ବାରିପଦାର ରଥଯାତ୍ରା

ଲେଖା: ଶିଶିର ସାହୁ ମନୋଜ

୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା ।

କଳାପାହାଡ଼ର ଲୋକକଥାକୁ ଆଧାର କରି ଐତିହାସିକମାନେ ଅନେକ ଥିସିସ୍ ଦେଇଛନ୍ତି । କେହି ତାକୁ ଗୋଟେ କ୍ରୁର ହିନ୍ଦୁଦ୍ଵେଷୀ ଆଫଗାନ୍ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରିଛି ତ ଆଉ କେହି ତତ୍କାଳୀନ ଓଡ଼ିଆ ରାଜାଙ୍କର ରାୟ ଉପନାମଧାରୀ ସେନାପତି ଭାବେ ପ୍ରତିପାଦିତ କରିଛି । ତେବେ କଳାପାହାଡ଼ ଵିଷୟକ ଉତ୍ତର ଓଡ଼ିଶାରେ ପ୍ରଚଳିତ  କିମ୍ବଦନ୍ତୀ ଅନୁସାରେ କାଳାଚାନ୍ଦ ରାୟ ନାମକ ଜଣେ ମେଦିନୀପୁରିଆ ବଙ୍ଗୀୟ ବ୍ରାହ୍ମଣ (ମତାନ୍ତରରେ କରଣ) ଜନୈକା ଦୁଲିଆ ନାମ୍ନୀ ମୁସଲମାନ କନ୍ୟାର ପ୍ରେମରେ ପଡି଼ ତା ହସ୍ତରୁ ଅନ୍ନ ଭୁଞ୍ଜିଥିଵାରୁ ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜ ତାକୁ ଵାସନ୍ଦ କରି ପୁରୀ ବ୍ରାହ୍ମଣସଭା ପାଖକୁ ହିନ୍ଦୁତ୍ଵ ଫେରି ପାଇଵା ପାଇଁ ପଠାଇଥିଲା ।

ସେତେବେଳର ବ୍ରାହ୍ମଣ ସମାଜ ଅତ୍ୟନ୍ତ ଜାତିଆଣଭାଵ ଓ କୁସଂସ୍କାରରେ ବୁଡ଼ି ରହିଥିଲା ତେଣୁ ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣମାନେ କାଲାଚାନ୍ଦ ଲକ୍ଷେ ନେହୁରା ହେଲେ ସୁଦ୍ଧା ତା’ କଥାକୁ ଶୁଣିଲେ ନାହିଁ ଵରଂ ଅପମାନିତ କରି ତା ଉପରେ ତତଲା ପେଜ ଛାଟି ତାକୁ ବଡ଼ଦେଉଳରୁ ତଡି଼ଦେଲେ ।

କାଲାଚାନ୍ଦ ରାୟ ଏ ଅପମାନ ସହିପାରିଲା ନାହିଁ । ସେ ଦୁଲିଆର ପିତା ଓ ବଙ୍ଗର ତୁର୍କ ମୁସଲମାନ ନଵାବ ସୁଲେମାନ କରାନୀଙ୍କ ସହାୟତା ପାଇ ମୁସଲମାନ ଧର୍ମରେ ଦୀକ୍ଷିତ ହେଵା ଉତ୍ତାରୁ ଓଡ଼ିଆ ଲୋକ ଓ ଓଡ଼ିଶାର ମାଟି ପ୍ରତି ପ୍ରତିଶୋଧପରାୟଣ ହୋଇ ସୈନ୍ୟ ଆକ୍ରମଣ କରିଵାକୁ ଉଦ୍ୟମ କରିଵାକୁ ଲାଗିଲା । ସେ ଵିଚ୍ଛିନ୍ନ ଉତ୍ତର ଓଡ଼ିଶାର ମାଟିରେ ଅର୍ଥାତ୍ ମେଦିନୀପୁର ଅଞ୍ଚଳରେ ଜନ୍ମ ଲଭିଥିଲେ ହେଁ ହୃଦୟରୁ କେବେ ବି ଓଡ଼ିଆ ନଥିଲା । ତା ରକ୍ତରେ କଳିଙ୍ଗ ଦେଶର ଜାତୀୟତା ଓ ସ୍ବାଭିମାନ ନଥିଲା । ସ୍ଵାଭାଵିକତଃ କୌଣସି ଦେଶ ଵା ରାଜ୍ୟର ସୀମାରେ ଵସଵାସ କରୁଥିଵା ଵ୍ୟକ୍ତି ବିଶେଷଙ୍କର ଆପଣା ମାତୃଦେଶ ପ୍ରତି ସେତେଟା ଆନ୍ତରିକତା ନଥାଏ । ପଶ୍ଚିମ ଓଡିଶାରେ ଵିଚ୍ଛନ୍ନତାଵାଦୀଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି ଏହାର ଏକ ଉଦାହରଣ ଅଟେ ।

ତେଣୁ ବହୁତ ସମ୍ଭଵ କାଲାଚାନ୍ଦ ରାୟ ବଙ୍ଗାଳୀ ବଂଶୋଦ୍ଭଵ ଥିଲା କାରଣ କୌଣସି ଓଡ଼ିଆ ସନାତନୀ ନିଜ ଉପରେ ଯେତେ ବି ଅତ୍ୟାଚାର ହେଉ ଆପଣାର ଦେଶର ଅମୂଲ୍ୟ ଗୌରଵଚିହ୍ନଗୁଡି଼କୁ କ୍ଷତି ପହଞ୍ଚାଇଵା ପୂର୍ଵରୁ ଶହେ ଥର ଭାଵିଵ ।

କାଲାଚାନ୍ଦ ରାୟ ମୁସଲମାନ ସେନାର ସେନାପତିତ୍ଵ କରି ଆପଣାର ନାମ କଳାପାହାଡ଼ ରଖି ଓଡ଼ିଶା ଆକ୍ରମଣ କରିଦେଲା । କଟକ ଇତ୍ୟାଦି ଅନେକ ବଡ଼ ନଗରର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କରିଦେଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିଵା ପଛରେ ବି ଏହି ଦ୍ଵେଷାନ୍ଧ ଵ୍ୟକ୍ତିର ହାତ ଥିଵା କିଛି ଲୋକଙ୍କର ମତ । ପୁରୁଷୋତ୍ତମ ପୁରୀକୁ ଆସି କଳାପାହାଡ଼ ଶ୍ରୀମନ୍ଦିର ଓ ବେଢା଼ର ଅନେକ ମୂର୍ତ୍ତି ଭାଙ୍ଗି ପକାଇଲା । ଶ୍ରୀମନ୍ଦିର ଭିତରେ ଵିଗ୍ରହ ନ ପାଇଵାରୁ ରାଗ ତମତମ ହୋଇ ଘୋଡ଼ା ନେଣ୍ଡି, ଘସି ଓ ଚଷୁ ପକେଇ ନିଆଁ ଲଗାଇ ଦେଇଥିଲା ।

ପୁରୀର ଶହ ଶହ ବ୍ରାହ୍ମଣଙ୍କୁ ହତ୍ୟାକଲା ସେମାନଙ୍କ କନ୍ୟା ପତ୍ନୀ ଆଦିଙ୍କ ସହିତ ମୁସଲମାନୀ ସେନା ଦ୍ଵାରା ଅତ୍ୟାଚାର କଲା । ଅନେକ ବ୍ରାହ୍ମଣ ସେ ସମୟରେ କଳାପାହାଡ଼ ଓ ମୁସଲମାନ ସୈନ୍ୟଙ୍କର ଅମାନୁଷିକ ଅତ୍ୟାଚାର ଅପେକ୍ଷା ଆତ୍ମହତ୍ୟା ଶତଗୁଣ ଶ୍ରେଷ୍ଠ ବୋଲି ଵିଚାର କରି ପ୍ରାଣବଳି ଦେଇଥିଲେ ।

ଲୋକକଥା ଅନୁଯାୟୀ ସେହି କଳାପାହାଡ଼କୁ ସମ୍ବଲପୁର ରାଜ୍ୟରେ ତାହାର ଜଘନ୍ୟ କୁକୃତ୍ୟର ଉଚିତ୍ ଦଣ୍ଡ ଶେଷରେ ମୃତ୍ୟୁ ରୂପେ ମିଳିଯାଇଥିଲା । ଲୋକକଥାରେ ମାଆ ସମଲେଈଙ୍କ ଦ୍ଵାରା କଳାପାହାଡ଼ ଓ ତାହାର ସୈନ୍ୟବଳ ଧ୍ଵଂସ ହୋଇଯାଇଥିଵା କୁହାଯାଇଛି । ଏମନ୍ତ ମଧ୍ୟ ସମ୍ଭଵ ଯେ ଦୈଵୀଶକ୍ତି ଆଳରେ ତତ୍କାଳୀନ ସମ୍ବଲପୁରର ସାହସୀ ଯୋଦ୍ଧାମାନେ ଗରିଲା ଯୁଦ୍ଧକରି ଅତର୍କିତ ଆକ୍ରମଣ ପୂର୍ଵକ କଳାପାହାଡ଼ ଓ ତା’ ସୈନ୍ୟସାମନ୍ତଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଵେ ଏଵଂ ପରେ ବଙ୍ଗ ନଵାବ ସମ୍ବଲପୁର ଆକ୍ରମଣ ନକରନ୍ତୁ ସେଥିପାଇଁ ସମଲେଶ୍ଵରୀ ହିଁ ସେମାନଙ୍କ ଅନ୍ତ’ର କାରଣ ବୋଲି ପ୍ରଚାର କରାଯାଇଥିଵ ।

ସେ ଯାହା ହେଉ ମୁସଲମାନମାନଙ୍କର ଘୃଣ୍ୟ ଅତ୍ୟାଚାର ଯୋଗୁଁ ୧୫୬୮ରୁ ୧୫୮୦ ମସିହା ଯାଏଁ ଓଡ଼ିଶାରେ ଓଡ଼ିଆଙ୍କର ଜାତି ଏକତାର ଚିହ୍ନ ଶ୍ରୀମନ୍ଦିର ଭଙ୍ଗାରୁଜା ହୋଇ ପଡି଼ରହିଥିଲା । ତତ୍କାଳୀନ “ସନାତନୀ ଓଡ଼ିଆ” ଅତ୍ୟାଚାର ଭୟରେ ପ୍ରାୟ ବାର ପନ୍ଦର ଵର୍ଷକାଳ ପ୍ରକାଶ୍ୟ ଭାବେ ଧର୍ମ ସମ୍ବନ୍ଧୀୟ ପର୍ଵ ପାଳନ କରିଵାକୁ ଡରୁଥିଲା । ଶ୍ରୀମନ୍ଦିର କ’ଣ ସେତେବେଳେ ଓଡ଼ିଶାର କେଉଁଠି ବି ରଥଯାତ୍ରା ହେଉନଥିଲା କିନ୍ତୁ ୧୫୭୫ରେ ପ୍ରଥମେ ମୟୂରଭଞ୍ଜ ରାଜ୍ୟରେ ରଥଯାତ୍ରା ପାଳନ କରଗଲା । ତତ୍କାଳୀନ ମୟୂରଭଞ୍ଜ ରାଜା ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ତଥା ପ୍ରତାପରୁଦ୍ର ଦେବଙ୍କ ରାଜଜେମା ‘ନମାତ’ଙ୍କ ପ୍ରେରଣାରେ ୧୫୬୮ ମସିହାରେ ବାରିପଦାଠାରେ ଏକ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ଏଵଂ ଏହା ପୂର୍ଣ୍ଣାଙ୍ଗ ହେଵାକୁ ଦୀର୍ଘ ସାତଵର୍ଷ ସମୟ ଲାଗିଥିଲା । ୧୫୭୫ ମସିହାର ଆଷାଢ଼ ଦ୍ଵିତୀୟା ତିଥିରେ ଉକ୍ତ ମନ୍ଦିର ପ୍ରତିଷ୍ଠା ହେଵା ସହ ସେହିଦିନ ହିଁ ପ୍ରଥମ କରି ବାରିପଦାର ରଥଯାତ୍ରା ଆୟୋଜନ ମଧ୍ୟ କରାଯାଇଥିଲା । ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ସେହି ରଥଯାତ୍ରା ଦେଖିଵାକୁ ହିଁ ସତେ ଯେମିତି ବଞ୍ଚି ରହିଥିଲେ ଏଵଂ ତାଙ୍କ ଜୀଵନର ଏହି ଇଚ୍ଛା ପୂର୍ତ୍ତି ସହ ସେ ଶାନ୍ତିରେ ଚିରନିଦ୍ରା ଲଭିଥିଲେ ।

ତତ୍କାଳୀନ ଓଡ଼ିଶା, ପଠାଣଙ୍କ ଅଧିନରେ ଥିଵାରୁ ଭୟରେ ଲୋକେ ଅନେକ ଵର୍ଷ ପର୍ଵପର୍ଵାଣୀ ପାଳୁନଥିଲେ କିନ୍ତୁ ଓଡ଼ିଶାରେ ସେସମୟରେ କେଵଳ ବାରିପଦାରେ ରଥଯାତ୍ରା ହେଉଥିଵାରୁ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିରକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆଖ୍ୟା ପ୍ରାପ୍ତ ହୋଇଅଛି ।

ବାରିପଦାର ରଥଯାତ୍ରା କେଵଳ ଧାର୍ମିକ ଅନୁଷ୍ଠାନ ନଥିଲା ଵରଂ ଏହା ଥିଲା ତତ୍କାଳୀନ ମୁସଲମାନ ଶାସନ ଵିପକ୍ଷରେ ଏକ ଶାନ୍ତିପୂର୍ଣ୍ଣ ସଶକ୍ତ ଜାତୀୟତାଵାଦୀ ଅଭିଯାନ । ଅତ୍ୟାଚାରୀ ମୁସଲମାନମାନଙ୍କ ଦାଉ ସହି ସହି ଶେଷରେ ମୟୂରଭଞ୍ଜର ଶାସକ ଵୈଦ୍ୟନାଥ ଭଞ୍ଜଙ୍କ ନେତୃତ୍ୱରେ ସେସମୟର ସ୍ଵାଭିମାନୀ ଓଡ଼ିଆମାନେ ଏକପ୍ରକାରର ଵିପ୍ଳଵର ସୂତ୍ରପାତ କରିଥିଲେ । ଏହା ହିନ୍ଦୁ-ମୁସ୍ଲିମ୍ ଧର୍ମ ଯୁଦ୍ଧ ନଥିଲା କି ଏ ଯୁଦ୍ଧରେ ଅସ୍ତ୍ରଚାଳନା ମଧ୍ୟ ହୋଇନଥିଲା ମାତ୍ର ଏହି ଯୁଦ୍ଧ ମୁସଲମାନ ଶାସକଙ୍କ ଶାସନ ଵିପକ୍ଷରେ ସମ୍ଭଵତଃ ଭାରତର ପ୍ରଥମ ଅହିଂସା ଆନ୍ଦୋଳନ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ ।


ଓଡ଼ିଶା ପରାଧୀନ ହେଲାପରେ ମୁସଲମାନମାନେ ଵିଭିନ୍ନ ଉପାୟରେ ଓଡ଼ିଶାରୁ ସନାତନୀ ସଂସ୍କୃତିର ଲୋପ କରିଦେଵାକୁ ପ୍ରଯତ୍ନ କରିଥିଲେ । ସେମାନେ ପ୍ରଥମେ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କଲେ ଏଵଂ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରି ତା ଭିତରେ ନିଆଁ ଲଗାଇ ଦେଲେ । ଅନେକ ଲୋକଙ୍କୁ କଳେ ବଳେ କୌଶଳେ ମୁସଲମାନ ଧର୍ମରେ ଦୀକ୍ଷିତ କଲେ । ଜଳେଶ୍ଵର ମନ୍ଦିର ଆଦି ଅନେକ ଦେଵାଳୟ ଭାଙ୍ଗି ଉକ୍ତ ସ୍ଥାନରେ ମସଜିଦ୍ ନିର୍ମାଣ କଲେ । ପୁଣି ନୂଆ ମନ୍ଦିର ନଗଢି଼ ଉଠୁ ସେଥିପାଇଁ ଓଡ଼ିଶାର ଧନୀକମାନଙ୍କୁ ଲୁଟିଲେ ଓ ଗରିବ ଜନଙ୍କ ଉପରେ କର ଲଦି ଦେଇ ସେମାନଙ୍କୁ କାଙ୍ଗାଳ କରିପକାଇଲେ । ଓଡ଼ିଶାରେ ଏଥିଯୋଗୁଁ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ନୌଵାଣିଜ୍ୟ ବନ୍ଦ ହୋଇଯାଇଥିଲା । ମନ୍ଦିର ଭାଙ୍ଗିଦେଲାପରେ କାଳେ ଓଡ଼ିଆମାନେ ଘରେ ଦିଅଁ ପୂଜାର୍ଚ୍ଚନା କରି ଧର୍ମ ରକ୍ଷା କରିଵେ ସେଥିପାଇଁ ଓଡ଼ିଶାରେ କେହି ଯେମିତି ହିନ୍ଦୁ ପର୍ଵପର୍ଵାଣୀ ନପାଳନ୍ତି ତେଣୁ ସୁଲତାନଙ୍କ ପକ୍ଷରୁ ହିନ୍ଦୁ ପର୍ଵ ପାଳନର ନିଷେଧାଦେଶ ଜାରି ହୋଇଥିଲା  । ଯିଏ ସୁଲତାନଙ୍କ ଆଦେଶ ନପାଳି ଦଣ୍ଡ ଦୀପାବଳୀ ଉତ୍ସଵ ପାଳିଲା ତାକୁ ଵିଭିନ୍ନ ପ୍ରକାରରେ ଦଣ୍ଡିତ କରାଯାଉଥିଲା ।

ମାତ୍ର ମୟୂରଭଞ୍ଜ ରାଜ୍ୟର ରାଜା ବାରିପଦାଠାରେ ଦ୍ଵିତୀୟ ଶ୍ରୀମନ୍ଦିର ନିର୍ମାଣ କରି ଏହି ନିଷେଧାଦେଶର ତୀଵ୍ର ଵିରୋଧ କରିଥିଲେ । ମୟୂରଭଞ୍ଜ ରାଜାଙ୍କୁ ତାଙ୍କର ଅନେକ ପାଖ ଲୋକ କହିଲେ ଲୋକେ ଭୟରେ ଏ ରଥଯାତ୍ରାରେ ଯୋଗ ଦେଵେ ନାହିଁ । ତେଣୁ ରାଜା ଏହି ସମସ୍ୟାର ସମାଧାନ ପାଇଁ ଗୁଡି଼ଏ ପଦକ୍ଷେପ ଗ୍ରହଣ କରିଥିଲେ ।

୧. ମୟୂରଭଞ୍ଜ ରାଜ୍ୟର ଯେଉଁ ପ୍ରଜା ରଥଯାତ୍ରାକୁ ଆସିଵାକୁ ଅମଙ୍ଗ ହେଲା ତା ଉପରେ ଆର୍ଥିକ ଓ ସାମାଜିକ ତଣ୍ତ ଲଗାଗଲା

୨. ସେ ସମୟରେ ଧଳଭୂମି, ଷଡୈକଳା, ଚାଇଁବସା, ଝାଡ଼ଗ୍ରାମମେଦିନୀପୁର ଆଦି ରାଜ୍ୟଗୁଡ଼ିକ ମୟୂରଭଞ୍ଜ ରାଜ୍ୟର କରଦ ରାଜ୍ୟ ଥିଲେ ତେଣୁ ଉକ୍ତ ରାଜ୍ୟର ରାଜାମାନଙ୍କୁ ବାରିପଦାର ରଥଯାତ୍ରାରେ ଯୋଗ ଦେଵାକୁ ଵୈଦ୍ୟନାଥ ଭଞ୍ଜ ଚିଟାଉ ପଠାଇଥିଲେ । କୁହାଯାଏ ଏସବୁ ରାଜ୍ୟରୁ ସ୍ଥାନୀୟ ରାଜାମାନଙ୍କ ସହିତ ଶହ ଶହ ଲୋକ ଆସି ରଥଯାତ୍ରାରେ ଯୋଗ ଦେଉଥିଲେ ।

୩. ଲୋକଙ୍କୁ ଆକୃଷ୍ଟ କରିଵାପାଇଁ ରଥ ଉପରୁ ଗୁଡ଼, ମୁଢି଼, ଲଡୁ଼ ଫିଙ୍ଗାଯିଵାର ଵ୍ୟଵସ୍ଥା କରାଯାଇଥିଲା ଏଵଂ ଏ ପରମ୍ପରା ଆଜି ମଧ୍ୟ ରହିଛି ।

୪. ମନ୍ଦିର ସୁରକ୍ଷା ପାଇଁ ମାଙ୍କଡ଼ା ପଥରରେ ଅତି ଶକ୍ତ ଚାରି ହାତ ଓସାରର ମେଘନାଦ ପାଚେରୀ ନିର୍ମାଣ କରାଯିଵା ସହ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଏକ ଓ୍ଵାଚଟାଓ୍ଵାର ମଧ୍ୟ ନିର୍ମାଣ କରାଯାଇଥିଲା । ଏହି ଓ୍ଵାଚ୍ ଟାୱାରକୁ ଆଜିକାଲି ନାଗରାଭାଡି଼ କୁହାଯାଉଛି କିନ୍ତୁ ପୂର୍ଵେ ଏଠାରେ ଧନୁର୍ଦ୍ଧର ଓ ବର୍ଚ୍ଛାଧାରୀ ପାଇକମାନେ ଶତ୍ରୁ ଆକ୍ରମଣକୁ ପ୍ରତିହତ କରିଵାକୁ ସଜାଗ ହୋଇ ରହୁଥିଲେ । ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କ ନିମନ୍ତେ ଅତ୍ୟନ୍ତ ସୁରକ୍ଷିତ ଥିଵାରୁ ଲୋକଙ୍କ ମନରେ ଵିଶ୍ଵାସ ବଢି଼ଥିଲା ।

୫. ରଥଯାତ୍ରାରେ ଲୋକଙ୍କ ଉପରେ ଯେମିତି ଵିଧର୍ମୀ ଆକ୍ରମଣ ନହୁଏ ସେଥି ସକାଶେ ହଜାର ହଜାର ପାଇକ ଵୀରଙ୍କ ଦ୍ଵାରା ସୁରକ୍ଷା ବଳୟ ମଧ୍ୟରେ ରଥଯାତ୍ରାର ଆୟୋଜ କରାଯାଉଥିଲା । ଏହି ରଥଯାତ୍ରାରେ ମୟୂରଭଞ୍ଜ ରାଜା ସ୍ଵୟଂ ହାତୀପିଠିରେ ବସି ରଥ ଆଗେ ଆଗେ ଯାଉଥିଲେ ଓ ତାଙ୍କ ପଛକୁ ଧଳଭୂମି, ଷଡୈକଳା ଓ ନୀଳଗିରି ଆଦି ରାଜ୍ୟର ରାଜାମାନେ ଘୋଡ଼ା ଉପରେ ଚଢ଼ି ଯାଉଥିଲେ । ରାଜାମାନଙ୍କ ପଛରେ ଭୂୟାଁମାନଙ୍କ ଦଳ ଖୋଳକୀର୍ତ୍ତନ ବଜାଇ ନାଚି ନାଚି ଯାଉଥିଲେ । ଭୂୟାଁଙ୍କ ପଛରେ ବାଥୁଡି଼ ସମ୍ପ୍ରଦାୟର ଲୋକେ ଚାଙ୍ଗୁ ବଜାଇ ନୃତ୍ୟଗୀତ ପରିଵେଷଣ କରି କରି ଯାଉଥିଲେ । ତାଙ୍କ ପଛକୁ ସାନ୍ତାଳମାନେ ଧୁମସା ନାଗରା ଓ ମୁଣ୍ଡା ଓ ଭୂମିଜମାନେ ମାଦଳ ବଜାଇ ବଜାଇ ରଥ ଆଗରେ ଯାଉଥିଲେ । ରଥର ଆଗରେ ଓ ପଛରେ, ବଡ଼ଦାଣ୍ଡର ଦୁଇପାର୍ଶ୍ଵରେ ତଥା ରଥ ସହିତ ହଜାର ହଜାର ପାଇକ ଖଣ୍ଡା, ଢାଲ, ବର୍ଚ୍ଛା ଧରି ଜଗି ରହୁଥିଲେ । କୌଣସି ଵିଧର୍ମୀ ଦ୍ଵାରା ହଠାତ୍ ଶ୍ରୀମନ୍ଦିର କିମ୍ବା ରଥ ଉପରେ ଆକ୍ରମଣ ନ ହେଵ ସେଥିପାଇଁ ଵିଭିନ୍ନ ଉଚ୍ଚ ସ୍ଥାନରେ ଗୁପ୍ତ ଭାଵରେ ଧନୁର୍ଦ୍ଧରମାନଙ୍କୁ ମୁତୟନ କରାଯାଇଥିଲା ।  ଫଳତଃ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ କ୍ରମେ ଅନେକ ଲୋକ ନିର୍ଭୟରେ ରଥଯାତ୍ରାରେ ଯୋଗଦେଵାକୁ ଆସିଵାକୁ ଲାଗିଲେ।

ବାରିପଦାର ରଥଯାତ୍ରା କେତେକ ଵର୍ଷଯାଏଁ ସୁରୁଖୁରୁରେ ଅନୁଷ୍ଠିତ ହୋଵାକୁ ଲାଗିଵାରୁ ଓଡ଼ିଶାରେ ସାଧାରଣ ଲୋକଙ୍କ ସାହସ କିଛି ପରିମାଣରେ ବୃଦ୍ଧି ପାଇଥିଲା ଏଵଂ କିଛି ଵର୍ଷପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପୁନଃ ପ୍ରତିଷ୍ଠା ପାଇଥିଲେ । ଏଠାକାର  ଶ୍ରୀମନ୍ଦିର ନିର୍ମାଣ ଓ ରଥଯାତ୍ରାର ଆୟୋଜନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା ନିମନ୍ତେ ପ୍ରେରଣା ଯୋଗାଇଥିଲା । ତେଣୁ ଯଥାର୍ଥରେ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେଵ ନାହିଁ ।

ଜଗନ୍ନାଥ ପ୍ରେମୀ ଓଡ଼ିଆଙ୍କ ପାଇଁ ବାରିପଦାର ରଥଯାତ୍ରା ଅନେକ ଗୁରୁତ୍ତ୍ଵ ରଖେ ।

Leave a Comment

Your email address will not be published. Required fields are marked *

Scroll to Top