ବାଡି଼ଡିଆଁ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଓଡ଼ିଶାର ନିଆରା ବାଡି଼ଡିଆଁ ଵା ବାଡି଼ ଡେଗେନ୍ ଖେଳ ~
ବାଡି଼ଡିଆଁ ଖେଳ ଓଡ଼ିଶାର ଏକ ପାରମ୍ପାରିକ ମୁକ୍ତପ୍ରାଙ୍ଗଣର କ୍ରୀଡ଼ା। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବାଡି଼ଡିଆଁ ଖେଳକୁ ବାଡ଼ିଡେଗେନ୍ କୁହାଯାଉଥିଵା ବେଳେ ନୂଆପଡ଼ା ଜିଲ୍ଲାରେ ଏ ଖେଳକୁ ବାଡି଼ଡେଙ୍ଗାନୀ କୁହାଯାଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌ ତେବେ ଢେଙ୍କାନାଳରେ ଏହି ଖେଳକୁ ବାଡି଼ଡିଆଁ କୁହାଯାଏ ।
ସାଧାରଣତଃ ଏହି ଖେଳଟି ପିଲାମାନଙ୍କର ଖେଳ ଏଵଂ ପାଞ୍ଚ ଵର୍ଷରୁ ଆରମ୍ଭ କରି ତେର ଚଉଦ ଵର୍ଷ ଵୟସ ପର୍ଯ୍ୟନ୍ତ ଉଭୟ ପୁଅପିଲା ଓ ଝିଅପିଲା ବାଡି଼ଡିଆଁ, ବାଡି଼ଡେଗେନ୍ ଵା ବାଡି଼ ଡେଙ୍ଗାନୀ ଖେଳରେ ଅଂଶଗ୍ରହଣ କରିଥାନ୍ତି । ଏହି ଖେଳ ଗାଁ ଦାଣ୍ଡ ଓ ପଡି଼ଆ ଆଦିରେ ଖେଳାଯାଏ ।
ଏହି ଖେଳରେ ଖେଳାଳୀ ସଂଖ୍ୟାରେ କୌଣସି ନିର୍ଦ୍ଧିଷ୍ଟତା ନଥାଏ ଏଵଂ ଅତିକମରେ ପାଞ୍ଚ ଛଜଣ ଖେଳାଳି ନେହେଲେ ଖେଳରେ ମଜା ଆସେନାହିଁ । ଏହି ଖେଳରେ ଖେଳାଳୀମାନେ କ୍ରୀଡ଼ା ଉପକରଣ ଭାବରେ ପ୍ରତ୍ୟେକେ ଗୋଟିଏ ଗୋଟିଏ ବାଡ଼ି ଵ୍ୟଵହାର କରିଥାନ୍ତି। ଫଳତଃ ଏହାର ନାମ ବାଡ଼ିଡିଆଁ, ବାଡ଼ି ଡେଗେନ୍ ଵା ବାଡି଼ ଡେଙ୍ଗାନୀ ହୋଇଅଛି । ବାଡ଼ି ଶବ୍ଦ ସହ ଡିଆଁ, ଡେଗେନ୍ ତଥା ଡେଙ୍ଗାନୀ ଶବ୍ଦ ଯୁକ୍ତ କରାଯାଇ ଏହି ଖେଳର ନାମ ବାଡି଼ଡିଆଁ, ବାଡି଼ଡେଗେନ୍ ଓ ବାଡି଼ଡେଙ୍ଗାନୀ ରଖାଯାଇଛି ।
ବାଡ଼ି ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଛୋଟ ବଗିଚା, କ୍ଷେତ, କିଆରି, ଗୃହସଂଲଗ୍ନ ଭୂମି, ଗୃହର ପଛପଟରେ ଥିଵା ଗୃହସଂଲଗ୍ନ ଭୂମି ଆଦି ଅର୍ଥରେ ଵ୍ୟଵହୃତ ବାଡି଼ ଵା ବାରି ଶବ୍ଦଟି ତତ୍ସମ ଵାଟିକା ସହିତ ସମୋଦ୍ଧୃତ । ହଇଜା ଵା ଓଲାଉଠାକୁ ଆମ ଭାଷାରେ ବାଡ଼ି କୁହାଯାଉଥିଲା ବୋଧହୁଏ ପୂର୍ଵକାଳରେ ଲୋକେ ବାରିଆଡୁ଼ ଝାଡା଼ ଫେରିଵାପରେ ଏ ରୋଗ ଧରୁଥିଵାରୁ ଏଭଳି ନାମକରଣ ହୋଇଥିଲା । ଏହିପରି ବାଡ଼ି ଶବ୍ଦ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ ।
ମାତ୍ର ଯଷ୍ଟି ଅର୍ଥରେ ଵ୍ୟଵହୃତ ବାଡ଼ି ଶବ୍ଦଟି ତତ୍ସମ “ବାଟ” ଶବ୍ଦ ସହ ସମ୍ବନ୍ଧିତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ତତ୍ସମ ବାଟ ଶବ୍ଦର ଏକ ଅର୍ଥ ବାଡ଼,ଵେଷ୍ଟନ । ଓଡ଼ିଆ ଭାଷାରେ ମଧ୍ୟ ବାଡ଼ ଶବ୍ଦଟି ଵିଶେଷ ଭାବେ ଏହି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯାହା ବାଡ଼ରେ ଵ୍ୟଵହାର କରାଯାଇ ପାରେ ତାକୁ ବାଡ଼ି କୁହାଯାଇଥିଵା ସମ୍ଭଵ ।
ସେହିପରି ଓଡ଼ିଆ ଭାଷାର ଡେଗିଵା, ଡେଙ୍ଗିଵା, ଡେଇଁଵା ଆଦି ଦେଶଜ କ୍ରିୟା ସାଧାରଣତଃ ଲମ୍ଫପ୍ରଦାନ କରିଵା,କୁଦିଵା ଅର୍ଥରେ ଵ୍ୟଵହାର ହୋଇଥାଏ । ଖେଳାଳିମାନେ ନିଜ ନିଜର ବାଡ଼ିକୁ କିଛି ଦୂର ଏକ ସିଧାରେ ରଖି ଦୂରରୁ ଦୌଡ଼ି ଆସି ନିଜ ବାଡ଼ି ଉପରେ ପାଦ ପକାଇ ଡେଉଁଥିଵାରୁ ଏହି ଖେଳର ନାମ ବାଡି଼ଡିଆଁ, ବାଡି଼ଡେଗେନ୍ ଓ ବାଡି଼ ଡେଙ୍ଗାନୀ ଆଦି ହୋଇଅଛି ।
ଏ ବାଡି଼ଡିଆଁ ଖେଳର ନିୟମ ସହଜ ହେଲେହେଁ ସ୍ଥଳଵିଶେଷରେ ସାମାନ୍ୟ ଭିନ୍ନ ଭିନ୍ନ ହୋଇଥାଏ । ପ୍ରଥମେ ସରିଗାରଟିଏ ଟାଣି ତାହାଠୁ ପଚାଶ ଷାଠିଏ ଫୁଟ ଦୂରତାରେ ଆଉ ଗୋଟିଏ ଗାର ‘‘ପାଟ୍ ଗାର’’ ଵା ମୁଖ୍ୟ ଗାର ଟାଣିଥାନ୍ତି, ତେବେ, ଏହି ଦୂରତା ଖେଳାଳୀଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ । ଜଣେ ଖେଳାଳୀ ସରିଗାର ଉପରେ ଠିଆ ହୋଇ ପାଟ୍ ଗାର ଅଡକୁ ପଛ କରି ସମସ୍ତଙ୍କ ବାଡ଼ିକୁ ଫିଙ୍ଗିଥାଏ । ବାଡ଼ି ଗୁଡ଼ିକ ଯେଉଁ କ୍ରମାନ୍ଵୟରେ ପଡ଼େ ସେହି କ୍ରମାନ୍ଵୟରେ ସରିଗାରକୁ ଲାଗି ଗୋଟିଏ ପରେ ଗୋଟିଏ ବାଡ଼ି ସଜେଇ ରଖାଯାଏ। ଯାହାର ବାଡ଼ି ସବା ଆଗରେ ଥାଏ ସିଏ ପ୍ରଥମେ ଡେଇଁଥାଏ । ଖେଳାଳୀଙ୍କୁ ନିଜ ବାଡ଼ିକୁ ପାଦ ସ୍ପର୍ଶ କରି ଡେଇଁଵାକୁ ହୁଏ, ଯିଏ ଯେତେଦୂର ଡେଇଁଥାନ୍ତି ତାଙ୍କ ବାଡ଼ି ସେଇଠି ରଖାଯାଏ । ଖେଳାଳୀ ଯଦି ଡେଇଁଲା ବେଳେ ନିଜ ବାଡ଼ିକୁ ପାଦରେ ମାଡ଼ିପାରନ୍ତି ନାହିଁ ତେବେ ତାଙ୍କ ବାଡ଼ି ସବା ପଛକୁ ଚାଲିଯାଏ । ଏହିପରି ସମସ୍ତ ଖେଳାଳୀ ଡେଇଁ ଡେଇଁ ନିଜ ବାଡ଼ିକୁ ‘ପାଟଗାର’ ପାରି କରାଇଥାନ୍ତି । ଶେଷରେ କେଉଁ ଖେଳାଳୀଙ୍କ ବାଡ଼ି ରହିଯାଏ ସେହି ଖେଳାଳୀ ‘ମାଇ’ ହୁଏ । ‘ମାଇ’ ଖେଳାଳୀର ବାଡ଼ିକୁ ଅନ୍ୟ ଖେଳାଳୀମାନେ ସରିଗାରଠାରୁ ନିଜ ନିଜ ବାଡ଼ିରେ ଖସେଇ ଖସେଇ ଦୂରକୁ ନେଇଥାନ୍ତି। ଏହି ସମୟରେ ‘ମାଇ’ ଯଦି ବାଡ଼ି ଖସେଇ ନେଉଥିଵା କୌଣସି ଖେଳାଳୀଙ୍କୁ ଛୁଇଁଦିଏ ତେବେ ସେ ମରିଯାଏ । ସେହି ଖେଳାଳୀଜଣକ ଆଉ ଗତି ଅନାଇ ପାରେ ନାହିଁ । ଶେଷରେ ‘ମାଇ’ର ବାଡ଼ି ଯେତେଦୂର ଯାଏ ସେଇଠୁ ଗୋଟିଏ ଗୋଡ଼ରେ ପାଟଗାର ଯାଏଁ ଦୌଡ଼ି ଦୌଡ଼ି ବାଡ଼ି ଆଣିଥାଏ । ଏହିପରି ଏହି ଖେଳ ଘଣ୍ଟାଏରୁ ଦୁଇଘଣ୍ଟା ଯାଏଁ ଖେଳାଯାଇଥାଏ ।
ବାଡି଼ଡିଆଁ ଖେଳରେ ଵ୍ୟଵହୃତ ବାଡ଼ି ସିଧା ହେଵା ଆଵଶ୍ୟକ ବୋଲି କେତେକ ଅଞ୍ଚଳରେ ପିଲାଏ ଵୈଦୈଶିକ ଅମରି ଗଛର ଶାଖା ଵ୍ୟଵହାର କରିଥାନ୍ତି । ଜଙ୍ଗଲିଆ ଅଞ୍ଚଳରେ ଅଵଶ୍ୟ ସଳଖ ବାଡ଼ି ମିଳିଵାରେ କୌଣସି ଅସୁଵିଧା ହୋଇନଥାଏ ।
ନବେ ଦଶକ ଯାଏଁ ଏ ବାଡି଼ଡିଆଁ ଖେଳ ଓଡ଼ିଶାରେ ଵିଶେଷତଃ ଗଡ଼ଜାତ ଅଞ୍ଚଳରେ ଵିଶେଷ ଭାବରେ ଖେଳାଯାଉଥିଲା । ଆଧୁନିକ ଯୁଗରେ ଓଡ଼ିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ଓ ଵିଡି଼ଓ ଗେମ୍ସ ଆଦିର ପ୍ରଚଳନ ବଢି଼ଵା ଯୋଗୁଁ ଅଧୁନା ଏ ଖେଳକୁ ପିଲାଏ ଆଉ ସେତେ ଖେଳୁନାହାନ୍ତି ।
ତଥ୍ୟ ଆଧାର:
୧. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ଗୋପାଳଚନ୍ଦ୍ର ପ୍ରହରାଜ)
୨. କଥିତ ଓଡ଼ିଆ ଶବ୍ଦକୋଷ (ଓଡ଼ିଆ ଭାଷା ପ୍ରତିଷ୍ଠାନ)
ଚିତ୍ର ଓ ଖେଳର ନିୟମ ସମ୍ବନ୍ଧୀୟ ତଥ୍ୟ
୩. ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡ଼ା (ସଞ୍ଜୟ କୁମାର ବାଗ)

Leave a Comment

Your email address will not be published. Required fields are marked *

Scroll to Top