ନାଟୁଆ ବାଳକୃଷ୍ଣ ମହାନ୍ତି

ଲେଖା: ଦେଵ ତ୍ରିପାଠୀ
“ଆଉ କାନ୍ଦନାରେ ବିଧୂବଦନା,
ବିଶ୍ୱାସରେ ବିଷ ଦେଇ ନାହିଁ ମୁଁ ନାରୀଶ,
ତୁ ମୋତେ ଦୋଷ ଦେଇ ବନ୍ଦନା” ।।
(ଅମର ବିଳାସ)

କଟକ ଜିଲ୍ଲାର ଏକ ମଫସଲି ଅଞ୍ଚଳ । ମଞ୍ଚରେ ଅଭିନିତ ହେଉଛି ‘ଅମର ବିଳାସ’ ନାଟକ । ନାଟକର ମହାନାୟକ ଅମରକୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କ ଅଭିନୟ ଏତେ ନିଖୁଣ ଥିଲା ଯେ, ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଯୁବକ ଅମରର ବ୍ୟାକୁଳ ନିବେଦନ ବିଗଳିତ କଲା ନାଟକ ଦେଖୁଥିବା ଜଣେ ବୟସ୍କ ଦର୍ଶକଙ୍କ ହୃଦୟକୁ । ‘ମାରନା, ତାକୁ ଛାଡିଦିଅ’ କହୁ କହୁ ପ୍ରାଣପକ୍ଷୀ ଉଡିଗଲା ସେଇଠାରେ ବୃଦ୍ଧଙ୍କର ।

ଜୀବନ୍ତ ଅଭିନୟ ଥିଲା ସେହି ଯାତ୍ରାଦଳ ଶ୍ରୀ ଶ୍ରୀ ଜୟଦୁର୍ଗା ନାଟ୍ୟମଣ୍ଡଳୀର ବିଶେଷତ୍ଵ । ସେଥିପାଇଁ ଏହି ଦଳ କେବଳ ଆମ ରାଜ୍ୟ ନୁହେଁ ବାହାର ରାଜ୍ୟରେ ମଧ୍ୟ ଚହଳ ସୃଷ୍ଟି କରିପାରିଥିଲା । ତେବେ ଏହି ଯାତ୍ରାଦଳର ଅପାର ସଫଳତା ପଛରେ ଥିଲା ଏହାର ପ୍ରାଣପ୍ରତିଷ୍ଠାତା ଭାବେ ଦଳ ସଂଗଠିତ କରି, ସମୟ ଉପଯୋଗୀ ନାଟକମାନ ରଚନା କରି, ନାଟକୁ ମଞ୍ଚସ୍ଥ କରାଇ, ଅଭିନୟ ଓ ମଞ୍ଚସଜ୍ଜାରେ ନୂତନତ୍ବର ସ୍ବାଦ ପରଷୁଥିବା ଅନନ୍ୟ ବିନ୍ଧାଣି ତଥା ଚିରସ୍ମରଣୀୟ ଲୋକକବି ‘ନାଟୁଆ’ ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିସିଦ୍ଧି, ସାଧନା, ସୁକୃତିର ପ୍ରବାଦ ପୁରୁଷ, ଯାତ୍ରାଜଗତର ଆଦ୍ୟ ପ୍ରବର୍ତ୍ତକ, ବିବିଧ ପ୍ରତିଭାର ଅଧିକାରୀ, ଯାତ୍ରା ଓ ନାଟକକୁ ମାର୍ଜିତ ଓ ଲୋକାଭିମୁଖୀ କରାଇଥିବା ସଫଳ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଯନ୍ତ୍ରଶିଳ୍ପୀ, ଚିତ୍ରଶିଳ୍ପୀ, ଅଭିନେତା ପରି ବହୁବିଧ ବ୍ୟକ୍ତିତ୍ଵସମ୍ପନ୍ନ ସାହିତ୍ୟସାଧକ ଥିଲେ ବାଳକୃଷ୍ଣ ମହାନ୍ତି । ଅଭିନୟ, ନାଟକ ଓ କଳା ପାଇଁ ଜୀବନକୁ ଉତ୍ସର୍ଗ କରିବା ନିଶ୍ଚିତ ଭାବରେ ସ୍ବତନ୍ତ୍ର ସମ୍ମୋହନର କଥା । ଜନ୍ମଗତ ଅଭିପ୍ରେରଣା ଏବଂ ଅଭିପ୍ସା ବିନା କେହି କେବେ ଏହି ଦୁର୍ବିସହ ପଥର ପଥିକ ହେବାକୁ ଚାହିଁବ ନାହିଁ । ନିଜର ସବୁ ସୁଖସ୍ବାଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ସେହି ସାଧନାରେ ନିମଗ୍ନ ଜଣେ କଳାମନସ୍କ ବ୍ୟକ୍ତିତ୍ଵ ଥିଲେ ବାଳକୃଷ୍ଣ ।

ଶିକ୍ଷାକୁ ଜଳାଞ୍ଜଳି ଦେଇ ସେ ବନିଯାଇଥିଲେ ନାଟୁଆ, ନାଟ୍ୟକାର । ପରିବାରର ଅସହଯୋଗ, ନୀତିବାନ ଓ ଆଦର୍ଶବାଦୀ ପିତାଙ୍କ କଡା ବିରୋଧ ସତ୍ତ୍ଵେ ଖଣ୍ଡିଏ ବେହେଲାକୁ ଆଧାର କରି ଆଦ୍ୟ କୈଶୋରରେ ସେ ବାଛି ନେଇଥିଲେ କୁଛ୍ର ସାଧନାର ପଥ, ତିଆରିଥିଲେ ନିଜର ଭବିଷ୍ୟତ । ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ କିଛି ନାଟ୍ୟମନସ୍କ ସାଥୀଙ୍କୁ ନେଇ ସେ ଗଢିଥିଲେ ଶ୍ରୀ ଶ୍ରୀ ଜୟଦୁର୍ଗା ନାଟ୍ୟମଣ୍ଡଳୀ । ଏକ ଅନନ୍ୟ ନାଟ୍ୟପ୍ରତିଭା ପ୍ରସ୍ଫୁଟିତ ହେବା ଏବଂ ବିକଶିତ ହେବାପାଇଁ ସେ ଥିଲା ଅୟମାରମ୍ଭ ।

ପ୍ରାଚୀନ କାଳରୁ ଲୋକନୃତ୍ୟ, ଲୀଳା, ସୁଆଙ୍ଗ ଆଦି ଓଡ଼ିଶାର ଐତିହ୍ୟ, ସଂସ୍କୃତି କଳାକୁ ଋଦ୍ଧିମନ୍ତ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଜାତିର କଳାପ୍ରୀତିକୁ ଉଜ୍ଜୀବିତ କରି ରଖିଛି । ଏ‌ହି କ୍ରମରେ ନିଜ ଜୀବନର ନିଶା ଓ ପେସା ଭାବେ ଗ୍ରହଣ କରି ନାଟ୍ୟଜଗତକୁ ନୂଆ ରୂପ ଦେବାରେ ବାଳକୃଷ୍ଣଙ୍କ ଅବଦାନ ଅନସ୍ବୀକାର୍ଯ୍ୟ ।

ସମଧାରାର ପଥିକ ଓ ସମସାମୟିକ ଗଣକବି ବୈଷ୍ଣବ ପାଣିଙ୍କ ସହ ତୀବ୍ର ପ୍ରତିଦ୍ବନ୍ଦିତା ଥିଲା ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣଙ୍କର । ବିଭିନ୍ନ ସମୟରେ ଏହି ଦୁଇ ମହାରଥୀ କରୁଥିଲେ ବାଦୀଯାତ୍ରା । ପରସ୍ପର ବିରୋଧରେ ଲେଖା ମାନ ହାସ୍ୟରସ ମାଧ୍ୟମରେ ପରିବେଷଣ କରୁ କରୁ ପାଣି ରଚିଥିଲେ “ନାଟୁଆ ମହାନ୍ତି” ଓ ବାଳକୃଷ୍ଣ ସ୍ରଜିଥିଲେ “ପାଣିଧୋବଣୀ ଫାର୍ସ” ପରି କାଳଜୟୀ ଲୋକପ୍ରିୟ ଓ ଚିର ଜାଜ୍ଜ୍ୱଲ୍ୟମାନ ସୃଷ୍ଟି ।

ଗଣକବି ଓ ଲୋକକବି ଉଭୟ ଥିଲେ ସଫଳ ନାଟ୍ୟକାର । ଉଭୟ ଥିଲେ ସ୍ଵକୀୟ ପ୍ରତିଭାରେ ଉଦଭାସିତ; ଗୁରୁହୀନ, ଦୀକ୍ଷାହୀନ, ମନ୍ତ୍ରହୀନ – ମାତ୍ର ନିରାଜନାରେ ନିବିଡ଼ ସ୍ରଷ୍ଟା; ଉଭୟ ଥିଲେ ବହୁ ପରୀକ୍ଷା ନିରୀକ୍ଷାରେ ଉତ୍ତୀର୍ଣ୍ଣ ଓ ବିଦୀର୍ଣ୍ଣ ସତ୍ତା । ଗଣକବି ଥିଲେ ଅମିତ୍ରାକ୍ଷର ଛନ୍ଦକୁ ସଂଳାପରେ ପ୍ରୟୋଗ କରିବାରେ ସଫଳ ଶିଳ୍ପୀ, ନାଟ୍ୟାଚାର୍ଯ୍ୟ ଥିଲେ ପ୍ରଥମ ଗଦ୍ୟଧର୍ମୀ ସଂଳାପକାର । ଗଣକବିଙ୍କ ନାଟ୍ୟରେ ଗୀତାଭିନୟକୁ ଦିଆଯାଉଥିଲା ପ୍ରାଧାନ୍ୟ, ବାଳକୃଷ୍ଣଙ୍କ ନାଟକ ଥିଲା ବଳିଷ୍ଠ ସଂଳାପରେ ଭରପୁର । ଗଣକବିଙ୍କ ନାଟକରେ ଥିଲା ଆଲୋକର କିମିଆ, ବାଳକୃଷ୍ଣ ଦେଇଥିଲେ ଦୃଶ୍ୟସଜ୍ଜା କ୍ଷେତ୍ରରେ ଯାତ୍ରାଜଗତକୁ ନୂତନ ରୂପ ।

ଉଭୟ ଗଣକବି ଓ ଲୋକକବି ଥିଲେ ନୂତନଯୁଗ ଓ ଧାରାର ପ୍ରବର୍ତ୍ତକ । ତେବେ କଟକ ମାଟିରେ ଓଡିଶାର ପ୍ରଥମ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା ଥିଏଟରର କଳ୍ପନା ଓ ସ୍ଥାପନା ପଛରେ ରହିଥିଲା ବାଳକୃଷ୍ଣ ଙ୍କ ପ୍ରଚ୍ଛନ୍ନ ହାତ ।

ଗଣକବିଙ୍କ ପରି ଲୋକକବି ମଧ୍ୟ ଥିଲେ ସଂସ୍କାରଧର୍ମୀ, ଯାତ୍ରା ମାଧ୍ୟମରେ ସଂସ୍କାର ଆଣିବା, ଶିକ୍ଷା ଉପଦେଶ ଦେବା, ଜାତୀୟତାବାଦ ଉଦ୍ରେକ କରିବା ପାଇଁ ସେ ଥିଲେ ସତତ ଚେଷ୍ଟିତ । ତାଙ୍କର ସମ୍ବେଦନଶୀଳ ତାର ପ୍ରମାଣ ମିଳେ ତାଙ୍କ ନାଟକ ଓ ଗୀତିନାଟ୍ୟ ମାନଙ୍କରେ । ଗଣକବିଙ୍କ ପରି ତାଙ୍କ ରଚନାରେ ମଧ୍ୟ ଦେଖିବାକୁ ମିଳେ ପ୍ରେମ ଓ ପ୍ରଣୟର ଅପୂର୍ବ ସମନ୍ୱୟ ।

ଗଣକବିଙ୍କ ପରି ବାଳକୃଷ୍ଣ ମଧ୍ୟ ଥିଲେ ଆଶୁକବି । ଯାତ୍ରାପ୍ରେମୀଙ୍କ ମନୋଭାବ ଲକ୍ଷ୍ୟକରି ସେ ରଚିପାରନ୍ତି କବିତା ଅବା ଗୀତ, କ୍ଷଣିକରେ । ଏକଦା ବର୍ଷାଯୋଗୁଁ ରଜର ଯାତ୍ରା ବାଧାପ୍ରାପ୍ତ ହେବାକୁ ଦେଖି ସେ ଗାଇଥିଲେ:
“ରଜ ସଜବାଜ ମଉଜକୁ
ଝିପି ଝିପି ବର୍ଷା ସାରିଦେଲା ରେ
ରଜ ସଜବାଜ ମଉଜ II”

ଅମରବିଳାସ, ବାଣାପରାଜୟ, କାଳୀୟଦଳନ ପରି ଶତାଧିକ କାଳଜୟୀ ନାଟକ ରଚନା କରିଥିବା ଏଇ ମହାନ ନାଟୁଆ ବାଳକୃଷ୍ଣ ଥିଲେ ଚିରଦୁଃଖୀ, ଚିରରୁଗ୍ଣ; ମାତ୍ର ଦୈନ୍ୟ, ରୋଗ କେବେ ମଧ୍ୟ ତାଙ୍କ କଳାର ସାଧନା କୁ ବ୍ୟାହତ କରିପାରି ନଥିଲା, ନିଜର ଯାତ୍ରା ଦଳ ପାଇଁ ସେ ବିକ୍ରି କରି ଥିଲେ ବହୁମୂଲ୍ୟ ପୈତୃକ ସମ୍ପତ୍ତି ।

ବାଳକୃଷ୍ଣଙ୍କ ଜୀବନକୁ ନିରିଖେଇ ଦେଖିଲେ ଲାଗେ, ସତରେ କଳାକାରର ଜୀବନ କେତେ କଣ୍ଟକିତ, କେତେ ଦୁଃସହ; ଅସରନ୍ତି ଦୁର୍ଦ୍ଦଶାର ପାହାଡ଼ଟିଏ ଅବା । ସାରା ଜୀବନ କଳାକୁ ନେଇ ବଞ୍ଚିଥିବା ଏହି ପ୍ରବାଦପୁରୁଷଙ୍କ ନାଟକଗୁଡିକରେ ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମର ବାର୍ତ୍ତା ଉଚ୍ଛୁରିତ ହେବା ଲକ୍ଷ୍ୟ କରି ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲେ ଗୁଣଗ୍ରାହୀ ବ୍ରିଟିଶ କର୍ମକର୍ତ୍ତା ।

ଅବିଭକ୍ତ କଟକ ଜିଲ୍ଲାର ପଳାଶୋବନ୍ଧ ଗ୍ରାମରେ ପବିତ୍ର ଭୌମ ଏକାଦଶୀ ତିଥିରେ ଜନ୍ମିତ ଏହି ମହାନ କଳାସାଧକଙ୍କୁ ନା ମିଳିଛି ଗବେଷକଙ୍କ ଧ୍ୟାନ ନା ସରକାରୀ ସ୍ବୀକୃତି । ତେବେ ଗୁଣଗ୍ରାହୀ ତଥା କଳାପ୍ରେମୀ ପଳାଶୋବନ୍ଧ ଗ୍ରାମବାସୀଙ୍କୁ କୋଟି ଧନ୍ୟବାଦ, କେହି ନ ଚାହିଁଲେ ମଧ୍ୟ ସେମାନେ ଆଜି କରୁଛନ୍ତି, ପୂଜ୍ୟପୂଜା, ତାଙ୍କ ମାଟିର ମହାପୁତ୍ରର, ସବୁବର୍ଷ ଭଳି ବାଳକୃଷ୍ଣ ସ୍ମୃତି ସଂସଦ ଆଜି ପାଳନ କରୁଛି ଏହି ତ୍ୟାଗୀପୁରୁଷଙ୍କର ସ୍ମୃତି ଚାରଣ ।

Leave a Comment

Your email address will not be published. Required fields are marked *

Scroll to Top