ରଚନା: ଅମୃତେଶ ଖଟୁଆ
~ ବସନ୍ତ ~
ବସନ୍ତ ଉପରେ ଏକ ଛାନ୍ଦ, ରଚନା କରିଛନ୍ତି ଯୁବକବି ଅମୃତେଶ ଖଟୁଆ । ପାଠକଙ୍କ ଉଦ୍ଦେଶ୍ୟରେ କବିତାର ଟୀକା ନିମ୍ନରେ ପ୍ରଦାନ କରାଯାଇଛି ।
ଝଳି ବିତାନେ ଅଇଲା ଛୁରିଅନା
ଅନା ନୟନ କିଶଳୟେ
କେତକୀକଢି କି ଯମଦାଢ ଭାଙ୍ଗି
ଭଙ୍ଗୀ ତୋଳୁଛି ଏକଲୟେ
ପାଟଳୀ, ବସନ୍ତ ସଙ୍ଗାତ ମଉଳି
ରୁଚିପତ୍ର ବ୍ୟପଦେଶେ ନିଆଳିକା
ମନ୍ଦାନିଳେ କରେ ଅଞ୍ଜଳି ।।
ଘର୍ମକଣା ଛିଞ୍ଚି ପଡୁଥିଲା ଶ୍ରମେ
ତରୁକୁଳ ବାସେ ନିରତେ,
ଘେନି ଲାବଣ୍ୟ ନିଧିଶ୍ରେଣୀ ବିନୟୀ
ସୁଧା ବାଣ୍ଟୁଥିଲା ସୁରତେ
ଅଳକ, ଫିଟି ଫଡୁଥିଲା କୁନ୍ତଳୁଁ
କାଞ୍ଚନ-ଛଟକ ଉରହାର କରି
ଦିଶିଯାଉଥିଲା ଅଞ୍ଚଳୁଁ ।।
ଷଣକାନ୍ତି ବ୍ୟୂହେ ରଚି ପୁଷ୍ପବୀଥି
ସୁକୁମାର ଜୀବବରଣା
ମାଧୁରୀ ଅନୁସରଣେ କମଳିନୀ
କୃଶେ ଲମ୍ଵାଇ ନାଡକନା
ଭାଳନ୍ତେ, ତମ୍ପ ସହଚର ସମରେ
ଦଂଶି ଦେଇ ଅଧର ପଲ୍ଲବାଙ୍କୁର
ବାୟୁ ଶରେ ପ୍ରାଣ ତା’ ଧରେ ।।
ବୀରଦ୍ରୁମ-କୁଞ୍ଜ ଚନ୍ଦନ-ପ୍ରମୋଦେ
ନଚାଉଛି ବାସ ପରଶେ
କଳେବର ଛଳେ ସୁନାରୀ ସଞ୍ଚାଳେ
ଆମ୍ର-ମୁକୁଳ ଶୋଭା-ହାସେ
ତିନ୍ଦୁକ, କୌତୁକ ଜାଣଇ ନିଦାନେ
ପ୍ରସୂନ-ସିନ୍ଦୁକେ ବନ୍ଧୁକାଧରୀର
ବିରହ ନାଶେ ଅବଧାନେ ।।
ମୀନଧ୍ଵଜ କ୍ରୀଡା ପୁଷ୍ପବତୀ ଠାରେ
ଉଦିତ ପ୍ରଫୁଲ୍ଲ କେଶରେ
ସଉରଭ ଭାସେ ମତ୍ସ୍ୟରଙ୍କ ଭାବେ
ଏହିକି ଶଫରୀ କାସାରେ
ହରିତ, ପଲ୍ଲବ ମଣଇ ଜଳଧି
ମଦନ-ଅନଳେ ପତଙ୍ଗ ସମାନେ
ପଡି ମଣୋହି କରେ ବିଧି ।।
ସହକାର-ପଥେ ବପୁ କୋରକିତ
ଗନ୍ଧବହ ତିଳ ଭୂଷଣ
ଆବୋରି ଲୀଳାନନା ଧରଣୀସୁଖ
ମଣ୍ଡୁଅଛି ସ୍ନେହ ଅଭିନ୍ନ
ଯତନେ, ଗୋଧୂଳି ଚିକୁର ଯୁଗଳେ
ଆକାଶେ ତାରକା ମଣିନଥେ ତାର
ପ୍ରାଣ-ମୟୂଖ ଯୋଖିଦେଲେ ।।
ଅଙ୍ଗରାଗ ସନ୍ଧ୍ୟା ଦୀପିତ ଦେଉଳ
ଅସ୍ତକର ଜଗମୋହନେ,
ମଳୟ-ବାତୁଳ ବାଦିତ୍ର କଳନେ
ନୀରାଜନା କରେ ନିର୍ଜନେ
ମାଧବୀ, ସ୍ଵଚ୍ଛନ୍ଦେ ଦେଇ ହୁଳହୁଳି
ପେନ୍ଥି ପାଖୁଡାର ରସନାସମ୍ପଦ
ପାଦ ରେଣୁ ପରାଗେ ତୋଳି ।।
ଚରଣ ଦୁର୍ଲ୍ଲଭ ହୃଦୟ ପଦକ
ବରଣ କରିଛି ବିଟପୀ,
ଆତପ ତାଠାରେ ବିଞ୍ଚି ହେଇ ଯାହା
ନିମେଷେ ରହିଛି ଆରୋପି
ସୃଜୁଛି, ମୋତିହାର ମତି ରସାଇ
କୁସୁମ ଯୁବାର ଅଧୀରତା କ୍ଷମା
କରେ ଜାତିରେ ତା ମିଶାଇ ।।
ବିଭା ଦେଇ ଲୋକେ ସେ ଶୋଭା ବର୍ଣ୍ଣନେ
କଠୋରାଙ୍ଗ ଉଦାର କରେ
ଯେ ସମ୍ପନ୍ନତର ପୁଲକ ଲିହିଛି
ମତ୍ତଭୃଙ୍ଗ ପ୍ରାୟ କଣ୍ଠରେ
ଉଚିତେ, ସୁର-ସରିତ ମୂର୍ତ୍ତିମତୀ
ହୁଡି ମେରୁ ପଦ ତହିଁ ଭାରତୀକି
ଅମୃତେଶ କରେ ଭଣତି ।।
୧ ★ [ଟୀକା: ବିତାନ – ପରିସର, କିଶଳୟ – କଅଁଳ ପତ୍ର, ସଙ୍ଗାତ ମଉଳି – ବନ୍ଧୁଶ୍ରେଷ୍ଠ, ବ୍ୟପଦେଶେ – ଛଳେ । ପତ୍ରମାନଙ୍କ ଗହଣରେ ନିଆଳୀ ଫୁଲ ପବନର ସ୍ରୋତ ଛଳରେ ଯେପରି ବନ୍ଦାପନା କରୁଛି । ]
୨ ★ [ସଦ୍ୟତମ ଆଗତ ବସନ୍ତ ପ୍ରଭାତରେ ସ୍ବଳ୍ପ କାକର ପରେ ଖରାଟିଆ ସମୟରେ ସେହି କାକର ପାଣି ଝାଳବିନ୍ଦୁ ପରି ଗଛ ଦେହରୁ ଖସିପଡୁଥିଲା ।
ହେଲେ ଲାଗୁଥିଲା ଯେପରି ଶାମୁକା ଭିତରୁ ମୋତି ଶ୍ରେଣୀ ଖସି ପଡୁଥିଲା ବିନୟରେ ଯାହାକୁ ସୁଧାସ୍ଵରୂପ ଏମାନେ ବାଣ୍ଟୁଥିଲେ । ହେଲେ, ଦେଖୁଁ ଦେଖୁଁ ଭାରରେ ନଇଁ ପଡିବା ହେତୁ ଗଛର ଯେମିତି ଅଳକ (କପାଳ ଉପରେ ପିନ୍ଧୁଥିବା ଅଳଙ୍କାର ବିଶେଷ) ତାର ପତ୍ରରୂପକ କେଶରାଶିରୁ ଝଡିପଡୁଥିଲା ।
ଆଉ ସୁନାର ସମ୍ଭାରରେ ତାର କଅଁଳ ପତ୍ରର ଅବଗୁଣ୍ଠନ ତଳୁଁ ସେ ସୌନ୍ଦର୍ଯ୍ୟ ଛଟକି ଆଖିକୁ ଦିଶି ଯାଉଥିଲା । ]
୩ ★ [ଷଣ ବା ହଳଦିଆ ତିଳଫୁଲର ବ୍ୟୂହ ରଚନା ହୋଇଥିବାର ମନେ ହୋଇ ତହିଁରେ ପୁଷ୍ପସମ୍ଭାର ସୁକୁମାରଙ୍କ ଦେହ ମଣ୍ଡନ ଲାଗି ସମାନ ଭାବେ ଝଟକୁଥିଲେ । ଆଉ ତାଙ୍କ ମାଧୁର୍ଯ୍ୟକୁ ଅନୁସରଣ କରି ପଦ୍ମଫୁଲ ନିଜ ନାଡକୁ ପଙ୍କ ଭିତରୁ କୃଶ ବା ସରୁ କନା ପରି ଲମ୍ଵେଇଛି ।
ଲାଗିଲା ଯେପରି ଅକସ୍ମାତ୍, ତମ୍ପ ସାପଟିଏ ମୁଣ୍ଡ ଟେକିଛି । ତିଳ ଫୁଲ ସହ ସୁନ୍ଦରତାରେ ଯୁଦ୍ଧ କରୁ କରୁ ଦଂଶନ କରିବା ଲାଗି ଉଦ୍ୟମ କରି ବରଂ ତା ପାଖୁଡା ରୂପକ ଓଠ ଉପରେ ପଡିଯାଇଛି । ଆଉ ନିଜର ଫୁଲରେଣୁ ପବନ ରୂପକ ତୀରରେ ପକେଇ ପ୍ରାଣ ରକ୍ଷା କରିଛି । ]
(ତମ୍ପ ସାପ ମୁଣ୍ଡକୁ ପଦ୍ମ ପରି ଗୋଲଚିହ୍ନ ଥାଏ ତେଣୁ ଏହି ତୁଳନା)
୪ ★ [ବୀରଦ୍ରୁମ: ମରିଚ ଗଛ, ମୁକୁଳ: ଫୁଟିବାକୁ ଥିବା ବଉଳ
ମରିଚ ଗଛ ଜନିତ ତିକ୍ତତାକୁ ଚନ୍ଦନ ତାର ସୁଗନ୍ଧ ଦ୍ଵାରା ଲାଘବ କରିବା ବେଳେ ସେ ନିଜ ମନମୋହକ ପରଶରେ ବାୟୁମଣ୍ଡଳକୁ ନଚାଉଥିବାର ଜଣାପଡେ । ସୁନାରୀ ଫୁଲ ତହିଁ ଦେହଧାରିଣୀ ହେବା ପରି ଆମ୍ଵ ପତ୍ରର ଉଢୁଆଳରେ ବଉଳମାନଙ୍କ ଦ୍ଵାରା ଆଲଟ ଚାମର କରୁଥିବାର ଦିଶୁଅଛି ।
ଆଉ ତିନ୍ଦୁକ ଫଳର ଆସର ସେଠାରେ ମନରେ କୌତୁକ ରୂପକ ମିଠା ଫଳେଇଅଛି । ଏଥି ସହ ଫୁଲମାନଙ୍କ ସମ୍ଭାର ରୂପକ ସିନ୍ଦୁକ ଯେତେବେଳେ ଖୋଲିଯାଇଛି, ପୂର୍ବରୁ ବିରହରେ ସମୟ ବିତାଉଥିବା (ରଙ୍ଗଣୀ ପରି ଓଷ୍ଠ ଥିବା) ସୁନ୍ଦରୀ ତାହା ଦେଖି ମନର ବେଦନା ପାସୋରିଯାଏ ।
ତିନ୍ଦୁକ: ତମାଳ ଗଛର ଫଳ, ଡଙ୍ଗାପଟା ସନ୍ଧିରେ ଏହାର ଅଠା ବ୍ୟବହୃତ ହେବା ସହ ପାଚିଲେ ଆମ୍ଵ ପରି ଦେଖିବାକୁ ମାତ୍ର ଆମ୍ଵ ଅପେକ୍ଷାକୃତ କ୍ଷୁଦ୍ରକାୟ ]
୫ ★ [ଟୀକା: ଅର୍ଥାତ୍, ସଜଫୁଟା ଫୁଲ ଉପରେ ଫୁଲରେଣୁ ଏମିତି ବିତରଣ ହୋଇଛି ଯେପରି ଲାଗୁଛି ତହିଁ ମୀନଧ୍ଵଜ (କନ୍ଦର୍ପ) ଖେଳ କରୁଅଛି ।
ଏହାର ସୁଗନ୍ଧ ଛଳରେ ମତ୍ସ୍ୟରଙ୍କ ପକ୍ଷୀ ଭାବୁଛି ଏହିକି ସେ ସୁନ୍ଦରୀ ମାଛ ଯିଏ ସବୁଜିମା ରୂପକ ହ୍ରଦରେ ଭାସୁଅଛି ? (କନ୍ଦର୍ପଙ୍କ ଧ୍ବଜା ଚିହ୍ନ ମତ୍ସ୍ୟ ଯେହେତୁ)
କଅଁଳ ପତ୍ରମାନଙ୍କୁ ସତେ ସମୁଦ୍ର ଭାବିଦେଇଛି । ହେଲେ ନିଆଁରେ ପତଙ୍ଗ ଆକୃଷ୍ଟ ହେଇ ପଡିଲା ପରି ଇଏ କାମଦେବଙ୍କ ଭୋଳରେ ପତଙ୍ଗ ପରି ଏଠି ପଡି ଭାଗ୍ୟ ଦ୍ଵାରା ଭୋଜନ ହୋଇଯାଇନି ତ ?]
୬ ★ [ପାଚିଲା ଆମ୍ଵମାନଙ୍କ ଦ୍ଵାରା ଅବନତ ଶରୀରରେ କଢିମାନଙ୍କ ମଧ୍ୟରେ ବଉଳ ବାସ୍ନା ଦେଉଥିଲା ସମୟରେ ମଳୟରେ ରାଶିଫୁଲ ବା ତିଳଫୁଲର ତୀବ୍ର ବାସ୍ନା ମିଶିଯାଉଅଛି । ଫଳସ୍ଵରୂପ, ସଦା ଲୀଳା ରଚୁଥିବା ଧରଣୀ ଏହା ଦ୍ଵାରା ପ୍ରକୃତିର ସ୍ନେହଶୀଳ ଛବିରେ ଅଭିନ୍ନ ସୁଷମାକୁ ମଣ୍ଡନ କରୁଅଛି ।
ଯେତେବେଳେ ସନ୍ଧ୍ୟା ସମୟ ଆସିଛି, ଦିଗନ୍ତର ଗୋଟିଏ ପଟେ କୁଆଁତାରା ଆକାଶରେ ଉଇଁ ନାକରେ ଲାଗୁଥିବା ମଣିଖଚିତ ନଥ ପରି ଶୋଭିତ ହେବା ସହ ତାର ସୁନ୍ଦର ଆଲୁଅ ମାଧ୍ୟମରେ ଯେମିତି ଆକାଶର ପ୍ରାଣ ଭିତରେ ଆଲୁଅ ରୂପକ ଜୀବସତ୍ତା ଦାନ କରୁଅଛି । ]
୭ ★ [ଅସ୍ତକର: ଅସ୍ତାୟମାନ ସୂର୍ଯ୍ୟ । ବାଦିତ୍ର: ବାଦ୍ୟ, ରସନା: ଜିଭ । ଏଠାରେ ସନ୍ଧ୍ୟାକୁ ସ୍ଵୟଂ ଏକ ଦେଉଳ ସ୍ଵରୂପ ତୁଳନୀୟ କରାଯାଇ ଦିଗ୍ ବଳୟକୁ ଜଗମୋହନ, ମଳୟକୁ ବାଇଦ ଓ ତାହା ଦ୍ଵାରା ପ୍ରବାହିତ ବାୟୁସ୍ରୋତର ଶବ୍ଦ ଦ୍ଵାରା ପୂଜା ହେଉଥିବାର ବର୍ଣ୍ଣିତ ।
ମାଧବୀ ବା (ଏଠାରେ) ତୁଳସୀ ତାହାର ପତ୍ରମାନଙ୍କ ଗହଳରେ ହୁଳହୁଳି ଦେବା ଛଳରେ ତାର ମଞ୍ଜରୀ ବା କଢିମାନଙ୍କ ଭିତରୁ ଫୁଲରେଣୁ ଝାଡି ଦେଇ ଅର୍ଘ୍ୟସ୍ଵରୂପ ତୋଳି ଧରୁଛି । ]
୮ ★ [ସମଗ୍ର ଲୋକରେ ବା ସଂସାରରେ ଉକ୍ତ ସୌନ୍ଦର୍ଯ୍ୟର ବର୍ଣ୍ଣନା କରିବା ଦ୍ଵାରା କଠୋର ଓ ଜଡ଼ ଶରୀର ଉଦାର ଓ କୋମଳ ହୁଏ । ଆଉ ଯେ ଏହି ସର୍ବସମ୍ପନ୍ନ ସୌନ୍ଦର୍ଯ୍ୟ ଭାବକୁ ନିଜ ଅନ୍ତରରେ ପୁଲକିତ ଭଅଁର ସ୍ଵରୂପ ନିତ୍ୟ ଗୁଣୁଗୁଣୁ ହେବ, ତା କଣ୍ଠରେ ସ୍ଵୟଂ ଗଙ୍ଗାଙ୍କ କଳକଳ ପ୍ରବାହ ବୋହୁଥିବାର ମନେ ହୋଇପାରେ ।
ସେଥିପାଇଁ ସୁବର୍ଣ୍ଣର ମେରୁପଦ ଛାଡି ଯେଉଁଠି ଏହି ଗଙ୍ଗାଙ୍କ ସହ ଭାରତୀ ବା ସରସ୍ଵତୀ ମିଳିତ ହୋଇଛନ୍ତି, ସେହି ସରସ୍ଵତୀଙ୍କର ନାମ ଘେନି ଏହିଠାରେ ଅଧମ ଅମୃତେଶ ଭଣତି କରୁଅଛି ।
ଉକ୍ତ ପଦ୍ୟାବଳୀରେ ବ୍ୟବହୃତ ରୂପକରେ ବର୍ଣ୍ଣିତ ଫୁଲ ଓ ଉଦ୍ଭିଦମାନଙ୍କ ନାମ ଓ ଫଟୋଚିତ୍ର ତଳେ :
ଛୁରିଅନା: ସୁଗନ୍ଧଯୁକ୍ତ ଧଳାଫୁଲ । ଏହାକୁ ଉଦ୍ଭିଦ ବିଜ୍ଞାନରେ Cymose Inflorescence ବା ସସୀମୀ ପୁଷ୍ପସ୍ତବକ ଶ୍ରେଣୀ ଅନ୍ତର୍ଗତ ଅଟେ । ଚାରିରୁ ଊର୍ଦ୍ଧ୍ଵତର ପାଖୁଡା ଏହାର । ସତ୍ୟବାଦୀ ବକୁଳବନ କହିଲେ ଛୁରିଅନା ଗଛର ନାଁ ପ୍ରଥମେ ଶୁଭେ ।
ପାଟଳୀ: ଏହାର ଅନ୍ୟନାମ ବସନ୍ତଦୂତୀ । ଉକ୍ତ ଫୁଲ ବସନ୍ତ ଆଗମନର ଆଦ୍ୟସୂଚକ ଅଟେ ତଥା ଓସାରିଆ ପାଖୁଡାମାନଙ୍କ ସମାହାରରେ ଶୋଭା ପାଏ । ନିଆଳି, ଅଡଶପୁର, ବାଲିଅନ୍ତା ଠାରେ ଏହା ପ୍ରଚୁର ଭାବରେ ଦିଶେ ।
ନିଆଳିକା: ନିଆଳୀ ଫୁଲ ବା ବଣମଲ୍ଲୀ । ବସନ୍ତରେ ଧବଳ ସାତଗୋଟି ବା ଆଠ ଗୋଟି ପାଖୁଡାରେ ଫୁଟେ ଏହି ଫୁଲ । ଉପେନ୍ଦ୍ର ଭଞ୍ଜ ଏହାକୁ ଲାବଣ୍ୟବତୀ କାବ୍ୟର ପ୍ରସିଦ୍ଧ ଛାନ୍ଦ ‘ଦେଖି ନବମାଳିକା , ବକାଳିକା ମାଳିକା… ‘ ରେ କାବ୍ୟ ପ୍ରସିଦ୍ଧି ଭାବେ ପ୍ରତିପାଦିତ କରିଛନ୍ତି ।
ଷଣ: ତୋଫା ହଳଦିଆ ରଙ୍ଗର ଛଣଫୁଲ । ଭାରତରେ ଏହା ଉତ୍ପତ୍ତି ଘେନିଥିଲେ ମଧ୍ୟ ବିଦେଶରେ ଏହା ଜୈବ ଇନ୍ଧନ ସ୍ଵରୂପ ମାନ୍ୟତା ପାଇସାରିଛି । ଅଥର୍ବବେଦରେ ଏହାର ଆଦ୍ୟ ଉଲ୍ଲେଖ ରହିଥିବା ସହ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ କାବ୍ୟରେ ସୀତାଙ୍କ ମୁଖକୁ ତୁଳନା କରି କୁହାହେଇଛି : “ବିଭୂଷଣ ପୁଷ୍ପେ ଯା’ କାନ୍ତି ଜାଣ…” ।
ବୀରଦ୍ରୁମ: ମରିଚ ବା ଗୋଲମରିଚ । ଖାଦ୍ୟ ପ୍ରସ୍ତୁତି ସମୟରେ ତରକାରୀ ମଧ୍ୟରେ ଏହା ମିଶାଇବା ହେତୁ ସ୍ଵାଦରେ ତିକ୍ତତା ଦିଏ ।
ତିନ୍ଦୁକ: ତମାଳ ଗଛର ଫଳ, ଡଙ୍ଗାପଟା ସନ୍ଧିରେ ଏହାର ଅଠା ବ୍ୟବହୃତ ହେବା ସହ ପାଚିଲେ ଆମ୍ଵ ପରି ଦେଖିବାକୁ ମାତ୍ର ଆମ୍ଵ ଅପେକ୍ଷାକୃତ କ୍ଷୁଦ୍ରକାୟ ।