ଖପରଖାଇ

ଲେଖା: ଶିଶିର ସାହୁ ମନୋଜ

ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ ।

ଏହି ଖପରଖାଇ ପକ୍ଷୀର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ  ଇଂରାଜୀ ନାମ oriental darter, indian darter ଓ snakebirds କୁହାଯାଏ ।

ଖପରଖାଇକୁ ପେଙ୍ଗୁଇନ, ବତକ ଓ ହଂସ ଇତ୍ୟାଦିଙ୍କ Suliformes ଵର୍ଗରେ ଵର୍ଗିକୃତ କରାଯାଇଛି ।

ଭାରତର ଭିନ୍ନ ଭିନ୍ନ ଭାଷାରେ ଏ ପକ୍ଷୀର ଵିଭିନ୍ନ ନାମ ପ୍ରଚଳିତ ଉଦାହରଣ ସ୍ଵରୂପ ଭୋଜପୁରୀରେ ଏ ପକ୍ଷୀକୁ ପନଵା, ବଙ୍ଗାଳୀରେ ଗୟାର, ଗୁଜରାଟୀରେ ସର୍ପଗ୍ରୀଵା ଓ ମଲୟାଲମୀରେ ଚେରକ୍କୋଳ଼ି କୁହାଯାଇଥାଏ ।

ତେଵେ ଖପରଖାଇ ପକ୍ଷୀର ଏଭଳି ଓଡ଼ିଆ ନାମକରଣ ପଛର କୌଣସି ଯୁକ୍ତିଯୁକ୍ତ ତଥ୍ୟ ପ୍ରାପ୍ତ ହୋଇପାରେ ନାହିଁ । ଓଡ଼ିଆ ଭାଷାରେ ଆଉ ଏକ ଶବ୍ଦ ଖପରାଖାଈ ସହିତ ଖପରଖାଇ ଶବ୍ଦର ସାମଞ୍ଜସ୍ୟ ଦୃଶ୍ଯ ହୁଏ ।

ଖପରାଖାଈ ଶବ୍ଦର ନାନା ଅର୍ଥ ରହିଛି ଏଵଂ ଏ ଶବ୍ଦ କେତେକ ଅଞ୍ଚଳରେ ଗାଳି ଭାଵେ ଵ୍ଯଵହୃତ ହୋଇଥାଏ । ଖପରଖିଆର ସ୍ତ୍ରୀଵାଚକ ରୂପ ଖପରାଖାଈ ।

ଯିଏ ଖପରାରେ ଖାଏ ଅର୍ଥାତ୍ ଯା’ ପାଖରେ ମାଟିହାଣ୍ଡିଟିଏ ବି ନାହିଁ ମାନେ ଅତି ଦରିଦ୍ର ଲୋକ ତାକୁ ଖପରାଖିଆ କୁହାଯାଏ ।

ଖପରଖାଈ ଶବ୍ଦର ଦ୍ଵିତୀୟ ଅର୍ଥ ଆହୁରି କୌତୁହଳପ୍ରଦ । ଆମ ଓଡ଼ିଶାରେ ଚଣ୍ଡୀଙ୍କ ପରି ଅତିଶୟ ଉଗ୍ରପ୍ରକୃତିକା ମହିଳାଙ୍କୁ ମଧ୍ୟ ଖପରାଖାଈ କୁହାଯାଏ ।

ଚଣ୍ଡୀ ଠାକୁରାଣୀ ଯେପରି ଖପରା ଵା ମନୁଷ୍ଯ ମୁଣ୍ଡର ଖପୁରିରେ ରକ୍ତପାନ କରନ୍ତି ସେହିପରି ପାନାହାର କରୁଥିଵା ଓ ତତ୍ସ୍ବଭାବ ସମ୍ପନ୍ନା ସ୍ତ୍ରୀଵିଶେଷଙ୍କୁ ମଧ୍ୟ ଖପରାଖାଈ କୁହାଯାଏ । ଏହି ଅର୍ଥରେ ପ୍ରଚଳିତ ଅନ୍ୟ ଏକ ଶବ୍ଦ ହେଉଛି ଅଣ୍ଡିରାଚଣ୍ଡି ।

ତେଵେ ସମ୍ଭଵତଃ ଖପରଖାଇ ପକ୍ଷୀଟି ଉଗ୍ର ସ୍ଵଭାଵର ହୋଇଥିଵା ଯୋଗୁଁ ଏହାର ଏପରି ନାମକରଣ ହୋଇଥାଇପାରେ । ତେବେ ଖପରଖାଇ ପକ୍ଷୀର ଆଉ କିଛି ନାମ ରହିଥିବା ମଧ୍ୟ ଅନୁମେୟ ।

© ଶବ୍ଦଭେଦ

Leave a Comment

Your email address will not be published. Required fields are marked *

Scroll to Top