ଉଠ କଙ୍କାଳ

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର
ଓଡ଼ିଆ ଜାତିର ସେ ଘଡିସନ୍ଧି ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା କେତେ କେତେ ଜାଗରଣର କବିତା, ଯାହା ଉତ୍କଳୀୟ ନବଜାଗରଣର ତୂର୍ଯ୍ୟନାଦ ଭଳି ପ୍ରତିଧ୍ୱନିତ ହେଉଛି ଏ ଯାବତ । 
ସ୍ବଭାଷା, ସାହିତ୍ୟ, କବିତା, ନାଟକ, ଉପନ୍ୟାସର ଆତ୍ମବିକାରେ ଏକ ଜାଗୃତିର ହିଲ୍ଲୋଳ ପ୍ରବାହିତ ହେଲା ଓଡ଼ିଶା ମାଟିରେ । ସେସବୁ ରଚନାରେ ଭରିରହିଥିଲା ଜାତିପ୍ରୀତିରେ ଆବେଗର କମ୍ପନ ଓ ଆବେଦନ, ଜାତିପ୍ରେମର ଅନିର୍ବାଣ ଦୀପଶିଖା ଜଳାଇବା ପାଇଁ ଥିଲା ସୁନିର୍ଦ୍ଧିଷ୍ଟ । ସେ ମଧ୍ୟ ଥିଲା ସାଂସ୍କୃତିକ ପୁନର୍ଜାଗରଣର ବାରୁଣୀବେଳା – ଏକ ସୁବର୍ଣ୍ଣ ସକାଳ । 
ସେପରି ଏକ ମହାନ ଲେଖାଥିଲା ଗୋଦାବରୀଶ ମହାପାତ୍ରଙ୍କର କାଳଜୟୀ କବିତା “ଉଠ କଙ୍କାଳ” . .  
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ !
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ ।
ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ
ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ ।
ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ,
ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ?
ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ
ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ
ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ
ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ ।
ଦୁର୍ବାର ଗଡ଼, ‘ଦେବର କୋଣ୍ଡା’ କହେ ଆଜି ସେହି କଥା
ବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା ।
ଛିଡ଼ୁ ଶୃଙ୍ଖଳ, ଜାଗ କଙ୍କାଳ, ଉଠ ଦୁର୍ବାର ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
ଖଣ୍ଡାକୁଶଳ ଖଣ୍ଡାୟତର ଦୁର୍ବାର କରବାଳେ
ଅଜେୟ ବଙ୍ଗ-ବାହିନୀ ଶୋଇଲେ ‘ଶତଗଡ଼’ ପ୍ରାନ୍ତରେ
ଗଉଡ଼ ଭୁବନ ହେଲା ପଦାନତ ମଗଧ ପାଇଲା ଲୀନ,
ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ ।
ଜାଗ କଙ୍କାଳ, ଜାଗ କଙ୍କାଳ, ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
କଥା କହ କଥା କହ କଙ୍କାଳ! ସେ କେତେ ଯୁଗର କଥା,
ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା ।
ବିଜୟୀ ‘ବିଜୟ ନଗର’ ମାଗିଲାଶରଶ ଚରଣ ତଳେ,
‘ବାହାମନୀ’ ପତି ଯବନ, ଶମନ କାତରେ ଲୁଚିଲା ଘରେ ।
ଉଠ କଙ୍କାଳ, ଉଠ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
ହାଡ଼ ପାଶୁ ଆଜି ଭାଷା ବହି ଆସୁ, ଫୁଟୁ ମଡ଼ା ମୁଖେ ହସ
ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ ।
ଶମଶାନ ଧୂଳି ଅଞ୍ଜଳି ଭରି ନିଅ ପୁରବାସୀ ଜନ;
ଲକ୍ଷ ଜୀବନ ସାକ୍ଷ୍ୟ ଦେବ ସେ ଗୌରବେ ମହୀୟାନ ।
ଉଠ କଙ୍କାଳ, ଭେଦି ମହାକାଳ,ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
***  ***  ***
ବେଳନାହିଁ, ବେଳ ନାହିଁ, କଙ୍କାଳ ! ଟେକ ଚଞ୍ଚଳ ମଥା
ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା,
ବାଜିଉଠୁ ବାରେ ମରଣ-ବିଜୟୀ ବଂଶୀ ସେ ବୁକୁତଳେ,
ଧୂର୍ଜଟି ଜଟାଜୁଟ କମ୍ପାଇ ଯୌବନ କୁତୂହଳେ ।
ଉଠ କଙ୍କାଳ, ଉଠ ଦୁର୍ବଳ, ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
ଉପସ୍ଥାପନା: ଦେଵ ତ୍ରିପାଠୀ

Leave a Comment

Your email address will not be published. Required fields are marked *

Scroll to Top