କର୍ଣ୍ଣଗଡ଼

ଲେଖା: ଅମ୍ବିକା ପଟ୍ଟନାୟକ
~ କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା ~
ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ “କର୍ଣ୍ଣଗଡ଼” l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦମାନଙ୍କ ମତରେ ଏହା ପ୍ରାୟ ଛ ଶହ ବର୍ଷ ପୁରୁଣା l କର୍ଣ୍ଣଗଡ଼ ଗ୍ରାମକୁ ଆମର ଏଇ ଅଭିଯାନ ଥିଲା ବିଛିନ୍ନାଞ୍ଚଳରେ ଅନ୍ୟ ଏକ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା  l
କର୍ଣ୍ଣଗଡ଼ ଗ୍ରାମର ଉତ୍ତରପାର୍ଶ୍ୱରେ ଏକ ଗଡ଼ର ଭଗ୍ନାବଶେଷ l 1757ରେ ପଲାସୀ ଯୁଦ୍ଧ ପରେ ଇଂରେଜମାନେ ଏଇ ଅଞ୍ଚଳ ନିଜ ଅଧୀନକୁ ନେଇଥିଲେ l ସ୍ମରଣଯୋଗ୍ୟ ଏହା ଯେ 1720 ବେଳକୁ ବଙ୍ଗ ବିହାର ଓଡ଼ିଶାର ନବାବ ମୁର୍ଷିଦ କୁଲି ଖାଁ ମେଦିନୀପୁର ଅଞ୍ଚଳକୁ ଓଡ଼ିଶାରୁ ଅଲଗା କରି ବଙ୍ଗଳାରେ ମିଶାଇ ଦେଇଥିଲେ l ଇଂରେଜମାନେ ସେ ଜାଗା ଅଧିକାର କରି ନିଷ୍କର ପାଇକାଳି ଜମି ଉପରେ କରଧାର୍ଯ୍ୟ କରିଥିବାରୁ 1770ରୁ 1799 ପ୍ରଜା ବିଦ୍ରୋହ ଚାଲିଥିଲା l ଏହା “ଚୁଆର ବିଦ୍ରୋହ” ନାମରେ ଖ୍ୟାତ l
କର୍ଣ୍ଣଗଡ଼ ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ପ୍ରାୟ 80 ଫୁଟ ଓସାର ଶହେ ଫୁଟ ଲମ୍ବା ଏକ ଆୟତାକାର କ୍ଷେତ୍ରରେ ତିନୋଟି ପ୍ରାଚୀନ ମନ୍ଦିର l ସମଗ୍ର ଅଞ୍ଚଳ ତିନିଫୁଟ ଓସାର ଓ ପାଞ୍ଚଫୁଟ ଉଚ୍ଚ ମାଙ୍କଡ଼ା ପଥର କାନ୍ଥ ଦ୍ଵାରା ପରିବେଷ୍ଟିତ l ଉତ୍ତର ପାର୍ଶ୍ୱରେ ସୁନ୍ଦର ଉଚ୍ଚ ସୁସଜ୍ଜିତ ପ୍ରବେଶ ପଥ l ଦକ୍ଷିଣ ପାର୍ଶ୍ୱ ପ୍ରବେଶ ପଥ ଅସମ୍ପୂର୍ଣ, ପ୍ରଥମ ମହଲ ସମାପ୍ତ, ତା ପରେ ପ୍ରାୟ ପାଞ୍ଚଫୁଟ ଉଚ୍ଚ ସ୍ତମ୍ଭ l
କାନ୍ଥ ଓ ପ୍ରବେଶ ଦ୍ଵାର ନିର୍ମାଣ ଶୈଳୀ ଦେଖିଲେ ପ୍ରସିଦ୍ଧ “କୁରୁମବେଡ଼ା“ର କ୍ଷୁଦ୍ର ସଂସ୍କରଣ ପରି ମନେହୁଏ l ଯଦିଓ ପ୍ରବେଶ ଦ୍ଵାର ଉଚ୍ଚ ଓ ପାହାଚ ଯୁକ୍ତ l ସମଗ୍ର ଚତ୍ୱରରେ କୌଣସି ଶିଳାଲିପି ନାହିଁ l ଏଣୁ ଇତିହାସ ଅଜ୍ଞାତ l ତେବେ ପୂର୍ବ ଦିଗ ପାଚିରୀରେ ଆଠ ଇଞ୍ଚ କୁ ଦୁଇ ଫୁଟ ଏକ ସ୍ଥାନ ରେ ସମ୍ଭବତଃ ଏକ ଶିଳାଲିପି ଥିଲା l ବର୍ତମାନ ନାହିଁ l ଦୁଇ ପ୍ରବେଶ ଦ୍ଵାର ନିର୍ମାଣ ସମ୍ପୂର୍ଣ୍ଣ ଉତ୍କଳୀୟ ଶୈଳୀ l ତେବେ ସ୍ଥାନୀୟ ଅଧିବାସୀଗଣ ନିର୍ମାଣ ସମୟ କିମ୍ବା ନିର୍ମାତାଙ୍କ ବିଷୟରେ ଅନଭିଜ୍ଞ l କେବଳ ଶ୍ରୀ ସୁଦିପ ଜାନା କହିଥିଲେ ଯେ ମନ୍ଦିର ନିର୍ମାଣ ପାଇଁ ତାଙ୍କ ପୂର୍ବ ପୁରୁଷମାନେ ଓଡ଼ିଶାରୁ ଆସିଥିଲେ l କାହା କାହା ମତରେ ଉତ୍କଳୀୟ ସୋମବଂଶୀ ରାଜା କର୍ଣ୍ଣକେଶରୀ ଏ ମନ୍ଦିର ସମୂହର ନିର୍ମାତା l
ଦକ୍ଷିଣ ପ୍ରବେଶ ଦ୍ଵାର ନିକଟରେ ଏକ ସରଳ ରେଖାରେ ତିନୋଟି ମନ୍ଦିର l ମଧ୍ୟରେ ପ୍ରାୟ ଷାଠିଏ ଫୁଟ ଉଚ୍ଚ ଶିବ ମନ୍ଦିର l ଅଧିଷ୍ଠାତା ଅନାଦି ଲିଙ୍ଗ ବାବା “ଦଣ୍ଡେଶ୍ୱର” l କେବଳ ମାତ୍ର ଶକ୍ତିପୀଠ l ବାବା ଗୁପ୍ତ ଭାବରେ l ମାଙ୍କଡ଼ା ପଥର କାନ୍ଥ କାରୁକାର୍ଯ୍ୟ ବିହୀନ l ତେବେ ସିମେଣ୍ଟ ପ୍ଳାଷ୍ଟର ହୋଇ କିଛି ମୂର୍ତ୍ତି ଶୋଭା ପାଉଛନ୍ତି l (ମନେ ପଡ଼ିଯାଏ 1991 ବେଳର ଶ୍ରୀଜଗନ୍ନାଥ ମନ୍ଦିର l ଚୂନ ଆସ୍ତରଣ ଉପରେ ରାମ ଲକ୍ଷ୍ମଣ ହନୁମାନ ଚୂନ ମୂର୍ତ୍ତି l) ପରବର୍ତ୍ତୀ ସମୟରେ ମନ୍ଦିରରେ ଅନ୍ୟ ଏକ ଶିବଲିଙ୍ଗ ସ୍ଥାପିତ, ବାବା ଖଡ଼ଗେଶ୍ୱର l
ଦଣ୍ଡେଶ୍ୱର ଜୀଉଙ୍କ ବାମପାର୍ଶ୍ୱରେ ଦେବୀ ମହାମାୟା ବା ବଗଳାମୁଖୀଙ୍କ ଆସ୍ଥାନ l ପ୍ରକୃତରେ କର୍ଣ୍ଣଗଡ଼ ଦେବୀ ମହାମାୟାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ l ତିରିଶ ଫୁଟ ଉଚ୍ଚ ମନ୍ଦିର ମଧ୍ୟରେ ଏକ ଅନୁଚ୍ଚ ପ୍ରସ୍ତର ସିଂହାସନ ଉପରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚ ଦେବୀଙ୍କ ମଣିମୟ ବିଗ୍ରହ l ନିକଟରେ ଆଉଜଣେ ଦେବୀ ଅଭୟା ଦକ୍ଷିଣ କାଳୀ l
ଦଣ୍ଡେଶ୍ୱର ମହାଦେବଙ୍କ ଦକ୍ଷିଣପାର୍ଶ୍ୱରେ ଏକ ହନୁମାନ ମନ୍ଦିର l ମନ୍ଦିର ପୁରାତନ କିନ୍ତୁ ବିଗ୍ରହ ପରବର୍ତ୍ତୀ କାଳୀନ l ସମ୍ଭବତଃ ମୂଳ ହନୁମାନ ବିଗ୍ରହ ମାଙ୍କଡ଼ା ପଥରରେ ତିଆରି ହୋଇ ପୂଜା ପାଉଥିଲେ l ବର୍ତମାନ ସେଇ ମୂର୍ତ୍ତି ବାହାରେ l ଦଣ୍ଡେଶ୍ୱର ଓ ମହାମାୟାଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ପାଚିରୀକୁ ଲାଗି ଦେବୀ ଯୋଗମାୟା ମନ୍ଦିର l
ପ୍ରାୟ ଦେଢ଼ଶହ ବର୍ଷ ତଳେ ଶ୍ରୀ ରଘୁଦାସ ନାମକ ଜଣେ ବାବାଜୀଙ୍କ ଉଦ୍ୟମରେ ମନ୍ଦିର କିଛି ସଂସ୍କାର ଓ ରୀତିନୀତି ପ୍ରଚଳିତ ହୋଇ ଥିଲା l ଏଇ ଦେବୀ ସାଧକଙ୍କ ସ୍ମୃତିରେ ତାଙ୍କ ମୂର୍ତ୍ତି ସମ୍ବଳିତ ଅନ୍ୟ ଏକ ନୂତନ ମନ୍ଦିର ମହାମାୟା ମନ୍ଦିର ସମ୍ମୁଖରେ ନିର୍ମିତ l ଏହାଙ୍କ ଉଦ୍ୟମରେ ବାବା, ‘ଖଡ଼ଗେଶ୍ୱର’ ସ୍ଥାପିତ ହୋଇଛନ୍ତି l
ଶାରଦୀୟ ନବରାତ୍ରି, ବାସନ୍ତିକ ନବରାତ୍ରି, ଶିବରାତ୍ରି ଏହି ମନ୍ଦିର ସମୂହର ପ୍ରମୁଖ ପର୍ବ l ପରିବେଶ ଶାନ୍ତ, ରମଣୀୟ l ତେବେ ବାବାଙ୍କ ନାମ “ଦଣ୍ଡେଶ୍ୱର” କାହିଁକି ? ପ୍ରାଚୀନ କାଳରେ ଏ ମେଦିନୀପୁର ଅଞ୍ଚଳ “ଦଣ୍ଡଭୁକ୍ତି” ନାମରେ ପରିଚିତ ଥିଲା l ଅନ୍ତତଃ ପକ୍ଷେ ଗଜପତି ପ୍ରତାପରୁଦ୍ରଙ୍କ ସମୟ ପର୍ଯ୍ୟନ୍ତ l ଦଣ୍ଡଭୁକ୍ତିର ଇଶ୍ୱର ସଂକ୍ଷେପରେ ବୋଧେ “ଦଣ୍ଡେଶ୍ୱର” ହୋଇଛନ୍ତି l
#ବିଛିନ୍ନାଞ୍ଚଳରେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା #

Leave a Comment

Your email address will not be published. Required fields are marked *

Scroll to Top