କୁମାର

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ:
*ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ
*ପଵନ କୁମାର ପାତ୍ର
ଇତ୍ୟାଦି ଇତ୍ୟାଦି…

ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ ଦେଖାଯାଏ ଆମ କଳିଙ୍ଗ ଦେଶରେ ହେଲେ କେଵେ ଆପଣଙ୍କ ମନକୁ ଏ ପ୍ରଶ୍ନ ଅସିଛି କି କାହିଁକି ଏହି ‘କୁମାର’ ସଂଯୁକ୍ତ କରାଯାଏ ?

ଏହି ପ୍ରଶ୍ନର ଉତ୍ତର ପାଇଵାକୁ ହେଲେ ଆମକୁ ପ୍ରଥମେ ଏହି ଶବ୍ଦ ଵିଷୟରେ ଜାଣିଵାକୁ ହେଵ ।

ଏହା ଏକ ସର୍ଵଭାରତୀୟ ଶାସ୍ତ୍ରୀୟ ଶବ୍ଦ ଯାହାର ପ୍ରାଚୀନ ଭାରତୀୟ ଭାଷା ଵିଜ୍ଞାନୀମାନେ  ଅନେକ ସମ୍ଭାଵିତ ନିରୁକ୍ତି ନିରୂପଣ କରିଅଛନ୍ତି । ଯଥା:
୧. କୁ(କୁତ୍ସିତ; ଅଳ୍ପ)+ମାର=କନ୍ଦର୍ପ(ବହୁଵ୍ରୀହି ସମାସ)
୨. କୁମାର୍=କ୍ରୀଡା କରିବା+କର୍ତ୍ତୃ. ଅ(ଧାତୁ ପ୍ରତ୍ଯୟାନ୍ତ)

ଏ ଶବ୍ଦର ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି, ଯଥା:
୧. ପୁତ୍ର – ରାଜକୁମାର ଓ ଅଶ୍ବାନୀ କୁମାର ଇତ୍ଯାଦି ଶବ୍ଦରେ ଥିଵା କୁମାର ଶବ୍ଦ ପୁତ୍ର ଅର୍ଥରେ ଲାଗିଛି । ଓଡ଼ିଆ ଭାଷାରେ ପୁତ୍ର ଅର୍ଥରେ କୁମାର ଶବ୍ଦ କୁମରରେ ପରିଣତ ହୋଇଛି ।
୨. ପଞ୍ଚମ ବର୍ଷୀୟ ବାଳକ
୩. ଯୁଵକ
୪. କାର୍ତ୍ତିକେୟ
୫. ଟିକାଏତ; ରାଜପୁତ୍ର;ଯୁଵରାଜ
୬. ପାଞ୍ଚଵର୍ଷରୁ କମ୍ ଵୟସ୍କ ବାଳକ ଶିଶୁ
୭. ନିର୍ମଳ ସ୍ବର୍ଣ୍ଣ; ଖାଣ୍ଟି ସୁନା
୮. ସିନ୍ଧୁନଦୀର ଗୋଟିଏ ନାମ, ସମ୍ଭଵତଃ ସିନ୍ଧୁ ନଦୀର ଏ ନାମାନୁସାରେ ଭାରତଵର୍ଷକୁ କୁମାରଵର୍ଷ ମଧ୍ୟ କୁହାଯାଏ ।
୯. ସହିସ; ଅଶ୍ବବାରକ
୧୦. ଭାରତ ବର୍ଷର ନାମାନ୍ତର (ବାମନ ପୁରାଣ)
୧୧. ମଙ୍ଗଳଗ୍ରହ (ନବଗ୍ରହ ସ୍ତୋତ୍ର)
୧୨. କୁମାରପକ୍ଷୀ ଵା ଶୁକପକ୍ଷୀ
୧୩. କୁମାରପର୍ଵତ
୧୪. ବରୁଣ ଗଛ
୧୫. ସନକ, ସନଦ, ସନାତନ, ସନତ୍କୁମାର ଋଷିଙ୍କୁ କୁମାର କୁହାଯାଏ । ଏମାନେ ଶୈଶଵରୁ ବ୍ରହ୍ମଚାରୀ ଥିଵାରୁ ଏମନ୍ତ କୁହାଯାଏ ।
୧୬. ଅଶ୍ବଵାରକ ବୃକ୍ଷ
୧୭. ଅଵିଵାହିତ ବାଳକ
୧୮. କୁମ୍ଭକାର

ଏହି ଶବ୍ଦଟି ସାଧାରଣତଃ ପୁତ୍ର ଓ ରାଜପୁତ୍ର ଏଇ ଦୁଇଟି ଅର୍ଥରେ ଵିଶେଷ ଭାବେ ଵ୍ଯଵହୃତ ହୋଇଥାଏ । ଯେହେତୁ ଆମ୍ଭ ଦେଶରେ ରାଜାଙ୍କର ସମସ୍ତ ପ୍ରଜା ପୁତ୍ର ଵିଵେଚିତ ହୋଇଥାଆନ୍ତି ତେଣୁ ଏହି ଶବ୍ଦର ପ୍ରଚଳନ ନାମ ପରେ ଓ ସାଙ୍ଗିଆ ପୂର୍ଵରୁ ଲାଗିଵା ଆରମ୍ଭ ହୋଇଥିଵା ସମ୍ଭଵ।

ପ୍ରତ୍ୟେକ ମାତାପିତାଙ୍କ ପାଇଁ ତାଙ୍କ ପୁତ୍ରପୁତ୍ରୀମାନେ ଯେତେ ଦୁଷ୍ଟଦୁଷ୍ଟା ହେଲେ ବି ଖାଣ୍ଟି ସୁନା ! ପୁଣି ଯେତେ ବଡ଼ ହେଇଗଲେ ବି ବାପାମାଆଙ୍କ ଦୃଷ୍ଟିରେ ସେମାନେ ସବୁ ଛୋଟପିଲା । ପ୍ରତ୍ୟେକ ମାତାପିତାଙ୍କ ପାଇଁ ତାଙ୍କ ପିଲାଏ ରାଜକୁମାର ଓ ରାଜକୁମାରୀ ସଦୃଶ ଏଥିଯୋଗୁଁ ବି ଅନେକ ଅଵିଭାଵକ ନିଜ ସନ୍ତାନମାନଙ୍କ ନାମ ପରେ ଏହି ଶବ୍ଦ ଲଗେଇଵାକୁ ସୁଖ ପାଆନ୍ତି ।

ଉତ୍ତର ଭାରତୀୟ ଲୋକେ ଆପଣାର ସାଙ୍ଗିଆ ନଥିଲେ କିଂଵା କୌଣସି କାରଣରୁ ଲୁଚେଇଵାକୁ ଚାହୁଁଥିଲେ ନାମପରେ ଏହି ଶବ୍ଦ ଲଗାଇଥାଆନ୍ତି । ଏହି ଅଞ୍ଚଳରେ ତଥାକଥିତ ଉଚ୍ଚ ଓ ନିମ୍ନଵର୍ଗର ସନାତନୀ ତଥା ଧର୍ମ ପରିଵର୍ତ୍ତନ କରି ହିନ୍ଦୁ ହୋଇଥିଵା ଲୋକେ ଏମନ୍ତ କରିଥାଆନ୍ତି ।

ବେଳେ ବେଳେ ଦୁଇ ଓ ତିନି ଵର୍ଣ୍ଣ ଵିଶିଷ୍ଟ ନାମଗୁଡି଼କରେ ଭଲ ଶୁଣାଯିଵ ଏହି ଆଶାରେ ଏ ଶବ୍ଦ ଯୋଡ଼ା ଯାଇଥାଏ । ସନକାଦି ବ୍ରହ୍ମଚାରୀ ବ୍ରାହ୍ମଣ ପୁତ୍ରମାନଙ୍କୁ କୁମାର କୁହାଯାଏ ବୋଲି ବ୍ରାହ୍ମଣ ପୁତ୍ରମାନଙ୍କର ନାମ ପରେ ଏ ଶବ୍ଦ ଲାଗିଵାର ପ୍ରଥା ଆରମ୍ଭ ହୋଇଥିଵା ସମ୍ଭଵ ।

ଏହିଭଳି ନାମପରେ କୁମାର ଲଗାଯିଵା ପରମ୍ପରାର ସ୍ଥାନ ଓ ପରିସ୍ଥିତି ଭେଦରେ ନାନାଦି କାରଣ ଥାଇପାରେ ।

Leave a Comment

Your email address will not be published. Required fields are marked *

Scroll to Top