ପଲ୍ଲୀଜୀବନ

ଉପସ୍ଥାପନା: ଦେଵ ତ୍ରିପାଠୀ
ପଲ୍ଲୀଜୀବନ ର ନିଖୁଣ ଗାଥା ତଥା ପଲ୍ଲୀପ୍ରକୃତିର ଅପୂର୍ବ ବର୍ଣ୍ଣନା ଖୋଜିବସିଲେ ସର୍ବାଗ୍ରେ ମନେ ପଡ଼ନ୍ତି ପଲ୍ଲୀକବି ନନ୍ଦକିଶୋର । ଆମ ରାଜ୍ୟର ପାଣିପବନ, ଗ୍ରାମ୍ୟଜୀବନ ଆଦିକୁ ଯେଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ତାହା ସତରେ ବିରଳ ! ପାଠକର ମନରେ ଅପୂର୍ବ ଆବେଗ ସୃଷ୍ଟି କରୁଥିବା କିଛି ସୃଜନର ସମାହାର  . . 
ଢୁଳୁ ଢୁଳୁ ଢଳେ ଢୁଳୁଢୁଳିଆ ଗୋ 
ଶାଶୁ ଘରେ ପଡ଼େ ତରା,
ମାଆ ଯାଇଛନ୍ତି ମାମୁଁ ଘରକୁ ଗୋ 
ତୁରିତେ ଆସିବେ ପରା ।
+++ +++ +++
‘ବିଲ କାମ ସାରି ଗୀତ ଗାଇଗାଇ, 
ବାହୁଡ଼ଇ ଚଷା ଘରେ; 
ପୋଡ଼ପିଠା ମୁଢ଼ି ଖାଇ ମହାସୁଖେ 
ବସିବ ଚୁଲି ମୁଣ୍ତରେ।’ 
+++ +++ +++
ଡାମରା କାଉରେ ଡାମରା କାଉ, 
ଉଚ୍ଚ ପରବତେ ବୋବାଉଥାଉ; 
ଉଚ୍ଚ ପରବତ ଘୁଞ୍ଚି ଘୁଞ୍ଚିକା 
ତହିଁରେ ବସିଛି ତିନି ମଞ୍ଜିକା।
+++ +++ +++
ମେଘ ବରଷଇ ଟପର ଟପର 
କେଶୁର ମାଇଲା ଗଜା, 
କୋଉ ରାଇଜରେ ରହିଲେ ମୋ ରଜା, 
ତେଲିଙ୍ଗି ବାଇଦ ବଜା।’ 
+++ +++ +++
ମିଟି ମିଟି ଆଖି ନୂଆ ବୋହୂଟିଏ 
ସଜାଡୁଥିଲା ଜାଳେଣି,
ବାଡ଼ ଉହାଡରୁ କୁଆମଇତାଟି 
ତୋଳୁଥିଲା ତା’ ସଙ୍ଗିନୀ ।
+++ +++ +++
ନଈ ସେପାରିରେ ଘୋର ଅନ୍ଧାର ଗୋ,
କିଏ ସେ ଗୀତ ଗାଉଛି ।
ରହ ରହ ଆରେ ବିଦେଶୀ ବାଟୋଇ 
ମେଘ ତ ମାଡ଼ି ଆସୁଛି ।।
+++ +++ +++
ନିଦ ମାଉସୀ, ନିଦ ମାଉସୀ ,ହେମ ପାଖରେ ଥିବୁ,
ଯେତେକ ଯାକ ଭଲ ସପନ ହେମକୁ ଦେଖେଇବୁ ।
ପଲ୍ଲୀଜୀବନ ର ଦୃଶ୍ୟରେ ବିଭୋର ହୋଇପାରିବା ଭଳି ଏ କବିତା ଆଉ ଲେଖିବାକୁ କେହି ନାହିଁ ଆମ ସମୟରେ ! ଏଭଳି ଅଭୁଲା ପଦଗୁଡ଼ିକର ମୂଲ୍ୟାୟନ କରି ସାହିତ୍ୟପିତା ବ୍ୟାସକବି ଲେଖିଥିଲେ 
‘ପଢ଼ିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା, 
କେହି କେବେ କହିନାହିଁ ଏ ପ୍ରକାର କଥା।’ 
ଶେଷରେ, ପଲ୍ଲୀଜୀବନ ର ନିରୁତା ଦୃଶ୍ୟରେ ମୋହିତ କରାଉଥିବା ପଲ୍ଲୀକବିଙ୍କ ଅମର କବିତାରୁ ପଦେ, ମାଟି ମା’କୁ ନୈବେଦ୍ୟ . .
ଜୟ ମା ଉତ୍କଳ ପୁରାଣ ପବିତ୍ର
ଜୟ ମା ଉତ୍କଳ ସୁନ୍ଦର ବିଚିତ୍ର
ଗଙ୍ଗା ଗୋଦାବରୀ ମହେନ୍ଦ୍ର ନୀରଧି
ଚୌଦିଗେ କୀର୍ତ୍ତି ତୋ ଘୋଷେ ନିରବଧି ।।
(ଉତ୍କଳ ବନ୍ଦନା)

Leave a Comment

Your email address will not be published. Required fields are marked *

Scroll to Top