ପ୍ଲାଷ୍ଟିକ

ଲେଖା: ଶିଶିର ସାହୁ ମନୋଜ

ପୃଥିଵୀର ଯେକୌଣସି ଭାଷାରେ ଏମିତି କୌଣସି ଶବ୍ଦ ନାହିଁ ଯାହାର ପ୍ରତିଶବ୍ଦ ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା, ଆମର ସ୍ଵାଭାଵିକ ରାଷ୍ଟ୍ରଭାଷା ସଂସ୍କୃତରେ ସୃଷ୍ଟି ହୋଇପାରୁନଥିଵ । ଵିଶ୍ଵରେ ଭାଷା ସମୃଦ୍ଧି ଆମ ଭଳିଆ ଆଉ କାହାର ହୋଇନାହିଁ ।ତେଵେ ଆମପାଖରେ କ’ଣ ପ୍ଲାଷ୍ଟିକ ଭଳି ଆଧୁନିକ କୃତ୍ରିମ ଦ୍ରଵ୍ଯର ପ୍ରତିଶବ୍ଦ ଭାଵେ କିଛି ଭାରତୀୟ ଶବ୍ଦ ରହିଛି କି ?

ହଁ ନିଶ୍ଚୟ ରହିଛି !!!

ଆମ ରାୟଗଡା଼ର କଥିତ ଓଡ଼ିଆ ଶୈଳୀରେ ପ୍ଲାଷ୍ଟିକ ଶବ୍ଦର ପ୍ରତିଶବ୍ଦ ଭାଵେ ‛ଅଭର’ ଶବ୍ଦ ଵ୍ୟଵହାର ହୋଇଥାଏ ! ଏ ଶବ୍ଦର ଉଲ୍ଲେଖ ଆମେ ଓଡ଼ିଆ ଭାଷା ପ୍ରତିଷ୍ଠାନର କଥିତ ଓଡ଼ିଆ ଶବ୍ଦକୋଷରେ ପାଇଥାଆନ୍ତି । ପ୍ଲାଷ୍ଟିକ ଶବ୍ଦର ଅନ୍ୟ ଓଡ଼ିଆ କଥିତ ଶୈଳୀରେ ମଧ୍ୟ ଆହୁରି ଅନେକ ପ୍ରତିଶବ୍ଦ ଥାଇପାରେ ।

ତେଵେ ପ୍ଲାଷ୍ଟିକ ପାଇଁ କେତେକ ଶାସ୍ତ୍ରୀୟ ଭାରତୀୟ ମାନକ ଶବ୍ଦ ମଧ୍ୟ ରହିଛି, ଯେପରି କି
● ନମ୍ୟ
● ଅଭିଗଟ୍ୟ
● ଶିଥିଳ
● କୃତକ
● କଳ୍ପକ
● ସୁଘଟ୍ଯ
● ଆକାରଦ
● ସୁଖନମ୍ଯ

ସେଇଭଳି ତାମିଳରେ ଦୁଇଗୋଟି ଶବ୍ଦ ପ୍ଲାଷ୍ଟିକ ପାଇଁ ଵ୍ଯଵହାର କରାଯାଏ,
■ କୁଳୈ଼ମ
■ ନେଳିମ୍

ଏ ଶବ୍ଦଟି ଲାଟିନ ଭାଷାର plasticus (“of molding”) ଶବ୍ଦରୁ ଆସିଅଛି ଏଵଂ ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ୍ ଭାଷାର πλαστικός (plastikós) ଓ λάσσειν (plássein, “to mold, form”) ଆଦି ଶବ୍ଦ  ସହିତ ସମଦ୍ଧୃତ । ପ୍ଲାଷ୍ଟିକ ପଦାର୍ଥକୁ ସହଜରେ ଯେକୌଣସି ଆକାର ଦିଆଯାଇପାରେ ବୋଲି ସଂସ୍କୃତରେ ଏହାର ଗୁଣଵାଚକ ଅର୍ଥ ଆଧାରରେ ଆକାରଦ ଶବ୍ଦ ଵ୍ଯଵହାର ହୁଏ ପୁଣି ଏ ଵସ୍ତୁ ନମନୀୟ ତେଣୁ ଏହାର ‛ନମ୍ଯ’ ନାମ ରଖାଯାଇଛି । ପ୍ଲାଷ୍ଟିକ ରଵର ଭଳି ଏକ ଲତପତିଆ ପଦାର୍ଥ ତେଣୁ ଓଡ଼ିଆ ଭାଷାରେ ଲୋତରା, ଲତରା ଓ ଲୁତୁରା ଆଦି ଶବ୍ଦ ପ୍ଲାଷ୍ଟିକର ପ୍ରତିଶବ୍ଦ ଭାଵରେ ଵ୍ଯଵହୃତ ହୋଇପାରେ । ନମ୍ୟ, ଲୋତରା, ଲତପତ, ନତନତିଆ ଆଦି ଶବ୍ଦଗୁଡ଼ିକ ସମଦ୍ଧୃତ ଏଵଂ ଏ ସବୁ ଶବ୍ଦର ମୂଳ ଧାତୁ ହେଉଛି ନତ୍ ଧାତୁ । ଯେଉଁ ଵସ୍ତୁ ସାମାନ୍ୟ ବଳପ୍ରୟୋଗରେ ନଇଁଯାଏ,ଯେଉଁ ଦ୍ରଵ୍ଯ ଧାତୁଦ୍ଵ୍ଯ ଅପେକ୍ଷା କୋମଳ ତାହାକୁ ଲୋତରା, ଲତରା ଵା ଲୁତୁରା କୁହାଯାଏ । ତେଣୁ ଯେଉଁ ଭଳି ଭାଵେ ସଂସ୍କୃତରେ ନମ୍ଯ ଶବ୍ଦଟି ପ୍ଲାଷ୍ଟିକର ଗୁଣଧର୍ମ ଆଧାରରେ ଏହାର ପ୍ରତିଶବ୍ଦ ହୋଇଅଛି ସେହି ଧାରାରେ ଆମ ଲୋତରା/ଲତରା ଶବ୍ଦଟି ମଧ୍ୟ ପ୍ଲାଷ୍ଟିକର ଏକ ପ୍ରତିଶବ୍ଦ ହେଵାକୁ ଉପଯୁକ୍ତ । 

ପୃଥିଵୀର ଅଧିକାଂଶ ଭାଷାରେ ପ୍ଲାଷ୍ଟିକ ଶବ୍ଦଟି ସାମାନ୍ୟ ଆଞ୍ଚଳିକ ଭିନ୍ନତା ସହ ଚଳୁଅଛି ତେଵେ କେତେକ ଭାଷାରେ ଏହାର ମୌଳିକ ପ୍ରତିଶବ୍ଦ ମଧ୍ୟ ପ୍ରଚଳିତ । ଯଥା:
● ଫିନିଶ୍―muovi
● ଜର୍ମାନ―Kunststoff
● ହଙ୍ଗେରୀୟ―műanyag
● ମାଣ୍ଡାରୀନ୍―塑料(sùliào)
● ହମଙ୍ଗ୍―yas
● ଭିଏତନାମୀ―Nhựa
● ହଉସା―roba
● ସୋମାଲୀ―caag
● ୟରୁବା―ṣiṣu
● ମାଉରୀ―kirihou

plastic surgeryରେ ପ୍ଲାଷ୍ଟିକ ଶବ୍ଦ ଵ୍ଯଵହାର ହୋଇଛି ତେଵେ ଏହି ଚିକିତ୍ସା ପଦ୍ଧତିକୁ “ସୁରୂପ ଚିକିତ୍ସା” ଓ “ସୁନମ୍ଯଶସ୍ତ୍ର ଚିକିତ୍ସା” କୁହାଯାଇଥାଏ । ସେହିପରି Plastic bag ପାଇଁ  ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି କଳ୍ପକସ୍ଯୂତ ।

ଆପଣଙ୍କ ଅଞ୍ଚଳରେ ପ୍ଲାଷ୍ଟିକ ପାଇଁ କୌଣସି ମୌଳିକ ଓଡ଼ିଆ ପ୍ରତିଶବ୍ଦ ଚଳୁଅଛି କି ? ପ୍ଲାଷ୍ଟିକର କୌଣସି ଭାରତୀୟ ପ୍ରତିଶବ୍ଦ ଜାଣିଥିଲେ ନିଶ୍ଚୟ ଜଣେଇଵାକୁ ଅନୁରୋଧ !!!

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top