ଲେଖା: ଅଶୋକା ନାୟକ
ପ୍ରଥମାଷ୍ଟମୀ ଦିନ ହଳଦୀପତ୍ରରେ ତିଆରି ଏଣ୍ଡୁରି ପାଇଁ ଅଥାର ହାଣ୍ଡି ବସିଥାଏ । ମାଟିହାଣ୍ଡିରେ ପାଣି, କୁଟା, ବାଉଁଶ କଣି ରଖି ତା ଉପରେ ହଳଦୀପତ୍ରର ଏଣ୍ଡୁରି ରଖି ମାଟି ପଲମ ଘୋଡାଇ କାଠଚୁଲିରେ ବସେ ଅଥାର । ଏବେ ବି ଗାଁରେ ଏ ସବୁ ସାମଗ୍ରୀ ମିଳିଯାଉଥିବାରୁ ଅଥାରହାଣ୍ଡି ହେଉଛି । ଏହି ଅଥାରହାଣ୍ଡି ପ୍ରଥମାଷ୍ଟମୀରେ ବସେ ଯେ ଭଙ୍ଗା ହୁଏ ଆଠ ଦିନରେ । ପିଠା ହେବା ପରେ ସେମିତି ଥାଏ ଯେ ଅଷ୍ଟମ ଦିନ ଆଉ ଥରେ ଏଣ୍ଡୁରି ପିଠା ହୋଇ ତାହାକୁ ଭଙ୍ଗା ଯାଏ, ଯାହାକୁ ଅଥାରଭଙ୍ଗା କୁହନ୍ତି। ଏଇ ଦିନ ତକ ଚାରିଆଡ଼େ ଖାଲି ହଳଦୀପତ୍ରର ସ୍ନିଗ୍ଧ ବାସ୍ନା ଚହଟୁଥାଏ । ଋତୁ ଅନୁସାରେ ଖାଦ୍ୟପେୟର ଏହା ଆଉ ଏକ ସୁନ୍ଦର ପରିକଳ୍ପନା । ହଳଦୀପତ୍ରର ଔଷଧୀୟ ଗୁଣଗୁଡ଼ିକ ପିଠାରେ ପଶି ଆମକୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ବଳ ଯୋଗାନ୍ତି ।
ପ୍ରଥମାଷ୍ଟମୀ ଦିନ ଆଉ ଗୋଟେ ସୁନ୍ଦର ପରମ୍ପରାର ଆରମ୍ଭ ହୁଏ । ତାହ ହେଲା ବଡ଼ି ପକା ବା ବଡି ଅନୁକୂଳ । ଏଇ ଦିନ ହିଁ ଏ ବର୍ଷର ପ୍ରଥମ ବଡି ପଡ଼େ । ଅଳ୍ପ ବିରିବଟାକୁ ଫେଣେଇ ବଡିର ଶୁଭାରମ୍ଭ କରନ୍ତି ଆମ ଓଡ଼ିଆ ମା’ମାନେ । ତାକୁ ଫୁଲ, ସିନ୍ଦୁର, ଦୁବ, ବରକୋଳି ପତ୍ର ଦେଇ ବନ୍ଦାପନା ମଧ୍ୟ କରନ୍ତି। ଏହାପରେ ଆରମ୍ଭ ହୋଇଯାଏ ବିଭିନ୍ନ ରକମର ବଡିପକା । ଓଡ଼ିଆ ଗୃହିଣୀମାନେ ହାଲୁକା ଖରାରେ ବସି ଶୀତୁଆ ସକାଳରେ ଶରୀରକୁ ଭିଟାମିନ ଡି ଯୋଗାଇବା ସହ ଖରାଦିନିଆ ପଖାଳର ଘନିଷ୍ଠ ବନ୍ଧୁକୁ ରୂପ ଦିଅନ୍ତି । ଯେମିତି ସବୁ ଭଲ ଅଭ୍ୟାସ ପରସ୍ପର ସହିତ ଛନ୍ଦି ହେଇ ରହିଛନ୍ତି ।
ଆମେ ସମସ୍ତେ ପରମ୍ପରାକୁ ଚିହ୍ନିବା, ବୁଝିବା ଓ ଆପଣେଇବା ।
Image Courtesy: Social Media