ପ୍ରଫୁଲ୍ଲ ଦାସ

ଲେଖା: ଅମୃତେଶ ଖଟୁଆ

 

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~
“ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି । କିନ୍ତୁ ସବୁ କାର୍ଯ୍ୟ ଭିତରେ ମଝିରେ ମଝିରେ ଭାସି ଆସେ ମାଳତୀଙ୍କ ବୀଣା ବିନିନ୍ଦିତ କଣ୍ଠରୁ:
“ଫିକେ ଚଲ ମାଟିର ତାନେ,
ଯେ ମାଟି ଆଞ୍ଚଲ ଯେତେ
ଚେୟେ ଆଛେ ତୋମାର ମୁଖେର ପାନେ . .”
ରବୀନ୍ଦ୍ର ସଙ୍ଗୀତ । କି ଅଫୁରନ୍ତ ଆନନ୍ଦ । ସେ ଘାସ ବଛା, ପାଣି ମଡା ଭଳି କାର୍ଯ୍ୟ ସାଙ୍ଗକୁ ନିର୍ଧୂମ ଖରାରେ ଝାଳବୁହା ଖଟଣି । ସେଥିରେ ପୁଣି ସଙ୍ଗୀତର ଫୁଆରା ! ମହାର୍ଘ ସେ ଦୃଶ୍ୟ ! ଅନନ୍ୟ ସେ ଦମ୍ପତ୍ତି । ମାଳତୀଙ୍କ ଶାଶୁ ଗାଁ ସେଇ ପାଖରେ । ସେମାନେ ଦୂରରେ ଠିଆ ହୋଇ ଦେଖନ୍ତି ଜମିଦାରଙ୍କ ପୁଅ ବାରିଷ୍ଟର ଘର ଝିଅଙ୍କର ସେହି କଠୋର ବ୍ରତ – ଦେଶ ସେବାର ସେ ଅଗ୍ନି ପରୀକ୍ଷା ।
ରାଜକୀୟ ସୁଖ ସମ୍ଭୋଗ ସ୍ଵେଚ୍ଛାରେ ତ୍ୟାଗ କରି ଦାରିଦ୍ର୍ୟକୁ ବରଣ କରିବାର କୃଚ୍ଛ୍ର ସାଧନା । ପଲ୍ଲୀପ୍ରଧାନ ଓ କୃଷି ପ୍ରଧାନ ଦେଶର ଜୀବନ୍ତ ସମସ୍ୟା ଗୁଡ଼ିକ ସହ ପରିଚିତ ହେବା ଓ ଶିକ୍ଷିତ ସମାଜର ଶରୀର ଶ୍ରମ ପ୍ରତି କୁଣ୍ଠା ଓ ଅବଜ୍ଞା ଦୂର କରିବାକୁ ନିଜେ ବରଣ କରି ନେଇଛନ୍ତି ସେହି କଣ୍ଟକାକୀର୍ଣ୍ଣ ଜୀବନ ପଥ । ଆହା ! କି ଘର ପୁଅ କି ଘର ଝିଅ ପୁଣି କି ଘର ବୋହୂ !” (‘ବହ୍ନିମାନ’, ପୃ-୮୭)
ବାଟରେ ଆଙ୍ଗୁଠି ଚିପି ଚିପି ପାଦର ପାହୁଣ୍ଡ ଖାଦ୍ୟର ଶ୍ଳଥ ସ୍ଵାଦ ବାରିବା ପରି ଚାଲୁଥାଏ । ଜୀବନର ଡାହିରେ ଡାହିରେ ନୂତନ ପଲ୍ଲବ ଉଢାଳ ବିକଶିତ ହେଉଥାଏ । ସେଥିରେ ଯୌବନ ଆଞ୍ଜୁଳାଏ ଢାଳୁଣୁ ମହାଶୂନ୍ୟର ଅଖିଳ ପଣତ ତଳେ ସେହି ପାଦରେ ଲାଗିଥିବା ରେଣୁ ବାଜି ବାଟର ଫୁଲତକ ବେଶ୍ ଅବଶ ମନେକରନ୍ତି ନିଜର ଆଦିଗନ୍ତ ବ୍ୟାପୀ କୁଆଁରୀ ଘଟଟିକୁ । କାରଣ, ଜୀବନଯାକରେ ବିଶୁଷ୍କ ରସ ଓ ସ୍ଵାଦ କୌଣସି କାଳେ ସେମାନଙ୍କର ସୁଲଭ ହୋଇନାହିଁ ।
ଆଉ ଯୌବନରେ ଅର୍ଜିତ ଦୟିତ ସମ୍ଵେଦନାର ପୁଷ୍ପପରାଗ କାଳକ୍ରମେ ମଉଳିଯାଏ । ସେମାନଙ୍କ ଅର୍ଜନ କେବଳ ଆର୍ଦ୍ର ମାଟିର ଊର୍ବରତାର ଶୋଷଣ କରି ମାଟିର ଦୈହିକ ବେଦନା ଠାରୁ ନିଜର ଆଭିଜାତ୍ୟ ଗଢି ତୋଳିବା । କ୍ଷୟପ୍ରାପ୍ତ ଶିଳାବକ୍ଷର ଊଷର ପିଣ୍ଡକୁ ଧରି ମାଟିର ମଲାଟଟିଏ ଯେତେବେଳେ ପୃଥିବୀର ସବୁଜ ପୃଷ୍ଠାତକ ବନ୍ଧେଇ ରଖିଥାଏ, ତାହାର ଅକ୍ଷର କିନ୍ତୁ ଲିଭେଇ ନିଜର ସାରସ୍ଵତ କରନ୍ତି କେଉଁ ଫୁଲବଗାନର ପ୍ରସ୍ଫୁଟିତ ସୌନ୍ଦର୍ଯ୍ୟ । ମୃତ୍ ସ୍ତୂପର ଊର୍ବରତାରେ ସେମାନଙ୍କ ଫୁଲରେଣୁ ସମୃଦ୍ଧ ହୋଇ ରସିକ ଭ୍ରମରଙ୍କୁ ଆମୋଦିତ କରେ ।
ହେଲେ କ୍ଷଣଭଙ୍ଗୁର ହୋଇ ପରେ ଝଡିଯାଏ ବିଶୁଷ୍କ ମାଟିର ବକ୍ଷଦେଶରେ । କାରୁଣ୍ୟ ବିନିନ୍ଦିତ ମଳୟ ମାରୁତ ସେମାନଙ୍କ ଉଶ୍ଵାସ ଲଭିଥିବା ମରଣ ସହ ପାସୋରିଯାଏ । ତାହାଙ୍କର ଗୁଣରେ ସେ ହୁଏନାହିଁ ବିଶେଷ ପ୍ରଲୁବ୍ଧ ଅଥବା ଅଭିମନ୍ତ୍ରିତ । ମାତ୍ର, ବାଟଯାକ ଯାହାର ରେଣୁ ଏହି ପୁଷ୍ପପରାଗର ଅସ୍ତିତ୍ଵ ଅପେକ୍ଷା ବିଶେଷ ଆତ୍ମସ୍ଥ ଓ ଯୌବନସିଦ୍ଧ ହୋଇ ବିତରିତ ହୁଅନ୍ତି, ତାହାର ରୂପରେ ହେଲେ ପ୍ରଚ୍ଛନ୍ନ ସଙ୍ଘର୍ଷର ଛବି ବାରି ହେଇଯାଏ । ପଦପଲ୍ଲବର ଆବିଳ ଛାପରେ ବିବିକ୍ତ ପଥପ୍ରାନ୍ତର ହୋଇ ଉଠିଛି କୁବ୍ଜ, ମାତ୍ର ଅଚିରେ ଊର୍ବର ।
ଆମ ସଙ୍ଘର୍ଷ ଚେତନାର ଏହା ଥିଲା କୌଣସି ଏକ ବିଶିଷ୍ଟ ରୂପାୟନ ଯାହା ଆମ୍ଭର ପରିପାର୍ଶ୍ଵର ସମଗ୍ର ପ୍ରତିଭା ଓ ବ୍ୟକ୍ତିତ୍ଵର ଉତ୍ସ ସ୍ଵରୂପ ବିଦ୍ୟମାନ । ସଙ୍ଘର୍ଷର କଷାଘାତରେ ଉଦ୍ଦିଷ୍ଟ ଜୀବନର ବନ୍ଧୁର ପଥ ଅନେକତଃ କଙ୍କରିଳ ହୋଇ କେଉଁ ସମୟରେ ଦୁଃଖ, ଦୁର୍ଦ୍ଦିନ ଓ ବହୁଗୁଣରେ ଘାତପ୍ରତିଘାତମାନଙ୍କ ସହ ସମ୍ମୁଖୀନ କରାଇଥାଏ ତାହା ଅନୁଭବରେ ସର୍ବାଦୌ ଅଙ୍ଗେ ନିଭା । ସେଥିପାଇଁ ଜୀବନର ସ୍ଵାଦ ଓ ସାର୍ଥକତା ବିହିତ ସଙ୍ଘର୍ଷ ଚେତନା ସହ ସମ୍ମୁଖୀନ ହେବାରେ ଚିରନ୍ତନ ପ୍ରତିଷ୍ଠିତ ଓ ପ୍ରେରଣା ପ୍ରଦାୟକ ଅଟେ ।
ଉପର୍ଯୁକ୍ତ ଉଦ୍ଧୃତାଂଶ କତିପୟ ମାଧ୍ୟମରେ ଆମ ମାଟିର ଗୁଣୀୟାନ ଓ ଗୁଣୀୟସୀ ବ୍ୟକ୍ତିତ୍ଵଙ୍କର ପରିଚୟ ଯାହା ଆମ୍ଭର ମନୋମୁଗ୍ଧ ସହକାରେ ହୃଦୟଙ୍ଗମ ହୁଏ, ସେଥିରେ ଯେ କେବଳ ସଙ୍ଘର୍ଷ କରିବା ଜୀବନର ଏକାନ୍ତ ପରିଚର୍ଯ୍ୟା ବୋଲି ଦର୍ଶାଯାଇ ନାହିଁ । ନେପଥ୍ୟର ଅନାବିଷ୍କୃତ ପଥପ୍ରାନ୍ତରର ସୁଷମା ମଧ୍ୟରେ ନିଜ ସାର୍ଥକତାର ସୌଧ ତୋଳିବା ଲାଗି ପ୍ରଚ୍ଛନ୍ନ ଆଦର୍ଶ ହୋଇଅଛି ଆୟାମୀ ପ୍ରବୃତ୍ତିର ଉପଜୀବ୍ୟ । ନବକୃଷ୍ଣ ଚୌଧୁରୀମାଳତୀ ଚୌଧୁରୀଙ୍କ ପରିବର୍ତ୍ତନର ଆଭାସ ତହିଁରେ ଅନ୍ୟତମ ।
ଏହି ଜୀବନୀର ଉପୋଦ୍’ଘାତକୁ ମଧ୍ୟ ଅନ୍ତର୍ଗତ ଚେତନାରେ ମୂଳଭୂତ କରିବା ଲାଗି ଯେଉଁ ସହଜାତ ଭାବନାରେ ଉଦବୁଦ୍ଧ ହେବାକୁ ହୋଇଥାଏ, ତାହାର ସ୍ନିଗ୍ଧ ଛଟାରେ ଦୃଶ୍ୟମାନ ହୁଅନ୍ତି #ପ୍ରଫୁଲ୍ଲ #ଦାସ । ସ୍ଵାଧୀନତା ସଂଗ୍ରାମରେ ପିଢି ପରେ ପିଢି ଓ ଅନାଗତ ଯୁବଚେତନାର ଆନତ ପୁଷ୍ପମଞ୍ଜରୀରେ ବିବିଧ ମଞ୍ଜର ପ୍ରାଣପ୍ରାଚୁର୍ଯ୍ୟ ଦେଇଥିଲେ ସେହିମାନଙ୍କ ମଧ୍ୟରେ ବିପ୍ଳବର ସେ ଅଫୁରନ୍ତ ନିର୍ଝରଟିଏ । ତରୁଣ ବୟସର ଗୁରୁଭାର ବହି ସାରିଲା ପରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ପୌରୁଷ ସମୟରେ ।
ମାତ୍ର, ସ୍ନାୟୁରେ ଆତ୍ମସଞ୍ଚାରର ଲେଶମାତ୍ର ସମୟର କ୍ରୂର ଅଭିବ୍ୟଞ୍ଜନାରେ ଉଭେଇ ଯାଇନଥିଲା ଅଥବା ଆଗ୍ନେୟ ଉଚ୍ଛ୍ଵାସର ହୋଇନଥିଲା ପ୍ରଶମନ । ୧୯୨୭ ମସିହା ସେପ୍ଟେମ୍ବର ୩୦ ତାରିଖ । ପିତା ହରମୋହନ ଦାସ ଓ ମାତା କୃଷ୍ଣପ୍ରିୟା ଦାସଙ୍କ କ୍ରୋଡଦେଶରେ କେନ୍ଦ୍ରାପଡାର କନିକା ଠାରେ ନିଷ୍କ୍ରାନ୍ତ ଅତୀତର ପଟ୍ଟଭୂମିରେ ତାଙ୍କର ଆବିର୍ଭାବ ଘଟିଅଛି । ଦୁଃଖିନୀ କନିକାର ଗୌରବ ଖଣିରେ ମୃତ ସ୍ତୂପୀକୃତ ଅପଯଶ ଯେଉଁ ଦିନ ତାଙ୍କ ନୀରନ୍ଧ୍ର ଶୈଶବକୁ ପ୍ରଭାବିତ କରିଥିଲା, ତାହା ଘଟାଇଥିଲା ତାଙ୍କ ବୈପ୍ଳବିକ ବିଶ୍ଵାସର ଉଦୟଲଗ୍ନ ।
ସ୍ବପ୍ନଜନ୍ମା ରୋମନ୍ଥନରେ ଦ୍ରବୀଭୂତ ତାଳୀବନ ଶ୍ୟାମ କନିକାର କନକରାଇଜ କ୍ଷତ୍ରିୟକୁଳର ଭୁଜଦଣ୍ଡରେ ଯେଉଁ ଦିନ ସ୍ଵାଭିମାନକୁ ଭଣ୍ଡୁର କରାଇଲା ସାମନ୍ତ ଶାସନ ଦ୍ଵାରା ଆନୀତ ଅପକୌଶଳରେ, ସେହିଦିନ ଅସଂଖ୍ୟ ବିଦ୍ରୋହୀମାନଙ୍କ ନିଶୂତିରୁ କୁରୁଳି ଉଠିଥିଲା ବିକ୍ଷୁବ୍ଧ ଅଭିସମ୍ପାତ । ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଶାସନକଳରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲାଗି କର୍ମତତ୍ପର ଥାଆନ୍ତି । ଫଳସ୍ଵରୂପ, ତାଙ୍କ ଅନୁପସ୍ଥିତିରେ ଗୃହଶତ୍ରୁଙ୍କ ଦ୍ଵାରା ପ୍ରଜାପୀଡନ କନିକାର ଶ୍ଳୀଳ ରାଜକୀୟତାକୁ ବିନଷ୍ଟ କରିବାର ଆଦ୍ୟ ପର୍ଯ୍ୟାୟରେ ୬୪ ପ୍ରକାରର ବିଷମ କର ‘Egg Tax’ ନାଁରେ ପ୍ରଚଳିତ ହୁଏ ।
ଆଠଶହ ବର୍ଷର ମୂର୍ଚ୍ଛାହୀନ ଇତିହାସର ଦୀପ୍ତି ଯେ ଦିନେ ଅସ୍ଵଚ୍ଛଳ ବିଦ୍ରୋହର ଉତ୍ତେଜନାରେ ବିବର୍ଣ୍ଣ ପଡିଯିବ, ଏହା ‘ଦୁଃଖିନୀ କନିକା’ର ପଦା ପଡିଥିବା ଅତଳାନ୍ତକ ବର୍ତ୍ତମାନ ଜୀବନ୍ତ ସାକ୍ଷୀ ଭଳି ଥିଲେ ହେଁ ଅମୂର୍ତ୍ତ ହୋଇ ପଡି ରହିଛି । ସୁଚାରୁ ବେଳାରାଶି ଓ ମନୋଜ୍ଞ ନୀଳିମାର ଆସ୍ତିକତାରେ ଯେଉଁଠି ଇତିହାସ ଓ ଗୌରବ ଦୁହେଁ ସହାବସ୍ଥାନ କରୁଛନ୍ତି, ସେଠାରେ କୌଣସି କାଳେ ସମୁଦ୍ରର ଲୁଣି ମାରୁତ ପ୍ରଭାବରେ କଳଙ୍କି ଲାଗିନଥିଲା, ଯାହା ଦିନେ ଧ୍ବସ୍ତ କରି ଦେଲା ସ୍ଵାର୍ଥର ଘାତ ଉପରେ ଲୋଲୁପୀଙ୍କ ଲବଣ ଲେପ ! ରହିଗଲା ଯାହା ନିସ୍ତରଙ୍ଗ ‘ତାଳୀବନାକୀର୍ଣ୍ଣ ନକ୍ରଚକ୍ରଯୁତ ଜଳଦୁର୍ଗ’ କନିକା !
ଆନନ୍ଦ ଚନ୍ଦ୍ର ଜେନା ଓ ତାଙ୍କ ବିପ୍ଳବର ଶିଷ୍ୟତ୍ଵ ବରଣକାରୀ ବାସୁ ଓ ବିସୁନିଙ୍କୁ ମର୍ମନ୍ତୁଦ ମରଣରେ ବିପ୍ଳବକୁ ନୀରବ କରାଇବାର ହୋଇଥିଲା ନାନା ଜାତିର ଚେଷ୍ଟା । ୧୯୨୨ ମସିହାରେ ଆନନ୍ଦ ଚନ୍ଦ୍ର ଜେନା କାରାଦଣ୍ଡରେ ଶିକୁଳିର ଅଙ୍କୁଶରେ ବନ୍ଧେଇ ହେଇ ପଡିଲେ । ତାଙ୍କ କୁଟୁମ୍ଵକୁ ନିରାହାର କରି ଦିଆଗଲା । ବୟାଲିଶ ଏକରର ଜମି ଓ ଶ୍ରମର ପରିପାଟୀ ଉପରେ ଅବରୋଧ ଲଗାଇଲା ରଜାଙ୍କ ଆଧିପତ୍ୟର କିଳିଣୀ । ପ୍ରଜାଙ୍କର ମେଳି ରଚିଥିବା ଆନନ୍ଦ ଚନ୍ଦ୍ର ଜେନା ମୁକୁଳିଲେ ତା ପରେ ସତ୍ୟ, ମାତ୍ର ଏକଛତ୍ରବାଦୀ ରାଜାଙ୍କ ଶାସନରେ ଭୀତ- ତ୍ରସ୍ତ ଜନସମାଗମ ଦ୍ରୋହାଚାରରୁ କ୍ଷାନ୍ତ ପଡିଗଲା ।
ହେଲେ ବିପ୍ଳବର ଅଜସ୍ର ଦ୍ୟୁତି ନିଷ୍ପ୍ରଦୀପ୍ତ ହୋଇ ଯାଇଥିବାର ଭାବୁଛନ୍ତି କି ? ମାତ୍ର, ଏ ବିପ୍ଳବର ଆୟାମ ଉପରେ ଏଡେ ସହଜରେ ଯବନିକା ପଡିଯାଇଥାନ୍ତା, ତାହା ଆମ୍ଭ ଲାଗି ବିଶ୍ଵାସ୍ୟ ହୋଇପାରେନା ! ହଁ, ଜନ୍ମ ନେଇଛି ପୁଣି ଥରେ ଗୌରବର ତୀକ୍ଷ୍ଣ ଦୃଷ୍ଟିଭଙ୍ଗୀରେ ଶାଣଦିଆ ଭବିତବ୍ୟର ଅଭିସନ୍ଧି ! ସେ ସ୍ଵାଧୀନତା ସଂଗ୍ରାମର ଅଭ୍ୟୁଦୟରେ ଖୋରାକ ଯୋଗାଇ ପାରି ଥିଲେ ଆପଣାର ମାଟିର ଉନ୍ମାଦକୁ ନିଜ ଭିତରେ । ଜାଣି ପାରିଥିଲେ ଦିନେ ବ୍ୟର୍ଥତାର ଆକ୍ରୋଶ ସହି ଉତ୍କଳର ନିରପରାଧ ଗୌରବରୁ କନିକା ମାଟି ନିରୁଦ୍ଦିଷ୍ଟ ଓ ବଞ୍ଚିତ ।
ପ୍ରଫୁଲ୍ଲ ଦାସଙ୍କ ବାପା ଇହଲୀଳା ସମ୍ଵରଣ କରିଛନ୍ତି ଏଥର । ସେତେବେଳେ ତିନିବର୍ଷର ପ୍ରଫୁଲ୍ଲ ଦାସ । ଦେଶ ଯାକରେ ସ୍ଵାଧୀନତା ସଂଗ୍ରାମର କମ୍ପ ତାଙ୍କର ସେ କାଳେ କର୍ଣ୍ଣପାତ ହୋଇନଥାଏ । ଶୈଶବର ଅବଶିଷ୍ଟ ଜୀବନ ନିଜ ମାମୁଁ ଘରେ ରାଜକନିକାର ଜରିସାହିରେ ଅତିବାହିତ କରିଲେ । ପିଲାଟି ଦିନରୁ ମାମୁଁ ଘରେ ପିତା ଛେଉଣ୍ଡ ହେଇ ଯେଉଁ ଏକାକୀ ଅନୁଭବ ଛଳରେ ବାହ୍ୟ ଦୁନିଆର ପରିଧି ତାଙ୍କର ରୋମାଞ୍ଚରେ ସ୍ପର୍ଶ କରି ଅଛି, ସେଥିରେ କ୍ରମେ ବିପ୍ଳବର ଧ୍ଵନି ଉତ୍କର୍ଣ୍ଣ ହେଉଥିଲା । ଏହି ସମୟରେ ପ୍ରଫୁଲ୍ଲଙ୍କର ଛାତ୍ରଜୀବନର ପର୍ଯ୍ୟାୟ ଚାଲିଅଛି ।
ମାମୁଁଘରେ ତାଙ୍କର ଓଡ଼ିଆ-ବଙ୍ଗଳା-ସଂସ୍କୃତ ପୁଷ୍ଟ ପରିବେଶର ସଂସ୍ପର୍ଶରେ ପ୍ରଫୁଲ୍ଲ ଆସି ଅଛନ୍ତି । ରବୀନ୍ଦ୍ରନାଥ ଓ ବଙ୍କିମଚନ୍ଦ୍ର ପ୍ରଭୃତିଙ୍କୁ ଛୋଟ ବୟସରୁ ପଢିଛନ୍ତି । ମାମୁଁଘରୁ ପ୍ରକାଶିତ ‘କୁଟୀର’ ନାମକ ହାତଲେଖା ପତ୍ରିକା ତାଙ୍କ ସାରସ୍ଵତ ପ୍ରତିଭାର ସ୍ଫୁରଣ ଘଟାଇଥିଲା । ତାଙ୍କ ମା’ ସେ ସମୟରେ ବିହାର ଓଡିଶା ନର୍ସିଂ ପରୀକ୍ଷାରେ ପ୍ରଥମ ହେବାର ଯଶ ଅର୍ଜି ସରକାରୀ ଚାକିରି ପାଇଥିଲେ । ହେଲେ ସେଥିରେ ତାଙ୍କର ମନ ସ୍ଥିରନିଶ୍ଚିତ ନ ରହିବାରୁ ସେ ଇସ୍ତଫା ନେଲେ ଏବଂ ଗାନ୍ଧିଜୀଙ୍କ ଆଧ୍ୟାତ୍ମିକ ଉତ୍ତରସୂରୀ ଭାବେ ପରିଚିତ ବିନୋବା ଭାବେଙ୍କ ଆଦର୍ଶରେ ତାଙ୍କ ଦ୍ଵାରା ଅନୁଷ୍ଠିତ ପଦଯାତ୍ରାରେ ଯୋଗଦାନ କରନ୍ତି ।
ପ୍ରଫୁଲ୍ଲ ଦାସ ଆବାଲ୍ୟ ବିପ୍ଳବମନସ୍କ ଥିଲେ । ଉଚ୍ଚଶ୍ରେଣୀର ବିଜ୍ଞାନର ଛାତ୍ର ହୋଇ ସେ ନିଜକୁ ମେଧାବୀ କରି ସାରିଥିଲେ କିନ୍ତୁ ପାଠ ସେ ଛାଡିନାହାନ୍ତି । ଛାତ୍ରଜୀବନ ତାଙ୍କର କନିକା, କୁଜଙ୍ଗ, ସାଲେପୁର ଓ ବାଲେଶ୍ଵର ପ୍ରଭୃତି ସ୍ଥାନରେ ବିତିଥିଲା । ହେଲେ, ଆନନ୍ଦ ଚନ୍ଦ୍ର ଜେନାଙ୍କର ଯେଉଁ ‘ଦୁଃଖିନୀ କନିକା’ ଗୀତଟି ଥିଲା, ତାହା ତାଙ୍କ ବିପ୍ଳବ ଚେତନାକୁ ତନ୍ମୟ କରିଦେଲା । ଗାନ୍ଧିଜୀ ଓ ବିନୋବା ଭାବେଙ୍କ ନିୟମିତ ଭାବାଦର୍ଶ ମାଧ୍ୟମରେ ଅନୁପ୍ରେରିତ ହୋଇ ସେ ଛାତ୍ରାବସ୍ଥାରୁ ହିଁ ଜନ୍ମମାଟି କନିକାରୁ ବିଦ୍ରୋହର ସୂତ୍ରପାତ କରିଛନ୍ତି ।
କନିକା ରାଜାଙ୍କର ଦମନମୂଳକ କାର୍ଯ୍ୟର ପ୍ରତିରୋଧ କରି ସେ ବାପୁଜୀଙ୍କ ଅହିଂସ ଆହ୍ଵାନରେ ପ୍ରତିବାଦୀ ରୂପେ ଆପଣାକୁ ସଜାଇ ସାରିଥିଲେ । ପାଖରେ ତାଙ୍କର ବିରାଟ ଜାତୀୟ ସ୍ରୋତର ଅବଗାହୀ ତରଙ୍ଗିଣୀ ଓ ମହାପୁରୁଷମାନଙ୍କ ବ୍ୟୂହ ମଧ୍ୟରେ ସେ ଆବିଷ୍କାର କରିଛନ୍ତି ଅନ୍ତର୍ଗତ ବିପ୍ଳବୀର ଲୁଚି ରହିଥିବା ସମର୍ଥ ଯୋଦ୍ଧାକୁ । ଏକଦା କବିଚନ୍ଦ୍ର କାଳୀଚରଣଙ୍କର ‘ଭାତ’ ନାଟକ ମାଧ୍ୟମରେ ମଞ୍ଚାଭିନୟ କରାଇ ରାଜାଙ୍କ ରୋଷ ସମ୍ଵରଣ କରିଥିଲେ ପ୍ରଫୁଲ୍ଲ ଦାସ । ଆଉ ତାହା ପରଠାରୁ ଆହୁରି ଉତ୍ତ୍ୟକ୍ତ ହୋଇଛି ତାଙ୍କର ଶୋଷଣ-ବିରୋଧୀ ଚେତନା ରାଜକୀୟ ଅତ୍ୟାଚାର ବିପକ୍ଷରେ !
କନିକାରେ ପ୍ରଜାମେଳି କରିବା ସହିତ ସେ ହରିଜନ ଓ ଦଳିତମାନଙ୍କ ପାଇଁ ସ୍ଵର ଉତ୍ତୋଳନ କରି ରାଜାଙ୍କ ଦ୍ବାରା ବିତାଡିତ ହୋଇଛନ୍ତି । ଯନ୍ତ୍ରଣାଜର୍ଜରିତ ବ୍ୟକ୍ତିଗତ ଜୀବନ ପ୍ରତି ଭ୍ରୂକ୍ଷେପ ନ କରି ଅନ୍ୟମାନଙ୍କ ମଧ୍ୟରେ ସ୍ଵାଧୀନତାର ସସ୍ମିତ ଅଙ୍ଗୀକାର ଓ ମତେଇବାର ଶପଥ ତାଙ୍କର ଦୁର୍ବାର ରହିଥାଏ । ନିଜ ଲୁହ ନିଜେ ପିଇ କୌଣସି ଏକ ନିର୍ବେଦର ଅଭିଯୋଗରେ ଲାଞ୍ଛିତ ମନେ ନ କରି ସାଜିଛନ୍ତି ଅବିସ୍ମୃତ ନୀଳକଣ୍ଠ ଆମ ଗହଣରେ ! ୧୯୪୪ ମସିହାରେ କଂଗ୍ରେସ ପାର୍ଟି ପାଇଁ ଜିଲ୍ଲା ବୋର୍ଡ ନିର୍ବାଚନରେ ପ୍ରଚାର କରୁଥିଲେ ।
ମାତ୍ର ଏହା ଥିଲା ତାଙ୍କ ପାଇଁ ବିକ୍ଷୋଭ ପ୍ରକଟ କରିବାର ପ୍ରତ୍ୟକ୍ଷ ମଞ୍ଚ ଓ ଆନ୍ଦୋଳନ । ୧୯୪୬ ଯାଏଁ ସଂଗ୍ରାମ ସୁଲଭ ଧର୍ମଘଟ, ବିକ୍ଷୋଭ ଓ ପଟୁଆରରେ ସେ ମିଳିତ ହୋଇଛନ୍ତି । ୧୯୪୮ ମସିହାରେ ସୋସିଆଲିଷ୍ଟ୍ ପାର୍ଟିରେ ଯୋଗଦାନ ପରେ ସେ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରାୟ ଅଶୀଜଣ ଦଳିତଙ୍କ ସହ ପ୍ରବେଶ କରି ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ । ଏହି ମଧ୍ୟରେ ପୁଣି ଜଙ୍ଗଲ ଜମି ଓ ଜମି ହଡପ କରୁଥିବା ପ୍ରତିପତ୍ତିଙ୍କ ବିରୋଧରେ ପ୍ରଚଣ୍ଡ ଆନ୍ଦୋଳନ କରିଛନ୍ତି । ହେଲେ ମଝିରେ ତାଙ୍କ ହେତୁ ବିଧି ବାମ ହୁଏ । କୁଷ୍ଠ ରୋଗରେ ସେ ଆକ୍ରାନ୍ତ ହେଲେ ।
ତାମିଲନାଡୁରେ କୁଷ୍ଠ ଚିକିତ୍ସା ପାଇଁ ଥିବା ବେଳେ ପ୍ରଫୁଲ୍ଲ ଦାସ କୁଷ୍ଠ ଓ ଯକ୍ଷ୍ମା ରୋଗୀଙ୍କ ବାଧ୍ୟତାମୂଳକ ବନ୍ଧ୍ୟାକରଣ ଆଇନ ବିରୋଧରେ ଲଢି କୃତକାର୍ଯ୍ୟ ହୁଅନ୍ତି । ଜୀବନର ଗୋଟିଏ ପର୍ଯ୍ୟାୟରେ ‘ଭୋଟ୍ ବର୍ଜନ’ ଓ ‘ମୁକ୍ତି ଅର୍ଜନ’ କଥା କହିଥିଲେ । ୧୯୫୧ ମସିହାରେ ସେ ପୁରୀ ସ୍ଥିତ ରାମକୃଷ୍ଣ ମିଶନରେ ତିନିବର୍ଷ ପାଇଁ ପ୍ରଥମେ ସ୍ଵେଚ୍ଛାସେବୀ ଭାବେ ନିଯୁକ୍ତ ରହିଥିଲେ । ଏଥି ପରେ ଗ୍ରନ୍ଥାଗାରିକ ରୂପେ ଦାୟିତ୍ଵ ନିର୍ବାହ କରିବା ସମୟରେ ସେ ‘ଭୂଦାନ ଆନ୍ଦୋଳନ’ ର ବାର୍ତ୍ତାବହ ହେଇଛନ୍ତି ।
୧୯୫୩ରୁ ୫୭ ମସିହା ପର୍ଯ୍ୟନ୍ତ ସେ ଏଥିରେ ସମ୍ପୃକ୍ତ ରହି ‘ସମାଜ’, ‘ପି.ଟି.ଆଇ.’ ଓ ‘ବି.ବି.ସି.’ ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ପୁନରାୟ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଟ୍ରେନ୍’ରେ ବୁଲି ସର୍ବୋଦୟ ସାହିତ୍ୟର ପ୍ରଚାର ଓ ପ୍ରସାର କରିଥିଲେ । ଏକଦା ସିଏ କହିଥିଲେ, “ସଂଗ୍ରାମର ବାଧ୍ୟବାଧ୍ୟକତାରୁ ସାହିତ୍ୟର ଜନ୍ମ ଏବଂ ସେହି ସଂଗ୍ରାମରେ ହିଁ ତାହାର ଉପଯୋଗିତା ।” ସେଥିଲାଗି ସେ ଥିଲେ ସବୁବେଳେ ମାନବୀୟ ସାହସ ଓ ଅକୁତୋଭୟ ଚରିତ୍ରର ମର୍ଯ୍ୟାଦାବନ୍ତ ପକ୍ଷଧର । ଜୀବନରୂପୀ ବିଦ୍ୟାଳୟରେ ସେ ନିଜକୁ ଜଣେ ଅପୃଥକ୍ ଅଂଶୀଦାର ଭାବରେ ଆମରଣ ଦେଖି ଥିଲେ ।
ଏହାର ଦୃଷ୍ଟାନ୍ତସ୍ଵରୂପ, ୧୯୫୭ ନିର୍ବାଚନରେ ସେ ନିଜ ଅଜାଙ୍କ ବିରୋଧରେ ଚକ୍ରଧର ବେହେରାଙ୍କ ପାଇଁ ପ୍ରଚାର କରିବାରୁ ତାଙ୍କ ବାଁ କାନ ଓ ଆଖି କ୍ଷତିଗ୍ରସ୍ତ ହେଲା । ଏପରିକି ସ୍ବଳ୍ପ ବ୍ୟବଧାନର ମତଦାନରେ ସେ ୧୯୬୧ ନିର୍ବାଚନରେ ପରାସ୍ତ ହୋଇ ଯାଇଥିଲେ । କିନ୍ତୁ ତାଙ୍କ ମନରେ ଉଦ୍ଦାମତାକୁ ତୁଚ୍ଛ ଭୋଟ୍ ର ବ୍ୟବଧାନ ଦଳି ଦେବାକୁ ଉଦ୍ୟତ ହୋଇ ପରାହତ ହୁଏ । ସେ ପ୍ରକୃତ ପ୍ରଗତିଶୀଳ ରାଜନୀତିର ଅନ୍ଵେଷଣରେ ୧୯୭୦ ଦଶନ୍ଧି ବେଳକୁ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ୧୯୮୩ ମସିହାରେ କିନ୍ତୁ ତାଙ୍କର ମାତୃ ବିୟୋଗ ଘଟେ ।
ସମଗ୍ର କୁଟୁମ୍ଵରେ ପରମ ପ୍ରିୟଜନଙ୍କୁ ହରେଇ ଏକାକୀ ତିଷ୍ଠି ରହିଥିଲେ ପ୍ରଫୁଲ୍ଲ ଦାସ । ଗୋଟିଏ ପଟେ ଅନ୍ତରର ପୁଲକଭରା ଉନ୍ମାଦନା ଦେଶସେବାରେ ନିୟୋଜିତ ରହିବାକୁ ସକ୍ରିୟ ଉତ୍ସାହଦାନ କରୁଥିଲା ସମୟରେ ରୋଗ, ବ୍ୟାଧି ଓ ବିଜନତା ତାଙ୍କର ଅପରପାର୍ଶ୍ଵରେ ବିଦ୍ୟମାନ ଥିଲା । କିନ୍ତୁ, ନବ୍ୟ ଯୁଗର ନୀଳକଣ୍ଠ ହୋଇ ସେ ଆକଣ୍ଠ ପାନ କରିଗଲେ ବିଧିର କାଳକୂଟ ବିଷକୁ ଆଉ କିମ୍ଭୂତ ଜୀବନର ପଥକୁ ଅଭିନବ ସୁଖର ଜନପଥ କରିଦେଲେ । ଯାହା ବାସ୍ତବରେ ଆଜି ସୁଦ୍ଧା ଅକ୍ଷୁଣ୍ଣ ।
୧୯୫୬ ମସିହାରୁ ୨୦୧୦ ପର୍ଯ୍ୟନ୍ତ ତାଙ୍କର ସାରସ୍ଵତ ଜୀବନ ଶତ ପ୍ରତିଘାତ ମଧ୍ୟରେ ନିୟତ କ୍ରିୟାଶୀଳ ହୋଇ ରହି ଆସିଛି । ସାହିତ୍ୟ ବିଷୟରେ ମଧ୍ୟ ପ୍ରଫୁଲ୍ଲ ଦାସ ଅପୃଥକ୍ ଓ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ପ୍ରଖ୍ୟାପନ କରି ଜଣେଇ ଥାଆନ୍ତି: “ମଣିଷ ଜୀବନ ସାହିତ୍ୟସର୍ବସ୍ଵ ନୁହେଁ । ଯେଉଁମାନେ ସାହିତ୍ୟ କରନ୍ତି, ସେମାନଙ୍କର ଜୀବନ ସହ ସାହିତ୍ୟ ଯେ ଖୁବ୍ ଗୋଟାଏ ସମ୍ବନ୍ଧ ଥାଏ ତାହା ମଧ୍ୟ ନୁହେଁ । ସାହିତ୍ୟରେ ଯେମିତି ସେମାନଙ୍କ ଜୀବନ ପ୍ରତିଫଳିତ ହୁଏନାହିଁ, ସେମାନଙ୍କର ଜୀବନ ମଧ୍ୟ ସେହିଭଳି ସାହିତ୍ୟ ଦ୍ଵାରା ପ୍ରଭାବିତ ହୋଇ ନ ଥାଏ । ସେମିତି ହୋଇଥିଲେ ଉଭୟର ରୂପ ଭିନ୍ନ ହୋଇଥାନ୍ତା – ହୁଏତ ଉନ୍ନତତର ହୋଇଥାନ୍ତା ।”
ସତ୍ୟବଚନ ! ଅଧିକରୁ ଅଧିକତର ଶିଖିବା ଓ ଅଧ୍ୟବସାୟ ଲାଗି ଯେଉଁ ଜୀବନର ଅନିମେଷ ଉନ୍ମାଦନାର ଶେଷ ନାହିଁ ଓ ଯାହାର ଅଭ୍ୟାସରେ ଆମେ ସୁଖ ଓ ଦୁଃଖ ଭଳି ଜୀବନ ଦୋଛକିରେ ଅସରନ୍ତି ପରିସ୍ଥିତିର ସମ୍ମୁଖୀନ ହେଉ, ସେଠି ସାହିତ୍ୟ ଯେ ସୀମିତ ଏକ ସଂଜ୍ଞା, ତାହା ଅପରିହାର୍ଯ୍ୟ ଆଦୌ ନୁହେଁ । ଲୋକପକ୍ଷଭୁକ୍ତ କର୍ମପ୍ରବଣତାର ବିଦ୍ୟୋତନା କରିବା ଲାଗି ତାଙ୍କର ଚିନ୍ତାଧାରା ସଦା ତତ୍ପର ରହି ଯେଉଁ ଗ୍ରନ୍ଥନିଚୟ ରଚନା କରିଯାଇଛି, ତାହା ପ୍ରାୟ ଷୋହଳ ଖଣ୍ଡି ଗ୍ରନ୍ଥ । ହେଲେ ଷୋଳକଳା ନିପୁଣ ଯେ !
ତାଙ୍କର ପ୍ରଥମ ବହିଦ୍ଵୟ ଥିଲା ଅନୁବାଦ ଭିତ୍ତିକ – ପ୍ରଥମତଃ ‘ଶ୍ରମଦାନ କ’ଣ ?’ ଯାହା ବିନୋବାଙ୍କର ଓଡିଶା ପଦଯାତ୍ରା ବାବଦରେ ପର୍ଯ୍ୟବସିତ ଅଟେ । ଦ୍ଵିତୀୟତଃ, ଜେ.ପି (ଜୟପ୍ରକାଶ ନାରାୟଣ)ଙ୍କର କଟକ ଆଗମନ କାଳରେ ଯାହା ସେ ହିନ୍ଦୀ ଭାଷଣ ପ୍ରଦାନ କରିଥିଲେ ତାହାର ଓଡ଼ିଆ ରୂପାନ୍ତର ‘ଛାତ୍ରଙ୍କ ପ୍ରତି ଜୟପ୍ରକାଶ’ । ଯାହାର ପାଣ୍ଡୁଲିପି ଦିନ ୩ଟାରୁ ରାତି ୨ଟା ଭିତରେ ପ୍ରସ୍ତୁତ ହୋଇଥିଲା । ପୁନରାୟ ପୁରୀରେ ଥିଲା ବେଳେ ସେ ‘ଫେରିବାଲା’‘ସମାଜବାଦୀ’ ଛଦ୍ମନାଁ ଧରି ଅନେକ ରଚନା ଲେଖିଯାଇଥିଲେ । ସେ ପୁରୀରେ ‘ନୀଳାଚଳ ସାହିତ୍ୟ ପରିଷଦ’ ଗଠନ କରିଥିଲେ ।
ପ୍ରକାଶିତ ହୋଇଥିଲା ‘ଶତଦଳ’ ପତ୍ରିକା । ଏ ସମୟ ମଧ୍ୟରେ ବିପ୍ଳବୀ ବ୍ୟକ୍ତିତ୍ଵମାନଙ୍କୁ ପ୍ରତ୍ୟକ୍ଷ କରି ସ୍ଵପାରଦର୍ଶୀ ସଙ୍ଗଠିତ ତଥ୍ୟ ଓ ଅଙ୍ଗେନିଭା ବିପ୍ଳବମାନଙ୍କୁ ଗଦ୍ୟ ରୂପାୟନ ମାଧ୍ୟମରେ ପରିଚ୍ଛନ୍ନ ଖସଡା ପ୍ରଦାନ କରିଛନ୍ତି ପ୍ରଫୁଲ୍ଲ ଦାସ । ୧୯୭୫ ମସିହାରେ ପ୍ରକାଶିତ ହୋଇଛି ଭଗତ ସିଂହ ଓ ଖୁଦିରାମ ବୋଷ ପ୍ରଭୃତି ବିପ୍ଳବୀମାନଙ୍କର ଜୀବନାଲେଖ୍ୟ ‘ଅଗ୍ନି ଯୁଗର ଆହ୍ଵାନ’ ଯାହାର ମୁଖବନ୍ଧ ଲେଖିଥିଲେ ନବକୃଷ୍ଣ ଚୌଧୁରୀ । ଇତିମଧ୍ୟରେ ଉଲ୍ଲେଖଯୋଗ୍ୟ ଯେ ପ୍ରଫୁଲ୍ଲ ଦାସ ଭାରତମଣି ଗୋପବନ୍ଧୁ, ମାଳତୀ ଚୌଧୁରୀନବକୃଷ୍ଣ ଚୌଧୁରୀଙ୍କ ସହିତ ବହୁବାର ସଂସ୍ପର୍ଶରେ ଆସି ସାରିଛନ୍ତି ।
ଏକାଧାରରେ ସେ ସାହିତ୍ଯ ସଙ୍ଗଠକ, ଗ୍ରାମ୍ୟ ସଙ୍ଗଠକ ଓ ସୁପ୍ରତିଷ୍ଠିତ ନୀତିନାୟକ ଭାବରେ ଜଣାଶୁଣା ହୋଇ ଯାଇଥିଲେ । ‘ଫାଶୀମଞ୍ଚରେ ବିପ୍ଳବୀ’ ଶୀର୍ଷକରେ ତାଙ୍କର ପୂର୍ବୋକ୍ତ ‘ଅଗ୍ନିଯୁଗର ଆହ୍ଵାନ’ ଗ୍ରନ୍ଥର ସମ୍ପ୍ରସାରଣ ହୁଏ ୧୯୯୬ ମସିହାରେ । ଏହା ପୂର୍ବରୁ ପୁଣି ଖ୍ୟାତି, ବିତର୍କ ଓ ପ୍ରତିଷ୍ଠା ଦୃଷ୍ଟିରୁ ଲେଖକଙ୍କର ଅନ୍ୟତମ ସୃଷ୍ଟି ଭାବରେ ‘ଭାରତର ସଶସ୍ତ୍ର ମୁକ୍ତି ସଂଗ୍ରାମ’ (୧୯୮୦) ପ୍ରକାଶ ପାଏ । ସିପାହୀ ବିଦ୍ରୋହ, ବୋମା ତତ୍ତ୍ଵ, ଖଣ୍ଡବିପ୍ଳବଗଣବିପ୍ଳବ ଭଳି ଚାରିଗୋଟି ଶ୍ରେଣୀରେ ଉକ୍ତ ଗ୍ରନ୍ଥର ବିଶଦ ବର୍ଣ୍ଣନା ଆମ୍ଭର ଦୃଷ୍ଟିଗତ ହୋଇଛି ।
ଜଣେ ବୃତ୍ତିଗତ ଐତିହାସିକ ଓ କୌଣସି ଶ୍ରେଣୀବଦ୍ଧ ବୁଦ୍ଧିଜୀବୀ ସଂଗୋଷ୍ଠୀର ସଭ୍ୟ ସ୍ଵରୂପ ବିଦ୍ୟମାନ ନ ଥାଇ ସୁଦ୍ଧା ବିଦ୍ବାନମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରର ସୀମାବଦ୍ଧ ପରିଧିରେ ଅନୁପ୍ରବେଶ କରି ତାହାକୁ ପ୍ରଶସ୍ତି ପ୍ରଦାନ କରିଛନ୍ତି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ଇତିହାସ ଲେଖିବା ଦାୟିତ୍ଵ ଯେଉଁମାନଙ୍କ ହାତକୁ ଗଲା ସେମାନଙ୍କ ଭିତରୁ ଅନେକ ପ୍ରକୃତି ଓ ଶ୍ରେଣୀଗତ ସ୍ଵାର୍ଥ ଦୃଷ୍ଟିରୁ ବିପ୍ଳବ ଆଦର୍ଶର ବିରୋଧୀ । ସେଥିପାଇଁ, ତାଙ୍କର ପରବର୍ତ୍ତୀ ୧୯୮୨ ମସିହାର ସଙ୍କଳନ ଏକ ଉପାଦେୟ ଓ ମଞ୍ଜ ଚର୍ଚ୍ଚାର ଖୋରାକ ଭାବେ ଉନ୍ମୋଚିତ ହୁଏ ।
ଆଣ୍ଡାମାନ୍’ର ନିଷ୍ଠୁର ଶିକୁଳିବଦ୍ଧ ସେଲୁଲାର୍ ଜେଲ୍’ରେ କାରାବରଣ କରୁଥିବା ଇଂରେଜ ଶାସନାଧୀନ ବିଦ୍ରୋହ କରିଥିବା ବ୍ୟକ୍ତିତ୍ଵମାନଙ୍କ ଅନୁଭୂତିକୁ ନେଇ ପ୍ରଫୁଲ୍ଲ ଦାସ ପ୍ରକାଶ କରେଇ ଥିଲେ ‘କଳାପାଣିରେ ଅଗ୍ନିଶିଖା’ । ଏଥି ସହ ୧୯୮୭ ମସିହାରେ ବାହାରିଥିବା ତାଙ୍କର ପ୍ରସିଦ୍ଧ ‘କନିକା ପ୍ରଜା ଆନ୍ଦୋଳନର ଇତିହାସ – ସହିଦ୍ ବାସୁ ବିସୁନି’ କନିକାର ଅଗୋଚରରେ ଥିବା ଇତିହାସର ଗୁମର ମେଲିଥିଲେ । ସେଥିରେ ସିଏ ସ୍ପଷ୍ଟତଃ ଆନନ୍ଦ ଜେନାଙ୍କ ‘ଦୁଃଖିନୀ କନିକା’ ଓ ଚକ୍ରଧର ବେହେରା ପ୍ରଭୃତିଙ୍କର ଭୂମିକା ଯୋଡିବା ଅତ୍ୟାଧୁନିକ ଇତିହାସ ଗବେଷଣାର ଅଭିନବ ଉପାଦାନ ବହନ କରେ ।
ତଦନୁରୂପେ, ଭାରତର ନାରୀ ବିପ୍ଳବୀଙ୍କୁ ନେଇ ‘ରକ୍ତସ୍ନାତା’ (୧୯୯୨) ଲେଖିଥିଲେ ଯାହାର ମୁଖବନ୍ଧ ରଚିଥିଲେ କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ । ୧୯୯୪ ମସିହାରେ ପୁଣି ପ୍ରକାଶ ପାଇଥିଲା ‘ନନ୍ କୋଅପରେସନ୍ ମୁଭମେଣ୍ଟ୍ ଇନ୍ କନିକା’ ଆଉ ୧୯୯୭ରେ ‘ନେତାଜୀ ଆଉ ଫେରି ନାହାଁନ୍ତି’ ଗ୍ରନ୍ଥ । ଲେଖକଙ୍କ ରଚନାପାଟବ ହିଂସାପ୍ରବୃତ୍ତ ଓ ସଶସ୍ତ୍ର ଆନ୍ଦୋଳନଧର୍ମୀ କାହିଁକି ବୋଲି ପ୍ରଶ୍ନ ଉଠିବାରୁ ସେ ଠାଏ ଉତ୍ତର ଦେଇଥିଲେ, “ସ୍ଵାଧୀନତା ସଂଗ୍ରାମର କେତେକ ତାତ୍ତ୍ଵିକ ଓ କୌଶଳଗତ ତ୍ରୁଟି ବୁଝିବାକୁ ହେଲେ ସଶସ୍ତ୍ର ସଂଗ୍ରାମକୁ ବୁଝିବାକୁ ହେବ ।”
ପରିଶେଷ ଜୀବନ ତାଙ୍କର ଅତିବାହିତ ହୋଇଅଛି କନିକାର ସେବାସାହି-ଜରିସାହିର ଅଗ୍ନିଯୁଗ ଆଶ୍ରମ ଠାରେ । ଯନ୍ତ୍ରଣାକ୍ତ ଜୀବନ ସହ ଯୁଝିବା ସତ୍ତ୍ଵେ ସେ ୨୦୧୦ ମସିହାରେ ସଫଳତାର ସହ ପ୍ରକାଶ କରିଥିଲେ ମାଳତୀ ଚୌଧୁରୀଙ୍କ ଜୀବନୀର ସାର୍ଥକ ରୂପାୟନ ‘ବହ୍ନିମାନ’ । ଯେଉଁଥିରେ ସେ ତାଙ୍କୁ ଜଣେ ବୈଚିତ୍ର୍ୟମୟୀ, ଅକୁତୋଭୟା, ଅପରାଜିତା, ନିଃସ୍ଵାର୍ଥପର, ଦୁଃସାହସିକା ଓ ବହୁବିଧ ବ୍ୟକ୍ତିତ୍ଵର ଅଧିକାରିଣୀ ଭାବରେ ଯେଉଁ ବର୍ଣ୍ଣନା ସେ ସମ୍ଵଳିତ କରିଛନ୍ତି, ତାହା ଏହି ଆଲେଖ୍ୟର ଉପୋଦ୍’ଘାତରେ ସଭିଁଙ୍କ ଦୃଷ୍ଟିଗତ ହୋଇଥିବ ।
ତାଙ୍କର ଏକ ଅନୁଭୂତିରେ ସେ ଯେତେବେଳେ ସୂକ୍ଷ୍ମ ଅନୁଶୀଳନ କରି ସ୍ମରଣ କରାନ୍ତି ନିଜର ଉତ୍ତରୋତ୍ତର ଦ୍ରୋହ ଅପେକ୍ଷା ବିଚାରର ‘ଦୋହନ’ କିପରି କରାଯାଏ, ସେ କହିଛନ୍ତି, “ସମାଜ ମନସ୍କ ସାହିତ୍ୟ ହିଁ ପୂଜ୍ୟ ଓ ଚିରସବୁଜ । ବିଶ୍ଵ ସାହିତ୍ୟଠୁ ଆରମ୍ଭ କରି ଆମ ଓଡ଼ିଆ ଭାଷାରେ କାଳଜୟୀ ଓ କ୍ଲାସିକ୍ ରଚନା ସବୁ ଦେଖିଲେ ଏକଥା ବୁଝିହେବ । ସମାଜଠାରୁ ଛିନ୍ନମୂଳ ସାହିତ୍ୟ ପଠନ ପଦବାଚ୍ୟ ନୁହେଁ । ଏହାର ଆୟୁଷ କମ୍ । ତେବେ ସମାଜକୁ ଛାଡି କ’ଣ କିଛି ଲେଖିହୁଏ ? ଦୃଷ୍ଟିକୋଣ ଭିନ୍ନ ହୋଇପାରେ, ମାତ୍ର ତାହା ସବୁବେଳେ ସମାଜ ହିତରେ ଓ ଗଠନମୂଳକ ହେବା ଦରକାର । ନହେଲେ କ୍ଷତିକାରକ ।”
ତାଙ୍କର ସେ ସମୟରେ ବାମଗୋଡର ଠେଙ୍ଗିଣି ହାଡ ଭାଙ୍ଗି ଯାଇଥିଲା । ଇତି ମଧ୍ୟରେ ଭଲ ଜୀବନଯାପନ କରିବା ଅପେକ୍ଷା ଏତାଦୃଶ ସତ୍ୟନିଷ୍ଠ ଜୀବନୀ ରଚନା କରି ପ୍ରଫୁଲ୍ଲ ଦାସ ‘ଶାରଳା ପୁରସ୍କାର’ (୨୦୧୪) ପାଇଥିଲେ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ଵ କାଳ ସାରସ୍ଵତ ଜୀବନ ସହ ଆଜୀବନ ବିପ୍ଳବୀ ଥିବା ପ୍ରଫୁଲ୍ଲ ଦାସ ୩ ମାର୍ଚ୍ଚ ୨୦୧୮ରେ କନିକାଠାରେ ଇହଲୀଳା ସମ୍ଵରଣ କରିଥିଲେ । ହେଲେ ତାଙ୍କର ବିଚାରବୋଧ ଓ ପ୍ରବୃଦ୍ଧ ଶକ୍ତିରେ ସେ ଆକ୍ରାନ୍ତ ଆଙ୍ଗୁଠିମାନଙ୍କ ପୃଷ୍ଠଭୂମିରେ ଯେଉଁ ସକ୍ରିୟ ସୃଷ୍ଟିମାନଙ୍କ ମାଧ୍ୟମରେ ଆମକୁ ଜାଗରୁକ ଓ ଉଦ୍ଦୀପିତ କରିଛନ୍ତି, ସେଥିପାଇଁ ସେ ଆମର ଚିର ପାଥେୟ ହେଇଅଛନ୍ତି ।
© ମୋ ପ୍ରିୟତମ ପାଥେୟର ସରଣୀ : ଅମୃତେଶ 

Leave a Comment

Your email address will not be published. Required fields are marked *

Scroll to Top