ଲେଖା: ଅକ୍ଷୟ ଓଝା
ପାଚିଲା ପଣସ ବାସ୍ନାରୁ ରଜ ଆସେ । ବାଡ଼ି ଆମ୍ବବଗିଚାର ଶେଷ ଫଳ ବେଳକୁ ରଜ ଆସେ । ଗାଆଁର ବାତାବରଣରେ ଏକ ରଜମଉଜର ହାୱା ବହିଯାଏ । ରଜ ଆସୁଛି ଝୁଲଣରେ । ବୁଢ଼ାଠୁ ପିଲା ଯାଏ ରଜ ପାଇଁ ମାତିଉଠନ୍ତି । ପଲ୍ଲୀରେ ଆନନ୍ଦ ଖେଳିଯାଏ କେଇଦିନ ପାଇଁ।
ବିଦେଶିଆ ଗାଁକୁ ଫେରେ । ଘରେ ଘରେ ନୂଆଲୋକ । ବନ୍ଧୁମିଳନ ହୁଏ । ସହରୀ ପିଲାଏ ଗାଁ କୁ ଆସନ୍ତି । କିଛିଦିନ ପାଇଁ ଗାଁ ପିଲା ହେଇଯାଆନ୍ତି । ଧୂଳିମାଟିରେ ଖେଳନ୍ତି । ଓଦାମାଟିରେ, ବର୍ଷା ପାଣିରେ ଖେଳନ୍ତି । ହସି ଉଠେ ଗାଁ ମାଟି କ୍ଷଣିକ ପାଇଁ ।
ବାଡ଼ି ଆଡ ଆମ୍ବତୋଟାରେ ଦୋଳି ଲାଗେ । କୁଆଁରୀ ଝିଅମାନେ ରୁଣ୍ଡ ହୁଅନ୍ତି । ବାଡ଼ି ବାଡ଼ିରେ ଦୋଳି ଝୁଲେ ଆକାଶ ଆଡ଼େ ତ କେତେବେଳେ ମାଟି ଆଡ଼କୁ । ଅଦମ୍ୟ ମତୁଆଲା ହେଇ କୁଆଁରୀ ଝୁଲେ ଦୋଳିରେ । ଶିହିରିଯାଏ କୁଆଁରୀ ମନ । ଗୀତ ଗାଏ ଭିନ୍ନଭିନ୍ନ ଗାଉଁଲି କଥା ଗୀତିରେ । ଭାଇ, ସାଙ୍ଗ, ପ୍ରିୟାକୁ ନେଇ ପଲ୍ଲୀର ଗୀତରେ ଉନ୍ମାଦ ହୁଏ କୁଆଁରୀ । ସବୁ ଦୋଳି ପାଖରେ ଭିଡ଼ ଜମେ । ରଜଦୋଳି ତାନରେ ଗୁଞ୍ଜୁରି ଉଠୁଥାଏ ଆମ୍ବତୋଟା। ଦାଣ୍ଡ ଚୌକାଠ, ବାଡ଼ି ପଣସ ଗଛରେ ରସି ବନ୍ଧା ଦୋଳିଗୁଡ଼ିକରେ ଛୋଟ ଛୋଟ ପିଲା ଦୋଳି ଖେଳନ୍ତି।
ରାସ୍ତାକଡ଼ରେ, ପାନ ଦୋକାନ କଡ଼ରେ, ବରଗଛ ତଳେ, ବୟସ୍କ ଲୋକଙ୍କର ଚାଲି ଥାଏ ତାସ୍’ପାଲି । ପାନ ଦୋକାନରେ ଭିଡ । ଭଳି ଭଳି ପାନ । ମିଠାପାନ, କଡ଼ାପାନ, ଧଣିଆଗୁଣ୍ଡି ପାନ । ଚଉଷଠି ମସଲା ଅମୃତମଣୋହୀ ଛକ “ଛୁ” ଦୋକାନରେ ଭିଡ ଜମେ । ରାସ୍ତାରେ ପାଦଚଲା ପଥିକ ଗାଁରୁ ଗାଁ ଯାଏ । କୁଣିଆବନ୍ଧୁ ସୂର୍ଯ୍ୟବନ୍ଧୁ ଘରେ ଘରେ ରଜକୁଣିଆ । ପାଣିଢାଳରେ ଗୋଡ଼ ଧୋଇ, ଚଟ ପକେଇ, ଚୁଡ଼ା ଜଳଖିଆରେ ଆନ୍ତରିକତା ଭାରିଥାଏ ବନ୍ଧୁ ସମ୍ମାନରେ । ରଜରେ ଘରେ ଘରେ ହେଇଥିବା ପିଠାପଣା ବିଶେଷ କରି ପୋଡ଼ପିଠାରେ ବନ୍ଧୁଚର୍ଚ୍ଚାର ବିଶେଷ ଆତ୍ମୀୟତାରେ ଭରିଯାଏ ଗ୍ରାମ୍ୟ ସମ୍ବନ୍ଧ ।
ନୂଆ ହେଇ ଆସିଥିବା ବୋହୂ ପାଖରେ ଭିଡ଼ ଜମାନ୍ତି ଗାଁ ଗୋଟାକର ଝିଅ । କିଏ ଅଳତା ଲଗାଏ ତ କିଏ ଚୁଟି ବାନ୍ଧେ । କିଏ କଜଳ ଲଗାଏ, କିଏ ନଖ ରଙ୍ଗାଏ ନୂଆ ଭୁଆସୁଣୀ ଠାରୁ । ଭାରି ଚର୍ଚ୍ଚା ହୁଏ ନୂଆବୋହୁର ଗାଁ ସାରା । ଭାରି ସିଆଣିଆ ବୋହୂଟିଏ ଆଣିଛି ଅମୁକ ଦାଦା ! ରୂପରେ ଯେମିତି ଗୁଣରେ ସେମିତି ! ପୋଖରୀକୂଳ ନଈଘାଟରେ ଖୁବ୍ ଚର୍ଚ୍ଚାହୁଏ ବୋହୂଟିର ।
ଆମେ ପିଲାମାନେ ବାସ୍ ବଜାରରୁ ଆସିଥିବା ନୂଆ ଜାମାପ୍ୟାଣ୍ଟ ପିନ୍ଧି ଖୁବ୍ ଆନନ୍ଦରେ ବୁଲୁ ସାହିସାହି, ଦୋଳିପଡ଼ିଆ, ବାଗୁଡ଼ି ଖେଳ ଜାଗା । ଗାଆଁ ସଜେଇ ହେଇଯାଏ ଯେମିତି ଧିମା ବରଷା ଓ ଥଣ୍ଡା ପବନରେ ।
ଗାଁ ମୁଣ୍ଡରେ ଗାଁ ଭେଣ୍ଡିଆଏ ଏକାଠି ହୁଅନ୍ତି । ବାଗୁଡ଼ିଖେଳ ଜମେ । ଢୋଲର ତାଳେ ତାଳେ ଭେଣ୍ଡିଆ ମର୍ଦ୍ଦ ପଣିଆ ଦେଖାଏ । ଦଶ ଜଣକୁ ଘୋଷାରି ଗାର ଟପି ନିଜକୁ ନିଜ ପକ୍ଷକୁ ନେଇଯାଏ । ପକ୍ଷ ଜିତି ଯାଏ । ଶତ ସିଂହର ବଳ ଆସିଯାଏ ଦେଶୀ ଯୁବକ ଛାତିରେ । ଖୁବ୍ ଛକାପଞ୍ଜା ହୁଏ । ଢୋଲ ମାଡ଼ରେ ଛାତି ଦୁଲୁକେ । ତିନି ଦିନ ସିଂହ ଗର୍ଜନ ସହିତ ବାଗୁଡ଼ିଖେଳ ଜମେ । ଗ୍ରାମ୍ୟ ଜୀବନ ସତେ ଯେମିତି ଆତ୍ମବିଭୋର ହେଇଉଠେ । ଗାଁରୁ ଗାଁ ପାଖ ଗାଁରୁ କାନରେ ପଡ଼େ ଢୋଲମହୁରୀର ରଜ ବାଗୁଡ଼ି ତାଳ । ଆମ ଗାଁ ଜଲ୍ହାକୁଳ ବ୍ରାହ୍ମଣ ସାହି ବାଉଁଶ ତୋଟାରେ ଚାଲେ ବାଗୁଡ଼ିଖେଳ । ନୂଆ ଖେଳାଳି, ନୂଆ ଶୃଙ୍ଖଳା, ଆଖପାଖ ଗାଁରୁ ଭେଣ୍ଡିଆ ଟୋକା ସମସ୍ତେ ଭାଗ ନିଅନ୍ତି । ଖୁବ୍ ଢୋଲ ବାଜେ ।
ବିରହ ବିଧୁର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ ମେଘଦୂତ ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିପି ଓ ଇତି କଥା । ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ହୁଏ ରଜସ୍ୱଳା । ମା’ ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜଜନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନି ଦିନ ବିଶ୍ରାମ ଦିଆଯାଏ ।
ରଜପର୍ବ ବୈଜ୍ଞାନିକ ପ୍ରମାଣ ସହିତ ଜଗନ୍ନାଥ ଭୂମି ଓଡ଼ିଶାର ଗଣପର୍ବ। ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ । ଯେଉଁଥି ପାଇଁ ଭୁଖଳନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରା ଯାଇଥାଏ ରଜ ପର୍ବ ।
ଆଜି ଧୀରେ ଧୀରେ ପର୍ବ ଉଭେଇ ଯାଉଛି ଗାଁଗଣ୍ଡାରୁ ! ଆତ୍ମୀୟତା ନାହିଁ ଲୋକଙ୍କ ଭିତରେ ! ସେ ବାଗୁଡ଼ିଖେଳ ନାହିଁ ! ଗଛରେ ଆଉ ଦୋଳି ଲାଗୁନି ! ଆଉ ଝିଅମାନେ ଏକାଠି ହେଉନାହାନ୍ତି ! ବିବାଦ, ଅହଙ୍କାର, ବଦନାମରେ ସାହିବସ୍ତି ତ୍ରସ୍ତ ! ମୋତିନାନି ପୁଅ ନୂଆ ଯୁବା ନେତା ହେଇ ଗାଁଟାକୁ ଦି’ଭାଗ କରି ରଖିଛି ! ଗାଁ ଭେଣ୍ଡିଆ ପାଠ ପଢ଼ି ବିଦେଶ ଚାଲି ଯାଉଛି ! ମୋ ଗାଁ ଆଜି ଖାଁ ଖାଁ ଲାଗୁଛି !
ରଜମଉଜ, ସଜବାଜ ଆଜି ଏକ ପାରମ୍ପାରିକ କିମ୍ବଦନ୍ତୀ ଭଳି ଲାଗୁଛି। ଗାଁ ଆଜି ଉଦାସ ଦିଶୁଛି !