ଲେଖା: ତ୍ରିଲୋଚନ ସ୍ୱାଇଁ
~ ତେନ୍ତୁଳିପଦାର ବିଲ ଶାରଳା ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
କନକପୁରର କନକେଶ୍ୱରୀ ଦେବୀ ଭଗବତୀ ଶାରଳା ବା ଝଙ୍କଡ଼ର ଅଧୀଶ୍ବରୀ ଦେବୀ ଶାରଳାଙ୍କ ପୀଠ, ଯାହାକି ଉତ୍କଳର ହାତ ଗଣତି କେତୋଟି ସର୍ବ ପ୍ରାଚୀନ ଦେବୀ ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ l ପ୍ରାଚୀନ ତନ୍ତ୍ର ପୀଠ ରୂପେ ଶାରଳାଙ୍କ ଏହି ପୀଠ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା l ପ୍ରାଚୀନ ସମୟର ଚେଳିତାଳୋ, ଯାହାକି ପରବର୍ତ୍ତୀ ସମୟରେ ତିରିତୋଳ ଆଉ ବର୍ତ୍ତମାନର ତିର୍ତ୍ତୋଲ l
ଚେଳିତାଳୋ ବା ତିର୍ତ୍ତୋଲ ନିକଟରେ ଥିବା ପ୍ରାଚୀନ ଜଙ୍ଖେରପୁର, ଯାହାକି ସାରଳା ଦାସଙ୍କ ସମୟରେ ଜଙ୍ଗେର ବା ଜଙ୍ଗେରପୁର ଏବଂ ଆଧୁନିକ ସମୟର ଝଙ୍କଡ଼ ପ୍ରଗଣା l ଏହି ଝଙ୍କଡ଼ ପ୍ରଗଣାର ଦୁଇଟି ଗ୍ରାମ ବଡ଼ଶାରୋଳ ଓ ସାନଶାରୋଳ ବିଷୟରେ ସାରଳା ଦାସଙ୍କ ମହାଭାରତରେ ମଧ୍ୟ ବର୍ଣ୍ଣନା ଦେଖିବାଜୁ ମିଳେ l କୁହାଯାଏ ଶାରୋଳ ଗ୍ରାମରେ ହିଁ ପ୍ରାଚୀନ ଶାରଳା ଠାକୁରାଣୀଙ୍କ ମନ୍ଦିରଟି ଥିଲା l
ଗବେଷକଙ୍କ ବିଭିନ୍ନ ଗବେଷଣାରୁ ଯାହା ଜଣାପଡ଼େ ବିଧର୍ମୀ ଔରଙ୍ଗଜେବ ଦ୍ୱାରା ଯେତେବେଳେ ଶାରଳାଙ୍କ ମନ୍ଦିର ଧୂଳିସାତ କରାଗଲା ସେତେବେଳେ ଠାକୁରାଣୀଙ୍କ ସେବକ ଓ ସନାତନୀ ହିନ୍ଦୁମାନେ ଶାରଳା ଠାକୁରାଣୀଙ୍କୁ ସସମ୍ମାନେ ତେନ୍ତୁଳିପଦାଠାରେ ଥିବା ବିଲ ଶାରଳା ଠାକୁରାଣୀଙ୍କ ପୀଠକୁ ସ୍ଥାନାନ୍ତର କରିଥିଲେ l ସମୟାନ୍ତରେ ପରିସ୍ଥିତି ସୁଧୁରିବା ପରେ ପୁନରାୟ ଠାକୁରାଣୀଙ୍କୁ ଆଣି ବର୍ତ୍ତମାନର ଦେଉଳରେ ପୁନଃ ପ୍ରତିଷ୍ଠା କରାଇଥିଲେ l
ପୂଜକଙ୍କ କହିବାନୁସାରେ ସାରଳା ଦାସ ବାର୍ଦ୍ଧକ୍ୟ ହେତୁ ମନ୍ଦିରକୁ ଆସି ପାରିନଥିଲେ l ଏଣୁ ବୃଦ୍ଧା ନଦୀ କୂଳରେ ଆଶ୍ରମ ସ୍ଥାପନା କରିଥିଲେ l ସେଠାରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ବିଲ ଶାରଳା ଠାକୁରାଣୀଙ୍କୁ ସ୍ଥାପନ କରି ପୁଜା କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଉତ୍ତରାଧିକାରୀମାନଙ୍କ ଦ୍ଵାରା ମନ୍ଦିର ନିର୍ମାଣ ଓ ନୀତିଖଞ୍ଜା ଆଦି କରାଯାଇଥିଲା l
ତେନ୍ତୁଳିପଦାରେ ଥିବା ବିଲ ଶାରଳା ଠାକୁରାଣୀଙ୍କ ପ୍ରତିମାଟି ମଧ୍ୟ ବହୁ ପ୍ରାଚୀନ l ଯାହାକି ଶାରଳା ଠାକୁରାଣୀଙ୍କ ସମସାମୟିକ ହୋଇଥିବା ଅନୁମାନ କରାଯାଏ l ଦେବୀ ଶାରଳାଙ୍କ ପ୍ରତିମା ଓ ବିଲ ଶାରଳାଙ୍କ ପ୍ରତିମାର ଗଢ଼ଣ ଓ ରୂପରେଖ ଅବିକଳ ସମାନ l ଅବଶ୍ୟ ବିଲ ଶାରଳା ଠାକୁରାଣୀଙ୍କ ଏବର ମନ୍ଦିରଟି ପରବର୍ତ୍ତୀ ସମୟର ଏକ ନୂତନ ନିର୍ମାଣ ଅଟେ l ମାତ୍ର ମନ୍ଦିରଗାତ୍ରରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ପ୍ରତିମାଗୁଡ଼ିକ ବହୁ ପ୍ରାଚୀନ l ଏଠାରେ ମନସା ଦେବୀଙ୍କ ଏକ ପ୍ରାଚୀନ ମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି l ଏହି ବିଲ ଶାରଳାଙ୍କ ମନ୍ଦିର ସମ୍ମୁଖରେ ଥିବା ଅନ୍ୟ ଏକ ମନ୍ଦିରରେ ପ୍ରାଚୀନ ଶିବଲିଙ୍ଗ ପୂଜା ପାଉଛନ୍ତି l
ଶାରଳା ଠାକୁରାଣୀଙ୍କ ମନ୍ଦିର ଠାରୁ ଅଳ୍ପ ଦୂରରେ ରହିଛି ଆଉ ଏକ ଗ୍ରାମ ଯାହାର ନାମ ହେଉଛି ଗରାମ l ତିରଣ ପ୍ରଗଣାର ଏହି ଗରାମ ଗାଁରେ ରହିଛି ଭଗବତୀ ଠାକୁରାଣୀଙ୍କ ମନ୍ଦିର l ସ୍ୱଳ୍ପ ଉଚ୍ଚର, ପୀଢ଼ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ବହୁ ପ୍ରାଚୀନ ଦେବୀ ପ୍ରତିମା ପୂଜା ପାଉଛନ୍ତି, ଯେକି ଭଗବତୀ ନାମରେ ସର୍ବପରିଚିତ l
ମନ୍ଦିର ଗାତ୍ରରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ପ୍ରତିମାଗୁଡ଼ିକ ମଧ୍ୟ ବହୁ ପ୍ରାଚୀନ l ଗର୍ଭଗୃହର ବାହାରେ ବାମ ପାର୍ଶ୍ୱରେ ପ୍ରାୟ ଚାରିଫୁଟର ବିରାଟ ଏକ ବିଷ୍ଣୁ ସ୍ୱରୂପ ପଦ୍ମପାଣି ବୁଦ୍ଧଙ୍କ ପ୍ରତିମା ପୂଜା ପାଉଛନ୍ତି, ଯାହାଙ୍କୁ ସ୍ଥାନୀୟ ଅଧିବାସୀ ଓ ପୂଜକ ନାଗା ଠାକୁର ବା ନାଗା ସାଧୁ ବୋଲି କହୁଛନ୍ତି l ଏହି ପ୍ରତିମାର ମସ୍ତକ ଦେଶର ଉଭୟ ପାର୍ଶ୍ୱରେ ପୁଷ୍ପମାଲ୍ୟ ସମର୍ପଣ ମୁଦ୍ରାରେ ଦୁଇଟି କିନ୍ନର ବା ଗନ୍ଧର୍ବ ରହିଥିବାବେଳେ, ପାଦଦେଶର ଉଭୟ ପାର୍ଶ୍ୱରେ ଦୁଇଗୋଟି ନାରୀମୂର୍ତ୍ତି ରହିଛନ୍ତି ଯେକି ହାତରେ ପ୍ରସ୍ଫୁଟିତ ପଦ୍ମ ଧାରଣ କରିଛନ୍ତି l
ଚତୁର୍ଭୁଜ ଏହି ଦିବ୍ୟମୂର୍ତ୍ତିଙ୍କ ଦକ୍ଷିଣପାର୍ଶ୍ଵ ଉପରିଭାଗ ହସ୍ତରେ ଚକ୍ର ଓ ନିମ୍ନ ହସ୍ତଟି ଅଭୟ ମୁଦ୍ରାରେ ଥିବାବେଳେ, ବାମ ପାର୍ଶ୍ଵ ଉପରି ଭାଗ ହସ୍ତରେ ପ୍ରସ୍ଫୁଟିତ ପଦ୍ମ ରହିଥିବାବେଳେ ନିମ୍ନଭାଗ ହସ୍ତରେ ଶଙ୍ଖ ଧାରଣ କରିଛନ୍ତି l ମୂର୍ତ୍ତିଟିର ମସ୍ତକରେ ମୁକୁଟ, କର୍ଣ୍ଣରେ କୁଣ୍ଡଳ, ଗଳାରେ ରତ୍ନହାର ତଥା କାନ୍ଧରେ ଉପଵୀତ ରହିଛି ଓ କଟିଦେଶରେ କଟିମାଳା ଧାରଣ କରିଛନ୍ତି l ପଦ୍ମପାଣୀ ବୁଦ୍ଧଙ୍କ ଏହି ପ୍ରତିମାର ଅବସ୍ଥିତି ଦର୍ଶାଉଛି ଯେ ତତ୍କାଳୀନ ସମୟରେ ସେହି ଅଞ୍ଚଳରେ ହିନ୍ଦୁ ପୂଜାପଦ୍ଧତି ସହିତ ବୌଦ୍ଧ ଧର୍ମର ପ୍ରାଧାନ୍ୟ ମଧ୍ୟ ରହିଥିଲା l
ଭଗବତୀ ଠାକୁରାଣୀଙ୍କ ମନ୍ଦିର ପରିସରସ୍ଥ ଏକ ବୃକ୍ଷମୂଳରେ ଥିବା ଛୋଟିଆ ମନ୍ଦିରରେ ବହୁ ପ୍ରାଚୀନ ଏକ ଦୁର୍ଗାମୂର୍ତ୍ତି ରହିଛି l ଯାହାଙ୍କ ପ୍ରାଚୀନତା କଳନା କରିବା ସହଜ ନୁହେଁ l ଦେବୀ ମହିଷାସୁରର ବକ୍ଷଦେଶରେ ଶୂଳବିଧ କରୁଥିବାର ରୂପ ଚିତ୍ରିତ ହୋଇଛି l ମୂର୍ତ୍ତିଟି ଏତେ ପ୍ରାଚୀନ ଯେ ଦେବୀଙ୍କ ଅନ୍ୟାନ୍ୟ ହସ୍ତରେ ଥିବା ଅସ୍ତ୍ର ଶସ୍ତ୍ର ଗୁଡ଼ିକ ଦୃଶ୍ୟମାନ ହେଉ ନାହିଁ l ସ୍ଥାନୀୟ ଅଞ୍ଚଳବାସୀ ମା’ଙ୍କ ଏହି ପ୍ରତିମାକୁ ଜାଗୁଳାଇ ନାମରେ ଜାଣନ୍ତି l
ଦେବୀ ଭଗବତୀଙ୍କ ପୀଠ ଠାରୁ ସ୍ୱଳ୍ପ ଦୂରରେ ଗାଲେଶ୍ୱର ମହାଦେବ ନାମରେ ଏକ ପ୍ରାଚୀନ ଶିବମନ୍ଦିର ରହିଛି l ପୂଜକଙ୍କ କହିବାନୁଯାୟୀ ଯୋନିପୀଠସ୍ଥ ଶିବଲିଙ୍ଗଟି ଦିନକୁ ଦିନ ଆକାରରେ ବଢ଼ିବାରେ ଲାଗିଛି, ଯାହାକି ତାଙ୍କ ନିଜସ୍ୱ ଅନୁଭବର କଥା l
ଭଗବତୀ ଦେବୀ ଶାରଳାଙ୍କ ପୀଠର ଚତୁଃପାର୍ଶ୍ୱରେ ଏହିଭଳି ଅନେକ ପ୍ରାଚୀନ କୀର୍ତ୍ତିରାଜି ଯାହାକି ଲୋକଲୋଚନ ଠାରୁ ବହୁ ଦୂରରେ ରହିଛି l ଏହି ଭଳି ଐତିହାସିକ ପୀଠ ଓ କୀର୍ତ୍ତିରାଜିଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ଏହା ଥିଲା ଆମର ଏକ ଛୋଟିଆ ପ୍ରୟାସ l