ବରାହ ଲକ୍ଷ୍ମୀ ନୃସିଂହନାଥ

ଲେଖା: ଅମ୍ବିକା ପଟ୍ଟନାୟକ

“ତୋର ଗର୍ଭୁ ଜାତ ହେଲା ମାତ୍ରେ ସୁତ
ମୋର ଇନ୍ଦ୍ର ପଦ ଲୋଡ଼ିବ l
ଆଝୁଂ ପେଟ ଚିରି ପକାଇଲେ ମାରି,
ଇନ୍ଦ୍ର ପଦୁଁ କିଏ ତଡି଼ବ l “

ସତ୍ୟଯୁଗ, ଯଜ୍ଞବରାହ ହିରଣ୍ୟାକ୍ଷ ବଧ କରି ଭୂଦେବୀଙ୍କୁ ଉଦ୍ଧାର କରିଛନ୍ତି l ସାନଭାଇ ହିରଣ୍ୟ କଶ୍ୟପ ବରପ୍ରାପ୍ତି ନିମିତ୍ତ ତପସ୍ୟା ରତ l ଗର୍ଭବତୀ କୟାଧୁଙ୍କୁ ଇନ୍ଦ୍ର ବଧ କରିବା ପାଇଁ ନେଲାବେଳେ ଦେବର୍ଷି ନାରଦ କୟାଧୁଙ୍କୁ ଉଦ୍ଧାର କରି ନେଇଗଲେ ନିଜ ଆଶ୍ରମ l ସେ ପଵିତ୍ର ପରିବେଶରେ ଜନ୍ମହେଲେ ମହାନ ବିଷ୍ଣୁଭକ୍ତ ପ୍ରହ୍ଲାଦ ମହାରାଜ l
 
ନିଜ ଚରମ ଶତ୍ରୁଙ୍କ ପରମଭକ୍ତଙ୍କୁ ମାରିବା ପାଇଁ ହିରଣ୍ୟ କଶ୍ୟପ ଅନେକ ଚେଷ୍ଟା କରିଛି, ତୀବ୍ର ହଳାହଳ, ସର୍ପ, ଅଗ୍ନି ପ୍ରବେଶ, ସବୁବେଳେ ଶ୍ରୀହରି ଭକ୍ତ ପ୍ରହଲ୍ଲାଦଙ୍କୁ ରକ୍ଷା କରିଛନ୍ତି l ଥରେ ପର୍ବତ ଉପରୁ ପ୍ରହଲ୍ଲାଦଙ୍କୁ ତଳକୁ ନିକ୍ଷେପ କରାଗଲା l ପ୍ରଭୁ ବଞ୍ଚାଇ ଦେଲେ l ଲୋକ ବିଶ୍ୱାସରେ ଏ ସେଇ ପର୍ବତ ସିଂହାଚଳମ୍, ସିଂହଗିରି, ସିଂହାଦ୍ରି l ପ୍ରାୟ ଆଠଶ ଫୁଟ ଉଚ୍ଚ ଏଇ ପର୍ବତ, ବିଶାଖାପାଟଣାରୁ କୋଡିଏ କିଲୋମିଟର ଦୂର l


ହିରଣ୍ୟ କଶ୍ୟପ ବଧ ପରେ ଶ୍ରୀ ନୃସିଂହନାଥ ପ୍ରହ୍ଲାଦଙ୍କୁ ବର ଯାଚିଲେ l ପ୍ରହ୍ଲାଦ କହିଲେ “ପ୍ରଭୁ ଆପଣ ନିଜ ଦୁଇ ରୂପ ବରାହ ଓ ନରସିଂହ ଅବତାରରେ ଏଇଠି ଅନୁଗ୍ରହ କରନ୍ତୁ l” ଶ୍ରୀ ନରସିଂହ ସମ୍ମତ ହେଲେ l ପ୍ରହ୍ଲାଦ ସେଇଠି ଏକ ମନ୍ଦିର କଲେ l କାଳକ୍ରମେ ସେ ମନ୍ଦିର କ୍ଷୟପ୍ରାପ୍ତ ହୋଇ ବିଗ୍ରହ ଉଇହୁଙ୍କା ହୋଇଗଲେ l ପୁରୁରବା ପୁଣି ନିର୍ମାଣ କଲେ l
  
ବରାହ ଲକ୍ଷ୍ମୀ ନୃସିଂହନାଥ ନାମରେ ଖ୍ୟାତ ଏ ମନ୍ଦିର ଆନ୍ଧ୍ର ଓ ଓଡିଶାରେ ଅତ୍ୟନ୍ତ ଭକ୍ତିର ପାତ୍ର l ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ ପରମ ପଵିତ୍ର ତୀର୍ଥସ୍ଥଳ l ସୀମାଞ୍ଚଳ ଓ ସିମାଦ୍ରୀ ଦକ୍ଷିଣ ଓଡ଼ିଶାର ଅନ୍ୟତମ ବହୁ ପ୍ରଚଳିତ ନାମ l
   
ଶକ୍ତ ପ୍ରାଚୀର ଘେରା ଏଇ ବରାହ ଲକ୍ଷ୍ମୀ ନୃସିଂହନାଥ ମନ୍ଦିର କାନ୍ଥରେ ଶହ ଶହ ଶିଳାଲିପି ଅଛି ଯାହା ମନ୍ଦିର ନିର୍ମାଣ, ରୀତିନୀତି, ଦାନ ଉପରେ ଆଲୋକପାତ କରେ l


ସର୍ବପ୍ରାଚୀନ ଶିଳାଲିପି ଅନୁସାରେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଗଙ୍ଗରାଜା ବଜ୍ରହସ୍ତ ଦେବ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରିଥିଲେ l ତ୍ରୟୋଦଶ ଶତାବ୍ଦୀ ପ୍ରସିଦ୍ଧ ଗଙ୍ଗବଂଶୀ ନରସିଂହ ଦେବ ପ୍ରଥମ ବର୍ତ୍ତମାନର ଏହି ମନ୍ଦିରର ନବନିର୍ମାଣ କରେଇ ଥିଲେ l ମନ୍ଦିର ମଧ୍ୟସ୍ଥ ଏକ ମଣ୍ଡପରେ ଲକ୍ଷ୍ୟ କରିହେବ ପୁରାତନ ମାଙ୍କଡ଼ା ପଥର ଭିତ୍ତି ଉପରେ ନୂଆ ମୁଗୁନି ପଥର ସ୍ଥାପତ୍ୟ l
 
ପ୍ରାୟ ବାବନ ଗୋଟି ଓଡ଼ିଆ ଶିଳାଲିପି ମନ୍ଦିରରେ ପରିଦୃଷ୍ଟ l ବିଶେଷ ଭାବେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର, ପୁରୁଷୋତ୍ତମପ୍ରତାପରୁଦ୍ରଙ୍କ ନାଁ ଉତ୍କୀର୍ଣ, ଅନ୍ୟ ରାଜବଂଶ ଯଥା ଶିଳା ଓଡାଡି ପ୍ରଭୃତି ଅଛି l ମୁଁ ଦେଖିଥିବା ଏକ ଶିଳାଲିପି ‘ଗଜପତି ସୁବର୍ଣ୍ଣ କେଶର ଦେବ’,  ଶକାବ୍ଦ ଦେଖିଲେ ସମ୍ଭବତଃ ଗୋବିନ୍ଦ ବିଦ୍ୟାଧରଙ୍କ ସମୟ l
  
ତେବେ ସବୁଠାରୁ କୌତୁହଳ ପୂର୍ଣ୍ଣ ପ୍ରଭୁଙ୍କ ଶ୍ରୀବିଗ୍ରହ l ପ୍ରାୟ ଚାରି ଫୁଟ ଉଚ୍ଚ, ସିନ୍ଦୁର ଓ ଚନ୍ଦନରେ ଆଚ୍ଛାଦିତ l ବର୍ଷ ତମାମ ସ୍ତମ୍ଭାକାର ବା ଲିଙ୍ଗାକାର ବିଗ୍ରହ “ନିତ୍ୟରୂପ“ରେ ପୂଜା ପାଆନ୍ତି l କେବଳ ଅକ୍ଷୟ ତୃତୀୟା ଦିନ ଶ୍ରୀବିଗ୍ରହଙ୍କ ଚନ୍ଦନ ଲେପ ବାହାର କରି “ନିଜରୂପ“ଙ୍କ ଦର୍ଶନ ହୁଏ ସକାଳ ଚାରିଟାରୁ ସନ୍ଧ୍ୟା ଚାରିଟା l ପ୍ରାୟ ଅଢେଇ ଫୁଟ ଉଚ୍ଚ ବିଗ୍ରହ, ପାଦ ଭିତରେ, ବରାହ ମୁଖ, ସିଂହ ପରି ଲାଞ୍ଜ ଏବଂ ମନୁଷ୍ୟ ଅବୟବ l (ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ଅକ୍ଷୟ ତୃତୀୟାରୁ ଚନ୍ଦନଯାତ୍ରା ଆରମ୍ଭ ହୁଏ, ଉଭୟ କ୍ଷେତ୍ର ଶ୍ରୀରାମାନୁଜଙ୍କ ଶୋଧିତ ନାରଦୀୟ ପଞ୍ଚରାତ୍ର ବ୍ୟବସ୍ଥାରେ ପରିଚାଳିତ l)


ବରାହ ଲକ୍ଷ୍ମୀ ନୃସିଂହନାଥ ମନ୍ଦିର ପାର୍ଶ୍ୱଦେଶରେ ସ୍ଥାନିତ ଶ୍ରୀ ନରସିଂହ ବିଗ୍ରହ ଓ ଶ୍ରୀ ବରାହ ବିଗ୍ରହ ଗଙ୍ଗବଂଶୀ ସ୍ଥାପତ୍ୟର ପ୍ରମାଣ ଦିଏ l ମନେ ପଡ଼ିଯାଏ ଶ୍ରୀ ଜଗନ୍ନାଥ ମନ୍ଦିର ପଶ୍ଚିମ ପାର୍ଶ୍ୱସ୍ଥ ଶ୍ରୀ ନରସିଂହ ସ୍ୱାମୀ l
 
କଳିଙ୍ଗ ଶୈଳୀରେ ନିର୍ମିତ ଏହି ବରାହ ଲକ୍ଷ୍ମୀ ନୃସିଂହନାଥ ମନ୍ଦିର ପରିବେଶ ଅତ୍ୟନ୍ତ ସୁନ୍ଦର l ମହା ପଵିତ୍ରକ୍ଷେତ୍ର l ବଲାଙ୍ଗୀରସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିରରେ ମଧ୍ୟ ପାରମ୍ପରିକ ନୃସିଂହ ବିଗ୍ରହ ନାହାନ୍ତି l ପ୍ରଭୁ ସେଇଠି ମାର୍ଜାର କେଶରୀ, ମୂଷିକାସୁରକୁ ଜଗି ରହିଛନ୍ତି l

ଚିତ୍ର ସମୂହ ବିଭିନ୍ନ ସାମାଜିକ ମାଧ୍ୟମରୁ ସଂଗୃହିତ l 

Leave a Comment

Your email address will not be published. Required fields are marked *

Scroll to Top