Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ ! ଚାରିକୋଣିଆ କୋଠି ଭିତରେ ବରକନ୍ୟା, ଦେବୀ, ପାଲିଙ୍କି, ମୁକୁଟ, କଜଳପାତି, ଗୁଆକାତି, ଯୋଡ଼ିମାଛ ଇତ୍ୟାଦି ଅଙ୍କନ କରାଯାଇଥିବ । ଢାଉ ଓ ଗେରୁମାଟିରେ ଚିତା ଦିଶୁଥିବ କେଡ଼େ ମନଛୁଆଁ ! ଘରକୁ ବୋହୂ ଆସିବ । ସବାରୀରୁ ବୋହୂ ଓହ୍ଲାଇ ଯାଇ ପିଣ୍ଡି ପର୍ଯ୍ୟନ୍ତ ନଇଁ ପଡ଼ି ଶିଉଳିଲିଖନ କରିବ । ବାପଘରୁ ସାଥୀରେ ଆଣିଥିବା ଆଣକଂସାର ‘ଆଣ’ରେ ଚିତା ଆଙ୍କି ଆଙ୍କି ପିଣ୍ଡି ପର୍ଯ୍ୟନ୍ତ ଗଲାପରେ ସେଠି ମୁଣ୍ଡିଆଟେ ମାରିବ । ଏଇ ଚିତା ଅଙ୍କନରେ ଗୃହପ୍ରବେଶ ସମୟରେ ନବବଧୂର କଳାକୌଶଳ ପରୀକ୍ଷା ଦେବାକୁ ଏଇ ପରମ୍ପରା ଅଭିପ୍ରେତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଇଏ ଆମ ଓଡ଼ିଆ ଘରର ମର୍ଯ୍ୟାଦାର କଥା ! ଆମ ଉତ୍କଳୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟର କଥା ! ଝିଅ ବାପଘରୁ ଭାରହାଣ୍ଡି ଆସିବ, ସେଥିରେ ଅଙ୍କା ଯାଇଥିବ ହରେକ ପ୍ରକାରର ଚିତା । ପୁଣି ବିଧିସମ୍ମତ ଭାବେ ! ଉଖୁଡା ହାଣ୍ଡିରେ ଯେଉଁ ଚିତା ପଡ଼ିବ ତାହା ଫେଣିସାକର ହାଣ୍ଡିରେ ପଡ଼ିବ ନାହିଁ ! ତେଣୁ ଝିଅର ଉଖୁଡା ହାଣ୍ଡିରେ ପଦ୍ମଫୁଲ ଚିତା ତ ଫେଣିସାକାର ହାଣ୍ଡିରେ ଦଧିନଉତି ଚିତା; ବଡି-ଜାଇ ହାଣ୍ଡିରେ ପୁଞ୍ଜିମାଛ ଚିତା ତ ଅନ୍ୟ କେଉଁ ହାଣ୍ଡିରେ ପୂର୍ଣ୍ଣକୁମ୍ଭ ଚିତା ଦେବାର ସ୍ବତନ୍ତ୍ର ପରମ୍ପରା ! ![]() କଥା ଏତିକିରେ ସରେନା ! ଝିଅ ବାହାଘର ପୂର୍ବରୁ ମଙ୍ଗନହାଣ୍ଡି ବସିବା ପରେ ବାରିକିଆଣୀ ଆସି ଗୋବରଲିପା କାନ୍ଥରେ ଫଟଫଟକା ମାରି ଦେଇଯାଏ ! ବ୍ରତଘର ପୂର୍ବରୁ ମଧ୍ୟ ଘରକାନ୍ଥରେ ଶୋଭାପାଏ ଏଇ ଫଟଫଟକା ! ବାହାଘର ସମୟରେ କାନ୍ଥରେ ପୁଣି ଅଙ୍କାଯାଏ ଯୋଡ଼ିମାଛର ଚିତା । ଏଇ ଯୋଡ଼ି ମାଛ ସଫଳ ଦାମ୍ପତ୍ୟ ଜୀବନର ସଙ୍କେତ । ଅନନ୍ୟ ରସବୋଧ, ଚିନ୍ତନ, ବିଶ୍ୱାସ ଓ ଅନୁଭୂତିର ପ୍ରତିନିଧି ଏବଂ ଉତ୍କଳୀୟ ସଂସ୍କୃତିର ରୁଦ୍ଧିମନ୍ତ ପରମ୍ପରା ଏଇ ଆମରି ଚିତା !ଦିନ ଥିଲା । ଆମ ଓଡ଼ିଆଣୀମାନେ ମୁଚକଛା ଓ ପାଣିକଛା ମାରି ମାଣିଆବନ୍ଧି ବେଢ଼ଣ ସହ ଦେହରେ ନାନାରକମ ଗହଣା ସହିତ ମୁଣ୍ଡରେ ଚଉଁରୀଭୁଣ୍ଡି, ପାଟଫୁଲି, ଗୋଜିକାଠି, କଉଡିବସି, ନୋଡକ, ବସଣି ଆଦି ଖୋସି ପାଦରେ ବାଙ୍କିଆ ବାନ୍ଧି ଦେହରେ କେତେ ପ୍ରକାରର ଚିତା କୁଟାଇ ଗାଁ ଦାଣ୍ଡରେ ବୁଲିଲାବେଳେ ଗାଁ ଦାଣ୍ଡ ଦୋହଲି ଯାଉଥିଲା ! ଦାଣ୍ଡର ଦୁଇପଟ ଘରଗୁଡ଼ିକ କାନ୍ଥରେ ଶୋଭା ପାଉଥିବା ଓଡ଼ିଆ ଝିଅବୋହୂଙ୍କ ହାତଅଙ୍କା ଧାନଶୀଷା କିମ୍ବା ଧାନକୋଠିର ଚିତ୍ର । ପିଠଉକୁ ଡାହାଣ ଓ ବାମକୁ ଏପରି ଭାବେ ଛିଞ୍ଚା ଯାଇଥାଏ ଯେ, ସେଇ ଚିତା ଲାଗେ ଫଳନ୍ତି ଧାନଗଛ ପରି । ଏହା ଉପରେ ଡାହାଣ ହାତରେ ଆଙ୍ଗୁଠି ଟୋପା ଦେଇ ଚୁଳିଆ ପରି ସଜାଇ ଦିଅନ୍ତି । ଆମ ଓଡ଼ିଆ ଘରର ଏଇ କାନ୍ଥଚିତାକୁ ନେଇ ଝିଅବୋହୂଙ୍କ କାନ୍ଦଣାରେ ମଧ୍ୟ ଶୁଣିବାକୁ ମିଳେ: “କାନ୍ଥର ପିତୁଳି କାନ୍ଥେ ଲେଖିବି, ବାପ ଚନ୍ଦ୍ରମୁଖ କେବେ ଦେଖିବି . . !” ![]() ଇଏ ଆମ ଓଡ଼ିଆ ଘରର ଚଳଣି, ସଣ୍ଠଣା । ଠା’ ପିଢ଼ା ଅର୍ଥାତ ଗୁରୁଜନମାନଙ୍କୁ ଖାଇବାକୁ ବାଢ଼ିବା ସମୟରେ ପ୍ରଥମେ ଚିତା ପକାଇ ତା’ ଉପରେ ଥାଳି ରଖିବା ଓ ପିଢ଼ା ଉପରେ ମଧ୍ୟ ଚିତା ପକାଇବାର ପରମ୍ପରା ଥିଲା ।ଓଡ଼ିଆ ଘରେ ଚିତା ଅଙ୍କନର ଯେତେ ପରମ୍ପରା ରହିଛି, ସେସବୁ ମଧ୍ୟରେ ମାର୍ଗଶିର ମାଣବସା ଗୁରୁବାର ଚିତାର ଯଥେଷ୍ଟ ଗୁରୁତ୍ବ ଅନୁଭୂତ ହୁଏ ! ଏଇ ଦିନରେ ମା’ ଲକ୍ଷ୍ମୀ ଜାତି, ବର୍ଣ୍ଣ ନିର୍ବିଶେଷରେ ଘରେ ଘରେ ବିଜେ ହୁଅନ୍ତି । ସେଥିପାଇଁ ପୂର୍ବ ରାତିରୁ ଘର ଦୁଆର ଲିପାପୋଛା କରି ଦାଣ୍ଡରୁ ଅଗଣା ଯାଏଁ, ଗମ୍ଭୀରା ଘରୁ ଠାକୁରଘର ଯାଏଁ, କୋଠି, ଧାନଭାଡ଼ି, ଖନ୍ଦା ଏପରିକି ଘର ଚାରିପଟେ ଚିତା, ଲକ୍ଷ୍ମୀଙ୍କ ଆସ୍ଥାନରେ ଦଶମଣ୍ଡଳ ଚିତା, ଚାଉଳଡୋଲି ଓ ଅମାରରେ ଲତାପଦ୍ମ ଚିତା, ଧାନଘରେ ପଦ୍ମମରେଇ ଚିତା, ଅଗଣା ମଝିରେ କଢପଦ୍ମ ଚିତା, ଧାନକୋଠି ତଳେ ଧାନଘର ଚିତା, କାନ୍ଥରେ ଶିଂସାଧାନଗଦା ଚିତା, ଚାଷୀଭାଇଙ୍କ ପରିବାରରେ କଳେଇପଦା ଚିତା ଏମିତି କେତେ କ’ଣ ! ପୁଣି କେବେ କେତେ ରକମର ଲକ୍ଷ୍ମୀପାଦ ଓ ପଦ୍ମଫୁଲ ଚିତା ପକାଇବାରେ ଓଡ଼ିଆଣୀ ଅଦ୍ଵିତୀୟା ! ୪ ପାଖୁଡିଆ ପଦ୍ମଫୁଲରୁ ଆରମ୍ଭ କରି ୬ ପାଖୁଡିଆ, ୮ ପାଖୁଡିଆ ଏପରିକି ୬୪ ପାଖୁଡିଆ ପଦ୍ମଫୁଲ, ପଦ୍ମକଢି ଆଦି ଆଙ୍କିଥା’ନ୍ତି ଆମ ମା’ମାନେ ! ଲକ୍ଷ୍ମୀପାଦ ଗୁଡ଼ିକ ସର୍ବଦା ବାହାରୁ ଘର ଆଡ଼କୁ ପଡ଼ିଥା’ନ୍ତି – ଧନଧାନ୍ୟ, ସୁଖସମୃଦ୍ଧିରେ ପୂର୍ଣ୍ଣ କରି ବା ପାଇଁ ଲକ୍ଷ୍ମୀଦେବୀଙ୍କୁ ଭକ୍ତିଭରା ଆମନ୍ତ୍ରଣ ଉଦ୍ଦେଶ୍ୟରେ ଏପରି ଚିତା !
ଏଇ ମାଣବସାରେ କାନ୍ଥରେ ହାତଛଟା ଝୋଟି ଓ ତା’ ଉପରେ ତିନୋଟି ଟିପରେ ଥାପିଥାପିକା କଉଡ଼ି – ମା’ ଠାକୁରାଣୀଙ୍କ କୃପାରୁ ଧାନକଉଡ଼ି ବଢ଼ିବାର ସଙ୍କେତ ବହନ କରିଥାଏ । ପଦ୍ମଫୁଲରେ ମା’ଙ୍କ କେଡ଼େ ଶରଧା ! ତେଣୁ ପଦ୍ମଚିତାର ପାଖେ ପାଖେ ଅଙ୍କା ଯାଇଥାଏ ଠାକୁରାଣୀଙ୍କ ପାଦଚିତା । ସବୁଜକବି ରାଧାମୋହନ ଗଡ଼ନାୟକ ପରା ଲେଖିଯାଇଛନ୍ତି: ![]() ମାର୍ଗଶିର ମାସ ପରି ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଦଶରାର ଅଷ୍ଟମୀ ଠାରୁ ଜୁଣକାଠି ବା ବେଣାଚେରକୁ ଛେଚି, ତା’ ସାହାଯ୍ୟରେ କାନ୍ଥରେ, କଳସ, ଯୋଡ଼ିମାଛ, ଫୁଲଗଛ, କଦମ୍ବଗଛ, କଖାରୁଗଛ, ଜୂଇଗଛ, ଓଲଟଶୁଆ, ମୟୁର, ବଣି, ଶାରୀ, କାମକୁଞ୍ଜର, ନବଗୁଞ୍ଜର, ରଥବନ୍ଧ, ନାଗବନ୍ଧ, ପଦ୍ମବନ୍ଧ ଭଳି ବହୁ ଶାସ୍ତ୍ରୀୟ ଚିତା ଅଙ୍କନ କରାଯାଇଥାଏ ।ଏତଦବ୍ୟତୀତ, ଉପକୂଳ ଓଡ଼ିଶାରେ ଗହ୍ମାପୁନେଇଁ, ଦୋଳ, କୁମାର ପୁନେଇଁ, ରକ୍ଷା ପଞ୍ଚମୀ, ରଜ, ବୁଧେଇ ଓଷା, ଖୁଦୁରୁକୁଣୀ ଓଷା, ବାଟଓଷା, ଖରଖରି ଓଷା ତଥା ବିଭିନ୍ନ ସଂକ୍ରାନ୍ତି ଓ ପୂର୍ଣ୍ଣିମା, ରଥଯାତ୍ରା, ଦୀପାବଳି, ପ୍ରଥମାଷ୍ଟମୀ ଇତ୍ୟାଦି ରେ ଗାଁ ଗହଳିରେ ଝିଅବୋହୂଏ ଚିତ୍ରକର ସାଜି ଘରେ, ଦାଣ୍ଡରେ, ଦୁଆରେ, ଚଉରାମୂଳେ, ଏରୁଣ୍ଡି ବନ୍ଧରେ, ଢ଼ିଙ୍କିଶାଳରେ, ଓଷାକୋଠିରେ, କାନ୍ଥରେ ଝୋଟିଚିତା ଆଙ୍କିଥାନ୍ତି । ପୁଣି ଶ୍ରାଦ୍ଧ, ପୁଆଣି, ପୂଜା, ଯାଗଯଜ୍ଞରେ ଚିତା ଅଙ୍କନ କରିବାକୁ ପଡ଼େ । ଆମ ଚଷାଭାଇଏ ହଳ ଅନୁକୂଳ କରିବେ, ବିହନ ଅନୁକୂଳ କରିବେ, ଆଗ ଲୋଡ଼ିବେ ଚିତା ! ପୁଅ ଅବା ସ୍ବାମୀ ବିଦେଶକୁ ରୋଜଗାର ପାଇଁ ଯିବେ ତ ମା’ବୋହୂଏ ପୂର୍ଣ୍ଣକୁମ୍ଭ ଟିଏ ବସାଇବା ପୂର୍ବରୁ ଝୋଟି ଓ ଚିତା ଆଙ୍କିବେ ! ![]() ଚିତା ବ୍ୟତୀତ ଉତ୍କଳ ଭୂଖଣ୍ଡରେ ରଙ୍ଗବେରଙ୍ଗର ମୁରୁଜ ପକାଇବାର ପରମ୍ପରା ମଧ୍ୟ ରହିଛି । ଚାଉଳ, କୋଇଲା, ସବୁଜପତ୍ର, ହଳଦୀ ପ୍ରଭୃତିରେ ମୁରୁଜ ପ୍ରସ୍ତୁତ କରି କାର୍ତ୍ତିକ ମାସରେ ଚଉରାମୂଳେ ଏବଂ ବର୍ଷର ଅନ୍ୟାନ୍ୟ ସମୟରେ ମଧ୍ୟ ପକାଯାଇଥାଏ । କାର୍ତ୍ତିକ ମାସରେ ଓଡ଼ିଆଣୀ ମାନେ ରାଇଦାମୋଦର ବ୍ରତ ପାଳନ ବେଳେ ଏଇ ମୁରୁଜ ପକାଇବାର ପରମ୍ପରା ରହିଆସିଛି ।ଓଡ଼ିଆଙ୍କ ଜୀବନର ଏଇ ମାଧୁର୍ଯ୍ୟମୟ ଲୋକକଳା ଦିନେ ଥିଲା ଅଗଣିତ ନାରୀହୃଦୟର ସ୍ମାରକୀ ! ସମଗ୍ର କଳାବୋଧକୁ ସରସ, ସୁନ୍ଦର, ଚଳମାନ କରାଇବା ପାଇଁ ଏବଂ ସ୍ବଳ୍ପ ପରିସର ମଧ୍ୟରେ ବ୍ୟାପକ ତଥା ସୁବିସ୍ତୃତ ଭାବପ୍ରକାଶ ପାଇଁ ଉପଯୋଗୀ ପଲ୍ଲୀଲଳନାର ଚିତ୍ରକବିତା ଥିଲା ଏଇ ଚିତା ! ![]() “କୁଆଁ ତାରା ଡ଼ାକେ ନିଦ ଭାଙ୍ଗି ନାହିଁ କୁଆର ତରବର ହୋଇ ଘରଣୀ ଲିପଇ ଦୁଆର, ମୁରୁଜର ଫୁଲ ଦିଏ ସେ ଫୁଟାଇ ଧାନ ଶୀସାମାନ ଦିଏ ସେ ଲୋଟାଇ, ଚିତା ପାଦେ ପାଦ ପଡ଼ିବ ଲକ୍ଷ୍ମୀ ମାଆର କୁଆଁ ତାରା ଡ଼ାକେ ନିଦ ଭାଙ୍ଗି ନାହିଁ କୁଆର ।”ଗାଁ ଗାଁ ବୁଲି ଓଡ଼ିଆ ପଲ୍ଲୀଜୀବନର ମାଧୁର୍ଯ୍ୟମୟ ଅଙ୍ଗ ଲୋକଗୀତ ସଂଗ୍ରହ କରୁ କରୁ ଆମ ଋଦ୍ଧିମନ୍ତ ପରମ୍ପରା ଝୋଟିଚିତାକୁ ଦେଖି ଅଭିଭୂତ ହୋଇପଡ଼ିଥିଲେ ଗବେଷକ ଡ. କୁଞ୍ଜବିହାରୀ ଦାଶ ! ଓଡ଼ିଆ ଘରର ସେଇ ଉତ୍କୃଷ୍ଟ ପରମ୍ପରା ନିଗିଡ଼ି ପଡ଼ିଛି ଏମିତି କେତେ କେତେ ସାରସ୍ବତ ସୃଷ୍ଟି ! ଆମ ପାରମ୍ପରିକ ଝୋଟିଚିତା ଆମ ଓଡ଼ିଆ ସଂସ୍କୃତିର ଭଣ୍ଡାର, ଆମ ଓଡ଼ିଆଣୀଙ୍କ ପରିଚୟ । ଆମର ଏଇ ଋଦ୍ଧିମନ୍ତ ସଂସ୍କୃତିର ପରିପ୍ରକାଶ ପାଇଁ ଚିତା ଓ ଝୋଟି ଆଙ୍କିବା ପାଇଁ କେଉଁ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିବାକୁ ପଡେନା ! ଆମ ଝିଅବୋହୂଏ ପରିବାର, ସାଇପଡିଶାର ବୟସ୍କା ନାରୀ କିମ୍ବା ମା’ ଜେଜେମା’ଙ୍କ ଠାରୁ ଚିତା ଓ ଝୋଟି ପକାଇବା ଶିଖିଥା’ନ୍ତି । ଇଏ ଆମ ଓଡ଼ିଆଣୀର ସଣ୍ଠଣା ଓ ଏଥିରେ ସେ ମନର ଭାବକୁ ପ୍ରାଞ୍ଜଳ ଭାବେ ପରିପ୍ରକାଶ କରିଥାଏ ! ଅତୁଳନୀୟ ଅର୍ଥଗୌରବ ଏଇ ଝୋଟିଚିତାର ! ଅପୂର୍ବ ଉପଭୋଗ୍ୟ ଏହାର ମାଧୁର୍ଯ୍ୟ ! ଲୋକଚିତ୍ରର ପ୍ରଧାନତମ ଉପାଦାନ ଏଇ ହସ୍ତକଳା ଓଡ଼ିଆ ଜନଜୀବନରେ ସାତ୍ତ୍ୱିକତା ଓ ଆଧ୍ୟାତ୍ମିକତାର ପରିପୁଷ୍ଟ କରାଏ । ![]() ଝୋଟିଚିତା ପକାଇବା ପୂର୍ବରୁ ଘରଦ୍ଵାର ଗାଈଗୋବରରେ ଲିପାପୋଛା କରି ପରିଷ୍କାର ପରିଚ୍ଛନ୍ନ କରାଯାଏ । ଏହାଦ୍ଵାରା ରୋଗଜୀବାଣୁ ନଷ୍ଟ ହୋଇଯାଏ । ପୁନଃ ଏପରି ପରିବେଶରେ ଚିତା ପଡ଼ିଲେ ପାରିପାର୍ଶ୍ବିକ ବେଷ୍ଟନୀ ଅଧିକ ସୁନ୍ଦର ଓ ଶୋଭାମୟ ହୋଇଉଠେ । ଚିତା ପକାଇ ବା ପୂର୍ବରୁ ପ୍ରଥମେ ଅରୁଆ ଚାଉଳକୁ ବାଟି ସେଥିରେ ପିଠଉ ପ୍ରସ୍ତୁତ କରାଯାଏ । ଡାହାଣ ହାତର ବୁଢ଼ା ଆଙ୍ଗୁଠି ଓ ପରି ଆଙ୍ଗୁଠି ସାହାଯ୍ୟରେ ଝିଅବୋହୂମାନେ ପିଠଉର ଧାରାକୁ ନିଜ ରୁଚି ଅନୁସାରେ ଚଳାଇ ଝୋଟି ବା ଚିତା ଆଙ୍କିଥାନ୍ତି । ପିଠଉର ଧାରା ସହଜରେ ନିଗିଡ଼ି ଯିବା ପାଇଁ ଛୋଟ ସରୁ ଧଳା କନାଟିଏ ଦୁଇ ଆଙ୍ଗୁଠି ମଝିରେ ପିଠଉରେ ଭିଜାଇ ରଖାଯାଇଥାଏ । ଚିତା ପକାଇବା ବେଳେ ଆବଶ୍ୟକ ଅନୁଯାୟୀ ପିଠଉ ଆଙ୍ଗୁଠି ମାଧ୍ୟମରେ ଝରିଆସେ । ମାଟି ଘରର ମାଟିଆ ଚଟାଣ ଉପରେ ଏଇ ଧୋବଳା ରେଖା ରୂପା ପରି ଝଟକି ଉଠେ ! ଘରର ଚଟାଣ କାନ୍ଥ ମାଟିରେ ହେଇଥିବା କାରଣରୁ ଚିତାର ଜଳୀୟ ଅଂଶ ସହଜରେ ଶୁଖିଯାଏ । ![]() ତେବେ ସମତଳ କାନ୍ଥରେ କେବଳ ତରଳପଦାର୍ଥରେ ଚିତା ଅଙ୍କା ଯାଉଥିବାବେଳେ ଚଟାଣ ଉପରେ ମୁରୁଜ ଓ ତରଳପଦାର୍ଥ ଦ୍ଵାରା ଝୋଟି ଅଙ୍କନ କରାଯାଏ । କାନ୍ଥରେ ଓଡ଼ିଆ ଝିଅବୋହୂଏ ନାନା ପ୍ରକାର ଧାନଶୀଷା ଓ ଧାନକୋଠିର ଚିତ୍ର ଆଙ୍କନ୍ତି । ପିଠଉକୁ ଡ଼ାହାଣ ଓ ବାଁ ଆଡ଼କୁ ଏପରି ଭାବେ ଛିଞ୍ଚନ୍ତି ଯେ ଚିତାଟି ଠିକ୍ ଫଳନ୍ତା ଧାନଗଛ ପରି ଦେଖାଯାଏ । ଏହା ଉପରେ ଡ଼ାହାଣ ହାତରେ ଆଙ୍ଗୁଠି ଠୋପା ଦେଇ ସେମାନେ ଚୂଳିଆ ପରି ସଜାଇ ଦିଅନ୍ତି ।ସ୍ଵଳ୍ପ ପରିସର ମଧ୍ୟରେ ସୁବିସ୍ତୃତ ଓ ବ୍ୟାପକ ଭାବେ ପ୍ରକାଶ କରାଇ ପାରୁଥିବା ଏଇ ଝୋଟିଚିତା ମଧ୍ୟ ସାଜେ ନାରୀଶିକ୍ଷାର ମାଧ୍ୟମ ! ଏହାଦ୍ଵାରା ସେ ଜ୍ୟାମିତିକ, ଗାଣିତିକ, ସାମାଜିକ ସଙ୍କେତ ଶିକ୍ଷା ଲାଭ କରିଥାଏ ! ପଶୁପକ୍ଷୀ, ଫୁଲଫଳ, ଲତା, ଡ଼ାଳ ଇତ୍ୟାଦିର ଚିତ୍ର ଅଙ୍କନକୁ ପ୍ରାକୃତିକ ଝୋଟି ବା ଚିତା କୁହାଯାଏ । ସେହିପରି ତୁଳସୀ ଗଛ, ଧ୍ୱଜା, ଦୀପ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ସ୍ଵସ୍ତିକ ଆଦି ଆଳଙ୍କାରିକ ଝୋଟି ମୁଦ୍ରାର ପ୍ରତୀକ । ବର୍ଗକ୍ଷେତ୍ର, ତ୍ରିଭୁଜ, ବୃତ୍ତ ଇତ୍ୟାଦି ଚିହ୍ନ ଅଙ୍କନ ଜ୍ୟାମିତିକ ଝୋଟି ବା ଚିତାର ଅନ୍ତର୍ଗତ । ~ ଗଞ୍ଜାମର ଝୋଟିଚିତା ~ ![]() ଗଞ୍ଜାମର ଅନେକ ଅଞ୍ଚଳରେ ଘରେ ପ୍ରାୟ ପ୍ରତ୍ୟହ ଚିତା କିମ୍ବା ମୁରୁଜ ପଡ଼ିଥିବା ଦେଖିବାକୁ ମିଳେ । କବାଟରେ ମଧ୍ୟ ତିନି ଆଙ୍ଗୁଳି ଥାପି ଏବଂ ଛଟାଚିତା ଅଙ୍କନ କରୁଥିବା ମଧ୍ୟ ଦେଖିବାକୁ ମିଳେ ।~ ଜନଜାତିଙ୍କ ଝୋଟିଚିତା ~ ଆଦିବାସୀ ଅବା ଜନଜାତିମାନେ ପୂର୍ବପୁରୁଷଙ୍କ ପୂଜା କରିବା ପାଇଁ, କୃଷିର ଉନ୍ନତି ପାଇଁ, ଭୂତପ୍ରେତଙ୍କ ମଧ୍ୟରୁ ରକ୍ଷା ପାଇବା ପାଇଁ, ବିବାହ ଆଦି ମଙ୍ଗଳ କାର୍ଯ୍ୟ ପାଇଁ କାନ୍ଥ ଓ କବାଟରେ ହାତୀ, ବଳଦ, ମୟୁର, ଶୁଆ ଇତ୍ୟାଦି ଚିତା ଆଙ୍କିଥା’ନ୍ତି । ହଳଦୀ, ଲାଲ ଓ କୃଷ୍ଣ ରଙ୍ଗରେ ରଙ୍ଗାୟିତ ତଥା ବନ୍ୟଜୀବନର ଛବି ପ୍ରସ୍ଫୁଟିତ ହେଉଥିବା ଏସବୁ ଚିତା ମଧ୍ୟରେ ମୟୁରର ବିଚିତ୍ର ବର୍ଣ୍ଣାଢ଼୍ୟ ରୂପ ଆଙ୍କିବାକୁ ସେମାନେ ପସନ୍ଦ କରିଥା’ନ୍ତି । ![]() ~ ଓଡ଼ିଆ ସାହିତ୍ୟରେ ଝୋଟିଚିତା ~ ଓଡ଼ିଆ ଜୀବନର ଏଇ ମାଧୁର୍ଯ୍ୟମୟ ଚିତ୍ରକବିତା, ଅତ୍ୟନ୍ତ ଉପଭୋଗ୍ୟ, ଅଦୃଷ୍ଟ ଅରଣ୍ୟ କୁସୁମର ସୌରଭ ପରି ପୁଲକଭରା ! ସେଇ ସୌରଭର ଚିହ୍ନ ମିଳେ ଆମ ସାହିତ୍ୟରେ, ଲୋକଗୀତରେ !“କାନ୍ଥମାନଙ୍କରେ ନାନା ଚିତ୍ର ପ୍ରତିମା । କଥା ନ କହି ହସନ୍ତି ଯେମନ୍ତ ବାମା ।।” ମଧ୍ୟଯୁଗୀୟ କବିତାରେ ପରିଦୃଷ୍ଟ ହୁଏ କାନ୍ଥଚିତାର ବର୍ଣ୍ଣନା । ରସକଲ୍ଲୋଳରେ କୁବୁଜା ଯେତେବେଳେ ମୋକ୍ଷଦାତା ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ଆଗମନ ପାଇଁ ବ୍ୟାକୁଳ ପ୍ରାର୍ଥନା କରିଛି, ସେତେବେଳେ ସେ ଗୃହର ଶୋଭାବର୍ଦ୍ଧନ ଉଦ୍ଦେଶ୍ୟରେ କାନ୍ଥରେ ଚିତା ଅଙ୍କନ କରାଇଛନ୍ତି କବି ଦୀନକୃଷ୍ଣ ଦାସ ! ପଲ୍ଲୀଲଳନାର ଚିତ୍ରକବିତା ଏଇ କାନ୍ଥଚିତାକୁ ନେଇ ଲେଖିଗଲେ ପଲ୍ଲୀକବି: ଖାଲି କ’ଣ ଏତିକି ! ମାଣବସା ଝୋଟି ସମ୍ପର୍କରେ ଲକ୍ଷ୍ମୀପୁରାଣର କଥା ଅବା କାହାକୁ ଅଜଣା ! ![]() ଏମିତି କେତେ କଥା ଆମ ଝୋଟିଚିତାର ! କାନ୍ଥଚିତା, ଚଟାଣ ଚିତା, ମୁରୁଜ ଚିତା, ଭାରହାଣ୍ଡି, ପିଢ଼ା, କଳସ, କୋଠି, ପାନ ଥାଳିଆ, ଚନ୍ଦନପେଡ଼ି ଚିତା ଆଦିରେ ଆମ ଗାଁଗହଳି ଝିଅବୋହୂଏ ଯେଉଁ କଳାନୈପୁଣ୍ୟର ପରିଚୟ ଦେଇଥା’ନ୍ତି, ତାହା କ’ଣ କେବେ ହେଲେ କୋଉ ନିପୁଣ ଶିଳ୍ପୀ ଠାରୁ ମିଳେ ?ହେଲେ ଏବକୁ ସମୟ ବଦଳିଛି ! ମଣିଷ ଜୀବନକୁ ସୌଖୀନ ଭାବେ ବିତାଇବାକୁ ଲାଗିଛି । ଏବେ ମନ୍ଦିର, ମଣ୍ଡପ କି ହୋଟେଲର ବାହାବ୍ରତରେ ସେ ଅଭୁଲା ଚିତା ଆଉ କାହିଁ ? ଆପଣା ଦେହରେ ଚିତା କୁଟାଇବା, ଚୁଆ, ଚନ୍ଦନ, କସ୍ତୁରୀ, କୁଙ୍କୁମ ବୋଳି ଚିତା ଲେଖିବା ଆଜି ଓଡ଼ିଆଙ୍କ ପାଇଁ ନାକଟେକାର କଥା । ସେଦିନର ସେଇ ଓଡ଼ିଆଣୀ ବୋହୂ ଓ ବୁଢ଼ୀ ମା’ଙ୍କ ହାତର ଆଙ୍ଗୁଳି ଚାଳନାରୁ ଝରିପଡ଼ୁଥିବା ସୁନ୍ଦର ସୁନ୍ଦର ମନଲୋଭା ଝୋଟି, କାନ୍ଥଚିତା ମୁରୁଜର ଅକଳ୍ପନୀୟ ପରିପ୍ରକାଶ ଆଜି ହଜିଯାଇଛି । ଏବେ ଅପମିଶ୍ରିତ କୃତ୍ରିମ ରଙ୍ଗ ଓ ଛାଞ୍ଚରେ ଚିତା ପକାଇ ଓଡ଼ିଆଏ ନିଜକୁ ଠକି ଚାଲିଛନ୍ତି ଯାହା ! କି ନିର୍ଯ୍ୟାସ ବା ମିଳୁଛି ଆମ ସଂସ୍କୃତିକୁ ଏଥିରୁ ? ଯନ୍ତ୍ର ସଭ୍ୟତା ସହ ତାଳ ଦେଇ ଚାଲିବାକୁ ଅଭିଳାଷ ରଖି ଓଡ଼ିଆଣୀ ସ୍ଵକୀୟ ସୃଜନଶୀଳତା ହରାଇ ବସିଛି ! ଚିତ୍ର ସୌଜନ୍ୟ: Akshay Ojha, Bandhan Dalai |
|
|