ଆମ ଚଳଣି

~ ଆମ ଚଳଣି ~
ଲେଖା: ଡ. ଜୟଶ୍ରୀ ନନ୍ଦ
ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ। ଏବେ ବି ଓଡ଼ିଶାରେ ଅନେକ ଯୌଥ ପରିବାର ଦେଖିବା ପାଇଁ ମିଳେ। ଘରର ମୁରବିଙ୍କର କଥାକୁ ସମସ୍ତେ ସମ୍ମାନ ଦିଅନ୍ତି। ଆଜି ବି ପୁଅଟିଏ ବାପାଙ୍କର ପାଦ ଘସି ଦିଏ। ମା’ ଠାରୁ ରୋଷେଇବାସ, ଘରକରଣା ଝିଅଟିଏ ଶିଖେ। ଶାଶୁଙ୍କ ଠାରୁ ବୋହୂଟିଏ ଶାଶୁଘରର ଚଳଣି, ପର୍ବପର୍ବାଣି, ବନ୍ଧୁବାନ୍ଧବ, ଓଷାବାର ପୁନେଇପରବ, ବନ୍ଧୁଚର୍ଚ୍ଚା, ବ୍ରତଘର ବାହାଘରରେ ଦିଆଯାଉଥିବା ବେଭାର ଆଚାର, କୁଣିଆ ମଇତ୍ରଙ୍କ କଥାସବୁ ଶିଖେ। ଏ ସବୁ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ଶିକ୍ଷା (intergenerational learning) (ପିଢ଼ିଗତ ଶିକ୍ଷଣ/ପିଢ଼ିରୁ ପିଢ଼ିକୁ ଶିକ୍ଷା) ଏମିତି ଭାବରେ ଯାଏ। ହେଲେ ଆଜିର ସମାଜ ଟିକେ ଭିନ୍ନ। ପିଲା ପାଠ ପଢିଲେ ମା’ବାପା ଶାଶୁଶଶୁରଙ୍କ ଠାରୁ ଅଲଗା ରହିଲେ ଏ ସବୁ ଦୈନନ୍ଦିନ ଶିଖୁଥିବା ଆମ ଚଳଣି ସଂସ୍କାର ପରମ୍ପରା ଶିଖିବାର ସୁଯୋଗ ଆମେ ହାତଛଡା କରୁଛେ।
 ଓଡ଼ିଆ ଘରେ ବା ଓଡ଼ିଶାରେ ଗାଁମାନଙ୍କରେ ସମସ୍ତଙ୍କ ବାଡିବଗିଚାରେ ନଡ଼ିଆଗଛ, ତାଳଗଛ, ଖଜୁରୀଗଛ ଆଦି ଥାଏ। ନଡ଼ିଆ ବାହୁଙ୍ଗାରୁ କଞ୍ଚି/ପିଞ୍ଛ ବାହାର କରିବା, ପିଞ୍ଛରୁ ପହଁରା ବା ଝାଡୁ । ନଡ଼ିଆ କତାରୁ କୂଅଦଉଡ଼ି, ପାପୋଛ। ତାଳବରଡାରୁ ଆସନ, ଚଟେଇ, ପକ୍ଷିଆ, ବିଞ୍ଚଣା, ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ରଙ୍ଗବିରଙ୍ଗୀ ହାତବାଜା (Rattle) ଘର କାନ୍ଥରେ ବିଭିନ୍ନ ସଜାଇବା ଜିନିଷ ଆହୁରି କେତେକ’ଣ ସବୁ ଘରେ ତିଆରି ବା ବୁଣାହୁଏ। ଏ ସବୁ ଘରର ନାରୀମାନେ ଘରର ଯାବତୀୟ କାମ ସାରି ନିଜର ମୁକ୍ତ ବା ଅବସର ସମୟରେ ଏ ସବୁ କରନ୍ତି।
ଓଡ଼ିଆ ଘରେ ଉଲ୍ ସୁତା ଆଦିରେ ବିଭିନ୍ନ ବୁଣାବୁଣି, ପୁରୁଣା ଶାଢୀକୁ ଯୋଡିକନ୍ଥା ତିଆରି, କପଡାରେ ତକିଆଖୋଳ ଓ ତକିଆଖୋଳରେ ବିଭିନ୍ନ ରଙ୍ଗ ଦେଇ ଫୁଲ ଆଙ୍କିବା, ତକିଆଖୋଳରେ ଏମ୍ବରୋଡୋରୀ, ଉଲ୍’ରେ ବିଭିନ୍ନ ପ୍ରକାର ଫୁଲ ବୁଣିବା ଏ ସବୁ ପ୍ରାୟ ସମସ୍ତଙ୍କ ଘରେ ସ୍ତ୍ରୀଲୋକମାନେ ହସ୍ତକଳାରେ ତାଙ୍କ ନିପୁଣତାରେ ବହୁତ ଆଗରେ ଥିଲେ ତାହା ସହ ନିଜର ସମୟ ଜ୍ଞାନ ବୁଦ୍ଧି ପ୍ରୟୋଗ କରି ଅନେକ ଗୃହଉପକରଣ ତିଆରି କରୁଥିଲେ ଏ ସବୁ ଓଡ଼ିଆ ଘର ଚଳଣୀର ଏକ ପ୍ରଧାନ ଅଂଶ ଥିଲା।
ଦୁଃଖର ବିଷୟ ଏ ସବୁ ଶିଖିବା ପାଇଁ ଆଜି କାଲିର ଏ ପିଢିଙ୍କ ପାଇଁ ସମୟ କାହିଁ ? ନା ଅଛି ଯୌଥ ପରିବାର ? ନା ଅଛି ସମ୍ପର୍କ?
ହସ୍ତକଳା, ଘରକରଣା ଆଉ କେହି କାହାଠୁ ଶିଖିବା ପାଇଁ ନା ସମୟ ଅଛି ନା ଉତ୍ସାହ ଅଛି। ସବୁ ଇୟୁଟ୍ୟୁବ୍ ଉପଲବ୍ଧ।
ପ୍ରଧାନତଃ ନାରୀମାନଙ୍କ କଥା ପଡିଲେ ଆମ ଚଳଣିରେ ସେତେବେଳେ ସେମାନେ ଅଧିକ ପାଠ ନ ପଢିଥିଲେ ବି ଘର ଚଳାଇବାରେ ସିଦ୍ଧହସ୍ତ ଥିଲେ। ଏ ସବୁ ବି ସେମାନେ ନିଜର ପରପିଢ଼ିକୁ ଖୁବ୍ ସୁନ୍ଦର ଭାବରେ ଶିଖାଉ ଥିଲେ। ପିଲାବେଳେ ବୁଢିମା, ଆଈ ବିଞ୍ଚଣା, ଆସନ ଏ ସବୁ ଆମକୁ ବି ଶିଖାଉଥିଲେ। ସ୍କୁଲ୍ ଛୁଟିରେ ଅନେକ କଥା ଆମେ ଶିଖୁଥିଲୁ ସେମାନଙ୍କ ଠାରୁ।
ଏ ତ ଥିଲା ଗୃହୋପକରଣ ବନେଇବାର ଶିକ୍ଷା, ଓଡ଼ିଆଘର ଚଳଣି ଏକ ପିଢିରୁ ଅନ୍ୟ ପିଢିକୁ।
ଓଡ଼ିଆଘର ଚଳଣିରେ ପିଠାପଣା, ଆଚାର, ବଡି, ପାମ୍ପଡ, ପାନମସଲା, ମୁଖବାସ, ତରକାରିପତ୍ର ବି ମା’ ଜେଜେମା ବନାଇବା ବେଳେ ବୋହୂ ଭୁଆସୁଣୀ, ବଢନ୍ତି ଝିଅଝିଆରୀ ଭାଣିଜୀ ଏମାନଙ୍କୁ ଶିଖାଉ ଥିଲେ ଘରକରଣା ଏବଂ ଶିଖିବାର ଜିଜ୍ଞାସା ବି ଭରି ରହିଥିଲା ନୂଆ ପିଢିଙ୍କ ମନରେ। ଅନେକ ଉତ୍ସାହ ଥିଲା ଶିଖିବା ପାଇଁ।
ଓଡ଼ିଶା କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ ଯାହା ବିଲବାଡିରେ ଉତ୍ପାଦନ ହୁଏ ସେ ସବୁ ବି ବର୍ଷସାରା ବ୍ୟବହାର ପାଇଁ ସୁରକ୍ଷିତ ଭାବରେ ରଖାଯାଏ। ପିଆଜ ରସୁଣ ଏ ସବୁ ସୁନ୍ଦର ଭାବେ ବେଣୀରେ ଗୁନ୍ଥା ହୋଇ ରଖାହୁଏ। ଏ ସବୁ ବି ଏକ ସୁନ୍ଦର ହସ୍ତକଳା ।
ତାଳପତ୍ର, ନଡିଆପତ୍ର, ବାଉଁଶ ପାତରେ ଡାଲା, ଶେରମାଣ, ଗଉଣି ଏ ସବୁରେ ବି ଓଡ଼ିଆ ଘରଣୀମାନେ ସିଦ୍ଧହସ୍ତ ଥିଲେ।
ଏବେର ସମୟ ବି ପରିବର୍ତ୍ତିତ ପାଠପଢି ଉଚ୍ଚ ଶିକ୍ଷିତ ହେବା, ଦପ୍ତରରେ ଦିନ ନଅରୁ ସନ୍ଧ୍ୟା ଛଅ ଯାଏ କାମ କରିବା ପରେ ଏ ସବୁ ଶିଖିବାର ଉତ୍ସାହ କମିଗଲାଣି। ଯାହା ଅଳ୍ପ ସମୟ ମିଳୁଛି ସୋସିଆଲ୍ ମିଡିଆ, ମୋବାଇଲ୍ ଦେଖି ସମୟ ସରିଯାଉଛି।
ପ୍ରତି ଓଡ଼ିଆ ଘରେ ସନ୍ଧ୍ୟା ସମୟରେ ସମୁହ ପ୍ରାର୍ଥନା, ଭଗବାନଙ୍କ କଥା, ଭାଗବତ ପଢା ଏ ସବୁ ବି ଆଉ ଦେଖା ଯାଉନାହିଁ। ଆଗରୁ ଘରର ବୋହୂମାନେ ଘରେଥିବା ବୃଦ୍ଧ ଶାଶୁଶଶୁରଙ୍କୁ ଭାଗବତ, ଖୁଲଣାସୁନ୍ଦରୀ, କାର୍ତ୍ତିକ ମାହାତ୍ମ୍ୟ ଆଦି ପଢି ଶୁଣାଉଥିଲେ। ରାମାୟଣରୁ ତ୍ୟାଗର କଥା, ଭାଗବତରୁ ଭଗବାନଙ୍କ କଥା ଧର୍ମ, ନ୍ୟାୟ ଏ ସବୁ ଘରୁ ବା ଉପର ପିଢିରୁ ଶିଖିହେଉଥିଲା। ବୁଢିମା ଆଈଙ୍କଠୁ ମହାଭାରତର ବିଭିନ୍ନ ଚରିତ୍ର ବ୍ୟକ୍ତିତ୍ବଙ୍କ କଥା ଜାଣି ସେଥିରୁ ଅନେକ କଥା ଶିଖି ହେଉଥିଲା।
ଏବେ ଅନେକ କିଛି ଲୁପ୍ତ ବା ବିଲୁପ୍ତ ହେବାକୁ ବସିଲାଣି। ଆଜି ବି ଅନେକ ଘରେ ଭରି ରହିଛି ଆମ ଚଳଣି ସେ କଥାକୁ ଅଦେଖା କରିହେବ ନାହିଁ, କିନ୍ତୁ ଅନେକ ଜାଗାରେ ଏ ସବୁ ଲୁପ୍ତପ୍ରାୟ।
ସବୁକିଛି ପଇସା ଓ ବଜାରରେ ମିଳୁଛି ଏ କଥା ଭାବି ଆମେ ଯଦି ଆମର ଚଳଣିକୁ ଭୁଲିଯିବା, ପ୍ରତ୍ୟେକ ଘରର ହସ୍ତକଳା, ଉପର ପିଢ଼ିର ଶିକ୍ଷାକୁ ଭୁଲିଯିବା ତା ହେଲେ ଆମେ ଏ ଓଡ଼ିଆ ଘରର ଚଳଣି ବୋଲି ସଗର୍ବେ କହିବା ପାଇଁ ଆମପାଖରେ କ’ଣ ବା ଥିବ?
ଏ ତ ଭାବିବାର ବେଳ।
ସଗର୍ବେ କହିବା ଆମେ ଓଡ଼ିଆ, ଆମ ଚଳଣି ଆମର ଗର୍ବ।
ଫଟୋ: ନଡିଆପତ୍ର ଚଟେଇ, କାଇଁଚ ଡାଲା, ପାନମସଲା (ମୁଖବାସ) ବଡି, ମୁଗନାଡିବଡି, ପିଆଜବେଣୀ, ତାଳପତ୍ରଡାଲା
ଆମରି କଥା ଆମର ଗର୍ବ ଓଡ଼ିଆ ନାରୀ Ama Chalani Dr. Jayashree Nanda
Spread the love

Leave a Reply

Your email address will not be published. Required fields are marked *