ପ୍ରଭରକ

ଲେଖା: ଶିଶିର ସାହୁ ମନୋଜ

ଏକଵିଂଶ ଶତାବ୍ଦୀକୁ ‛ଚଳଭାଷ ଯୁଗ’ (Mobile) କହିଲେ ଅତ୍ଯୁକ୍ତି ହେଵ ନାହିଁ । ଗତ ପନ୍ଦର ଵର୍ଷ ମଧ୍ୟରେ ଏହାର ଵ୍ଯଵହାର ଅନେକ ଗୁଣ ବୃଦ୍ଧି ପାଇଛି । ଚଳଭାଷ ଯନ୍ତ୍ରର ଅନେକ ସହ-ଉପକରଣ ଥାଏ । ଯେପରିକି, Earphone, Bluetooth, Charger, Dongle ଇତ୍ୟାଦି, ତେଵେ ଚଳଭାଷ ପାଇଁ ସବୁଠାରୁ ଅଧିକ ଆଵଶ୍ୟକତା ପଡ଼ିଥାଏ charger ଟିଏ । ଚାର୍ଜର ହେଉଛି ମୋବାଇଲକୁ ଶକ୍ତି ଯୋଗାଉଥିଵା ଯନ୍ତ୍ର । ଏହା ଉତ୍ତରୋତ୍ତର ଵିକଶିତ ହୋଇଛି ଏହାକୁ କୌଣସି ଜଣେ ଵ୍ଯକ୍ତି ଉଦ୍ଭାଵନ କରିନାହାନ୍ତି ।

ତେଵେ ଓଡ଼ିଆ ଭାଷାରେ ଆମେ ବେଟେରୀ ଚାର୍ଜର ଓ ବେଟେରୀ ଚାର୍ଜିଙ୍ଗ୍ କୁ କ’ଣ କହିଵା ?

ଓଡ଼ିଆ ଭାଷାରେ Batteryକୁ ଵିଦ୍ଯୁତକୋଷ କୁହାଯାଇଥାଏ ସେଇଭଳି ‛Battery charging’ ପାଇଁ ଏକ ଶାସ୍ତ୍ରୀୟ ଶବ୍ଦ ଗଢା଼ଯାଇଛି ତାହା ହେଲା ‛ପ୍ରଭରଣ’ ।

‛ଭରଣ’ ଶବ୍ଦରେ ‛ପ୍ର’ ଉପସର୍ଗ ଯୋଡି଼ ଶବ୍ଦଟି ସୃଷ୍ଟି ହୋଇଛି । ‛ଭୃ ଧାତୁ’ ସହ ଭାଵାର୍ଥେ ‛ଅନ’ ପ୍ରତ୍ୟୟ ଯୁକ୍ତ ହୋଇ ଭରଣ ଶବ୍ଦ ହୋଇଅଛି । ଭୃ ଧାତୁର ଅନେକ ଅର୍ଥ ମଧ୍ୟରେ ଗୋଟିଏ ହେଲା ପୂରଣ କରିଵା । ଭରଣ ଶବ୍ଦଟି ଏହି ଅର୍ଥକୁ ପ୍ରକାଶ କରିଥାଏ । ଭର, ଭରଣା, ଭରଣପୋଷଣ ଆଦି ଶବ୍ଦଗୁଡ଼ିକର ଅର୍ଥ ମଧ୍ୟରେ ବି  ପୂରଣ କରିଵାର ଭାଵ ଲୁଚି ରହିଛି ।

ତାହେଲେ ‛Battery charger’କୁ କ’ଣ କୁହାଯିଵ ? ଆମେ ସେଇ ଭୃ ଧାତୁକୁ କର୍ତ୍ତାର୍ଥେ ‛ଅକ’ ପ୍ରତ୍ଯୟ ସହ ଯୋଡି଼ ‛ପ୍ରଭରକ’ ଶବ୍ଦ ଗଢି଼ପାରିଵା କି ?

ହଁ ଅନେକାଂଶରେ ଏହା ସମ୍ଭଵ ହୋଇପାରେ । କାରଣ
୧. ଅକ ପ୍ରତ୍ୟୟ ଏକ ଶାସ୍ତ୍ରୀୟ ପ୍ରତ୍ଯୟ ଏହା କର୍ତ୍ତାକୁ ସାଂକେତିକ ଭାଵରେ ବୁଝାଇଥାଏ । ଯଥା:
● ଦେଖେ ଯେ ସେ ଦର୍ଶକ
● ଗାଏ ଯେ ସେ ଗାୟକ
● ଲେଖେ ଯେ ଲେଖକ
● ପ୍ରଭରଣ କରେ ଯେ ପ୍ରଭରକ
ଏଠାରେ ଅକ ପ୍ରତ୍ୟୟ କର୍ତ୍ତାର୍ଥେ ପ୍ରୟୋଗ ହୋଇଛି।

୨. ଅନ ଓ ଅକ ଉଭୟ ପ୍ରତ୍ୟୟ ଶବ୍ଦର ପ୍ରଥମ ଵର୍ଣ୍ଣ ଅ ଅଟେ । ଯଦି ଭୃ ଧାତୁରେ ଭାଵାର୍ଥେ ଅନ ପ୍ରତ୍ଯୟ ଯୁକ୍ତ କରି ଭରଣ ଶବ୍ଦ ସୃଷ୍ଟି ହୋଇପାରିଛି, ତାହେଲେ ସେଇ ପ୍ରଣାଳୀରେ ଭୃ ଧାତୁ ସହ କର୍ତ୍ତାର୍ଥେ ଅକ ପ୍ରତ୍ୟୟ ଯୋଡି଼ ଭରକ ଶବ୍ଦ ମଧ୍ୟ ସୃଷ୍ଟି କରାଯାଇ ପାରେ !
ଭୃ ଧାତୁ (ଭର) + ଭାଵାର୍ଥେ. ଅନ = ଭରଣ
ଭୃ ଧାତୁ (ଭର) + କର୍ତ୍ତୃ. ଅକ = ଭରକ

ଯଦି ଵ୍ୟାକରଣ ନିୟମାନୁସାରେ ଭରଣ ଭଳି ଭରକ ଶବ୍ଦ ଏକ ଵୈଧ ଶବ୍ଦ ତେଵେ ଏହା ସହ ପୂର୍ଵ ଭଳି ପ୍ର କିଂଵା ସେଇଭଳି ଅନ୍ୟ କୌଣସି ଉପସର୍ଗ ଯୋଡି଼ ଚାର୍ଜରର ଶାସ୍ତ୍ରୀୟ ପ୍ରତିଶବ୍ଦ ‘ପ୍ରଭରକ’ ଗଢା଼ଯାଇପାରେ ।

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top