ଗୋହିରାଟିକିରି

ଲେଖା: ଦେଵ ତ୍ରିପାଠୀ
ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ କରିଛନ୍ତି ସେ ମାଟିକୁ ! ମଥା ପାତିଛନ୍ତି ସେ ବୀରରକ୍ତ-ରଞ୍ଜିତ ମାଟିରେ ! ଖୋଲିଦେଇଛନ୍ତି ସେ ମାଟିର ପ୍ରାଣବନ୍ତ ଇତିହାସକୁ !
ଭଦ୍ରକ ଜିଲ୍ଲା ଧର୍ମନଗର ପଞ୍ଚାୟତ ସମିତି ଅନ୍ତର୍ଗତ ଦୋବଲ ପଞ୍ଚାୟତର ଗାଁ ଗୋହିରାଟିକିରି । ସେ ଗାଁର ରଙ୍ଗମାଟିରେ କାନଡ଼େରିଲେ ଶୁଣିହୁଏ ଉତ୍କଳୀୟ ରାଜାଙ୍କ ରୋମାଞ୍ଚଭରା ବୀରତ୍ୱର ଗାଥା ! ସେଇ ଉଷ୍ମ ମାଟିରୁ ମଧ୍ୟ ଉତୁରି ଆସେ ବିଶ୍ୱାସଘାତକତାର ବିକଟ ଗନ୍ଧ ! 
୧୫୩୮ ମସିହାରେ ସୂର୍ଯ୍ୟବଂଶୀ ପ୍ରତାପୀ ମହାରାଜା ପ୍ରତାପରୁଦ୍ର ଦେବଙ୍କ ଅନ୍ତେ ଓଡ଼ିଶା ମାଟିରେ ଦେଖାଦିଏ ରାଜନୀତିକ ଅସ୍ଥିରତା ! କ୍ଷମତାଲିପ୍ସୁ ଧୂର୍ତ୍ତ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଗଜପତିଙ୍କ ଦୁର୍ବଳ ପୁତ୍ରଦ୍ଵୟଙ୍କୁ ହତ୍ୟା କରି ଅଧିକାର କରିନିଏ ରାଜଗାଦି ! ପ୍ରତିଷ୍ଠିତ ହୁଏ ଭୋଇବଂଶ ! 
ଭୋଇବଂଶୀ ରାଜା ମୁକୁନ୍ଦଦେବ ଏକଦା ଜିଣିଥିଲେ ବଙ୍ଗରାଜ୍ୟକୁ ! ଉଠାଇଥିଲେ ଭୋଇବଂଶର ବିଜୟଧ୍ୱଜା ଗଙ୍ଗାନଦୀ କୂଳରେ ! ତ୍ରିବେଣୀଘାଟ ଅବା ମୁକୁନ୍ଦଘାଟ ପ୍ରତିଷ୍ଠା କରିଥିଲେ ସେଠାରେ ! 
ଓଡ଼ିଶା ମାଟିରେ କିନ୍ତୁ କ୍ଷମତାର ଲୋଭ ସହିତ ଇର୍ଷାର ନିଆଁ ଜଳୁଥିଲା ! ମୁକୁନ୍ଦଦେବଙ୍କ ଅବର୍ତ୍ତମାନରେ ମୁଣ୍ଡ ଟେକିଲା ସାରଙ୍ଗଗଡ଼ର ଧୂର୍ତ୍ତ ସାମନ୍ତରାଜା ରାମଚନ୍ଦ୍ର ଭଞ୍ଜ ! ନିଜକୁ ଅଭିହିତ କଲା ଗଜପତି ଭାବେ !
ସେପଟେ ମୁକୁନ୍ଦଦେବଙ୍କ ପ୍ରତିପତ୍ତିର ବିସ୍ତାରରେ ଅନ୍ତରରେ ଜଳୁଥିଲା ବଙ୍ଗର ନବାବ ସୁଲେମାନ । ମୁକୁନ୍ଦ ଦେବଙ୍କୁ କଳେବଳେ ନିପାତ କରି ଓଡ଼ିଶାଭୂଖଣ୍ଡର ଅଧୀଶ୍ଵର ହେବା ଲକ୍ଷ୍ୟରେ ସୁଲେମାନ ସହିତ ହାତ ମିଳାଇବା ପାଇଁ ନିଜର ସେନାପତି ଶିଖିମନାଇଙ୍କୁ ପ୍ରେରଣ କରି ବିଶ୍ୱାସଘାତକତାର ପ୍ରଥମ ବୀଜରୋପଣ କରିଥିଲା ରାଜା ରାମଚନ୍ଦ୍ର ! 
ସୁଲେମାନର ଆକ୍ରମଣ ଯୋଜନା ବିଷୟରେ ଅବଗତ ହୋଇ ଗଙ୍ଗାତଟରୁ ଝପଟି ଆସିଥିଲେ ମୁକୁନ୍ଦଦେବ । ଗୋହିରାଟିକିରି ଠାରେ ମୁକୁନ୍ଦ ଦେବ ଲଢିଥିଲେ ସୁଲେମାନ, ଦୁର୍ଦ୍ଧର୍ଷ ଆଫଗାନ ବାହିନୀ ତଥା ରାମଚନ୍ଦ୍ର ସହିତ ଅନ୍ୟାନ୍ୟ କ୍ଷମତାଲୋଭୀ ରାଜା କେଇଜଣଙ୍କ ସହ ! 
ରାମଚନ୍ଦ୍ରର କ୍ଷମତା ଓ ରାଜ୍ୟପ୍ରାପ୍ତିର ମୋହ ଥିଲା ଅହେତୁକ ! ଚଞ୍ଚକତା ପୂର୍ବକ ପଶ୍ଚାତଦେଶରୁ ଛୁରିକାଘାତ କରିଥିଲା ସେ ! ପରିତାପର ବିଷୟ, ମୁକୁନ୍ଦ ହରିଚନ୍ଦନ ଦେବ ବାହ୍ୟଶତ୍ରୁଙ୍କ ହାତରେ ନିଧନ ହୋଇ ନ ଥିଲେ, ତାଙ୍କୁ ହତ୍ୟା କରିଥିଲେ ତାଙ୍କ ଆପଣାର ଲୋକେ ।
ଗୋହିରାଟିକିରିର ରକ୍ତାକ୍ତ ମାଟିରେ ଲେଖାହୋଇଗଲା ବୀରତ୍ୱର ଗାରିମା ସହିତ ବିଶ୍ୱାସଘାତକତାର କଳାକାହାଣୀ ! 
ଗଉରବବିଜଡିତ ଗୋହିରାଟିକିରି ଗ୍ରାମର ଶେଷପ୍ରାନ୍ତରେ ଗେଙ୍ଗୁଟି ନଦୀକୂଳର ସେ ବିସ୍ତୀର୍ଣ୍ଣ ପଡ଼ିଆଟି ସେଇ ବୀରତ୍ୱର ନିରବିତ ସାକ୍ଷୀ ! ସୁଲେମାନର ସହଯୋଗୀ ଆଲାମଚାନ୍ଦଙ୍କ ନାମାନୁସାରେ ତଥା ସୈନ୍ୟ ମାନଙ୍କ ବ୍ୟବହାର ପାଇଁ ଖନନ କରାଯାଇଥିବା ଆଲାମଚାନ୍ଦ ପୋଖରୀ, ରାଣୀ ପୋଖରୀସେନାପତିଆ ପୋଖରୀ ଏବେ ମଧ୍ୟ ବହନକରେ ସେଇ ଭୟଙ୍କର ଯୁଦ୍ଧର ସ୍ମୃତି !
ଯୁଦ୍ଧ ପଡ଼ିଆର ଶେଷଭାଗରେ ଏକ ପୁରୁଣା ଅର୍ଜୁନ ବୃକ୍ଷମୂଳରେ କେହି ଜଣେ ସ୍ଥାପନ କରିଥିଲେ ହନୁମାନଙ୍କ ପ୍ରସ୍ତର ମୂର୍ତ୍ତି ଏବଂ ପରବର୍ତ୍ତୀ ସମୟରେ ମୁକୁନ୍ଦଦେବଙ୍କ କଳା ମୁଗୁନିପ୍ରସ୍ତରର ମୂର୍ତ୍ତି । 
ବୀରରକ୍ତସିକ୍ତ ଗୋହିରାଟିକିରି ମାଟିର ସନ୍ତାନମାନେ ଓଡ଼ିଶାର ଶେଷ ହିନ୍ଦୁସମ୍ରାଟ ମୁକୁନ୍ଦଦେବଙ୍କୁ ହୃଦୟରେ ଦେଇଥିଲେ ଦେବତାର ସ୍ଥାନ ! ହନୁମାନଙ୍କ ସହ ପୂଜା ଅର୍ଘ୍ୟ ମଧ୍ୟ ପାଉଥିଲେ ବୀରରାଜା !
ଏବେ ସେସବୁ ଇତିହାସ ! 
ଏବେ ଓଡ଼ିଆଙ୍କ ବୀରତ୍ୱର ପରାକ୍ରମର ଗାଥା ଶୁଣାଉଥିବା ସେଇ ବୀରଭୂମିରେ କିନ୍ତୁ ସେ ଦେବତାଦ୍ଵୟ ଅପାଙ୍କ୍ତେୟ ! ଉଭୟ, ମହାବୀର ହନୁମାନ ! ମହାବୀର ମୁକୁନ୍ଦ ହରିଚନ୍ଦନ ଦେବ ମଧ୍ୟ ! 
ତଥ୍ୟ ଆହରଣ: 
୧. ଓଡ଼ିଶା ଇତିହାସ, ପ୍ରୀତୀଶ ଆଚାର୍ଯ୍ୟ
୨. ଉତ୍କଳ ପ୍ରସଙ୍ଗ, ଜୁଲାଇ ୨୦୧୪
୩. Orissa District Gazetteers, Baleswar
୪. ମହନ୍ତ ବୀରବର ଦାସ, ଗୋହିରାଟିକିରି ମଠ
୫. ଗୋନାସିକା ନନ୍ଦିନୀ ବୈତରଣୀ, ରଞ୍ଜନ ପ୍ରଧାନ

Leave a Comment

Your email address will not be published. Required fields are marked *

Scroll to Top