ବିଛନ୍ଦଚରଣ ପଟ୍ଟନାୟକ

ଲେଖା: ଅମ୍ବରୀଶ ମଙ୍ଗରାଜ
~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~
କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ |
#ଖଞ୍ଜର ଖଡ୍ଗ ରୂପୀ କଲମରେ ଓଡ଼ିଆ ଭାଷା ସୁରକ୍ଷା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର, କଳିଙ୍ଗ ସାହିତ୍ୟରୁ ଜଡ଼ବାଦୀ ଚିନ୍ତାଧାରାର ବିଲୋପ କରି ସେଥିରେ ରସକଲ୍ଲୋଳ, ସଂଗୀତର ମୂର୍ଚ୍ଛନା ଯିଏ ଭରିଥିଲେ ସେ ହେଉଛନ୍ତି ଗୁରୁଦେବ ବିଛନ୍ଦଚରଣ ପଟ୍ଟନାୟକ
କଟକର ଗଣେଶଘାଟ ରାସ୍ତାରେ ଏକ ଦୁଇ ମହଲା କୋଠାରେ ଚାଲୁଥିଲା #ପ୍ରାଚୀସମିତି ର ମୁଖ୍ୟ କାର୍ଯ୍ୟାଳୟ, ସେଠାରେ ରହୁଥାନ୍ତି ବିଛନ୍ଦଚରଣ ପଟ୍ଟନାୟକ | ପାଖରେ ଦେଖାଶୁଣା ପାଇଁ ମାୟାଧର ନାମକ ଜଣେ ସେବକ | ଏକଦା ମାୟାଧର ଖବର ଦେଲେ କେହି ଜଣେ ଭଦ୍ରଲୋକ ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି, ଚେହେରାରୁ ଅତି ସମ୍ଭ୍ରାନ୍ତ ଓ ପ୍ରତିଭା ସମ୍ପନ୍ନ ମନେ ହେଉଛନ୍ତି | ବିଛନ୍ଦଚରଣ ଆସି ଦେଖନ୍ତି ତ ସେ ଭଦ୍ରଲୋକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଡ଼ିଆ ଜାତିର #ଇଷ୍ଟଦେବ_କୁଳବୃଦ୍ଧ ମଧୁସୂଦନ . . ! 
ଆନନ୍ଦ ତଥା ବିସ୍ମିତ ଭାବେ ଚାହିଁଥିବା ବିଛନ୍ଦଙ୍କ ଉଦେଶ୍ୟରେ ମଧୁବାବୁ କହିବାକୁ ଲାଗିଲେ “ଜାଣିଛ ବିଛନ୍ଦ, ମଧୁସୂଦନ ଦାସ କାହା ପାଖକୁ ଯାଏନାହିଁ -ସମସ୍ତେ ତା ପାଖକୁ ଆସନ୍ତି | ମୁଁ ଆଜି ଆସିଛି ତୁମ ଭଳି ଉଜ୍ଜଳ ପ୍ରତିଭାକୁ ସାଧୁବାଦ ଜଣାଇବା ପାଇଁ | ଭାବିଥିଲି ପତ୍ର ଲେଖି ଜଣାଇବି, କିନ୍ତୁ ତାହା ତୁମ ପାଇଁ ଶୋଭାନୀୟ ହେବନାହିଁ ଚିନ୍ତା କରି ତୁମ ପାଖକୁ ଚାଲି ଆସିଲି | ପ୍ରାଚୀ ପତ୍ରିକାରେ ତୁମର ଇଂରାଜୀରେ ପାଣ୍ଡିତ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ନିଶ୍ଚୟ | ତୁମେ ହିଁ ମୋର #ଯୋଗ୍ୟ_ଉତ୍ତରାଧିକାରୀ ହୋଇପାରିବ |
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଘଡ଼ିସନ୍ଧି ସମୟର କଥା, ଦେଶମାତୃକାର ସେବା ପାଇଁ ଶହଶହ ଯୁବକ ବିପ୍ଳବର ବହ୍ନିରେ ଲେଲିହାନ | ସେ ସମୟରେ ଜନ୍ମ ନିଅନ୍ତି ବିଛନ୍ଦଚରଣ ପଟ୍ଟନାୟକ |
ଯେଉଁ ସମୟରେ ଓଡ଼ିଆ କବିତା ଛନ୍ଦହୀନ, କବିତା ଜନନୀର ଶରୀର ଅଳଂକାର ଶୂନ୍ୟ ସେ ସମୟରେ ବିଛନ୍ଦ ଚରଣଙ୍କ ବାଲ୍ୟବସ୍ଥା କଟେ | ଭୁବନେଶ୍ୱର -ଖୋର୍ଦ୍ଧା ଜାତୀୟ ରାଜପଥ ନ. ୧୬ (ସେ ସମୟରେ ନ. ୫ ) ପାର୍ଶ୍ୱରେ ଯାଆଁଳା-ମୁଣ୍ଡମୁହାଁଣ ସାରସ୍ୱତ ତୀର୍ଥ, ଯାଆଁଳା ଗ୍ରାମର ଏକ ସଂସ୍କୃତି ସମ୍ପନ୍ନ ପରିବାରରେ ତାଙ୍କର ଜନ୍ମ |ପିତା ଗୋଲକ କୃଷ୍ଣ ଓ ମାତା ରାଧା ଦେବୀଙ୍କ କୋଳମଣ୍ଡନ କରନ୍ତି ୧୯0୧ ମସିହା ଜାନୁଆରୀ ୨0 ତାରିଖରେ ! ଜେଜେ ସତ୍ୟବାଦୀ ପଟ୍ଟନାୟକ ଜଣେ ସାହିତ୍ୟରସିକ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ | ବଡ ଭାଇ #ପଦ୍ମଚରଣପଟ୍ଟନାୟକ ଓ ସାନଭାଇ #କାଳୀଚରଣପଟ୍ଟନାୟକ ସହ ବିଛନ୍ଦଙ୍କର ଲାଳନ ପାଳନ ଉତ୍କଟ ଦାରିଦ୍ର୍ୟର କଷାଘାତରେ ହୁଏ |
#ମୁଣ୍ଡମୁହାଁଣ_ଯାଆଁଳା_ଭର୍ଣ୍ଣକୁଲାର ବିଦ୍ୟାଳୟରେ ଶିକ୍ଷାରମ୍ଭ ପରେ ବୃତ୍ତି ମଧ୍ୟ ପାଇଥିଲେ, ଯେହେତୁ ବଡ ଭାଇ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ସହକାରୀ ଇଂରାଜୀ ଶିକ୍ଷକ ଥିଲେ ତେଣୁ ବିଛନ୍ଦଚରଣ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ପାଠ ପଢିଲେ |ପରବର୍ତୀ ସମୟରେ ସତ୍ୟବାଦୀ ବନବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ ଆଦିଙ୍କ ସାନିଧ୍ୟ ଲାଭ କରିଥିଲେ |
ରେଭେନ୍ସା କଲେଜର ଅଧ୍ୟକ୍ଷ ଲାମ୍ବାର୍ଡ ସାହେବ ଓ ସେତେବେଳେ ପୂର୍ବ ଛାତ୍ରାବାସର ସୁପରିଟେଣ୍ଡେଣ୍ଟ ଆର୍ତ୍ତବଲ୍ଲଭ ମହାନ୍ତି ଙ୍କ ଅକୁଣ୍ଠ ସହଯୋଗରେ ବିଛନ୍ଦ ଚରଣ ନିଜର ଉଚ୍ଚଶିକ୍ଷା ସମାପ୍ତ କରିବାରେ ସଫଳ ହେଲେ, ସେ ସମୟରେ ଓଡିଶା ସାହିତ୍ୟର ଅସ୍ମିତାର ଅସ୍ତିତ୍ୱ ମଳିନ ଯେମିତି, ଇଂରାଜୀର ଶିକ୍ଷିତ ସମାଜର ଅଖ୍ୟାତ ଗଳିରେ ସେମିତି ଓଡ଼ିଆ ଭାଷା ତା’ର ପରିଚୟ ଓ ଠିକଣା ଖୋଜୁଥାଏ |
#ଓଡ଼ିଆସାହିତ୍ୟର ମର୍ଯ୍ୟାଦାର ପୁନଃ ପ୍ରତିଷ୍ଠା, ପୁନଃଉଦ୍ଧାର ଓ ତାର ଟୀକାଟିପ୍ପଣି ସମନ୍ବିତ ଶୁଦ୍ଧ ସଂସ୍କରଣ, #ଛାନ୍ଦ_ଚମ୍ପୁ ସମାହିତ, ଉତ୍କଳୀୟ କଳାସଂସ୍କୃତି, ସ୍ଥାପତ୍ୟ ଓ ସାହିତ୍ୟ ସମ୍ପର୍କରେ ଗବେଷଣାତ୍ମକ ନିବନ୍ଧ କିପରି ପ୍ରକାଶିତ ହୋଇ ବିଶ୍ଵବ୍ୟାପୀ ପ୍ରସାରିତ ହେବ, ତାର ଏକମାତ୍ର ସମାଧାନ ବିଛନ୍ଦଚରଣ ବୋଲି ଅଧ୍ୟାପକ ଆର୍ତ୍ତବଲ୍ଳଭ ସ୍ଥିର କରିସାରିଥିଲେ |
ଯେତେବେଳେ ଓଡ଼ିଶାର କବି, ଲେଖକ ଓ ଭାବୁକମାନେ ସ୍ୱାଭିମାନକୁ ମୃତ୍ୟୁଶଯ୍ୟାରେ ଛାଡି ଦେଇ “ଆମର କିଛି ନାହିଁ କିନ୍ତୁ ଅନ୍ୟମାନଙ୍କର ସବୁ ଅଛି” ଭାବି ପାଶ୍ଚାତ୍ୟ ସାହିତ୍ୟ ଓ ସଂସ୍କୃତିକୁ ଅନ୍ଧାନୁକରଣ କରି ଆମର ପୂର୍ବ ସଂସ୍କୃତି ଓ ପରମ୍ପରା କୁ ହେୟଜ୍ଞାନ କରିଛନ୍ତି ଠିକ ସେତିକିବେଳେ ଓଡିଶାର କଳା ଓ ସଂଗୀତମୟ ପରମ୍ପରା, ସାହିତ୍ୟର ପୁନଃ ପ୍ରତିଷ୍ଠା ପାଇଁ ସେ ସୃଷ୍ଟି କରିଥିଲେ #କଳିଙ୍ଗଭାରତୀ #ଉତ୍କଳ_ଛାତ୍ର_ସାହିତ୍ୟ_ସମାଜ ରୁଦ୍ଧିମନ୍ତ ପାରମ୍ପରିକ ଓଡ଼ିଆ ସାହିତ୍ୟର ସେ ଥିଲେ ଜଣେ କଠୋର ଉପାସକ | ସାରଳା ଦାସ, ଜଗନ୍ନାଥ ଦାସଙ୍କ ଠାରୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ, ଅଭିମନ୍ୟୁ ଆଦିର ରଚନା ସବୁର ଗର୍ବଗାରିମାକୁ ଜନମାନସରେ ଉନ୍ମୋଚିତ କରିବା ସହ ନୂତନ ସାହିତ୍ୟ ପାଇଁ ଯୁବପିଢ଼ି ଙ୍କୁ ଆହ୍ୱାନ ଦେଇଥିଲେ ପ୍ରଜ୍ଞାପ୍ରାଣ ବିଛନ୍ଦଚରଣ ପଟ୍ଟନାୟକ !
ବିଛନ୍ଦଚରଣ ପଟ୍ଟନାୟକ ଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପାସକ | ଭଞ୍ଜଙ୍କ ଅଥଳ ସାହିତ୍ୟ ସମୁଦ୍ରରେ ସେ ପହଁରିବାକୁ ଲାଗିଲେ, ତାଙ୍କ ମତ ଥିଲା #ଭଞ୍ଜସାହିତ୍ୟ ଯେ କୌଣସି ସାହିତ୍ୟ ସହ ସମକକ୍ଷ ନୁହେଁ ବରଂ ଶ୍ରେଷ୍ଠ | ଭଞ୍ଜଙ୍କ କାଳଜୟୀ କବିତା ସବୁ ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି ଆଦିକୁ ଓ ତାହାର ଅନେକ ଛନ୍ଦକୁ ଶୁଦ୍ଧ ଇଂରାଜୀରେ ଅନୁବାଦ କରି ବିଶ୍ୱବିଦିତ କରି ପାରିଥିଲେ !
#ପୂର୍ଣଚନ୍ଦ୍ର_ଭାଷାକୋଷ ର ପ୍ରସ୍ତୁତି ରେ ଶ୍ରୀ ଗୋପାଳ ପ୍ରହରାଜଙ୍କର ମୁଖ୍ୟ ସହଯୋଗୀ ଥିଲେ ବିଛନ୍ଦଚରଣ ପଟ୍ଟନାୟକ | ଯେତେବେଳେ ନିନ୍ଦୁକ ଗୋଷ୍ଠୀ ତାଙ୍କୁ ଖଞ୍ଜ ଶାର୍ଦୁଲର ଆଖ୍ୟା ଦେବାକୁ ପଛାଇ ନଥିଲେ ସେତେବେଳେ ନିଜର କଲମ ମୁନର ରଣହୁଙ୍କାର ରେ ବିଜୟର ବୈଜୟନ୍ତୀ ଘୋଷଣା କଲେ ! ସେ ଖଞ୍ଜ ଥିଲେ ସତ ମାତ୍ର ନିଜକୁ #ମନୋରଥରେ_ମହୀପତୀ ବୋଲି କହୁଥିଲେ | ଭଞ୍ଜ ଜୟନ୍ତୀ ମାଧ୍ୟମରେ ବିଛନ୍ଦଚରଣ ଓଡ଼ିଆ ଜାତିର ତଥା ଭାଷାର ନିଜସ୍ୱ ପାଲା, ଦାସକାଠିଆ, ଗୋଟିପୁଅ ନୃତ୍ୟ, ଓଡିଶୀ ନୃତ୍ୟ, ଓଡିଶୀ ସଂଗୀତର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ !
ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତି ନାନା ଷଡଯନ୍ତ୍ର ଓ ସାଙ୍ଘାତିକ ଅପପ୍ରଚାର ମଧ୍ୟରେ ବି ନିଜର ସ୍ୱାଭିମାନ ଓ ମୌଳିକତା ସହ ବିଛନ୍ଦ ଚରଣ କେବେ ବି ସାଲିସ କରିନଥିଲେ, ଯେତେବେଳେ କୁହାଗଲା ଓଡ଼ିଆ ସାହିତ୍ୟ ଅଶ୍ମୀନ, କ୍ଲୀଷ୍ଟ, ଅଶୋଭନୀୟ ଓଡ଼ିଆମାନେ ମୃତପ୍ରାୟ ଏହାକୁ ସ୍ୱୀକୃତି ଜଣାଇଲେ ଯେମିତି | ସେତେବେଳେ ପ୍ରତିବାଦରେ ତୋଫାନ ବିଛନ୍ଦଚରଣଙ୍କର କଲମ ମୁନରେ ଝଡର ଅବତାରଣା କରିଥିଲା ଯେମିତି !
ଇତିହାସ ବହିରେ ହଣ୍ଟର ସାହେବ ଲେଖିଲେ “ଖ୍ୟାତି ଗ୍ରନ୍ଥରେ ଏ ଜାତିର ନାମଲେଖା ମିଳେ ନାହିଁ, ଏ ଜାତି ଗୋଟିଏ ହେଲେ ଉଲ୍ଲେଖନୀୟ କାମ କରିନାହିଁ କିମ୍ବା ଗୋଟିଏ ହେଲେ ବିଜୟପ୍ରସୂ ଯୁଦ୍ଧ ଲଢ଼ି ନାହିଁ ” | ଏଣିକି ଶୁଣାଗଲା ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ନୁହେଁ | ଓଡ଼ିଆ ଭାଷାର ପରମ୍ପରା ନାହିଁ, ମୌଳିକତା ନାହିଁ ତେଣୁ ଲିପି ସହିତ ଏ ଭାଷାର ବିଲୋପ କରିଦିଆଯାଉ | ସେହି ସମୟରେ #କବିତାକୁମୁଦର ମୁଖବନ୍ଧରେ ବିଛନ୍ଦଚରଣ ପଟ୍ଟନାୟକ ଲେଖିଲେ “ଉତ୍କଳୀୟମାନଙ୍କ ପରି ସଂଗୀତପ୍ରାଣ, କବିତା ପ୍ରାଣଓ କଳା ପ୍ରାଣ ଜାତି ଏକା ଭାରତରେ କାଁହିକି ସାରା ବିଶ୍ୱରେ ନାହିଁ, ମୁକ୍ତ କଣ୍ଠରେ ସେ ଲେଖିଲେ
“ଗାଉଛି ଉତ୍କଳ ପର ସଂଗୀତ,
ନ ଜାଣୁଛି ନିଜେ ନିଜର ବିତ୍ତ,
ସେ କାଳ ବିପଞ୍ଚି ଏ କାଳ ତାନ,
ଯୋଗ ବିନା ଧନୀ ହାରୁଛି ମାନ !”
#ପ୍ରାଚୀ,ଇଂରାଜୀ ପତ୍ରିକା #ବୈତରଣୀ#ଜର୍ଣ୍ଣାଲଅଫଦିଓଡିଶାଏକାଡେମୀ ଇତ୍ୟାଦିର ସମ୍ପାଦନା ଦାୟିତ୍ୱ ନେଇ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲେ | ତାଙ୍କ ପ୍ରଚେଷ୍ଟାରେ ୧୯୪୪ ମସିହା ମଇ ୧୬ ତାରିଖରେ #ଭଞ୍ଜଜୟନ୍ତୀ ପ୍ରଥମ ଥର ପାଇଁ ପାଳନ କରାଗଲା ! ତାଙ୍କ ଦ୍ୱାରା ଲିଖିତ ପୁସ୍ତକ #ManOfNature ଆମେରିକା ବିଶ୍ୱବିଦ୍ୟାଳୟରେ ଏକ ଅମୁଲ୍ୟ ଗ୍ରନ୍ଥ !
ସେ ଥିଲେ ପଲ୍ଲୀପ୍ରାଣ ବିଛନ୍ଦଚରଣ | ତାଙ୍କ ଭାଷାରେ “ସହରଗୁଡିକ ଆମ୍ଭମାନଙ୍କର ଜାତୀୟ ଜୀବନର ଶ୍ମଶାନ ଓ ବିଜାତୀୟ ପ୍ରଭାବର ଦୁର୍ଗ !” ଓଡ଼ିଶାର ଛାତ୍ର ସମାଜ ଯେପରି “#ଉତ୍କଳ_ସାହିତ୍ୟ_ଛାତ୍ର_ସମାଜ” ଓ ତାର ପ୍ରତିଷ୍ଠାତାଙ୍କୁ ଭୁଲି ନଯାଉ ବିଛନ୍ଦ ବଞ୍ଚିଛନ୍ତି ପ୍ରତିଟି ଚେଷ୍ଟାରେ, ଓଡ଼ିଶୀର ଛାନ୍ଦରେ, ଓଡ଼ିଶାର #ତାଳପତ୍ର_ପୋଥିରେ, କବିର ପ୍ରେମରେ, ଚମ୍ପୁରେ . . ବିଛନ୍ଦର ସୁଗନ୍ଧର କାୟା କାହିଁ କେତେ ଯେ ସୁଦୂରପ୍ରସାରୀ ତାହାର ପ୍ରମାଣ ମିଳେ ! 
“ଯେପରି ଖୋରଧା ପାଇକ ଲାଠି
ସେପରି ମୁଣ୍ଡମୁହାଁଣ-ଯାଆଁଳା କଲମ କାଠି
ସେ କାଠିକୁ ଧରି ବିଛନ୍ଦ ବୀର
ସାହିତ୍ୟ ସଂସ୍କୃତି କଲେ ଉଦ୍ଧାର . . “

Leave a Comment

Your email address will not be published. Required fields are marked *

Scroll to Top