ଓଡ଼ିଆ ଭାଗବତ

ଲେଖା: ଇଂ ବିଜୟ କେତନ ସାହୁ

~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 2) ~

ଓଡ଼ିଆ ଭାଗବତ ଯେ କେବଳ ତତ୍କାଳୀନ ଜନମାନସରେ ଆଦୃତ ଥିଲା ତାହା ନୁହେଁ, ସେହି ଭାଗବତର ଭକ୍ତିପୂର୍ଣ୍ଣ ପଦାବଳୀକୁ ଶ୍ରବଣ କରି ସ୍ୱୟଂ ମହାପ୍ରଭୁ ଶ୍ରୀଚୈତନ୍ୟ ହୋଇଥିଲେ ପ୍ରେମ-ବିଗଳିତ। କବିଙ୍କର ସୁଗଭୀର ପ୍ରେମଭକ୍ତିର ଆଭାସ ପାଇ ଶ୍ରୀଚୈତନ୍ୟ ତାଙ୍କୁ “ଅତିବଡ଼ି” ଉପାଧିରେ ବିଭୂଷିତ କରିଥିଲେ। ଏହି ଅତିବଡ଼ି ଉପାଧିରୁ ସୃଷ୍ଟି ହୋଇଥିଲା ଅତିବଡ଼ି ସମ୍ପ୍ରଦାୟ। ଅତିବଡ଼ି ସମ୍ପ୍ରଦାୟର ନିରବଚ୍ଛିନ୍ନ ସାଧନାର ପୀଠସ୍ଥଳୀ ଥିଲା “ବଡ଼ଓଡ଼ିଆ ମଠ“, ଯାହାକି ଅଦ୍ୟାବଧି ଶ୍ରୀକ୍ଷେତ୍ର ପୁରୀରେ ବିଦ୍ୟମାନ। ଏହି ବଡ଼ଓଡ଼ିଆ ମଠ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି।

ଏକଦା ରାଜା ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଣୀମାନେ ଭାଗବତ ଶ୍ରବଣର ଇଛାପ୍ରକାଶ କରନ୍ତେ ନିଜେ ଗଜପତି ମହାରାଜ ନିମନ୍ତ୍ରଣ କରିଥିଲେ ପରମ ବ୍ରହ୍ମଚାରୀ ଅତିବଡ଼ି ଜଗନ୍ନାଥ ଦାସଙ୍କୁ। ରାଣୀହଂସ ପୁରରେ ନିଜର ସ୍ୱରଚିତ ଓଡ଼ିଆ ଭାଗବତ ଆବୃତ୍ତି କରି ଶୁଣାଇଥିଲେ ଜଗନ୍ନାଥ। ଓଡ଼ିଆ ଭାଗବତ ଦଶମ ସ୍କନ୍ଦର ଗୋପଲୀଳାକୁ ସେ ପାରାୟଣ କରିଥିଲେ।

ଗୋପଲୀଳାରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ଦିବ୍ୟରାସର ରସଗାଥା ଅତୀବ ମନୋରମ । ଏହାକୁ ଭକ୍ତିଭାବରେ ବର୍ଣ୍ଣନା କରିଥିଲେ ଜଗନ୍ନାଥ ଦାସ। ଏହି ପୁଣ୍ୟ ରାସଲୀଳାର ଭକ୍ତିପୂର୍ଣ୍ଣ ପଦାବଳୀ ଶୃଙ୍ଗାର ରସରେ ଭରପୁର। ପ୍ରାଞ୍ଜଳ, ସହଜ, ସରଳ, ସାଵଲୀଳ ଓଡ଼ିଆ ଭାଷାରେ ଜଗନ୍ନାଥ ସେଦିନ ରାସଲୀଳାକୁ ବ୍ୟାଖ୍ୟା କରିଥିଲେ। ମନ ତାଙ୍କର ନିବିଷ୍ଠ ଥିଲେ ରସରାଜ ରସିକେନ୍ଦ୍ରମୌଳି ଶ୍ୟାମସୁନ୍ଦର ଶ୍ରୀକୃଷ୍ଣଙ୍କ ଶ୍ରୀଚରଣାରବିନ୍ଦରେ। ଏହି ଦିବ୍ୟ ରାସଲୀଳାକୁ ଶ୍ରବଣ କରି ରାଣୀହଂସ ପୁରର ସମସ୍ତ ରାଣୀମାନେ ଦିବ୍ୟ କୃଷ୍ଣପ୍ରେମରେ ପରିପ୍ଲାବିତ ହୋଇଉଠିଲେ। କୃଷ୍ଣମୟ ହୋଇଉଠିଲା ସମସ୍ତ ପରିବେଶ। ସମସ୍ତଙ୍କ ହୃଦୟ କନ୍ଦରରେ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ରୂପରେ ବିଦ୍ୟମାନ। ସେହି ପରମାତ୍ମାଙ୍କ ଦିବ୍ୟପ୍ରେମରେ ନିମଜ୍ଜିତ ରାଣୀମାନେ ଗୋପୀଭାବରେ, ପ୍ରେମଭକ୍ତି ଚିତ୍ତରେ ଜଗନ୍ନାଥ ଦାସଙ୍କୁ କୃଷ୍ଣ କୃଷ୍ଣ କହି ବାରମ୍ବାର ଆଲିଙ୍ଗନ କରିବାକୁ ଲାଗିଲେ।

ନାରୀ ପୁରୁଷର ଭେଦଭାବ କେବଳ ଦୈହିକ ମାତ୍ର। ଆତ୍ମିକ ସ୍ତରରେ କେହି ନାରୀ ଵା କେହି ପୁରୁଷ ନୁହନ୍ତି। ପରମାତ୍ମିକ ସ୍ଥରର ଏକମାତ୍ର ଅନୁଭୂତି ହେଲା ଯେ, ମହାପ୍ରଭୁ ଜଗନ୍ନାଥ ଵା ଭଗବାନ ଶ୍ରୀକୃଷ୍ଣ ହିଁ ଏକମାତ୍ର ପରମ ପୁରୁଷ-ପରମାତ୍ମା। ଯିଏ ଜଗନ୍ନାଥ ସିଏ କୃଷ୍ଣ, ଯିଏ କୃଷ୍ଣ, ସିଏ ଜଗନ୍ନାଥ। ସମସ୍ତ ଜୀବଗଣ ସେହି ପ୍ରଭୁ କୃଷ୍ଣଙ୍କର ଅଂଶ ମାତ୍ର। ଜୀବାତ୍ମା ଆସିଛି ସେହି ପରମାତ୍ମାଙ୍କ ଠାରୁ। ଏହି ଆତ୍ମା ପୁଣି ଦିନେ ତାଙ୍କରିଠାରେ ବିଲୀନ ହୋଇଯିବ। ଏହି ପରମ ଭାଗବତ ସ୍ତରକୁ ଯିଏ ପ୍ରାପ୍ତ ହୋଇଛି, ତାକୁ ପ୍ରତ୍ୟକ ଜୀବସତ୍ତାରେ ସେହି ମନମୋହନ ଶ୍ୟାମସୁନ୍ଦର କୃଷ୍ଣଚନ୍ଦ୍ରଙ୍କ ପରମ ବିଭୁତି ଅନୁଭୂତ ହୁଏ। ସର୍ବତ୍ର କୃଷ୍ଣପ୍ରେମକୁ ହିଁ ସେମାନେ ଉପଭୋଗ କରନ୍ତି। କହିବା ବାହୁଲ୍ୟ, ଏହି ପବିତ୍ର ରାସଲୀଳା ଶ୍ରବଣ କରି ରାଣୀମାନେ କୃଷ୍ଣପ୍ରେମରେ ବିଗଳିତ ହୋଇ ଅତିବଡ଼ି ଜଗନ୍ନାଥ ଦାସଙ୍କୁ ବାରମ୍ବାର ଆଲିଙ୍ଗନ କରିଥିଲେ। ହା କୃଷ୍ଣ, ହା କୃଷ୍ଣ କହି ପ୍ରେମରେ କ୍ରନ୍ଦନ କରିଥିଲେ ଜଗନ୍ନାଥ ଦାସଙ୍କୁ କୁଣ୍ଢାଇ ଧରି।

କିନ୍ତୁ ପରକ୍ଷଣରେ ଏହି ଦୃଶ୍ୟ ଯେତେବେଳେ ମହାରାଜା ପ୍ରତାପରୁଦ୍ର ଦେବ ଜାଣନ୍ତି, ସେ ଜଗନ୍ନାଥଙ୍କ ଚରିତ୍ର ଉପରେ ସନ୍ଦେହ କରି ତାହାଙ୍କୁ ବନ୍ଦୀ କରନ୍ତି। ସବୁକିଛି ପ୍ରଭୁ କୃଷ୍ଣଙ୍କର ଇଛା ମନେକରି ନିର୍ବିକାର ଜଗନ୍ନାଥ ସେଦିନ ଏହି ଦଣ୍ଡକୁ ସ୍ଵୀକାର କରିଥିଲେ। କିନ୍ତୁ ସେହିଦିନ ରାତ୍ର ସମୟରେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ, ଗଜପତିଙ୍କ ସ୍ବପ୍ନରେ ପ୍ରକଟିତ ହୋଇ କୁହନ୍ତି ଯେ, ଜଗନ୍ନାଥ ଦାସ ଯେ ତାଙ୍କର ପରମ ଭକ୍ତ ଓ ଅବିଳମ୍ବେ ତାଙ୍କୁ ବନ୍ଦୀରୁ ମୁକ୍ତ କରାଯାଉ। ମହାପ୍ରଭୁଙ୍କ ଆଦେଶକୁ ଶିରୋଧାର୍ଯ୍ୟ ମନେକରି ଯେତେବେଳେ ଗଜପତି ପ୍ରତାପରୁଦ୍ର ଜଗନ୍ନାଥଙ୍କୁ ବନ୍ଦୀଗୃହରୁ ମୁକ୍ତ କରନ୍ତି, ସେତେବେଳେ ଜଗନ୍ନାଥ ଦାସ ଗଜପତି ମହାରାଜାଙ୍କୁ ବୁଝାଇଦେଇଥିଲେ ଯେ, ଜଗତରେ ଏକମାତ୍ର ପୁରୁଷ ହିଁ ପ୍ରଭୁ କୃଷ୍ଣଚନ୍ଦ୍ର ଆଉ ବାକି ସମସ୍ତ ଜୀବଗଣ ନାରୀ


ଯିଏ ପୁରଣ କରିପାରେ ସିଏ ପୁରୁଷ। ଯେପରି ନାରୀକୁ ସର୍ବୋତ୍ତ ଭାବରେ ପୁରଣ କରିପାରେ ପୁରୁଷ, ସେହିପରି ସମଗ୍ର ଜୀବସତ୍ତାର ସମସ୍ତ ଚାହିଦା ଯଥା ଧର୍ମ, ଅର୍ଥ, କାମ, ମୋକ୍ଷ ଆଦିକୁ ଏକମାତ୍ର ପୁରଣ କରିପାରନ୍ତି ପୁରୁଷୋତ୍ତମ ଶ୍ରୀକୃଷ୍ଣ। ରାଧା ଭାବରେ ଆରାଧନା କଲେ କୃଷ୍ଣଙ୍କୁ ଲାଭ କରିବାର ପଥ ସୁଗମ। ରାଧା ଭାବରେ ଭାବିତ ହୋଇ ସେ ନିତ୍ୟ ଆରାଧନା କରନ୍ତି ତାଙ୍କରି ସେହି ପ୍ରେମମୟ ପ୍ରଭୁଙ୍କୁ। ଦାସ ନୁହେଁ ବରଂ ଦାସୀ ଭାବରେ ଆରାଧନା କରନ୍ତି ଜଗନ୍ନାଥ ଦାସ ସେହି ପରମପୁରୁଷ ଶ୍ରୀକୃଷ୍ଣଙ୍କୁ। ଶ୍ରୀକୃଷ୍ଣଙ୍କୁ ପୁରୁଷ କହିବାର ଅନ୍ୟ ଏକ କାରଣ ହେଉଛି, ସକଳ ପୁର ବା ଘଟ (ଶରୀର)ରେ ସେ ନିତ୍ୟ ବାସ କରନ୍ତି। ସେହି ପୁରର ସେ ଈଶ, ସେଇଥିପାଇଁ ସେ ପୁରୁଷ ବା ପରମାତ୍ମା। ଏଇ ଜୀବସତ୍ତା ତାଙ୍କରି ଅଂଶ ସ୍ୱରୂପ ଆଉ ସେ ହିଁ ଉତ୍ସ। ସେହି ପରମ ଉତ୍ସ ଆଦିପୁରୁଷ ଗୋବିନ୍ଦ ହିଁ ଜୀବନର ମୂଳ ଲକ୍ଷ୍ୟ। ତାଙ୍କରି ପଦ୍ମପାଦରେ ନିଜକୁ ନିମଗ୍ନ କଲେ ସାଂସାରିକ ମୋହମାୟା, ଇନ୍ଦ୍ରିୟବିଷୟାରେ ମନ ଆଚ୍ଛନ୍ନ ହୁଏ ନାହିଁ

ସେଦିନ ଜଗନ୍ନାଥ ଦାସ ବୁଝାଇଦେଇଥିଲେ ଯେ, ରାଣୀମାନେ ତାଙ୍କୁ ଯେତେବେଳେ କୃଷ୍ଣପ୍ରେମରେ ଆଲିଙ୍ଗନ କରୁଥିଲେ, ସେତେବେଳେ ସେ ଥିଲେ ବାହ୍ୟଜ୍ଞାନ ରହିତ। ତାଙ୍କରି ମନ ନିବିଷ୍ଠ ଥିଲା ଶ୍ରୀକୃଷ୍ଣଙ୍କ ପଦ୍ମପାଦରେ, ଏବଂ ରାଣୀମାନେ ନିମଜ୍ଜିତ ଥିଲେ କୃଷ୍ଣ ପ୍ରେମରେ। ଜଗନ୍ନାଥଙ୍କ ସମେତ ସମସ୍ତ ରାଣୀମାନେ ବାହ୍ୟଜ୍ଞାନ ରହିତ ଥିଲେ। ସୁତରାଂ କାମବିବର୍ଜିତ ଥିଲା ସମସ୍ତିଙ୍କର ମନ। କୃଷ୍ଣପ୍ରେମର ଅମନ୍ଦ ମନ୍ଦାକିନୀ ଧାରାରେ ସମସ୍ତେ ଥିଲେ ଭାସମାନ। ବାହ୍ୟଜ୍ଞାନରେ ନାରୀର ପର ପୁରୁଷକୁ ଆଲିଙ୍ଗନ କରିବା ଦୋଷାବହ ନିଶ୍ଚୟ, କିନ୍ତୁ ବାହ୍ୟଜ୍ଞାନ ରହିତ ହୋଇ କୃଷ୍ଣ ପ୍ରେମରେ ନିମଜ୍ଜିତ ରହି କୌଣସି ବସ୍ତୁରେ କୃଷ୍ଣଙ୍କ ନିତ୍ୟ ଉପସ୍ଥିତିକୁ ଦର୍ଶନ କରି ଆଲିଙ୍ଗନ ପୂର୍ବକ ସେହି କୃଷ୍ଣଙ୍କୁ ଉପଭୋଗ କରିବା ଦୋଷାବହ ନୁହେଁ, କାରଣ ମନ ସେତେବେଳେ କାମନା ବାସନାର ବହୁ ଉର୍ଦ୍ଧ୍ବକୁ ଯାଇ କେବଳ ପ୍ରିୟତମ କୃଷ୍ଣଙ୍କୁ ହିଁ ଖୋଜୁଥାଏ, ଆଉ, ଯେଉଁଠି ଭଗବାନ କୃଷ୍ଣ, ସେଠାରେ କାମ ନଥାଏ, ସେଠାରେ ଥାଏ କିନ୍ତୁ ପ୍ରେମ, କେବଳ ଶୁଦ୍ଧ ଭକ୍ତିପ୍ରେମ

ଜଗନ୍ନାଥ ଦାସଙ୍କ ମୂଖରୁ ଏହି ଦିବ୍ୟ ବାକ୍ୟ ଶ୍ରବଣ କରି ରାଜା ପ୍ରତାପରୁଦ୍ର ନିଜର ଭୂଲ୍ ବୁଝି ପାରିଥିଲେ। ଅତିବଡ଼ି ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ନିଜର ଭୁଲର ପ୍ରାୟଶ୍ଚିତ ନିମନ୍ତେ ଜଗନ୍ନାଥଙ୍କୁ ଏକ ମଠ ସ୍ଥାପନା ନିମନ୍ତେ ସେ ପ୍ରଦାନ କରିଥିଲେ ରାଣୀହଂସପୁର। ସେହି ରାଣୀହଂସପୁର ପରବର୍ତ୍ତୀ କାଳରେ ବଡ଼ଓଡ଼ିଆ ମଠ ହୋଇଥିଲା। ଏହି ବଡ଼ଓଡ଼ିଆ ମଠରେ ଗଜପତି ପ୍ରତାପରୁଦ୍ରଙ୍କ ଅନୁରୋଧରେ ସମସ୍ତ ରାଣୀଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ଜଗନ୍ନାଥ ଦାସ। ଏହା ହିଁ ଥିଲା ପରମ କୃଷ୍ଣଭକ୍ତ ଜଗନ୍ନାଥ ଦାସଙ୍କ ଦିବ୍ୟମହିମା ।(କ୍ରମଶଃ)

 

Leave a Comment

Your email address will not be published. Required fields are marked *

Scroll to Top