ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି

ଉପସ୍ଥାପନା: ଶିଶିର ସାହୁ ମନୋଜ
ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ଭାଷା ସମ୍ବନ୍ଧୀୟ ଅମର ଯଥାର୍ଥ ଵିଚାର । ନିମ୍ନରେ ପ୍ରଦତ୍ତ ସମସ୍ତ ସୂକ୍ତି ଶ୍ରୀ ନନ୍ଦଶର୍ମାଙ୍କ “ଓଡି଼ଆ ଶବ୍ଦ ସନ୍ଦର୍ଭ” ପ୍ରବନ୍ଧରୁ ଉଦ୍ଧାର କରାଗଲା । 
୧. ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ, ଅନ୍ଯ ଅନେକ ଭାଷାରେ ସେତେ ଦେଖିଵାକୁ ମିଳେନାହିଁ ।
୨. ପ୍ରାକୃତ ଵ୍ଯାକରଣ ଲକ୍ଷଣମାନ ଓଡ଼ିଆ ଭାଷାରେ ଯେତେ ପରିମାଣରେ ଅନ୍ଵିତ, ଅନ୍ଯ ଭାଷାମାନଙ୍କରେ ସମ୍ଭଵତଃ ସେତେ ନୁହେଁ । 
୩. ନାନା ଦେଶୀୟ ଭାଷାମାନଙ୍କର ସମଷ୍ଟି ପ୍ରାକୃତ ଯେପରି ଗୋଟିଏ ସ୍ଵତନ୍ତ୍ର ଭାଷା, ଓଡ଼ିଆ ମଧ୍ଯ ସେହିପରି ସ୍ଵତନ୍ତ୍ର । ଓଡ଼ିଆ ରାଜ୍ୟରେ ଏହାର ଅକ୍ଷୁଣ୍ଣ ଅଧିକାର । 
୪. ଓଡି଼ଆରେ ସାଂସ୍କୃତିକ ଶବ୍ଦ ମାନଙ୍କର ମୌଳିକ ଆକାର ଯେପରି ପ୍ରାୟ ଅକ୍ଷୁଣ୍ଣ ରହେ, ତୈଲଙ୍ଗ ପ୍ରଭୃତିରେ ସେପରି  ନୁହେଁ । ଏହାର କାରଣ ପ୍ରଥମା ଏକଵଚନ ଵିଭକ୍ତି ପ୍ରତ୍ଯୟର ଅଭାଵ ଓ ସଦ୍ଭାଵ । ତୈଲଙ୍ଗ ପ୍ରଭୃତିରେ ପ୍ରଥମା ଏକଵଚନ ଵିଭକ୍ତି ଯୋଗ ହୋଇ ଯାଉଥିଵାରୁ ତତ୍ସମ ଶବ୍ଦର କିଞ୍ଚିତ୍ ଭିନ୍ନାକୃତି ଜଣାଯାଏ । ଓଡ଼ିଆ ଭାଷାରେ ତାହା ନଥିଵାରୁ ତତ୍ସମ ଶବ୍ଦ ଅଵିକଳ ସଂସ୍କୃତ ପରି ପ୍ରତିପନ୍ନ ହୋଇଥାଏ । 
୫. ଵିକୃତ ପ୍ରକ୍ରିୟା ଦେଶୀୟ ଭାଷାମାନଙ୍କର ପ୍ରଧାନ ହୃତପିଣ୍ଡ ସ୍ଵରୂପ। ଏସବୁ ନଜାଣି ଲୋକେ ଅନେକ ସମୟରେ ଅଶ୍ରୁତ ତଦ୍ଭଵ ଶବ୍ଦଟିଏ ଶୁଣିଲେ,ତାକୁ ଅପରିଶୁଦ୍ଧ ମନେ କରନ୍ତି । ସେମାନେ କୌଣସି ପ୍ରକାର ଯେଵେ ତା’ର  ମୂଳ ଶବ୍ଦଟି ଜାଣିପାରନ୍ତି, ତେଵେ ସେହି ମୂଳ ପ୍ରକୃତିର ରୂପାନୁସାରୀ ଵା ସମାନରୂପ କରୁଣାର୍ଥ ପରିଶୋଧନ କରିଵାକୁ ଚେଷ୍ଟା କରନ୍ତି । କିନ୍ତୁ ସେପରି କରିଵା ଵିହିତ ନୁହେଁ । ସେହି ଶବ୍ଦଟି ପ୍ରାକୃତର ନିୟମିତ ଵିକୃତି ପ୍ରକ୍ରିୟାରେ ସାଧୁ ଅଟେ । 
୬. ସଂସ୍କୃତ ଶବ୍ଦ ଓ ପଦର ନିଷ୍ପତ୍ତି ସକାଶେ ଯାଦୃଶ ନିୟମମାନ ପ୍ରଯୁଜ୍ଯ, ଓଡ଼ିଆ ସକାଶେ ମଧ୍ୟ ସେହିପରି । ଓଡ଼ିଆ ନିଜେ ନିର୍ନିୟମ ଭାଷା ନୁହେଁ । ଏହା ଖୁବ୍ ନିୟମବଦ୍ଧ । ନିୟମ ଵ୍ଯତିରିକ୍ତ କୌଣସି ଭାଷାରେ ଶବ୍ଦାଦି ସାଧୁ ହୋଇ ନପାରେ । 
୭. ଆମ୍ଭମାନଙ୍କ ଭାଷାରେ ଏପରି କେତେକ ଶବ୍ଦ ଅଛି, ଯାହା କି ସସ୍ଵରୂପରେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳେ । ସେପରି ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହ ଯେଉଁ ଭାଷାର ସମାଧିକ ପାର୍ଥକ୍ୟ ନାହିଁ, ତହିଁରେ ପ୍ରାୟ ସମାନ ରୂପ ଓ ତୁଲ୍ଯାର୍ଥଵାଚକ ରହେ । ତାହା ବୋଲି ସେପରି ଶବ୍ଦଗୁଡ଼ିକୁ ଓଡ଼ିଆ ନ କହିଵା ସଙ୍ଗତ ନୁହେଁ । ଯଥାର୍ଥତଃ ଓଡ଼ିଆଭାଷା ଅନେକ ଭାଷା ଅପେକ୍ଷା ପ୍ରାଚୀନା ଅଟେ । 
୮. ପ୍ରାକୃତଭାଷାର ଏକ ଅଂଶ ରୂପେ ଵା ଅଵୟଵରୂପେ ଉଡ୍ର ଵା ଉଡ୍ର ଭାଷା ବହୁକାଳରୁ ବିଦ୍ୟମାନ ଅଛି । ତାହା ଓଡ଼ିଆର ନାମାନ୍ତର ମାତ୍ର । ତତ୍କାଳିକ ଉଡ୍ର ଵା ଓଡ଼ିଆ ଭାଷା ଯାହା, ଆଧୁନିକ ଓଡ଼ିଆ ଭାଷା (ଅବିକଳ) ତା’ ନହେଲେ ସୁଦ୍ଧା ତାହା କେଵଳ କାଳକ୍ରମେ ଏହି ରୂପରେ ପରିଣତ ଓ ପରିଵର୍ତ୍ତିତ ହୋଇଅଛି । ଅତଏଵ ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଭାଷାର ସନ୍ନିହିତ ଏଵଂ ବହୁ ପରିମାଣରେ ସଦୃଶରୂପ ବଙ୍ଗ ଭାଷାରେ ଓଡ଼ିଆର ଯେଉଁ କେତେକ ଶବ୍ଦ ଅଵିକଳତଃ ଵ୍ଯଵହୃତ ହେଉଅଛି, ସେଗୁଡ଼ିକୁ ଯଥାର୍ଥତଃ ଚିହ୍ନି ଓଡ଼ିଆ ଶବ୍ଦ ବୋଲି ସ୍ଵୀକାର କରିଵା ଉଚିତ ।
୯. କୌଣସି ଦେଶୀୟ ଭାଷା ତତ୍ର ପ୍ରଚଳିତ ତତ୍ସମ ଶବ୍ଦଗୁଡ଼ିକୁ ଏଵଂ ଵିଜାତୀୟ ଦେଶଜ ଶବ୍ଦଗୁଡ଼ିକୁ ନିଜର ମୂଳ ସମ୍ପତ୍ତି ବୋଲି ଦାଵି କରିନପାରେ । ସଂସ୍କୃତ ଶବ୍ଦ ସମୁଦାୟରେ ସମଗ୍ର ଦେଶୀୟ ଭାଷାମାନଙ୍କର ସମାନ ଅଧିକାର ଓ ତୁଲ୍ଯ ସମ୍ପର୍କ । ଭାଷାର ସ୍ଵୀୟ ଶବ୍ଦସମ୍ପତ୍ତି ପ୍ରଦର୍ଶନ କଲାଵେଳେ ତଦୀୟ ତଦ୍ଭଵ ଶବ୍ଦନିଚୟ ଏଵଂ ସଜାତୀୟ ଦେଶଜ ଶବ୍ଦସନ୍ଦୋହ କେଵଳ ଧାର୍ଯ୍ୟ ହେଵା ଵିହିତ । 
୧୦. ଓଡି଼ଆ ଶବ୍ଦତତ୍ତ୍ଵପରିଶୀଳନ  ସଂସ୍କୃତ ଓ ପ୍ରାକୃତ—ଉଭୟ ଭାଷାରେ ଅଭିଜ୍ଞତାର ସାପେକ୍ଷ । ସେଥିପାଇଁ ସେହି ଉଭୟ ଭାଷାରେ ପାଣ୍ଡିତ୍ୟ ଦରକାର । 
୧୧. ଯଥାଯଥ ଵର୍ଣ୍ଣଵିନ୍ଯାସ ହେଲେ ଭାଷା ଶୁଦ୍ଧ ଏଵଂ ଅଯଥା ଵର୍ଣ୍ଣଵିନ୍ଯାସରେ ଭାଷା ଅଶୁଦ୍ଧ ହୁଏ । ମୁଖରେ ଏକପ୍ରକାର ଉଚ୍ଚାରଣ କରି ଅନ୍ୟ ପ୍ରକାରର ଲେଖିଵା ବଡ଼ ଵିଡ଼ମ୍ଵନା । ଏହା ସର୍ଵଭାଷାଵିତ୍’ମାନଙ୍କର ମତ । 
୧୨. ଭାଷାର ମୌଳିକ ସତ୍ତା କେଵଳ ଜାତୀୟତାର ପ୍ରାଣ । 
୧୩. ଯେଉଁ ଭାଷାରେ ଦେଶଜ ଜାତୀୟ ଶବ୍ଦ ଯେତେ ଅଧିକ, ସେହି ଭାଷା ସେତେ ପରିମାଣରେ ଶକ୍ତିଶାଳିନୀ । ଏହା ଏକପ୍ରକାରେ ସମସ୍ତ ଦେଶର ଭାଷାଵିତ ସମାଜରେ ସର୍ଵଵାଦିସମ୍ମତ । ଦେଶଜ ଶବ୍ଦର ବହୁଳତା ଏଵଂ ପରିପୁଷ୍ପତାରୁ ଜାତୀୟ ପ୍ରାଣର ପୂର୍ଣ୍ଣତା ଏଵଂ ବହୁମୁଖୀ ଚିନ୍ତାର ପରିଚୟ ମିଳେ । 
୧୪. ଜାତୀୟ ପ୍ରାଣର ନୈସର୍ଗିକ ଭାଵଵ୍ଯଞ୍ଜନ ଶବ୍ଦଗୁଡ଼ିକ ଲୋପ ପାଇଗଲେ ଜାତୀୟ ଶକ୍ତିର ଯେ କି ଅନିଷ୍ଟ ହୁଏ, ତାହା ସାମାନ୍ୟ ଚିନ୍ତା କଲେ ଅନାୟସରେ ଜଣାପଡ଼ିଵ ।
୧୫. ଯେଉଁ ଜାତି ସମ୍ଯକ ଉଦୀୟମାନ ହେଲାପରେ ନିଜର ଭାଷା ପ୍ରତି ଓ ନୈସର୍ଗିକ ସତ୍ତାରେ ଗଠିତ ଵିଶୁଦ୍ଧ ଜାତୀୟ ଶବ୍ଦମାନଙ୍କ ପ୍ରତି ସମ୍ଯକ ଆସ୍ଥା ଓ ଅଭିମାନ ରଖେନାହିଁ ସେହି ଜାତିର ତାଦୃଶ ଶବ୍ଦମାନ କିଛିକାଳପରେ ଵନ୍ଯ କ୍ଷୁଦ୍ର କ୍ଷୁଦ୍ର ଉଦ୍ଭିଦପ୍ରାୟ ଵିଲୁପ୍ତ ହୋଇଯାଏ । 
ଜୟ ଭାଷା ଜନନୀ ।
ବନ୍ଦେ କଳିଙ୍ଗ ମାତା ।

Leave a Comment

Your email address will not be published. Required fields are marked *

Scroll to Top