ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ

ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି ରଙ୍ଗର ସୋଲ, କାଗଜ କିମ୍ବା କଦଳୀବାହୁଙ୍ଗାର ଡଙ୍ଗା। ହାତରେ ପାନପତ୍ର, ଗୁଆ,ଅକ୍ଷତ ଓ ଘିଅ ସଳିତା। ଡଙ୍ଗାରେ ଦୀପ ଜଳାଇ ପୁଷ୍ପ, ଅକ୍ଷତ, ପାନ ଗୁଆ ଅର୍ପଣ କରି ଚହଲା ପାଣିରେ ଡଙ୍ଗା ଭସାଇ ଦିଅନ୍ତି ଆବାଳବୃଦ୍ଧବନୀତା। ଶଙ୍ଖ ହୁଳହୁଳିର ଅପୂର୍ବ ମୂର୍ଚ୍ଛନା ସହିତ ସବୁରି କଣ୍ଠରୁ ଶୁଭେ “ଆ-କା-ମା ଭୈ—-।

ଗାଆଁ ଗହଳିର ବାରି ଗଡିଆ ଠାରୁ ଆରମ୍ଭ କରି ନଦୀ ସମୁଦ୍ର ସବୁଠି କୋଳାହଳ ମୟ ପରିବେଶ ଓଡିଶା ସାରା। ଏ ଗହଗହ ମୁହୂର୍ତ୍ତର ସ୍ମୃତି ଶିଶୁଟିଏର ମାନସ ପଟରେ ଆଙ୍କିହୋଇ ରହିଯାଏ ଆଜୀବନ ପାଇଁ। ଲିଭି ଆସୁଥିବା ତାରା, ମଉଳା ଜହ୍ନ ଆଲୁଅ, କୁହୁଡି ଘେରା ଦିଗନ୍ତ, ସଦ୍ୟ ନିଦରୁ ଉଠିଥିବା ମାଳ ମାଳ ଚଡେଇଙ୍କ କଳରବ, ଗାଆଁ ମନ୍ଦିରରୁ ଭାସି ଆସୁଥିବା ସଂକୀର୍ତ୍ତନ, ଝିଅବୋହୁଙ୍କ ପାଦ ପାଉଁଜୀର ଝମଝମ ନିକ୍ବଣ, ଶେଷରେ ଦୀପାବଳିରୁ ବଳି ଯାଇଥିବା ଆତସବାଜିର କରାମତି ଆଦିର ସମ୍ମିଳିତ ଧ୍ବନୀ କେମିତି ଏକ ଅଫୁରନ୍ତ ଆବେଗ ସୃଷ୍ଟି କରେ। ଚହଲାପାଣିରେ ଦୂରକୁ ଦୂରକୁ ଭାସିଯାଏ ଡଙ୍ଗା, ଲିଭିଯାଏ ସଳିତା। କିନ୍ତୁ କାହିଁ କେତେ ଯୁଗର ଏ ପରମ୍ପରା ଆଜିଯାଏ ଲିଭିନାହିଁ, ଲିଭି ପାରେନା।
      
କେତେ ଦିନର ଏ ବୋଇତବନ୍ଦାଣ ପରମ୍ପରା ? କେତେ ଦିନର ଏ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଇତିହାସ ?

ଏହାର କିଛି ନିର୍ଦ୍ଦିଷ୍ଟ ଐତିହାସିକ ପ୍ରମାଣ ନାହିଁ। ପିଢି ପରେ ପିଢି ଗଡି ଆସୁଥିବା ଏ ପରମ୍ପରା ପାଳିତ ହେଉଛି ଗଭୀର ବିଶ୍ବାସରୁ ଓ ସଂସ୍କୃତି ତଥା ପରମ୍ପରା ପ୍ରତି ରହିଥିବା ଗଭୀର ସମ୍ମାନବୋଧରୁ। ଠିକ୍ ଏହି ସମୟରେ ମାସ ସାରା ଜଳେ ଆକାଶଦୀପ। ଦୂରଦେଶକୁ ବୋଇତ ନେଇ ଯାଉଥିବା ବଣିକ ପାଇଁ ଶୁଭ ମନାସି ଜଳେ ଆକାଶଦୀପ। ସତେ ଯେମିତି ବଣିକ ପୁଅ ସେହି ଆଲୋକ ଶିଖା ଭିତରେ ଛାଡି ଯାଇଥିବା ପ୍ରିୟଜନଙ୍କୁ ଅନୁଭବ କରୁଥାଏ ସମୁଦ୍ର ମଧ୍ୟରେ। ପୂର୍ଵରୁ ଭାଦ୍ରବମାସର ଖୁଦୁରୁକୁଣୀ ଓଷା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରମାଣ ଦିଏ।

ଉତ୍କଳୀୟ ନୌବାଣିଜ୍ୟ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ରହିଛି। ପୁରୁଷୋତ୍ତମ ଦେବଙ୍କ କାଞ୍ଚିବିଜୟ ଓ ଜଗାବଳିଆ କଳାଧଳା ଘୋଡାଚଢି ମାଣିକ ପାଟଣାରେ ପଥଶ୍ରାନ୍ତ ହୋଇ ମାଣିକ ଗଉଡୁଣୀକୁ ମୁଦି ବନ୍ଧା ଦେଇ ଦହି ଖାଇବା କଥା ମାଣିକପାଟଣା ଠାରେ ଏକ ପୋତାଶ୍ରୟ ଥିବାର ସୂଚନା ଦିଏ। ଏହି ମାଣିକ ପାଟଣାରୁ ପ୍ରତ୍ନତାତ୍ତ୍ବିକ ଖନନ ଦ୍ବାରା ନିକଟ ଅତିତରେ ଆବିଷ୍କୃତ ହୋଇଛି ଚୀନ ଦେଶର ପାତ୍ର, ଶ୍ରୀଲଙ୍କାର ପ୍ରାଚୀନ ମୁଦ୍ରା। ଏହି ପ୍ରତ୍ନତାତ୍ତ୍ବିକ ଖନନର ଅଧିନାୟକ ଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ, ବିଶିଷ୍ଟ ଗବେଷକ ପ୍ରଫେସର ଡ. କରୁଣାସାଗର ବେହେରା
    
ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ସହ ବାହାର ଦେଶର ସଂପର୍କ ନେଇ ବିଶେଷ ଗବେଷଣା ନହେଲେ ମଧ୍ୟ ଉତ୍କଳୀୟ ନୌବାଣିଜ୍ୟ ଯେ ଏକଦା ଥିଲା, ଏହା ସ୍ପଷ୍ଟ। ପ୍ରାଚୀନ ସାହିତ୍ୟ ସଂସ୍କୃତି ଓ ପ୍ରତ୍ନତାତ୍ତ୍ବିକ ଉପାଦାନ ଏହାର ପ୍ରମାଣ ଦେଇ ପାରିବ। ପଞ୍ଚଦଶ ଶତାବ୍ଦୀରେ ସାରଳା ମହାଭାରତ ବେଳକୁ ନୌବାଣିଜ୍ୟ ଲୋପ ପାଇ ଯାଇଥିଲା। କିନ୍ତୁ ଆ-କା-ମା-ଭୈର ବର୍ଣ୍ଣନା ଅଛି। କାଳିଦାସଙ୍କ ରଘୁବଂଶ କାବ୍ୟରେ ବର୍ଣ୍ଣିତ ଅଛି ଯେ କଳିଙ୍ଗର ସମୁଦ୍ର ଉପକୂଳ ଦ୍ବୀପାନ୍ତରରୁ ଭାସି ଆସୁଥିବା ଲବଙ୍ଗ ପୁଷ୍ପର ସୌରଭରେ ସୁରଭିତ। କେଉଁ ଦ୍ବୀପ ସିଏ, ଯେଉଁଠୁ ଭାସି ଆସୁଥିଲା ଲବଙ୍ଗ ଫୁଲର ସୁଗନ୍ଧ? ହୁଏତ ଏହା ମାଲେସିଆଇନ୍ଦୋନେସିଆ ହୋଇଥିବ।
        
ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଅଶୋକଙ୍କର କଳିଙ୍ଗ ଆକ୍ରମଣର ଅନ୍ତରାଳରେ ଥିଲା କଳିଙ୍ଗର ଐଶ୍ବର୍ଯ୍ୟ। ନୌବାଣିଜ୍ୟ କାରଣରୁ ଧନୀ ହୋଇଥିବା କଳିଙ୍ଗ ପ୍ରତି ପଡୋଶୀ ରାଜାଙ୍କର ଲୋଲୁପ ଦୃଷ୍ଟି ଥିଲା। ଖାରବେଳଙ୍କ ଶିଳାଲେଖରୁ ସୂଚନା ମିଳେ ଯେ ସେ ପାଣ୍ଡ୍ୟ ଓ ଚୋଳ ରାଜାଙ୍କ ଠାରୁ ମୁକ୍ତା ଓ ହସ୍ତୀ ଛଡାଇ ଆଣିଥିଲେ। ସେତେବେଳେ ସମୁଦ୍ରପଥ ହିଁ ସେ ରାଜ୍ୟକୁ ଯିବାର ମୁଖ୍ୟ ପଥ ଥିଲା।
      
ଶ୍ରୀଲଙ୍କା ସହିତ ଉତ୍କଳୀୟ ନୌବାଣିଜ୍ୟ ର ସମ୍ପର୍କ ଥିବା ସ୍ପଷ୍ଟ। କଳିଙ୍ଗର ହେମମାଳାଦନ୍ତକୁମାର ବୁଦ୍ଧଦେବଙ୍କ ପବିତ୍ର ଦାନ୍ତକୁ ଶ୍ରୀଲଙ୍କା ନେଇଥିଲେ। ଶ୍ରୀଲଙ୍କାର ସାହିତ୍ୟ ଓ ଅଭିଲେଖରୁ ସୂଚନା ମିଳେ ଯେ କଳିଙ୍ଗ ସହ ସେମାନଙ୍କର ବୈବାହିକ ଓ ସାଂସ୍କୃତିକ ସମ୍ପର୍କ ଥିଲା।

ଆମର ବୋଇତ ବନ୍ଦାଣ ପରମ୍ପରା ଏକ ସତ୍ୟବଦ୍ଧ ଐତିହ୍ୟ ଉପରେ ପ୍ରତିଷ୍ଠିତ। ଏବେ ବି ମାଲେସିଆ ଓ ଇନ୍ଦୋନେସିଆରେ କ୍ଲିଙ୍ଗ ଶବ୍ଦ ପ୍ରଚଳିତ। କ୍ଳିଙ୍ଗ ଶବ୍ଦ କଳିଙ୍ଗ ଲୋକଙ୍କୁ ବୁଝାଉଥିଲା। ସେମାନଙ୍କ ଶିଳାଲେଖରେ ପ୍ରଥମେ କ୍ଳିଙ୍ଗ ଅଧିବାସୀଙ୍କ କଥା ଉଲ୍ଲେଖ ଅଛି, ପରେ ଅନ୍ୟାନ୍ୟ ଭାରତୀୟ ରାଜ୍ୟର ଉଲ୍ଲେଖ ଅଛି। ଏଥିରୁ ଅନୁମେୟ ଯେ କଳିଙ୍ଗ ବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ ଥିଲା। ପ୍ରାଚୀନ କଳିଙ୍ଗର ହସ୍ତୀଦନ୍ତ କାରୁକାର୍ଯ୍ୟ, ହୀରା ମାଣିକ୍ୟ ଭଳି ମୂଲ୍ୟବାନ ପ୍ରସ୍ତର, ବାନ୍ଧ ପ୍ରଣାଳୀରେ ନିର୍ମିତ ସୁନ୍ଦର ବସ୍ତ୍ର,ଏବଂ ଚାଉଳ ମଧ୍ୟ ଭାରତ ବାହାରେ ବିଖ୍ୟାତ ଥିଲା।

ସପ୍ତମ ଅଷ୍ଟମ ଶତାବ୍ଦୀରେ ଚୀନ ଲୋକଙ୍କର ଇନ୍ଦୋନେସିଆ ସହ ବାଣିଜ୍ୟିକ ସମ୍ପର୍କ ଥିଲା ଓ ଜାଭାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସେମାନେ କହୁଥିଲେ ହୋଲିଂ(କ୍ଳିଙ୍ଗର ଅପଭ୍ରଂଶ) ଏବଂ ସେଠାକାର ଲିପିକୁ କହୁଥିଲେ  କୁନ୍ ଲୁନ୍(କଳିଙ୍ଗ)। ବୌଦ୍ଧଗ୍ରନ୍ଥରେ ଜାଭା ନିକଟବର୍ତ୍ତୀ ସମୁଦ୍ରକୁ କୁହା ଯାଉଥିଲା କଳିଙ୍ଗଦ୍ରେଷୁ। ଜାଭାର ବରବୁଦୁର୍ ସ୍ତୁପରେ ଥିବା ବୌଦ୍ଧ ମୂର୍ତ୍ତିର ଓଡିଶାର ରତ୍ନଗିରି ଠାରେ ଥିବା ବୁଦ୍ଧମୂର୍ତ୍ତି ସହିତ ବହୁ ସାମଞ୍ଜସ୍ୟ ଅଛି। ବାଲି ଦ୍ବୀପର ସଂସ୍କୃତ ପୋଥିରେ ମହାନଦୀ ଏବଂ ମହେନ୍ଦ୍ରତନୟା ପର୍ବତର ଉଲ୍ଲେଖ ଅଛି। ସେଠାରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକେ ନିଜକୁ ବୌଦ୍ଧ କ୍ଳିଙ୍ଗ ବା ବୌଦ୍ଧ-ବ୍ରାହ୍ମଣ ବୋଲି କହୁଥିଲେ। ଆମ ଏଣ୍ଡୁରି ପିଠା ଭଳି ପତ୍ରରେ ଗୁଡା ଖାଦ୍ୟ ମଧ୍ୟ ସେଠାରେ ମିଳେ। ସେଠାରେ ବାନ୍ଧ ବୁଣା ପରି ବସ୍ତ୍ର ମଧ୍ୟ ମିଳେ ଯାହାକୁ କେଲିଙ୍ଗ କୁହାଯାଏ। ଏ ସମ୍ପର୍କରେ  ଜାଭାର ବିଶିଷ୍ଟ ଐତିହାସିକ ଆଇ.ଜେ. ଫାଲଗୁନ ଗବେଷଣା କରି ଓଡିଶା ଓ ବାଲିଦ୍ବୀପର ସାମଞ୍ଜସ୍ୟ ଦର୍ଶାଇଛନ୍ତି।
      
ସେମିତି ଚୀନ ସହିତ ଭାରତର ନୌବାଣିଜ୍ୟ ସମ୍ପର୍କ ଥିବାର ସୂଚନା ମିଳେ। ୭୯୫ ଖ୍ରୀଷ୍ଟାବ୍ଦରେ କଳିଙ୍ଗର ଭୌମକର ରାଜବଂଶର ରାଜା ଶିବକର ସିଂହ ଚୀନ ସମ୍ରାଟଙ୍କ ପାଖକୁ ଏକ ବୌଦ୍ଧ ଧର୍ମଗ୍ରନ୍ଥ ପଠାଇଥିଲେ। ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନସାଂ ଓଡିଶା ଆସି ଉଡ୍ର ଚେଲିତାଳ ପୋତାଶ୍ରୟ ଓ ବୌଦ୍ଧ ପୁଷ୍ପଗିରି ବିହାର ପରିଦର୍ଶନ କରିଥିଲେ ବୋଲି ଉଲ୍ଲେଖ ଅଛି। ଚିଲିକା ନିକଟସ୍ଥ ମାଣିକପାଟଣାର ପ୍ରତ୍ନତାତ୍ତ୍ବିକ ଖନନରୁ ଚୀନ୍ ଦେଶର ସିଲାଡନ୍ ପାତ୍ର (ଯେଉଁଥିରେ ବିଷାକ୍ତ ଖାଦ୍ୟ ରଖିଲେ ତାର ରଙ୍ଗ ବଦଳିଯାଏ), ଚୀନର ମୁଦ୍ରା ମଧ୍ୟ, ଯାହା ଚୀନ ଭାରତର ବାଣିଜ୍ୟିକ ସମ୍ପର୍କକୁ ପ୍ରମାଣିତ କରେ।
       
ଏବେ ଦେଖିବା ମନ୍ଦିର କଥା। କୋଣାର୍କ ମନ୍ଦିରର ଏକ ଚିତ୍ରରେ ଗୋଟିଏ ବୋଇତ ଉପରେ ମାର୍ତ୍ତଣ୍ଡ ଓ ଭୈରବ ନୃତ୍ୟରତ ଥିବା, ଶ୍ରୀମନ୍ଦିରର ଭୋଗ ମଣ୍ଡପ କାନ୍ଥରେ ଏକ ପ୍ରସ୍ତର ଗାତ୍ରରେ ବୋଇତର ଚିତ୍ର, ଲିଙ୍ଗରାଜ ମନ୍ଦିରର ଛୋଟ ଲତାକୁଞ୍ଜ ଚିତ୍ର ମଧ୍ୟରେ ଏକ ଛୋଟ ଡଙ୍ଗା ଓ ମଣିଷର ଚିତ୍ର ଆମ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ଇତିହାସ ସଂପର୍କରେ ସୂଚନା ଦିଏ। ସର୍ବୋପରି କଲିକତାରେ ଜାତୀୟ ସଂଗ୍ରହାଳୟରେ ଥିବା ଏକ ଉତ୍କଳୀୟ ଭାସ୍କର୍ଯ୍ୟର ବୋଇତର ଚିତ୍ର ମଧ୍ୟ ଉତ୍କଳୀୟ ନୌବାଣିଜ୍ୟର ସୂଚନା ପ୍ରଦାନ କରେ।
    
ଶେଷରେ ଆମର ବୋଇତ ବନ୍ଦାଣ ପରମ୍ପରା ବହୁ ପ୍ରାଚୀନ ଓ ସତ୍ୟ। ପରମ୍ପରାକୁ ନେଇ ଖାଲି ମାତିଲେ ହୁଏନି, ପରମ୍ପରାକୁ ପ୍ରତିଷ୍ଠା କରି ପାରିବାହିଁ ବଡପଣ। ଭାରତମଣି ଗୋପବନ୍ଧୁଙ୍କ ‘ରେଳ ଉପରେ ଚିଲିକା ଦର୍ଶନ’ କବିତାରୁ ପଦେ ମନେପଡେ:
“ଦେଖୁଛି ଚିଲିକା ସପନେ ତୋର ଅତୀତ ଶିରୀ,
ମୁହାଣୁ ତୋହର ବୋଇତ ଯେବେ ଥିବ ବାହାରି
ସିନ୍ଧୁ ପାରେ ଯାଇ ଓଡିଆପୁଏ କରି ବେପାର,
ଆଣିଥିବେ ବହି ଦେଶକୁ ଧନରତ୍ନ ଅପାର।
ପୁଣି ଏ ମୁହାଣ ପାଶେ କି ଗଢା ହେବ ବନ୍ଦର,
ବିପଣିମାଳାରେ ବିଜନ ବେଳା ହେବ ମୁଖର।
ତୋ ଜଳେ ଶରତେ ଭାସନ୍ତି ଯଥା ମରାଳପନ୍ତି
ଭାସିବ କି ସିନ୍ଧୁ ସଲୀଳେ କହ ପୋତ ପଙ୍କତି
ବିଦେଶ ବେପାରୁ ଆଣିବେ ଦେଶେ ନାନା ବିଭବ,
ଫେରିବ କି ଶୋଭାମୟୀ ଗୋ ତୋର ଲୁପ୍ତ ଗୌରବ!”

1 thought on “ବୋଇତବନ୍ଦାଣ”

Leave a Comment

Your email address will not be published. Required fields are marked *

Scroll to Top