ଅଖିଳ ବ୍ରହ୍ମାଣ୍ଡପତି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’
ଏଠାରେ ଉଲ୍ଲେଖନୀୟ ଯେ, କଟକ ସହରର କାଜୀବଜାର ଠାରେ ଅବସ୍ଥିତ ଭକ୍ତମଧୁ ବିଦ୍ୟାପୀଠଅନୁଷ୍ଠାନଟି ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ନିର୍ମିତ ଓ ସେଇ ମହାନୁଭବଙ୍କ ନାମାନୁସାରେ ହିଁ ଆଜି ପର୍ଯ୍ୟନ୍ତ ଏଠାରେ ସଗର୍ଵ ଦଣ୍ଡାୟମାନ।
ମୂଳକଥା ହେଉଛି, ଏହି ମହାନ ପ୍ରାର୍ଥନାଟି ଏହି ଭକ୍ତମଧୁ ବିଦ୍ୟାପୀଠ ବିଦ୍ୟାଳୟରେ ଅଦ୍ୟାପି ଆବୃତ୍ତି କରାଯାଉଅଛି।
~ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ~
ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ହେ ପରମ ପିତାମାତା, ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତା’ର ପଟାନ୍ତର । (୧)
ସଙ୍କଟ ପୂରିତ ଘୋର ଭବ ସିନ୍ଧୁ ଜଳେ,
ଏକମାତ୍ର କର୍ଣ୍ଣଧାର ତା’ ଋତୁ ସକଳେ ।
ତୋର ମଙ୍ଗଳ ବିଧାନ,
କରିଅଛି ମରଣକୁ ଅମୃତ ସୋପାନ । (୨)
ହେ ଆନନ୍ଦମୟ କୋଟି ଭୁବନ ପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ । (୩)
ବିଶ୍ୱଗୁରୁ ବିଶ୍ୱରାଜ ବିଶ୍ୱପିତା ମାତା
ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା
ଦୀନବନ୍ଧୁ କୃପାସିନ୍ଧୁ
ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ । (୪)
ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ । (୫)
ଉପସ୍ଥାପନା : ବନ୍ଧନ ଦଳେଇ

Leave a Comment

Your email address will not be published. Required fields are marked *

Scroll to Top