ରାଇଜ ସାରା ଘୁରି ବୁଲୁଥିଲେ, ବାଟେ ବାଟେ ବୁଣୁଥିଲେ ବିପ୍ଳବର ବୀଜମନ୍ତ୍ର ! ସ୍ବାଧୀନତା ପରେ ସେ ବିପ୍ଳବ ଯେମିତି ବେସୁରା ହୋଇଯାଇଥିଲା ରାମଙ୍କ ପାଇଁ ! ଗୋପବନ୍ଧୁଙ୍କ ପରି ମରମୀ ଦରଦୀ ମଣିଷଟିଏ ଖୋଜୁଥିଲେ ସେ – ଯୁଆଡ଼େ ଆଖି ପାଉଥିଲା, ସିଆଡ଼େ ! ଶେଷ ପର୍ଯ୍ୟନ୍ତ ଏ ମୌନ ଅନ୍ୱେଷଣ ଚାଲିଥିଲା ତାଙ୍କର । ମାତ୍ର ପାଇଥିଲେ କ’ଣ, ଯାହା ଖୋଜୁଥିଲେ ସେ ? ନା, ଖାଲି କାନ୍ଦୁଥିଲେ ! ନିଃଶବ୍ଦ ବ୍ୟଥାରେ ! ନିଭୃତ ମର୍ମବେଦନାରେ !

ଭାରତମଣି ଗୋପବନ୍ଧୁଙ୍କ ପାଇଁ ଏମିତି କାନ୍ଦିଛନ୍ତି ଶହ ଶହ ରାମ ବାରିକ ! ତାଙ୍କୁ ସୁମରଣା କରି ମୁଣ୍ଡ ପିଟିଛନ୍ତି ହଜାର ହଜାର ରଜନୀ ନାୟକ ! ଝୁରିଛନ୍ତି କେତେ କିଏ !

ଗୋପବନ୍ଧୁ କିନ୍ତୁ ଘୁଞ୍ଚିଯାଇଛନ୍ତି ଦିଗବଳୟ ପରି ଦୂରକୁ . . ଦୂରକୁ . . ଅନେକ ଦୂରକୁ !

ସ୍ବାର୍ଥପରତାର ଧୁଆଁରେ ଗୋପବନ୍ଧୁଙ୍କ ଚିତ୍ରିତ ଚେତନା ଆଜି ଚ୍ଛାୟାଚ୍ଛନ୍ନ ! ମହମର ମୂର୍ତ୍ତି ପରି ତରଳିଯାଇଛି ଗୋପବନ୍ଧୁଙ୍କର ମୂଲ୍ୟବୋଧ – ଆମ ସମସ୍ତଙ୍କ ସ୍ବାର୍ଥକୁ ସେକିବା ପାଇଁ ଜଳା ଯାଇଥିବା ନିଆଁର ଧାସରେ . .

ଚିତ୍ର ପରିକଳ୍ପନା: ଡ଼ଃ ସନତ କୁମାର ଦାସ
ଚିତ୍ର ଅଙ୍କନ: ଭାଗ୍ୟବାନ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ

Leave a Comment

Your email address will not be published. Required fields are marked *

Scroll to Top