ଅଜୈକପାଦ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ
~ ଅଜୈକପାଦ ମନ୍ଦିର ~
ଅଳକା ନଦୀ, ଦିନ ଥିଲା ମହାନଦୀର ଏହି ଶାଖା ନଦୀରେ ବର୍ଷ ତମାମ ଜଳ ପ୍ରବାହିତ ହେଉଥିଲା l ମାତ୍ର ଚିରସ୍ରୋତା ଅଳକାର ଧାରା ଆଜି ସଂକୁଚିତ ଓ ପ୍ରାୟତଃ ଶୁଷ୍କ l ଏପରିକି କେତେକ ସ୍ଥାନରେ ପ୍ରାଚୀ ନଦୀ ଭଳି ଏହା ଅଦୃଶ୍ୟ l ମାତ୍ର ପବିତ୍ର ଅଳକା ନଦୀର ତଟରେ ଗଢ଼ି ଉଠିଛି ଅନେକ ମଠ ଓ ମନ୍ଦିର l
ଅଳକାର ପୁଣ୍ୟ ତୀରେ ରହିଛି ସ୍ୱଳ୍ପ ପରିଚିତ ଏକ ଗ୍ରାମ ସଠଳପୁର, ଆଉ ସେହି ସଠଳପୁର ଗ୍ରାମରେ ରହିଛି ଦଶମ ଶତାବ୍ଦୀର ପ୍ରାଚୀନ କୀର୍ତ୍ତି ଅଜୈକପାଦ ଭୈରବ ମନ୍ଦିର l କେବଳ ସେତିକି ନୁହେଁ, ସେହି ମନ୍ଦିର ପରିସରରେ ରହିଛି ସିଦ୍ଧେଶ୍ୱର ମହାଦେବ ଓ ସପ୍ତମାତୃକା ମନ୍ଦିର l ସଠଳପୁର ଗ୍ରାମ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ କୁଣ୍ଡେଶ୍ୱର ଗ୍ରାମରେ ରହିଛି ପ୍ରାଚୀନ ତ୍ରିଲୋଚନେଶ୍ୱର ମନ୍ଦିର l
#ତ୍ରିଲୋଚନେଶ୍ୱର_ମହାଦେବ_ମନ୍ଦିର: ସୋମବଂଶୀ ବା କେଶରୀ ବଂଶୀୟ ଶାସକ ବିଶ୍ୱମ୍ବରଙ୍କ ସମୟରେ କୁଣ୍ଡେଶ୍ୱର ଗ୍ରାମରେ ତ୍ରିଲୋଚନେଶ୍ୱର ମନ୍ଦିର ନିର୍ମାଣ ହୋଇଥିବା ଜଣଯାଏ l କୁହାଯାଏ ବାରଗୋଟି ପୁର ବା ଗ୍ରାମକୁ ନେଇ ଏକ ନଗ୍ର କୁଣ୍ଡେଶ୍ୱର ବା କୁଣ୍ଡିନଗ୍ର; ଏହି କୁଣ୍ଡେଶ୍ୱର ନଗ୍ରରେ ମୁଖ୍ୟ ଦେବତା ରୂପେ ତ୍ରିଲୋଚନେଶ୍ୱର ମହାଦେବ ପୂଜା ପାଉଛନ୍ତି ସେଠାରୁ ମାତ୍ର ଶହେ ମିଟର ଦୂରରେ ଅଧିଷ୍ଠାତ୍ରୀ ଦେଵୀ ହରଚଣ୍ଡୀ ମଧ୍ୟ ପୂଜା ହେଉଛନ୍ତି l
#ସିଦ୍ଧେଶ୍ବର_ମହାଦେବ: ସ୍ୱଳ୍ପ ଉଚ୍ଚର ଏହି ମନ୍ଦିରଟି ଏକ ଆଧୁନିକ ନିର୍ମାଣ l କୁହାଯାଏ, କେଶରୀ ଯୁଗୀୟ ମନ୍ଦିରଟି କେଉଁ କାଳରୁ ଭାଙ୍ଗି ଯାଇଛି l ଏବେ ବି ମନ୍ଦିର ସମ୍ମୁଖରେ ସେଇ ପ୍ରାଚୀନ ମନ୍ଦିର ଅଁଳାବେଢ଼ାର ଭଗ୍ନାବଶେଷ ପଡ଼ି ରହିଛି l ପୂଜକଙ୍କ କହିବାନୁଯାୟୀ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖନନ କରାଗଲେ ଅନେକ ପ୍ରତିମା ଓ ପ୍ରାଚୀନ ମନ୍ଦିରର ଭଗ୍ନାଵଶେଷ ମିଳିବ l
ମନ୍ଦିର ଗର୍ଭ ଗୃହରେ ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ l ଭୂମି ପତ୍ତନ ଠାରୁ ବହୁ ନିମ୍ନରେ ଶିବଲିଙ୍ଗ ରହିଛନ୍ତି l ଏହି ମନ୍ଦିରରେ ପାର୍ଶ୍ୱ ଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ, ମହିଷାମର୍ଦ୍ଦିନୀ ଦୁର୍ଗା ଓ ଅନ୍ଧକାସୁରବଦ୍ଧ ମୂର୍ତ୍ତି ଆଦି ରହିଛି l ଏହି ସବୁ ପ୍ରତିମା ମୁଗୁନି ପଥରରେ ନିର୍ମିତ l
#ସପ୍ତମାତୃକା_ମନ୍ଦିର: ମନ୍ଦିର କହିଲେ କେବଳ ଏକ ଆୟତାକାର କୋଠରୀ, ଯାହାକି ସିମେଣ୍ଟ ଛାତ ଦ୍ୱାରା ଆବୃତ୍ତ l ସେଇ କୋଠରୀରେ ପ୍ରାଚୀନ ଯୁଗର ସପ୍ତମାତୃକା ଦେବୀ ମୂର୍ତ୍ତି ଏକ ଅଣଓସାରିଆ ବେଦୀ ଉପରେ ପୂଜା ପାଉଛନ୍ତି l ସେହି ଦେବୀ ମୂର୍ତ୍ତି ସବୁ ହେଲେ ବ୍ରାହ୍ମୀ, ମାହେଶ୍ୱରୀ, ବଗଳା, ଛିନ୍ନମସ୍ତା, ଇନ୍ଦ୍ରାଣୀ, ବରାହୀଚାମୁଣ୍ଡା l ଏହା ବ୍ୟତୀତ ସେହି ବେଦୀ ଉପରେ ଲକ୍ଷ୍ମୀ ବା ପଦ୍ମାଦେବୀ, ବୀରଭଦ୍ର, ସ୍ୱାହାଦେବୀ ଓ ଗଣେଶ ପ୍ରତିମା ପୂଜା ପାଆନ୍ତି l
ସପ୍ତମାତୃକାଙ୍କ ଏହି ମନ୍ଦିରରୁ ବରାହୀଙ୍କ କମନୀୟ ମୂର୍ତ୍ତି, ଗଣେଶ ପ୍ରତିମା ଓ ବୀରଭଦ୍ରଙ୍କର ମୂର୍ତ୍ତି ଚୋରି ହୋଇଯାଇଥିବା ସ୍ଥାନୀୟ ପୂଜକ ଯାହା କୁହନ୍ତି l ମାତ୍ର ପରବର୍ତ୍ତୀ ସମୟରେ ତିନୋଟି ନୂତନ ପ୍ରତିମା ଏଠାରେ ପୂଜା ପାଉଛନ୍ତି l ହେଲେ ଗଣେଶଙ୍କ ଆସ୍ଥାନଟି ଏବେ ବି ଶୂନ୍ୟ ରହିଛି l
#ଅଜୈକପାଦ_ଭୈରବ: ସଠଳପୁରର ଏହି ସପ୍ତମାତୃକା ମନ୍ଦିର ପରିସରରେ, ଅଜୈକପାଦ ବା ଏକପାଦ ଭୈରବଙ୍କ ଏକ ସୁନ୍ଦର ମୂର୍ତ୍ତି ଦେଖୁବାକୁ ମିଳେ l ଓଡ଼ିଶାର ଯେଉଁ କେତେକ ପ୍ରାଚୀନ ମନ୍ଦିର ଗାତ୍ରରେ ଅଜୈକପାଦ ଭୈରବଙ୍କ ପ୍ରତିମା ସବୁ ରହିଛି ସେ ସମସ୍ତ ପ୍ରତିମା ଠାରୁ ଏଠାରେ ଥିବା ଏହି ଏକପାଦୀ ଭୈରବଙ୍କ ପ୍ରତିମାଟି ସ୍ୱତନ୍ତ୍ର l ଏଠାରେ ଥିବା ଏକ ସ୍ୱତନ୍ତ୍ର ମନ୍ଦିରରେ ପ୍ରାୟ ପାଞ୍ଚଫୁଟରୁ ଉର୍ଦ୍ଧ୍ୱ ଉଚ୍ଚର ଏହି ଅଜୈକପାଦ ଭୈରଵଙ୍କ ମୂର୍ତ୍ତିଟି ପ୍ରତିଷ୍ଠିତ, ଯାହାକି ଖୁବ୍ ସୁନ୍ଦର ଓ କମନୀୟ l ମୂର୍ତ୍ତିଟି ମୁଗୁନି ପଥରରେ ନିର୍ମିତ ମାତ୍ର ଖଣ୍ଡିତ ଓ ଭଗ୍ନ l
ପ୍ରାଚୀନ ମନ୍ଦିରଟି କେଉଁ କାଳରୁ ଭାଙ୍ଗି ଯାଇଛି l ବର୍ତ୍ତମାନର ଏହି ସ୍ୱଳ୍ପ ଉଚ୍ଚର ଅଜୈକପାଦ ମନ୍ଦିର ପରବର୍ତ୍ତୀ ସମୟରେ ତିଆରି ହୋଇଛି l ଗୋଟିଏ ପାଦରେ ଦଣ୍ଡାୟମାନ ଭୈରବଙ୍କର ଚାରିଗୋଟି ହସ୍ତ ରହିଥିବାବେଳେ ନିମ୍ନ ଦୁଇଗୋଟି ହସ୍ତ ଭଗ୍ନ, ମାତ୍ର ଉପର ଦୁଇ ଗୋଟି ହସ୍ତ କିଛିଟା ସୁରକ୍ଷିତ ରହିଛି l ଭୈରବଙ୍କ ପାଦଦେଶରେ ଚତୁଃସ୍କୋଣୀ ଯୋନିପୀଠ ରହିଛି l ମସ୍ତକର ଉଭୟ ପାର୍ଶ୍ୱର ଉପରିଭାଗରେ ପୁଷ୍ପମାଳା ଧାରଣ ପୂର୍ବକ ଉଡ୍ଡୀୟମାନ କିନ୍ନର ମୂର୍ତ୍ତି ଦେଖିବାକୁ ମିଳେ l ବୋଧହୁଏ ଏହି ଅଜୈକପାଦ ବା ଏକପାଦ ଭୈରବଙ୍କ ପ୍ରତିମାଟି ଓଡ଼ିଶାର ସର୍ବ ବୃହତ ପ୍ରତିମା l
ଜଗତସିଂହପୁର ସହରରୁ ନାଉଗାଁ ଦିଗରେ ଗଲେ ଅଲଣାହାଟରୁ ପାଞ୍ଚ କିଲୋମିଟର ଦୂରରେ କୁଣ୍ଡେଶ୍ୱର ଗ୍ରାମରେ ତ୍ରିଲୋଚନେଶ୍ୱର ମନ୍ଦିର ଓ ସେଠାରୁ ଆଉ ଅଧ କିଲୋମିଟର ଦୂର ସଠଳପୁର ଗ୍ରାମରେ ଏହି ତିନୋଟି ପ୍ରାଚୀନ କୀର୍ତ୍ତିରାଜିକୁ ଦେଖିହେବ l

Leave a Comment

Your email address will not be published. Required fields are marked *

Scroll to Top