ନାଟ୍ୟକାର ଭିକାରୀ ଚରଣ

ଲେଖା: ଡ. ସତ୍ୟପ୍ରିୟ ସାହୁ
ଆମ ଭାଷା ଓ ସାହିତ୍ୟ ଜଗତର ଜଣେ ଅମଳିନ ସାଧକ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ ।
୧୮୭୭ ସାଲ ଡିସେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ଚରଣ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ଵର ଅଞ୍ଚଳର ହୁରାସାହି ଗ୍ରାମରେ । ପାଠ ପଢ଼ିଲେ, ବିଦିତ ହେଲେ ଓଡ଼ିଶାର ଜଣେ ଜଣାଶୁଣା କବି, ନାଟ୍ୟକାର, ଜୀର୍ଣ୍ଣ କୁଟୀର ଶିଳ୍ପ ଉଦ୍ଧାରକ, ସମାଜସେବୀ ଭାବରେ । ନାଟକ ରଚନା କଲେ ଏବଂ ପରିଚିତ ହେଲେ ଜଣେ ସୁମାନ୍ୟତା ପ୍ରାପ୍ତ ନାଟ୍ୟକାର ଭାବେ । ୧୯ ବର୍ଷ ବୟସରେ ତାଙ୍କର ପ୍ରଥମ ନାଟକ ରଚନା, ଯାହା ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଐତିହାସିକ ନାଟକଇଂରେଜ କର୍ତ୍ତୃକ କଟକ ବିଜୟ‘ । ପରବର୍ତ୍ତୀ ସମୟରେ ନାଟକ ନାମିତ ହେଲା କଟକ ବିଜୟ ନାମରେ । ମହାନ  “ନାଟ୍ୟକାର ଭିକାରୀ ଚରଣ” ଏକ ସ୍ଵତନ୍ତ୍ର ଉପସ୍ଥାପନା ମାଧ୍ୟମରେ ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ପ୍ରଣାମ ସେହି ଯୋଗଜନ୍ମା ମନିଷୀଙ୍କ ଉଦ୍ଦେଶ୍ୟରେ ।
ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ଓଡ଼ିଆ ଜାତିର ଆତ୍ମୋପଲବ୍ଧିର ସମୟ । ଶଂସିତ କାଳରେ ଓଡ଼ିଶାରେ ଆଧୁନିକ ସାହିତ୍ୟର ବିଭିନ୍ନ ବିଭାଗର ସୂତ୍ରପାତ ହୋଇଥିଲା । ଓଡ଼ିଶାର ଲୋକନାଟ୍ୟ ଧାରାକୁ ପରାହତ କରି ବିଦଗ୍ଧ ନାଟ୍ୟଧାରାର ଉଦ୍ଭବ ଘଟି ଆଧୁନିକ ନାଟକର ଅୟମାରମ୍ଭ ଘଟିଲା । ଆଧୁନିକ ଓଡ଼ିଆ ନାଟକର ଆଦି ପର୍ଯ୍ୟାୟରେ ମୁଖ୍ୟତଃ ତିନି ଭାବଧାରାର ନାଟକ ରଚିତ ହୋଇଛି। ସାମାଜିକ, ଐତିହାସିକ ଏବଂ ପୌରାଣିକ ନାଟକର ଜୀବନଭୂମି ହେଉଛି ସମାଜ । ଏହାକୁ ସମାଜ ଦର୍ପଣ କୁହାଯାଇପାରେ । ଏଣୁ କାଳେ କାଳେ ସମାଜ ସଂସ୍କାର ଏହାର ଏକମାତ୍ର ଧ୍ୟେୟ । ତେଣୁ ଲକ୍ଷଣୀୟ ବିଷୟ ହେଉଛି, ଓଡ଼ିଆ ନାଟକର ପ୍ରଥମ ପର୍ଯ୍ୟାୟରେ ଆତ୍ମପ୍ରକାଶ କରିଥିବା ପ୍ରାୟ ପ୍ରତ୍ୟେକ ନାଟ୍ୟକାର ସମାଜ ସଂସ୍କାର ଲିପ୍ସା ପ୍ରବୃତ୍ତି ଉପରେ ଗୁରୁତ୍ବ ଦେଇ ନାଟକମାନ ରଚନା କରିବାକୁ ଆରମ୍ଭ କରିଥିଲେ । ଫଳରେ ରଙ୍ଗମଞ୍ଚ ଅନେକ କ୍ଷେତ୍ରରେ ପ୍ରଚାର ମଞ୍ଚରେ ପରିଣତ ହୋଇଥିଲା। ଯାହା ଫଳରେ ନାଟକ ଗୁଡ଼ିକ ବେଳେ ବେଳେ କଳାର କମନୀୟ ସ୍ପର୍ଶରୁ ବଞ୍ଚିତ ହୋଇ ପଡ଼ିଥିଲେ । ଏହି ସଂସ୍ଥାର ପ୍ରବୃତ୍ତିଟି ଆଧୁନିକ ଓଡ଼ିଆ ନାଟକର ସୃଷ୍ଟି ଲଗ୍ନରୁ ଆତ୍ମପ୍ରକାଶ କରିଥିଲା ।
#ବାବାଜୀ ନାଟକ ଏହି ସଂସ୍ଥାର ଲିପ୍ସାର ଆଦ୍ୟ ସଙ୍କେତ । ଅତି ମାତ୍ରାରେ ସମାଜ ସଂସ୍କାର ପ୍ରୟାସ ବାବାଜୀ ନାଟକର ନାଟକୀୟତାକୁ ବ୍ୟାହତ କରିଛି। ସେଥିପାଇଁ Modern Oriya Literatureର ଲେଖକ ପ୍ରିୟରଞ୍ଜନ ସେନ୍ କହନ୍ତି — ବାବାଜୀ ଯଥାର୍ଥରେ ଏକ ନାଟକ ନୁହେଁ । ନିଶା ନିବାରଣ ବିରୁଦ୍ଧରେ କଳ୍ପିତ ଏକ ଉଦ୍ଦେଶ୍ୟ ପ୍ରଣୋଦିତ ରେଖାଚିତ୍ର ମାତ୍ର । ବାବାଜୀ ନାଟକରେ ଏକ କ୍ଷୟିଷ୍ଣୁ ପତନଶୀଳ ସମାଜର ଦୋଷ ଦୁର୍ବଳତା ଓ ଅନ୍ଧ କୁସଂସ୍କାର ପ୍ରତି ଶାଣିତ ବାଣ ନିକ୍ଷେପ କରିବା ସଙ୍ଗେ ସଙ୍ଗେ ଏହାର ସଂସ୍କାର ନିମିତ୍ତ ସ୍ଵର ଉତ୍ତୋଳନ କରାଯାଇଛି ।” 
ଏ ଯୁଗର ବଳିଷ୍ଠ ନାଟ୍ୟକାର ଥିଲେ #ରାମଶଙ୍କର #ରାୟ । ତାଙ୍କର ପ୍ରଥମ ନାଟକ #କାଞ୍ଚିକାବେରୀ । ଜାତୀୟ ଜୀବନର ଉନ୍ନତି ପାଇଁ ରାମଶଙ୍କର ବ୍ୟାକୁଳ ଥିଲେ ମଧ୍ୟ ପ୍ରଚଳିତ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପରିବର୍ତ୍ତନ ଆଣିବାକୁ ସାହସ କରି ପାରିନଥିଲେ । ସେ ସମୟରେ ଶାସକ ଇଂରେଜ ସରକାରଙ୍କୁ ପ୍ରଶଂସା କରି କାର୍ଯ୍ୟ ହାସଲ କରିବାକୁ ସତତ ଚେଷ୍ଟା କରାଯାଉଥିଲା । ଏ ସମ୍ପର୍କରେ ବିଶ୍ଵକବି ରବୀନ୍ଦ୍ରନାଥଙ୍କ ଉକ୍ତି ପ୍ରଣିଧାନ ଯୋଗ୍ୟ – “ଆମେ ସ୍ଵଜାତିର ସ୍ଵାଧୀନତା ସାଧନା ଆରମ୍ଭ କରିଥିଲୁ, କିନ୍ତୁ ପ୍ରତି ହୃଦୟରେ ଥିଲା ଇଂରେଜ ଜାତିର ଉଦାରତା ପ୍ରତି ଗଭୀର ବିଶ୍ୱାସ, ସେ ବିଶ୍ଵାସ ଏତେ ଗଭୀର ଥିଲା ଯେ, ଏକଦା ଆମର ସାଧକମାନେ ସ୍ଥିର କରିଥିଲେ ଏଇ ବିଜିତ ଜାତିର ସ୍ଵାଧୀନତାର ପଥ ବିଜୟୀ ଜାତିର ଆଶ୍ରୟସ୍ଥଳ ଥିଲା ଇଂଲଣ୍ଡରେ ।”
ରାମଶଙ୍କରଙ୍କ ସାମାଜିକ ନାଟକ ଗୁଡି଼କରେ ସଂସ୍କାର ଲିପ୍ସାର ପ୍ରାବଲ୍ୟ ବେଶ୍ ଉପଲବ୍ଧି କରିହୁଏ। ତତ୍କାଳୀନ ନବ୍ୟବାବୁ ସମ୍ପ୍ରଦାୟ ମଦ୍ୟପାନ, ବେଶ୍ୟାପ୍ରୀତି, ଘୁଷଖୋରୀ ପ୍ରବୃତ୍ତିର କବଳରେ ପଡ଼ି କି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ ନାଟ୍ୟକାର ତାହା ଲକ୍ଷ୍ୟ କରି ଜନସମାଜକୁ ସଚେତନ କରିବା ଉଦ୍ଦେଶ୍ୟରେ ନାଟକ ରଚନା କରୁଥିଲେ । ଏଠାରେ ସ୍ଵୟଂ ନାଟ୍ୟକାରଙ୍କ ଉକ୍ତି ଉଧାର କରାଯାଇପାରେ – “ଲୋକେ କେତେଦୂର ପାପାସକ୍ତ ହୋଇପାରନ୍ତି ତାହା ଦେଖାଇବା ନିମନ୍ତେ ଏ ରଙ୍ଗଭୂମି ରଚିତ ହୋଇଅଛି । ଲୋକେ ଦେଖନ୍ତୁ !” 
ରାମଶଙ୍କରଙ୍କ ପରେ ବୀର ବିକ୍ରମ ଦେବଙ୍କ ରଚିତ #ବାଲ୍ୟବିବାହ, #ବୃଦ୍ଧବିବାହ, #ବ୍ୟଭିଚାରଦୋଷ ପ୍ରଦର୍ଶନ ପ୍ରଭୃତି ନାଟକରେ ସମାଜ ସଂସ୍କାର ଲିପ୍ସା ଉପଲବ୍ଧି କରିହୁଏ । ତାଙ୍କର ବାଲ୍ୟବିବାହ ନାଟକରେ ଏକ ପକ୍ଷରେ ଉତ୍ତମ ଦମ୍ପତ୍ତି ରାମଚନ୍ଦ୍ର ଦାସ ଓ ସାବିତ୍ରୀ ମହାପାତ୍ରଙ୍କ ସୁଖମୟ ଜୀବନ ଏବଂ ଅନ୍ୟ ପକ୍ଷରେ ବାଲ୍ୟବିବାହରେ ବନ୍ଧା ଆନନ୍ଦ ମିଶ୍ର ଓ ମାଳତୀଙ୍କ ଦୁଃଖମୟ ଜୀବନ ଚିତ୍ରିତ । ସମାଜରେ ପ୍ରଚଳିତ ବାଲ୍ୟ ବିବାହ ପ୍ରଥାର ଉଛେଦ ପାଇଁ ଏ ନାଟକଟିର ପରିକଳ୍ପନା । ବାଲ୍ୟ ବିବାହ ପରି ବୃଦ୍ଧ ବିବାହ ମଧ୍ୟ ଏକ ସଂସ୍କାରଧର୍ମୀ ନାଟକ । ଏହି ନାଟକ ଲୋକଶିକ୍ଷା ଓ ଜନଜାଗରଣ ଉଦ୍ଦେଶ୍ୟରେ ରଚନା କରାଯାଇଥିଲା।
#ବୀର #ବିକ୍ରମଦେବଙ୍କ ନାଟକରେ ସମାଜ ସଂସ୍କାର, ଜାତୀୟତା, ଦେଶାତ୍ମବୋଧ, ମାତୃଭୂମି ପ୍ରୀତି ଓ ଜାତୀୟ ଐକ୍ୟ ସ୍ଥାପନ ଉପରେ ଗୁରୁତ୍ବ ଦିଆଯାଇଛି । ସେ ସମାଜରୁ କୁସଂସ୍କାର, କୁପ୍ରଥା ଓ ଅନ୍ଧବିଶ୍ୱାସକୁ ନିରାକରଣ କରିବା ପାଇଁ ଚେଷ୍ଟା କରିଥିଲେ ଏହି ନାଟକ ମାନଙ୍କ ମାଧ୍ୟମରେ ।
~ ରାମଶଙ୍କରଙ୍କ ଉତ୍ତର ଦାୟାଦ ~
#ଭିକାରୀ #ଚରଣ #ପଟ୍ଟନାୟକ ପ୍ରଥମ ଐତିହାସିକ ନାଟକ ‘କଟକ ବିଜୟ’ରୁ (୧୯୦୧) ତାଙ୍କ ନାଟ୍ୟପ୍ରତିଭାର ଯଥାର୍ଥ ପରିଚୟ ମିଳିଥାଏ । କଟକ ଅଧିକାର ଘଟଣାକୁ ନେଇ ଏହି ନାଟକ ରଚିତ । ଓଡ଼ିଶାର ଭାଗ୍ୟାକାଶରେ ମୋଗଲ ଓ ବର୍ଗୀମାନଙ୍କ ଅତ୍ୟାଚାର ହେତୁ ଓଡ଼ିଆ ଜାତି ଅତିଷ୍ଠ ହୋଇ ପଡ଼ିଥିଲା । ଓଡ଼ିଆ ପ୍ରାଣରେ ଦେଶପ୍ରେମ ଜାଗ୍ରତ କରିବା ଲକ୍ଷ୍ୟ ନେଇ ଏହି ନାଟକ ରଚିତ । ଉକ୍ତ ନାଟକରେ କନଓୟାର, ମରହଟ୍ଟା ସୈନ୍ୟଙ୍କ ମନରେ ନୂତନ ଆଶା ସଞ୍ଚାର କରିବା ଲକ୍ଷ୍ୟ ନେଇ ଆହ୍ବାନ ଦେଇଥିଲେ –
“ଧର ଅସି ପଶ ରଣେ,
ମାର କିମ୍ବା ନିଜେ ମର”
(କଟକ ବିଜୟ, ପୃଷ୍ଠା ୪)
ମହାତ୍ମାଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନରେ “କର ବା ମର” (Do or Die ) ପରି ଥିଲା ସେ ଡାକରା । ନିଜ ଦେଶର ସୁନାମ ପ୍ରଦର୍ଶନ କରିବାକୁ ନାଟ୍ୟକାର ଚେଷ୍ଟା କରିଛନ୍ତି ଏହି ନାଟକରେ ମଧ୍ୟ । ଉକ୍ତ ନାଟକରେ କଟକ #ତାରକସି କାମ ପାଇଁ ପ୍ରସିଦ୍ଧିର ସୂଚନା ଦେଇଛନ୍ତି — “ଓଡ଼ିଆ ମାନେ ଭାରି ଶିଳ୍ପୀ, ନାନା ରକମର ଶିଳ୍ପ କାର୍ଯ୍ୟ କରନ୍ତି × × × କଟକର ତାରକସି କାମ ଦେଖିଲେ ଆଖି ବୁଜି ହୋଇଯିବ ।”
ନାଟ୍ୟକାର #କଟକ #ବିଜୟ ନାଟକ ରଚନା ମାଧ୍ୟମରେ ଜାତୀୟ ଚେତନା ପ୍ରସାର କରିବାକୁ ଯାଇ କମ୍ ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି ! ସେ କାଳର ନାଟକ ନିୟନ୍ତ୍ରଣ ଆଇନ ଅନୁସାରେ “ନାଟକ ଅଭିନୟ ପୂର୍ବରୁ ପୋଲିସ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ା; କିନ୍ତୁ ନାଟକରେ ଥିବା କେତେକ ବୀରୋଦ୍ଦୀପକ ଭାଷଣ କାଟି ନ ଦେଲେ ଅନୁମତି ମିଳିବ ନାହିଁ ବୋଲି ଆଦେଶ ମିଳିଲା ।” ଉଦ୍ୟୋତ୍କାମାନେ ସେଥିରେ ରାଜି ହୋଇଥିଲେ ମଧ୍ୟ ଅଭିନୟ ସମୟରେ ପ୍ରତିଶ୍ରୁତି ପାଳନ କରାଯାଇ ନଥିଲା । କିନ୍ତୁ ସେଥିପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ନାହିଁ । ଏଥିରୁ ଗୋଟିଏ କଥା ସୂଚିତ ହୁଏ ଯେ, ଭିକାରୀ ଚରଣଙ୍କର ଇଚ୍ଛା ଥିଲା “ଓଡ଼ିଆ ଜାତିର ଗୌରବ ପ୍ରଖ୍ୟାପନ” । ଏହାହିଁ ତାଙ୍କର ନାଟକାବଳୀରେ ବହୁ ସ୍ଥାନରେ ପ୍ରଦର୍ଶିତ ।
ଭିକାରୀ ଚରଣଙ୍କର ଅନ୍ୟତମ ନାଟ୍ୟ କୃତି ନାଟକ #ନନ୍ଦିକେଶ୍ଵରୀରାଧାନାଥ ରାୟଙ୍କ କାବ୍ୟର କଥାବସ୍ତୁକୁ ନେଇ ଏହା ରଚିତ । ନାଟ୍ୟକାର ସୁବର୍ଣ୍ଣ କେଶରୀଙ୍କ ମୁଖରେ ଜାତୀୟତା ଦ୍ୟୋତକ ସଂଳାପର ବ୍ୟବହାର କରାଇ ଜାତିପ୍ରୀତିର ପରିଚୟ ପ୍ରଦାନ କରିଛନ୍ତି । ପୁଣି କପିଳେନ୍ଦ୍ରଦେବଙ୍କ ପୁତ୍ରମାନେ ଓଡ଼ିଶା ସିଂହାସନ ପାଇଁ ଯେଉଁ ଚକ୍ରାନ୍ତ କରିଥିଲେ, ଭାତୃବିବାଦର ସେହି କଳଙ୍କମୟ ଅଧ୍ୟାୟକୁ ନେଇ ‘ରାଜା ପୁରୁଷୋତ୍ତମ’ ନାଟକ ରଚିତ । ଉତ୍କଳର ଗଜପତିଙ୍କ ଶାସନରେ ପ୍ରଜାକୁଳ ଅତିମାତ୍ରାରେ ଖୁସି। ରାଜା କପିଳେନ୍ଦ୍ର ଦେବ ମଧ୍ୟ ପ୍ରଜା କଲ୍ୟାଣକୁ ରାଜାର ଏକମାତ୍ର ଧର୍ମ ଭାବେ ଗ୍ରହଣ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଡାକରା ପୂର୍ବରୁ ରାଜା କପିଳେନ୍ଦ୍ର ଦେବ ମଧ୍ୟ ଲବଣକର ସମ୍ପର୍କରେ ଚିନ୍ତା କରିଥିଲେ । ସେ ମଧ୍ୟ ଘୋଷଣା କରିଥିଲେ ଯେ — ” ଲବଣ ଶୁଳ୍କରୁ ଯାହା ଆୟ ହେଉଛି, ତା’ର ପରିମାଣ ଅତି ସାମାନ୍ୟ । ଶୁକ୍ଳ ଉଠାଇ ଦେଲେ ବିଶେଷ କିଛି କ୍ଷତି ହେବନାହିଁ ।” ସମାଲୋଚକ ଡ. ହେମନ୍ତ କୁମାର ଦାସ ନାଟ୍ୟକାରଙ୍କ ଏହି ପ୍ରଚେଷ୍ଟାର ପ୍ରଶଂସା କରି ଲେଖିଛନ୍ତି – “ଓଡ଼ିଶାର ଅତୀତ ବିଷୟରେ ସୂଚନା ଦେଇ ସାମ୍ପ୍ରତିକ ପରିବେଶକୁ କଳଙ୍କମୁକ୍ତ କରିବା ନାଟ୍ୟକାରଙ୍କ ଉଦ୍ଦେଶ୍ୟ ଥିଲା ଭଳି ଜଣାଯାଏ ।” ପୁଣି ଅନ୍ୟତ୍ର ନାଟ୍ୟକାର, ଯମୁନା ଦାସର ଚରିତ୍ରକୁ ପଦାରେ ପକାଇଦେଇ ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି । ଦେଶଦ୍ରୋହ ଯେ ଦିନେ ନା ଦିନେ ପଦାରେ ପଡ଼ିବ, ତାହା ଦେଖାଇ ଦେଇଥିଲେ । ଫଳରେ ଏ ନାଟକଟି ମଧ୍ୟ ଅତୀତ ଗୌରବ ପ୍ରଦାନ କରି ଜାତୀୟ ଜାଗରଣ ଆଣିବାରେ ସହାୟକ ହୋଇଛି । ଏଣୁ ଭିକାରୀ ଚରଣଙ୍କ ନାଟକର ମୁଖ୍ୟ ବାର୍ତ୍ତା ହେଉଛି “ଜାତିର ଉନ୍ନତି ଓ ଦେଶାତ୍ମବୋଧର ପରିପ୍ରକାଶ ।”
ଅନ୍ୟ ଏକ କୃତି ‘ରତ୍ନମାଳୀ’ । ଏହି ନାଟକରେ ରତ୍ନମାଳୀର ଚରିତ୍ରରେ ସାହସିକତା, ଦୟା, କ୍ଷମା, ବୀରତ୍ଵ ସହିତ ପ୍ରେମିକା ସୁଲଭ ସୌନ୍ଦର୍ଯ୍ୟ ଓ ତ୍ୟାଗ ମନୋଭାବର ସମାବେଶ କରାଯାଇଛି । ଏହାଦ୍ବାରା ନାଟ୍ୟକାର ମାନବୀୟତାର ସ୍ପର୍ଶ ମଣିଷକୁ କିମିତି ଉର୍ଦ୍ଧ୍ବଗାମୀ କରାଏ, ତା’ର ସୂଚନା ଦେଇଛନ୍ତି ।
ଊନବିଂଶ ଶତକର ଶେଷଭାଗରୁ ଏ ଦେଶରେ ନିଶା ସେବନ ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି କରାଯାଇଥିବା ଦେଖିବାକୁ ମିଳେ । ଏ ସମ୍ପର୍କରେ ତତ୍କାଳୀନ ନାଟ୍ୟକାର ମାନଙ୍କ କୃତିରେ ବହୁ ଦୃଷ୍ଟାନ୍ତ ରହିଛି । ରାମଶଙ୍କର ରାୟଙ୍କ ‘କଳିକାଳ’ ନାଟକର ଏକ ଉକ୍ତିକୁ ଏଠାରେ ସ୍ମରଣ କରାଯାଉ —
“କୁଳବଧୂ ପ୍ରୀତି ନ ପାଏ ବାରେ,
ନିଶା ବେଶ୍ୟା ସାର ହେଲା ଏ କାଳେ,
ଏ ଘୋର ପାପ କେ ଲେଖିବ (କହ)”
ଭିକାରୀ ଚରଣ ଥିଲେ ରାମଶଙ୍କର ରାୟଙ୍କ ସହକର୍ମୀ ଓକିଲ । ସେ ତାଙ୍କର ଜୁନିଅର ଭାବେ କିଛିକାଳ ଓକିଲାତି କରୁଥିଲେ । ଏଣୁ ତାଙ୍କର ନାଟ୍ୟ ଚେତନାରେ ଆପଣାକୁ ଦୀକ୍ଷିତ କରାଇ ନେଇଥିଲେ। ଅନ୍ୟପକ୍ଷରେ ରାମଶଙ୍କର ରାୟଙ୍କ ପ୍ରଭାବରେ ପ୍ରଭାବିତ ହୋଇ ନାଟ୍ୟକାର ଭିକାରୀ ଚରଣ ସାମାଜିକ ନାଟକମାନ ରଚନା କଲେ । ତାଙ୍କର ଅଧିକାଂଶ ନାଟକରେ ସମାଜ ସମସ୍ୟା ଓ ସଂସ୍କାର ପାଇଁ ଆହ୍ୱାନ ଦିଆଯାଇଛି । ଯୌତୁକ ସମସ୍ୟା ପରି ଜ୍ଵଳଂତ ସମସ୍ୟାକୁ ନେଇ ସେ ‘ସଂସାରଚିତ୍ର’‘ଯୌତୁକ’ ପରି ନାଟକ ରଚନା କରିଯାଇଛନ୍ତି । ସଂସାରଚିତ୍ର ନାଟକ ଖଣ୍ଡିକର ପ୍ରାପ୍ତି ସ୍ବୀକାର କରି ବ୍ୟାସକବି ଫକୀରମୋହନ ସେନାପତି ଲେଖିଥିଲେ – “ବହି ଖଣ୍ଡିକ ପାଇଲି । ରୋଗଶଯ୍ୟାରେ ଏକା ନିଶ୍ଵାସକେ ଶେଷ କଲି । ସମାଜକୁ ଦଶ ନଖରେ ବିଦାରି ପକାଇଛୁ ।”
ନାଟ୍ୟକାରଙ୍କ ସଂସାରଚିତ୍ର ନାଟକ ପରେ ଯୌତୁକ ବ୍ୟାଧିକୁ ଦୂର କରିବା ପାଇଁ ଆଉ ଏକ ସଂସ୍କାର ଧର୍ମୀ ନାଟକ ଯୌତୁକ ରଚିତ ହୋଇଥିଲା । ଫଳତଃ ନାଟ୍ୟକାର ଯେ ସମାଜର ଜାଗ୍ରତ ପ୍ରହରୀ, ଏହା ଭିକାରୀ ଚରଣ ପ୍ରତିପାଦିତ କରିଯାଇଛନ୍ତି । ନାଟ୍ୟକାରଙ୍କ ‘ସୁଶୀଳା’ ମଧ୍ୟ ଏକ ସଂସ୍କାରଧର୍ମୀ ନାଟକ । ଏ ନାଟକରେ ନବ୍ୟ ଶିକ୍ଷିତମାନଙ୍କ ଉପରେ ପାଶ୍ଚାତ୍ୟ ଶିକ୍ଷାର କୁପ୍ରଭାବର ଚିତ୍ରଟି ସ୍ପଷ୍ଟତର ହୋଇଉଠିଛି । ଆଧୁନିକ ଶିକ୍ଷାପ୍ରାପ୍ତ ନରନାରୀ ଜୀବନର ଶାଶ୍ଵତ ମୂଲ୍ୟବୋଧକୁ ଉପଲବ୍ଧି କରି ନପାରି କିପରି ବିପଥଗାମୀ ହୋଇ ପଡ଼ୁଛନ୍ତି ତାହାର ଏକ ଜ୍ଵଳଂତ ଚିତ୍ର ଏହି ନାଟକରେ ପ୍ରଦତ୍ତ । ଏକ ପକ୍ଷରେ ଶିକ୍ଷିତା ନାରୀ ପାରିବାରିକ ଜୀବନରେ ଧୂମକେତୁ ସାଜିଛି ଏବଂ ଅପରପକ୍ଷରେ ଶିକ୍ଷିତ ଯୁବକ ବିପଥଗାମୀ ହୋଇଛି । ଏ ନାଟକରେ ପାଶ୍ଚାତ୍ୟ ଶିକ୍ଷାର କୁପ୍ରଭାବର ଚିତ୍ର ଦେବାକୁ ଚେଷ୍ଟା କରାଯାଇଛି । ଏହା ହୁଏତ ତତ୍କାଳୀନ ସମାଜରେ ଘଟୁଥିବା ଏକ ବାସ୍ତବ ଘଟଣା। ଶିକ୍ଷା ନାମରେ ଆଧୁନିକତାର ମୁଖା ପିନ୍ଧି କିପରି ନାରୀ ଉତ୍ସୃଙ୍ଖଳ ହୋଇଯାଏ, ତା’ର ପାରିବାରିକ ଜୀବନ ଅଶାନ୍ତିରେ କଟେ, ତା’ର ସ୍ଵରୂପ ଏ ନାଟକରେ ବର୍ଣ୍ଣିତ । ବସ୍ତୁତଃ ନାଟ୍ୟକାର ସମାଜରେ ଅନୁଭୂତ ହେଉଥିବା ବିଭିନ୍ନ ଅବବୋଧକୁ ଦେଖାଇବାରେ କୁଣ୍ଠା ପ୍ରକାଶ କରୁ ନଥିଲେ । ସେ ଶେଲିଙ୍କ ପରିକଳ୍ପିତ କାବ୍ୟ ପୁରୁଷର ଭୂମିକା ନେଇ ଠିଆ ହେଉଥିଲେ । ଶେଲିଙ୍କ ଦୃଷ୍ଟିରେ କବି ହେଉଛନ୍ତି ସମାଜର ବ୍ୟବସ୍ଥାପକ । ନାଟ୍ୟକାର ମଧ୍ୟ କବି ପରି ସ୍ରଷ୍ଟା ଟିଏ । ସେ ବି ବ୍ୟବସ୍ଥାପକର ‘କା’ ନେଇ ଲେଖିବସେ । ଏଠାରେ ଭିକାରୀ ଚରଣ ସେହି ଭୂମିକା ନିର୍ବାହ କରିଛନ୍ତି ବୋଲି କୁହାଯାଇପାରେ ।
ଭିକାରୀ ଚରଣ ଥିଲେ ସତ୍ୟନିଷ୍ଠ ଲେଖକ । ଗାନ୍ଧୀଜୀଙ୍କ ଜୀବନାଭିମୁଖ୍ୟକୁ ବହୁ ନାଟକରେ ରୂପ ଦେବାକୁ ଚାହିଁଛନ୍ତି । ଏଣୁ ସେ କୁଷ୍ଠ ରୋଗ ଜନିତ ସାମାଜିକ ସମସ୍ୟାକୁ ନେଇ ରଚନା କରିଛନ୍ତି ନିରୂପମା ନାଟକ । ରୋଗକୁ ଘୃଣା କର, ରୋଗୀକୁ ନୁହେଁ – ଏହି ଆଦର୍ଶବୋଧକୁ ସତତ ଗ୍ରହଣ କରିଛନ୍ତି । ଉକ୍ତ ନାଟକରେ ନାଟ୍ୟକାର କୁଷ୍ଠରୋଗୀଙ୍କୁ ଥଇଥାନ କରିବା ପାଇଁ କୁଟୀର ଶିଳ୍ପ ବ୍ୟବସ୍ଥା କରିଛନ୍ତି । ସରକାର ଆଜି ଯାହା ଚିନ୍ତା କରୁଛନ୍ତି, ତାହା ବହୁଦିନ ପୂର୍ବରୁ ଭିକାରୀ ଚରଣ ପଟ୍ଟନାୟକ ଚିନ୍ତା କରିପାରିଥିଲେ । ସେହି ଆଭିମୁଖ୍ୟ ସ୍ପଷ୍ଟ ତାଙ୍କ ନାଟକରେ । ବର୍ତ୍ତମାନ ଭୟଙ୍କର ବେକାରୀ ସମସ୍ୟା କିପରି ଦୂରକରି ହେବ, ସେଥିପାଇଁ ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରଚନା କରିଥିଲେ ‘କର୍ମକ୍ଷେତ୍ର’ ନାଟକ । ଆଧୁନିକ ଶିକ୍ଷାର ଅନ୍ତସାର ଶୂନ୍ୟତା ଓ ଶିକ୍ଷିତ ମାନଙ୍କର କର୍ମ ବିମୁଖତା ସାମାଜିକ ଜୀବନରେ ଯେଉଁ ସମସ୍ୟା ସୃଷ୍ଟି କରିଛି, ତାକୁ କୁଟୀର ଶିଳ୍ପ ସାହାଯ୍ୟରେ ଏଡ଼ାଇ ଦିଆଯାଇପାରେ ବୋଲି ନାଟ୍ୟକାର ଉକ୍ତ ନାଟକରେ ପ୍ରତିପାଦନ କରିଛନ୍ତି ।
ବସ୍ତୁତଃ ଭିକାରୀ ଚରଣଙ୍କ ନାଟକ ଗୁଡ଼ିକର ମୂଳ ଲକ୍ଷ୍ୟ ହେଲା – ସମାଜ ପାଇଁ ନାଟକ । ନାଟକ ହିଁ ସର୍ବକାଳୀନ ସମାଜର ଦର୍ପଣ । ହସେଇ ରସେଇ ପ୍ରକାଶ ପାଏ ଅଭିନୟର କଥାବସ୍ତୁ । ତେବେ ନାଟ୍ୟକାର ଭିକାରୀ ଚରଣ ନାଟକ ସହିତ ଆଉ ଯାହା କିଛି ସାହିତ୍ୟ କୃତି ଛାଡ଼ି ଯାଇଛନ୍ତି ସବୁଠି ସମାଜ ବଦ୍ଧତାର ଚିତ୍ର ପରିଦୃଷ୍ଟ । ସେ ଆଦିକାଳର ଓଡ଼ିଶାର ସମାଜନିଷ୍ଠ ନାଟ୍ୟକାର ମାନଙ୍କ ମଧ୍ୟରେ ଜଣେ ଅଗ୍ରଗାମୀ ସ୍ରଷ୍ଟା । ତାଙ୍କ ନାଟ୍ୟସୃଷ୍ଟିରେ ସାମାଜିକତାବୋଧ ସହିତ ସମାଜକୁ ସୁଧାରିବାର ମାର୍ଗ ପ୍ରଦର୍ଶିତ ହୋଇଛି । ଏଣୁ ତାଙ୍କର ନାଟକାବଳୀରେ କଳାକର୍ମର ଔଜଲ୍ୟ ନ ଥାଇପାରେ, ସାହିତ୍ୟିକ ବ୍ୟଞ୍ଜନାର ପ୍ରଭାମୟ ପ୍ରକାଶର ଅଭାବ ରହିଥାଇପାରେ, କିନ୍ତୁ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକଙ୍କ ପରି ସମାଜ ସଚେତନ ନାଟ୍ୟ ସ୍ରଷ୍ଟା କ୍ଵଚିତ ଲକ୍ଷିତ ହୁଅନ୍ତି । ସେ ଓଡ଼ିଶା ନାଟ୍ୟ ଜଗତରେ ଆଦିକାଳର ଅନ୍ୟତମ ସମାଜ ବିଶାରଦ ନାଟ୍ୟସ୍ରଷ୍ଟା, ଏହାକୁ ଅସ୍ବୀକାର କରାଯାଇ ନପାରେ । 
ଆଧାର: ଭିକାରୀ ଚରଣ ନାଟକ ସମୂହ , ଭିକାରୀ ଚରଣଙ୍କ ନାଟ୍ୟକୃତି, ଏକ ଅନୁଶୀଳନ, ଡ. ସତ୍ୟପ୍ରିୟ ସାହୁ 

Leave a Comment

Your email address will not be published. Required fields are marked *

Scroll to Top