କପିଳେଶ୍ଵର

ଲେଖା: ତ୍ରିଲୋଚନ ସ୍ୱାଇଁ
 ~ ଶ୍ରୀ କପିଳେଶ୍ଵର ମହାଦେବ ~
ଏକାମ୍ରକ୍ଷେତ୍ର ଭୁବନେଶ୍ୱର, କେବଳ ରାଜ୍ୟ ରାଜଧାନୀ ନୁହେଁ; ମନ୍ଦିରମାଳିନୀ ଭୁବନେଶ୍ୱର ଶୈବ ସଂସ୍କୃତି ଓ ଶୈବ ଉପାସନାର ଏକ ମହାନ ତୀର୍ଥଭୂମି l ଗୋଟେ ସମୟରେ ପ୍ରାୟ ସାତ ଶହରୁ ଅଧିକ ଛୋଟ ବଡ଼ ମନ୍ଦିର ଏହି ଏକାମ୍ରକ୍ଷେତ୍ରରେ ଥିଲା l ଯହିଁରେ ଶିବ ମନ୍ଦିର ସଂଖ୍ୟା ସର୍ବାଧିକ l
ଶ୍ରୀଲିଙ୍ଗରାଜ ମନ୍ଦିର ଏକାମ୍ରକ୍ଷେତ୍ରର ସର୍ବ ବୃହତ, ସର୍ବ ଆଦୃତ ଓ ସର୍ବ ପରିଚିତ ଶିବ ମନ୍ଦିର ହୋଇଥିଲେ ହେଁ ଏମିତି ଆହୁରି ଅନେକ ଶୈବ ପୀଠ ରହିଛି ଯାହାକି ଲିଙ୍ଗରାଜ ମନ୍ଦିର ଠାରୁ ମଧ୍ୟ ବହୁ ପ୍ରାଚୀନ l ସେହିପରି ଏକ ଶିବ ମନ୍ଦିର ହେଲା, କପିଳେଶ୍ଵର ଶିବ ମନ୍ଦିର l ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ କପିଳେଶ୍ଵର ଗ୍ରାମରେ ଅବସ୍ଥିତ l
ସ୍ଥାନୀୟ ପୂଜକଙ୍କ କହିବା ଅନୁସାରେ, ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନିଙ୍କର ଏହା ଜନ୍ମସ୍ଥାନ ଅଟେ l ପୁରାଣରେ କପିଳ ମୁନିଙ୍କୁ ସୃଷ୍ଟିକର୍ତ୍ତା ବ୍ରହ୍ମlଙ୍କର ମାନସପୁତ୍ର ବୋଲି ବର୍ଣ୍ଣନା କରାଯାଇଛି ପୁଣି ତାଙ୍କୁ ବିଷ୍ଣୁଙ୍କର ଅବତାର ବୋଲି ମଧ୍ୟ କଳ୍ପନା କରାଯାଇଛି l ସେ ଯାହାବିହେଉ, କପିଳେଶ୍ଵର ଗ୍ରାମରେ କପିଳ ମୁନିଙ୍କ ଦ୍ୱାରା ଏହି ଶିବଲିଙ୍ଗଟି ସ୍ଥାପନ ହୋଇଥିବା ବିଶ୍ୱାସ କରାଯାଏ l
ବର୍ତ୍ତମାନର ଏହି କପିଳେଶ୍ଵର ମନ୍ଦିରଟି ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପୁନଃ ନିର୍ମାଣ ହୋଇଥିବା ଜଣାଯାଏ l ଏହାର ସ୍ଥାପତ୍ୟ ଓ ମୂର୍ତ୍ତି ନିର୍ମାଣ ଶୈଳୀରୁ ଏହି ମନ୍ଦିରଟି ଗଙ୍ଗବଂଶୀ ଶାସକଙ୍କ ପୂର୍ଵରୁ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ମନ୍ଦିରଟିର ଉଚ୍ଚତା ପଚାଶ ଫୁଟରୁ ଅଧିକ ହେବ l
ମୁଖ୍ୟ ମନ୍ଦିର ବା ବିମାନଟି ରେଖ ଶୈଳୀର ହୋଇଥିବାବେଳେ ଜଗମୋହନଟି ପୀଢ଼ ଶୈଳୀର ଦେଉଳ l ନାଟ ମଣ୍ଡପ ଓ ଭୋଗ ମଣ୍ଡପ ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିବା ଏକ ସମତଳ ଛାତ ବିଶିଷ୍ଟ ଏଟେ l କପିଳେଶ୍ଵର ମନ୍ଦିରର ପାର୍ଶ୍ଵଦେବତା ରୂପେ ପାର୍ବତୀ, କାର୍ତ୍ତିକେୟ ଓ ଗଣେଶ ରହିଛନ୍ତି l ଭିତର ପାର୍ଶ୍ୱ ମନ୍ଦିର ଗାତ୍ରରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଏକ ପଥର ମୂର୍ତ୍ତି ରହିଛି l ଏହି ମନ୍ଦିରର ଏହା ଏକ ବୈଚିତ୍ର, ଯାହାକି ଅନ୍ୟତ୍ର କୌଣସି ଠାରେ ଦୃଷ୍ଟିଗୋଚର ହୁଏ ନାହିଁ l ମନ୍ଦିର ପରିସରକୁ ଲାଗି ଏକ ବିରାଟ ପୁଷ୍କରିଣୀ ରହିଛି, ଯେଉଁଠି ଠାକୁରଙ୍କ ଚାପ ଖେଳ ନୀତି ସମ୍ପନ୍ନ ହୁଏ l
କପିଳେଶ୍ଵର ମନ୍ଦିର ପରିସରରେ ଆଦି କପିଳେଶ୍ୱର ଶିବ ମନ୍ଦିର ରହିଛି l ଏହି ପଶ୍ଚିମାଭିମୁଖୀ ଶିବଲିଙ୍ଗଟି କଳା ମୁଗୁନି ପଥରରେ ନିର୍ମିତ ଓ ଏକ ବୃତ୍ତାକାର ଯୋନି ପୀଠରେ ସଂସ୍ଥାପିତ l ଏହାର ପଶ୍ଚିମରେ ଘଣ୍ଟେଶ୍ୱର ଓ ଦକ୍ଷିଣରେ ବୈଦ୍ୟନାଥ ବିଦ୍ୟମାନ l ଏହା ଛଡ଼ା ଏହି ମନ୍ଦିର ପରିସରରେ ଗୁପ୍ତେଶ୍ୱର, ସିଦ୍ଧେଶ୍ବରଙ୍କ ସହିତ ଆଉ କେତୋଟି ପ୍ରାଚୀନ ଶିବ ମନ୍ଦିର ରହିଛି l ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣଙ୍କ ଏକ ମନ୍ଦିର ମଧ୍ୟ ରହିଛି l
କପିଳେଶ୍ଵର ମନ୍ଦିର ପରିସରରେ ଏକ ମଣ୍ଡପ ରହିଛି ଯାହାର ନାମ ହାଜେରା ମଣ୍ଡପ l ଷୋହଳ ଗୋଟି ଖମ୍ବ ଉପରେ ଏହି ମଣ୍ଡପଟି ଛିଡ଼ା ହୋଇଛି l ପ୍ରତ୍ୟେକ ବର୍ଷ ଶିବରାତ୍ରୀର ପ୍ରଥମ ଶନିବାର ଦିନ ଲିଙ୍ଗରାଜ ମହାପ୍ରଭୁ, ଶନିଶ୍ୱର ମହାଦେବଙ୍କୁ ଭେଟିବା ନିମନ୍ତେ ଏଠାକୁ ଆଗମନ କରି ଏହି ମଣ୍ଡପରେ ବିରାଜମାନ କରନ୍ତି l ପରେ କପିଳେଶ୍ଵର ମହାଦେବଙ୍କୁ ଭେଟ ହୋଇ ପୁଣି ଯାତ୍ରା କରନ୍ତି l ଏହି ଭେଟକୁ ହରିହର ଭେଟ ବା ଲୋକ ମୁଖରେ “କାଶିଆ କପିଳା ଭେଟ” ବୋଲି କୁହାଯାଏ l
ପ୍ରଭୁ ଲିଙ୍ଗରାଜଙ୍କ ସହିତ କପିଳେଶ୍ଵର ମହାଦେବଙ୍କ କେତେକ ନୀତିକାନ୍ତି ଜଡିତ ରହିଛି l କପିଳେଶ୍ଵର ମହାଦେବଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ଭଣ୍ଡାର ରକ୍ଷକ ଭାବେ ବିବେଚନା କରାଯାଏ l ଏଥିସହିତ ଶିବ ବିବାହ ବା ଶୀତଳ ଷଷ୍ଠୀ ସମୟରେ କପିଳେଶ୍ଵର ମହାଦେବଙ୍କୁ ଲିଙ୍ଗରାଜଙ୍କ ପିତା ଅର୍ଥାତ ବର ପିତା ରୂପେ ଗ୍ରହଣ କରାଯାଏ l
ଏହି ମନ୍ଦିର ପରିସରରେ ଏକ ବେହରଣ ମଣ୍ଡପ ରହିଛି ଯାହାକୁ ବାଆଖିଆ (ପବନଖିଆ) ମଣ୍ଡପ ବୋଲି ମଧ୍ୟ କୁହାଯାଏ, ଯେଉଁଠି ଠାକୁରଙ୍କ ଚଳନ୍ତି ପ୍ରତିମା ବେଢ଼ା ପରିକ୍ରମା କରି ଆସି ପବନ ଖାଆନ୍ତି l ବାଆ ଖିଆ ମଣ୍ଡପ ସମ୍ମୁଖରେ ଏକ ବାମ୍ଫି ରହିଛି l ବାମ୍ଫିଟିର ବୈଶିଷ୍ଟ୍ୟ ହେଲା ଭିତର ପାଖ ଗାତ୍ରରେ ବିଭିନ୍ନ କମନୀୟ ମୂର୍ତ୍ତି ମାନ ସ୍ଥାପନ ହୋଇଛି l ଯାହାକି ବାମ୍ଫିଟିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି l
ଖୁବ୍ ସୁନ୍ଦର ଏକ ଆଧ୍ୟତ୍ମିକ ପରିବେଶରେ, ସେଦିନ କପିଳେଶ୍ଵର ମହାଦେବ, ଆଦି କପିଳେଶ୍ଵର ତଥା ମନ୍ଦିର ଗାତ୍ରରେ ଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରଙ୍କ ପାଷାଣ ବିଗ୍ରହ ଆଉ ବେଢ଼ାରେ ଥିବା ମାଆଙ୍କୁ ଦର୍ଶନ କରି ଆମେ ଫେରି ଆସିଥିଲୁ l

Leave a Comment

Your email address will not be published. Required fields are marked *

Scroll to Top