ଦେବପୂଜା

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ
ମଣିଷ କୁଆଡେ ଦେଖିବାକୁ ଭଗବାନଙ୍କ ପରି, ସେଥିପାଇଁ ତ ତା’ର ଏତେ ଆସ୍ଫର୍ଦ୍ଧା । ସେଥିପାଇଁ ତ ସେ କରିପାରେ ଦେବତାଙ୍କ ବିଭାଗୀକରଣ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ, କର୍ମ ଓ ଧର୍ମର ଦ୍ୱାହିରେ । 
ଦେବତାଙ୍କୁ ସେ ବାନ୍ଧିପାରେ ଚାରିକାନ୍ଥର ଚଉହଦୀ ଭିତରେ । 
ତେବେ ଅଣୁଠାରୁ ବ୍ରହ୍ମାଣ୍ଡ ଯାଏଁ ସଚରାଚର ବିଶ୍ୱ ଯାହାର ସୃଷ୍ଟି ସେ କ’ଣ ସତରେ ଅନାଇ ବସନ୍ତି ମଣିଷର ହାତଟେକା ଫୁଲପାଣି ଚନ୍ଦନକୁ . . ? ଦେବତା କ’ଣ ସତରେ ଚାହାଁନ୍ତି ଏମିତି ଲୌକିକ ପୂଜା ? ସେଇ ପରିପ୍ରେକ୍ଷୀ ରେ ଡ. ମାୟାଧର ମାନସିଂହଙ୍କ ଅମର କବିତା ଦେବପୂଜା . .
~ ଦେବପୂଜା ~
ଏବେ କାଠ ପଥର ନପୂଜି
ଆସ ପୂଜ ଜୀବନ୍ତ ଦେବତା
ଯା ଆଖିରୁ ଲୁହ ଯିବ ବହି,
କହିଦେଲେ ପଦେ ମଧୁକଥା II
***  ***  ***
ପୁରୋହିତ, ଶୁଦ୍ଧପୂତ ହୋଇ 
ଦେଉଳରେ କା’ ପୂଜା କର ହେ ?
ସୃଷ୍ଟିଯାର ଉଦାର ଆଲୋକ 
ସେ ଦିଅଁ କି ଅନ୍ଧକାରେ ରହେ ?
*** *** ***
ଦେବତାକୁ ବାହାରେ ରଖିଲ, 
ଛୁଇଁବାକୁ ଡରିଲ ତାହାରେ,
କା’ରେ ତୁମେ ଗଲ ପୂଜିବାକୁ,
ଦେଉଳର କ୍ଷୁଦ୍ର ଅନ୍ଧକାରେ ?
*** *** ***
ଦେବଭୋଗ ନିରନ୍ନରେ ଦିଅ 
ଦେବ-ସେବା ହେଉ ମାନବରେ,
ଦେବତାର ଦରଶନ ଲଭ,
ମାନବର ପ୍ରତି ଘରେ ଘରେ II
ଉପସ୍ଥାପନା: ଦେଵ ତ୍ରିପାଠୀ

Leave a Comment

Your email address will not be published. Required fields are marked *

Scroll to Top