ଗାଁ ମଶାଣି

ଲେଖା: ଅକ୍ଷୟ ଓଝା

ଯେଉଁଠି ଏନ୍ତୁଡି, ସେଇଠି ମଶାଣି । ମୋ ଗାଁ ମଶାଣି । ଆମ ଗାଁ ସ୍ଵର୍ଗଦ୍ୱାର । ଆମ ଗାଁର ସେଇ ଦାଣ୍ଡିପଡି଼ଆ କଣରେ । ଶେଷ ଯାତ୍ରାରେ କେତେ ଯେ ଗଲେଣି ମୁଁ ଗଣିପାରିନି କେବେ ! କିନ୍ତୁ, ହଁ ଅନେକ ଗଲେଣି ଯେଉଁମାନଙ୍କ କୋଳରେ କାଖରେ ବଢ଼ିଥିଲି ! ତାଗିଦ ଶୁଣିଥିଲି ଯାହାଙ୍କୁ ମୁଁ ଡରୁଥିଲି ଓ ସମ୍ମାନ କରୁଥିଲି ! ଗୋଟି ଗୋଟି ହେଇ ଗଲେଣି ସେଇ ସ୍ଵର୍ଗଦ୍ଵାରକୁ !

ଆମ ଗାଁ ରାଇଁଲୋ । ଏକ ଛୋଟ ଗାଁ ତିନି ଭାଗରେ ବିଭକ୍ତ । ଉପର ରାଇଁଲୋ, ମଠସାହି, ତଳ ରାଇଁଲୋ, ମୋ ଘର ଉପର ରାଇଁଲୋ ଆଳି ରିଙ୍ଗବନ୍ଧ କଡ଼ରେ । ଶସ୍ୟଶ୍ୟାମଳ ଭରା ଉପର ବିଲ ଓ ତଳବିଲ । ଆମ ଗାଁର ଭାତହାଣ୍ଡି । ଧାନକଟା ପରେ ଗାଈପାଳି ତଳବିଲ ଆଡେ ଘାସ ଚରନ୍ତି ଆଉ ଫସଲ ସମୟରେ ଗାଈପାଳି ଉପର ବିଲରେ ବୁଲନ୍ତି । ଗାଁରେ ଛୋଟ ଶିବ ମନ୍ଦିର ଟିଏ । ଗାଁ ପୋଖରୀ ମନ୍ଦିରକୁ ଲାଗି । ସାହି ଭିତରେ ବିଶ୍ଵକର୍ମା ମନ୍ଦିର । ଗାଁ ପଛଆଡେ ବିରାଟ ଗାଁ ଖେଳପଡ଼ିଆ । ପଡ଼ିଆକୁ ଲାଗି ଗାଁ ମଶାଣି ।

ପିଲାବେଳେ ଭାରି ଡର ଲାଗେ ମଶାଣି ଆଡେ ଯିବାକୁ । ଘଞ୍ଚ କିଆବୁଦା । ବଡ଼ ବଡ଼ ବରଗଛ, ଅଶ୍ୱତ୍ଥ ଗଛ, ବାଗଲା ଗଛ । ମାଳ ମାଳ ମାଟିହାଣ୍ଡି । କୋକେଇ ବାଆଂଶ । ଭାରି ଡର ଲାଗେ ସିଆଡେ ଅନେଇ ଦେଲେ ।

ଆମ ଗାଆଁ ପିଲାଏ ସେଇ ମଶାଣି ଆଖପାଖ ପଡ଼ିଆରେ ସଞ୍ଜ ବେଳକୁ ସ୍କୁଲରୁ ଫେରି ଖେଳିବାକୁ ଏକାଠି ହଉ । କ୍ରିକେଟ, ଫୁଟବଲ କେତେ କେଜାଣି ଖେଳ । ଥରେ କ୍ରିକେଟ ଖେଳୁ ଖେଳୁ ପ୍ରତିଦ୍ୱନ୍ଦୀ ଟିମର ଜଣେ ଖେଳାଳି ଜୋରରେ ସର୍ଟ ମାରିଲା ମଶାଣି ଆଡକୁ । ସେଇ ପଟରେ ମୁଁ ଫିଲଡିଂ କରୁଥିଲି । ବଲ୍ ଗଡ଼ି ଗଡ଼ି ମଶାଣି ଭିତରକୁ ଚାଲିଗଲା । ମୁଁ ଖେଳ ନିଶାରେ ଦୋୖଡ଼ି ଦୋୖଡ଼ି ଯାଇ ବଲକୁ ଉଠାଇ ଆଣିଥିଲି ।

ସଞ୍ଜକୁ ଜର ହେଲା । ବୋଉ ଚିନ୍ତିତ ହେଇଗଲା । କାହାରି ଠାରୁ ଖବର ପାଇଲା ମୁଁ ମଶାଣି ଭିତରକୁ ଚାଲି ଯାଇଥିଲି ବଲ ଆଣିବାକୁ । ନିଶ୍ଚୟ ସେଠି ପଡ଼ିଥିବା ମାଟିହାଣ୍ଡିକୁ ଛୁଇଁ ଦେଇଥିବି ବୋଲି । ରାତି ବଢିଲାକୁ ମୋ ଦେହରେ ଜର ବଢିଲା । ମୁଁ ଯାହା ଜାଣି ପାରୁଥିଲି ଜରର କାରଣ, କାଲି ପୋଖରୀରେ ଯେଉଁ ଉଦଣ୍ଡ ପହଁରା ବାଜି ଚାଲିଥିଲା ସେଇଟା ହେଇପାରେ । ଦୁଇ ଘଣ୍ଟା ପୋଖରୀ ପାଣିରେ ଡିଆଁକୁଦା । କିନ୍ତୁ ବୋଉ ମାନିବାକୁ ପ୍ରସ୍ତୁତ ନ ଥିଲା ।
 
ରାତି ନ’ଟାରେ ଭାଇ ଗୁଣିଆକୁ ଖବର ଦେଲା । ଅନାମ ଭାଇ ଲଣ୍ଠନ ଧରି ପହଞ୍ଚି ଗଲେ ଆମ ଦାଣ୍ଡରେ । ବୋଉକୁ ମାନନ୍ତି ଗାଆଁ ଗୋଟାକ ଲୋକେ । ବୋଉ ସମସ୍ତଙ୍କ ସୁଖ ଦୁଃଖରେ ଥାଏ । ବହେ ଝାଡ଼ଫୁଙ୍କ କଲେ ଅନାମ ଭାଇ। ବହୁତ ଉଚ୍ଚ ସ୍ବରରେ ମନ୍ତ୍ର ପଢ଼ିଲେ । ଟିପ ବଜେଇ ଖୁବ ଜୋର୍’ରେ ଫୁଙ୍କିଲେ ଅନାମ ଭାଇ ଗୁଣିଆ । କହିଗଲେ କାଲି ସଞ୍ଜକୁ ଆଉଥରେ ଝାଡ଼ପରେ ସବୁ ଠିକ ହେଇ ଯିବ ।

ବୋଉ ରାତି ସାରା ଶୋଇନି । କେତେ ବେଳେ ଲୁହାକଣ୍ଟାଟିଏ ମୁଣ୍ଡ ପାଖରେ ତ କେତେ ବେଳେ ତକିଆ ପାଖରେ ଝାଡୁ଼ ମୁଠାଏ । ସକାଳ ହେଲାରୁ ଗାଧୋଇ ଓ ଗନ୍ଧବଳା ବାଟି, ମନ୍ଦାରଫୁଲ ତୋଳି ଥାଳିରେ ରଖି ବାହାରିପଡ଼ିଲା ଗାଁ ଠାକୁରାଣୀ ମାଳ । ନୂଆପଡ଼ା ଠାକୁରାଣୀ ମାଳ ଆମ ଗାଁ ଇଷ୍ଟଦେବୀ । ବଡ଼ବୋଉ କହିଲା ଯେ ଠାକୁରାଣୀ ଗାଧେଇ ଦେ ଡାଆଣି ନଜର ଛାଡ଼ି ଯିବ । ବୋଉ ସଙ୍ଗେ ସଙ୍ଗେ ସେଇଆ ହିଁ କଲା ।

ଆଜି ବୋଉ ନାହିଁ କି ବଡ଼ବୋଉ ନାହିଁ । ଏଇ ମଶାଣିରେ ବିଲୀନ ହେଇଯାଇଛନ୍ତି । କେତେ ମୋ ଗାଁର ସବୁ ଗୁରୁଜନ ଏଇଠି ଲୀନ ହେଇଗଲେଣି ।

ସହରରୁ ଆସିଲା ପରେ ଥରେ ସେଇ ଗାଁ ମଶାଣି ଆଡ଼କୁ ଗଲି । ମୋତେ ଆଉ ଡର ଲାଗୁନଥିଲା ଆଗ ଭଳି । ବହୁତ କିଛି ମନେ ପକେଇଲି । ସେମାନେ ଗୋଟି ଗୋଟି ମନେ ପଡ଼ିଲେ ଯେଉଁମାନେ ଚାଲିଗଲେଣି ।

ମଶାଣି ମଝିରେ ଛିଡ଼ା ହୋଇଥିବା ସେଇ ଅଶ୍ୱତ୍ଥ ଗଛ ଆଡକୁ ମନ ଭରି ଅନେଇଲି । ସମସ୍ତଙ୍କୁ ମନେ ପକେଇଲି । କେହି ଦିଶିଲେନି କିନ୍ତୁ ନିସଙ୍ଗତାରେ ପବନର ହାଲୁକା ହଲଚଲରେ ସମସ୍ତଙ୍କ ଉପସ୍ଥିତି ଅନୁଭବ କଲି ।

ମନେମନେ ଇଶ୍ଵରଙ୍କୁ ପ୍ରାର୍ଥନା କଲି ଏଇ ମୋ ଗାଁ ମଶାଣି ସ୍ଵର୍ଗଦ୍ଵାର ପାଇଁ . .  “ଜଳିବ ପୁଣି ସେଇଠି ଶେଷେ ମୋହରି ଚିତା ନିଆଁଟି ?” 

Leave a Comment

Your email address will not be published. Required fields are marked *

Scroll to Top