କୋଟି ଶିବଲିଙ୍ଗର ପାହାଡ଼

ଲେଖା: ଦେଵ ତ୍ରିପାଠୀ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ୧୩କି.ମି. ଦୂର କୁଟୁଣଗୁଡାର କୁଟୁଣିପଦର ପାହାଡ଼ ଶିଖରରେ କୌଣସି ପ୍ରକାରର ଖନନ କରିବା ପୂର୍ବରୁ କେହି ବାରମ୍ବାର ଚିନ୍ତା କରିବାକୁ ବାଧ୍ୟହେବ, କାରଣ ଯେ କୌଣସି ସ୍ଥାନରୁ ଶିବଲିଙ୍ଗର ଆବିର୍ଭାବ ହୋଇପାରେ । ଉକ୍ତ ପାହାଡ଼ରେ କୋଟିଏରୁ ଉର୍ଦ୍ଧ୍ବ ଛୋଟବଡ଼ ଶିବଲିଙ୍ଗ ଥିବାର ସମ୍ଭାବନା ଅଛି ବୋଲି ଦୀର୍ଘ ୨୨ ବର୍ଷ ଧରି ମନ୍ଦିରରେ ପୂଜା କରିଆସୁଥିବା ପୂଜକ ମତଦିଅନ୍ତି ।

ପାହାଡ଼ ବକ୍ଷରେ ଅନିର୍ଦ୍ଦିଷ୍ଟ ସଂଖ୍ୟକ ଶିବଲିଙ୍ଗ ପରି ଅଜଣା ସେ ପାହାଡ଼ର ଇତିହାସ, ଅଜଣା ଏତେ ସଂଖ୍ୟକ ଶିବଲିଙ୍ଗ ପଛର ରହସ୍ୟ । ମାତ୍ର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଏଇ କୋଟି ଶିବଲିଙ୍ଗର ପାହାଡ଼ । ତେବେ ଏଇ ପାହାଡ଼ ଉପରେ ଅଗଣିତ ଶିବଲିଙ୍ଗ ସହିତ ୪/୫ ଫୁଟ ଉଚ୍ଚତା ବିଶିଷ୍ଟ ବହୁ ସଂଖ୍ୟକ ମୂର୍ତ୍ତିଗୁଡ଼ିକୁ ଦେଖିଲେ ଏହା ପଛରେ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଇତିହାସ ଥିବା ସ୍ପଷ୍ଟ ହୁଏ ।

ବୋଧହୁଏ ଇଏ ପୃଥିବୀର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶିବଙ୍କ ମେଳରେ (କହିବାର ଅର୍ଥ ଅସଂଖ୍ୟ ଶିବଲିଙ୍ଗ ମଧ୍ୟରେ) ପଥର ଖୋଦେଇ ମୂର୍ତ୍ତି ଭାବେ ପୂଜା ପାଇଆସୁଛନ୍ତି ଶ୍ରୀଜଗନ୍ନାଥ, ପାହାଡ଼ ଓ ଜଙ୍ଗଲର ନୈସର୍ଗିକ ପରିବେଶରେ, କାଇଁ କେତେ ଯୁଗରୁ, ଆଦିବାସୀଙ୍କ ଆରାଧ୍ୟ ଦେବାଦେବୀ ଭାବରେ . . !


ଗୁରୁତ୍ୱର କଥା ଯେ ଏଠାରେ ଦିଅଁଙ୍କ ନିକଟରେ କେବଳ ନାରିକେଳ ଓ ବେଲ ହିଁ ଭୋଗ ଭାବେ ଲାଗି ହୁଏ । କୋଟି ଶିବଲିଙ୍ଗଙ୍କ ଭାବବିହ୍ୱଳିତ ଭକ୍ତଙ୍କ ଭାଷାରେ ବୋଧହୁଏ ମହାଦେବଙ୍କ ଅପାର ମହିମାରୁ ଏଇ ପାହାଡ଼ରେ ଦୃଶ୍ୟମାନ ଅସଂଖ୍ୟ ବେଲବୃକ୍ଷ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସମେତ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳର ଶିବଭକ୍ତଙ୍କ ମେଳରେ ଚଳଚଞ୍ଚଳ ହୋଇଉଠୁଥିବା ଏଇ ପୀଠଟି ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିଲେ ମଧ୍ୟ ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ରହିଆସିଛି । ତେବେ ସ୍ଥାନୀୟ ଜନପ୍ରତିନିଧିଙ୍କ ନିଷ୍ଠାପର ଉଦ୍ୟମରେ କିଛି ବର୍ଷ ପୂର୍ବେ ଏହି ସ୍ଥାନକୁ ଉତ୍ତମରୂପେ ସଡକସଂଯୋଗ ହୋଇପାରିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କିଛି ନାହିଁ । ଏପରିକି, ଜଳଖିଆ ଏବଂ ପାନୀୟଜଳର ବ୍ୟବସ୍ଥା ନ ଥିବାରୁ ଭକ୍ତଗଣ ସେ ପୀଠକୁ ଖାଦ୍ୟପାନୀୟ ନେବାକୁ ଭୁଲନ୍ତି ନାହିଁ ।

ବ୍ରହ୍ମପୁର ପଟୁ ଯିବାକୁ ହେଲେ କୋରାପୁଟଗାମୀ ରେଳରେ ଯାଇ ଲକ୍ଷ୍ମୀପୁର ଷ୍ଟେସନରେ ଓହ୍ଲାଇ ଅଟୋଯୋଗେ ଏ ପୀଠକୁ ଯାଇହେବ, ଅନ୍ୟଥା ଲକ୍ଷ୍ମୀପୁରରୁ ବସ୍ ଯୋଗେ ୧୦କି.ମି. ଦୂର କୁସୁମଗୁଡା ଯାଇ ସେଠାରୁ ଅଟୋ ଯୋଗେ ୩/୪ କି.ମି. ଦୂରର ଏହି ପୀଠକୁ ଯାଇହେବ । ବର୍ଷର ଯେ କୌଣସି ସମୟରେ ଏଠାକୁ ଯାଇହେଉଥିଲେ ମଧ୍ୟ ବର୍ଷା ଏବଂ ଘନଶୀତ ସମୟ ବ୍ୟତୀତ ଅନ୍ୟ ସମୟ ଅତ୍ୟନ୍ତ ଉପଯୁକ୍ତ ।

ତଥ୍ୟ ସୌଜନ୍ୟ: “ସମାଜ”

Leave a Comment

Your email address will not be published. Required fields are marked *

Scroll to Top