ଜଳେଶ୍ବର ମନ୍ଦିର

ଲେଖା: ଅମୃତେଶ ଖଟୁଆ 
~ ଜଳେଶ୍ବର ମନ୍ଦିର ~
ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ ମଧ୍ୟରୁ ଆଜି ବି ଶୁଭେ ଭୁବନେଶ୍ଵରର କୀର୍ତ୍ତି-ସାକ୍ଷିଣୀ ଗାଥା !
ପୁରାଣପ୍ରଥିତ କୀର୍ତ୍ତିପ୍ରସବିନୀ ମନ୍ଦିରମାଳିନୀ ସହର #ଭୁବନେଶ୍ୱର । ଆଧୁନିକ ଓଡିଶାର ସର୍ବପ୍ରାଚୀନ ଇତିହାସ ଏହାକୁ ସର୍ବପ୍ରଧାନ ପୀଠମାନଙ୍କ ମର୍ତ୍ତ୍ୟଧାମରେ ଅତୀବ ଗୋପ୍ୟ ଓ ପୁଣ୍ୟବନ୍ତ ପୀଠର ପ୍ରାକ୍ତନ ମାନ୍ୟତାଧିକୃତ ଭୁବନେଶ୍ଵର ବୋଲି କୁହେ । ପ୍ରତି କୋଣରେ ବିରାଜିତ ଅସଂଖ୍ୟ ଦେଉଳ, ମଠ, ଗଡ ଓ ଅତୀତର କେତେ ଭଗ୍ନାବଶେଷ । ମହାକାଳର ସ୍ମୃତିତୀର୍ଥ ଭାବରେ ଏହାର ପୁଣ୍ୟରାଜିର ନିଖିଳ ସତ୍ତାର ଅନୁଭବ ପ୍ରାଣେ ପ୍ରାଣେ ବାରିତ ।
(ସୌଜନ୍ୟ : Deepak Kumar Nayak)
ପ୍ରାଚୀନଯୁଗର ସ୍ଵର୍ଣ୍ଣାଦ୍ରି ପୀଠର କହିଲେ କେବଳ ଭୁବନେଶ୍ୱର ସମଗ୍ର ଭୁବନେଶ୍ୱର ସମବାଚୀ ଏକ ତିରିଶ ବର୍ଗମାଇଲ୍ ବିଶିଷ୍ଟ ଅଞ୍ଚଳ ବା କ୍ଷେତ୍ରଫଳକୁ ବୁଝାଇଥାଏ । ଉତ୍କଳୀୟ ସ୍ଵାୟତ୍ତ ଶାସନ ସମ୍ଭୂତ ପ୍ରସିଦ୍ଧି ପ୍ରଚୋଦିତ #ଶୈଳୋଦ୍ଭବ, #ଭୌମକର, #କେଶରୀ ଏବଂ #ଗଙ୍ଗ ବଂଶୀୟ ବହୁସଂଖ୍ୟକ ଶାସକଙ୍କ ସମୟରେ ଆବର୍ତ୍ତିତ ହୋଇଆସିଛି ମାତ୍ର ଏହାର ଧର୍ମଧାରା ସ୍ଥଳବିଶେଷରେ ଉତ୍ଥାନ ଓ ପତନର କ୍ରମାନୁଗତ ଇତିହାସ ସହ ଦୃଷ୍ଟିଗତ ହେବାର ଦେଖୁଁ ।
ଏଇଠି ବହୁଥିଲା ଦିନେ ପ୍ରାଚୀ ନଦୀର ଅଧୁନା ଅବାରିତ ସୁଅ । ତୈଲିଙ୍ଗୀଭୂଷଣା ପୂର୍ବଦିଗର ଅଭିଯାତ୍ରୀ ସେ ! ଲୋହିତାଲୋକ ଧୌତ ଅନୁଚ୍ଚ ଶୈଳଶ୍ରେଣୀରେ ସୀମାତୀତ ବର୍ଷର ଆଲୋକ ଛଟା ଅଢେଇ ହଜାର ବର୍ଷ ଧରି #ଏକାମ୍ର_କ୍ଷେତ୍ର ମଧ୍ୟରେ ଅକ୍ଷତ ସ୍ମୃତି ଚିହ୍ନ ରୂପେ ବିରାଜମାନ । ଗୋଟିଏ ବିଶାଳ ସଭ୍ୟତାକୁ କେନ୍ଦ୍ର କରି ଏହାର ସତ୍ତା ଗଢି ଉଠିଥିଲା ଐର ଖାରବେଳଙ୍କ ଶିଳାନୁଶାସନର ଅଭିଲେଖରେ ।
(ସୌଜନ୍ୟ : Deepak Kumar Nayak)
ତହିଁ ଉତ୍ତାରୁ କୃତି ଓ ପ୍ରକୃତିରେ ବିବର୍ତ୍ତନଗାମୀ ମନୁଷ୍ୟର କ୍ରମ ବର୍ଦ୍ଧନଶୀଳ ସତ୍ତ୍ଵ ଓ ତତ୍ତ୍ଵମାନଙ୍କୁ ନିଖୁଣ ନିହାଣପ୍ରସୂତ ଶ୍ରମସାଧ୍ୟ କୀର୍ତ୍ତିରେ ଅବହିତ କରାଇ ଥାଏ । ଇତିହାସ ସେଇ #ଚୂଡଙ୍ଗଗଡ, #ଧବଳଗିରି, #କୌଶଲ୍ୟାଗଙ୍ଗ, ପଟିଆ, ଦାରୁଠେଙ୍ଗ, ସରଦେଈପୁର, ରାହାଙ୍ଗ, କୋଠଦେଶକୁ ପୂର୍ବେ ସମରକ୍ରାନ୍ତିର ଦିହୁଡି ଧରାଉଥିଲା । ବର୍ତ୍ତମାନର ଅଭ୍ରଂକଷ ଅଟ୍ଟାଳିର ସ୍ଫୀତ ନିସ୍ତରଙ୍ଗରେ ଆଜି ବି ଦ୍ଵୀପଦାଣ୍ଡି ରକ୍ତାଭା ଗଳଗାଜି ପକାଏ !
#କବିବର #ରାଧାନାଥଙ୍କ ‘ନନ୍ଦିକେଶ୍ଵରୀ’ର ଯେଉଁ ପଦ ‘କୁଶଭଦ୍ରା-ଦୟା-ପ୍ରସୂତି’ ଯେଉଁ ‘ଭାର୍ଗବୀ’କୁ ଅଭିହିତ କରାଯାଇଛି, ଏଠାରେ ଅନ୍ୟତମ ନଦୀ ହେଉଛି କୁଆଖାଇ ଯାହା ପ୍ରକୃତରେ ଦକ୍ଷିଣଗାମିନୀ ଏବଂ କାଠଯୋଡି ଠାରୁ ବିଭକ୍ତ ହୋଇ ବହିଯାଉଛି କଲ୍ୟାଣପୁର ଓ #ବରିମୁଣ୍ଡ ଶାସନରେ । ଏହାର ବର୍ଣ୍ଣନା କାବ୍ୟତୀର୍ଥ ମୃତ୍ୟୁଞ୍ଜୟ ରଥଙ୍କ ‘ନରାଜ’ କାବ୍ୟରେ ପ୍ରମାଣନିଷ୍ଠ ଉଲ୍ଲେଖସ୍ଥାନୀୟ :
“ଯା ଜଳୁ ବିପୁଳ ଜଳଧାରା ଘେନି
ବହେ କୁଆଖାଇ ଦକ୍ଷିଣଗାମିନୀ ।
ସେହି ଧାରୁ ପୁଣି ଆଦ୍ୟେ ଭାରଗବୀ,
କୁଶଭଦ୍ରା ଦୟା ମଧ୍ୟେ ଜନ୍ମ ଲଭି ।”
(ସୌଜନ୍ୟ : Deepak Kumar Nayak)
‘କପିଳ ପୁରାଣ’, ‘ଏକାମ୍ର ପୁରାଣ’, ‘ବ୍ରହ୍ମାଣ୍ଡ ପୁରାଣ’, ‘ସ୍କନ୍ଧ ପୁରାଣ’ ପ୍ରଭୃତିରେ ଏହି କ୍ଷେତ୍ରକୁ ‘ବିଦ୍ୟାନଗରୀ’, ‘ଓଡିଶାର କାଶୀ’, ‘ଦ୍ଵିତୀୟ ବାରାଣସୀ’, ‘ପଦ୍ମକ୍ଷେତ୍ର’, ‘ଚକ୍ରତୀର୍ଥ’, ‘ତୀର୍ଥାଷ୍ଟକସ୍ଥଳୀ’ , ‘କୃତ୍ତିବାସ ପାଟଣା’, ‘ପୁଷ୍କରମାଳିନୀ’ ପ୍ରଭୃତିରେ ବିମଣ୍ଡିତ କରା ଯାଇଅଛି । ‘ବ୍ରହ୍ମପୁରାଣ’ର ୪୧ମ ଅଧ୍ୟାୟରେ ଲୋମହର୍ଷଣ ତଥା ସମସ୍ତ ମୁନିଗଣଙ୍କୁ ଆର୍ଷବାଣୀ ପ୍ରଦାନ କ୍ରମେ ପରମ ଭାଗବତ କୃଷ୍ଣ ଦ୍ବୈପାୟନ ବ୍ୟାସ ଏହି ଏକାମ୍ର କ୍ଷେତ୍ରକୁ ସକଳ ତୀର୍ଥମାନଙ୍କ ଏକ ଅପୂର୍ବ ସମାହାର ଭାବେ ବର୍ଣ୍ଣନା କରିଛନ୍ତି ।
ଆଉ ଉକ୍ତ ଅଧ୍ୟାୟାନୁଯାୟୀ ଏହି କ୍ଷେତ୍ର ଶତାଧିକ ଦହ, ପୁଷ୍କରିଣୀ, ନିର୍ଝର, ଝର ମାନଙ୍କ ମଧ୍ୟରେ ସମାକୁଳ । କାନନ ଅରମା ସଘନ ପୁଷ୍ପିତ ନାନାବିଧ ପ୍ରାକୃତିକ ସମ୍ଭାର ଘେନି ସୁଷମାଶ୍ରୀ ଦ୍ଵାରା ଲୀଳାୟିତ । ନାନା ପ୍ରକାରର ମନ୍ଦିର, ତୀର୍ଥ, ସରସୀ, ଗୁହାକନ୍ଦର ସବୁ ସ୍ଫଟିକ ନେତ୍ରର କମ୍ରଜାଲରେ ନିବଦ୍ଧଦୃଷ୍ଟି ବାନ୍ଧେ। ସେହିପରି ଗୋଟିଏ କ୍ଷେତ୍ର ହେଉଛି ଭୁବନେଶ୍ଵରର ଉତ୍ତରଭାଗକୁ ଯାହା ପଟିଆ ଭାବେ ଇତିହାସରେ ଜଣାଯାଏ ।
ସ୍ଥାନୀୟ ଅଧିବାସୀଙ୍କ ଉଦ୍ଗୀର୍ଣ୍ଣ ବାଚକ ମତେ ଯାହା ଜନଖ୍ୟାତ ତାହା ହେଉଛି ଏହି କ୍ଷେତ୍ର ନାନା ପ୍ରକାରର ଦହ (ଜଳଭୂମି) ରେ ପରିପୂର୍ଣ୍ଣ ଏବଂ ଏହା ପରେ ପରେ ଅନେକ ଗ୍ରାମାଞ୍ଚଳ ସହ ଅନୁଚ୍ଚ ଅଥଚ ଦୁର୍ଭେଦ୍ୟ ପ୍ରାଚୀରଶ୍ରେଣୀ ସମାନ ଗିରି ଗହନରେ ମୁଣ୍ଡ ଟେକିଛି । ସେ #ଶିଖରଚଣ୍ଡୀ କୁହନ୍ତୁ କି #ଚନ୍ଦକା, କି #ଭରତପୁର କି ଡମପଡା, କାନନମୟୀ ସୌଧରେ ଏହି ସ୍ଥାନଟି ପରିପୂର୍ଣ୍ଣ । ସେଥିପାଇଁ ପୂର୍ବେ ଏ କ୍ଷେତ୍ରକୁ ‘#ପଟିଆ_ଦହ‘ ଭାବରେ ମଧ୍ୟ ଜଣାଯାଉଥିଲା ।
ତେବେ ଏହାର ଇତିହାସ ବହୁପୁରାତନ ଥିଲେ ମଧ୍ୟ ଇଦାନୀନ୍ତନ ଆଲୋଚ୍ୟ କ୍ଷେତ୍ରପ୍ରସଙ୍ଗ ପରବର୍ତ୍ତୀ ଆଲୋଚନା ଲାଗି ବକ୍ଷ୍ୟମାଣ ବିଷୟହେତୁକ। ସୁତରାଂ, ଏହାର ସଂକ୍ଷିପ୍ତ ଉପସ୍ଥାପନାର ପୃଷ୍ଠଭୂମିରେ ଆମ୍ଭର ଏହି ପ୍ରକୃତିନିଧିର କ୍ଷେତ୍ର ଠାବରେ ଦୁଇ ଐତିହାସିକ ଦେବାଳୟ ରହିଛନ୍ତି, ଯାହା ଯଥାକ୍ରମେ ପ୍ରାଚୀ ସଭ୍ୟତାର ଏକ ନିବିଡ଼ ଅଂଶ ଭାବରେ ଅଦ୍ୟାବଧି ସୁଦ୍ଧା ଦ୍ୟୋତନା କରୁଅଛନ୍ତି । ଜଳେଶ୍ବର ଓ ଲକ୍ଷେଶ୍ଵର ମହାଦେବଙ୍କର କୀର୍ତ୍ତିରାଜି !
ଦ୍ଵାଦଶ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ଵାରା ସ୍ଥାପିତ ଜଳେଶ୍ବର ମନ୍ଦିର କୀର୍ତ୍ତି ଭୁବନେଶ୍ଵରର ‘#ଦ୍ଵିତୀୟ_ଲିଙ୍ଗରାଜ‘ ଭାବରେ ଜନବିଶ୍ରୁତ । ବିଲବନର କ୍ଷୁଦ୍ର ଅଧିତ୍ୟକାଚାରୀ ହରିତାୟମାନ କ୍ଷେତ୍ର ମଧ୍ୟରେ ଅବସ୍ଥିତ ଏହି ମନ୍ଦିର ଅନେକ ବିରଳ କାରୁକାର୍ଯ୍ୟ ମଣ୍ଡିତ । ଏହାର ଅଧିଷ୍ଠାତା ଜଳେଶ୍ଵର ମହାଦେବ ଜଳଘେରା ଯୋନିପୀଠରେ ପଶ୍ଚିମାଭିମୁଖୀ ହେତୁ ‘ପଶ୍ଚିମ ଶମ୍ଭୁ’ ଭାବରେ ମଧ୍ୟ ଜନବିଦିତ। ଏହାର ପଛପଟେ ସ୍ଥିତ ଜଳେଶ୍ବର ପୁଷ୍କରିଣୀ ପୂର୍ବରୁ ପଦ୍ମପୁଷ୍ପ ଦ୍ଵାରା ପରିପୂର୍ଣ୍ଣ ରହିବା ସହିତ ମନ୍ଦିରକୁ ଚାରିଖାନିରୁ ବେଢି ରହି ଥିବାର ଜଣାଯାଏ।
ବର୍ତ୍ତମାନ ଏ ଜଳେଶ୍ବର ମନ୍ଦିର ପଣ୍ଡାସାହି ଓ ମହାନ୍ତିଗାଡିଆକୁ ନିକଟବର୍ତ୍ତୀ। ଏହି ଜନବସତି ସ୍ଥାନଟି ବର୍ତ୍ତମାନ ପଟିଆ ଷ୍ଟେସନଠୁ କେବଳ ୧ କିମି ଭିତରକୁ ପଡୁଥିଲେ ମଧ୍ୟ ପୂର୍ବେ ଏହା ଏକ ପ୍ରାଚୀନ ସାହି ଥିଲା ଯାହା ସେଠାକାର ସଦ୍ୟତମ ବାସିନ୍ଦାଙ୍କ ଅଭିଜ୍ଞାନ ତଥା କେତେକ ପାର୍ଶ୍ଵବର୍ତ୍ତୀ ପୁରୁଣା କୋଠାରୁ ପରିଲକ୍ଷିତ କରାଯାଏ । ତଦନୁରୂପ ଭାବରେ ଏହି ଜନବସତି ସଂଲଗ୍ନ ଅଣ ଓସାରିଆ ରାସ୍ତାରେ ସ୍ଥିତ ମହାନ୍ତିଗାଡିଆ ଏକ ପୁରାତନ ଦହ ଭାବରେ ପୂର୍ବେ ନାଳ ହୋଇ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଏହା ଏକ ପରିତ୍ୟକ୍ତ ସ୍ଥାନ ।
ସ୍ଵୀୟ ପର୍ଯ୍ୟଟନ ଅନୁଭୂତିରୁ ଯାହା ଦେଖିଅଛି, ତାହା ହେଉଛି ଏହାର ନିଖୁଣ କାରୁକଳାର ଉତ୍କଳିଙ୍ଗୀ ଶୈଳୀ । ପଟିଆ ଷ୍ଟେସନର ଜଗୁଆଳି ବିହୀନ ଫାଟକ ଅତିକ୍ରମ କରି #କଳାରାହାଙ୍ଗ ଗ୍ରାମର ପ୍ରବେଶ ରାସ୍ତା ପଡିବ । ଷ୍ଟେସନ ପାର୍ଶ୍ଵବର୍ତ୍ତୀ #ପଦ୍ମକେଶରୀପୁର । ଏହା କେଳାସାହି ଭାବରେ ମଧ୍ୟ ଜଣାଯାଏ । ଏକ ଉଚ୍ଚ ଭୂଇଁ ପରି ସ୍ଥାନରେ ଅବସ୍ଥିତ ଏହି କେଳା ସାହି କେଶରୀ ବଂଶର ରାଜା ପଦ୍ମକେଶରୀ ସ୍ଥାପନ କରିଥିବାର ପଟିଆଗଡରୁ ପ୍ରାପ୍ତ ଏକ ପ୍ରାଚୀନ ଅଭିଲେଖରୁ ଜଣାଯାଏ ।
ଏହି ପଦ୍ମକେଶରୀପୁର ପରେ କଳାରାହାଙ୍ଗ ଜଗୁଆଳି ବିହୀନ ଫାଟକ ଅତିକ୍ରମ କରିସାରି ଢାଉଆ, କଳାରାହାଙ୍ଗ, ଇଞ୍ଜଣା, ଜରିପାଟଣା, କାଳିମେଳା, କୁଜିମାହାଲ ପ୍ରଭୃତି ଗ୍ରାମ ପଡିବ ଏବଂ କଳାରାହାଙ୍ଗ ଦେଇ ଏକ ନୀଳବେଣୀ ସ୍ରୋତରେ ବୁଢୀ ନଈ (ଗନ୍ଧବତୀ ବା ଗଙ୍ଗୁଆର ସ୍ଥାନୀୟ ନାମ) ଉପରିସ୍ଥ ସେତୁ ପାରି ହେଇ ପଣ୍ଡାସାହି ପଡେ । ଏହାର ଦୁଇ ତିନୋଟି ଗୋହିରୀ ଦେଇ ଗଲେ ଜଳେଶ୍ବର ମନ୍ଦିର ଦୃଷ୍ଟିଗତ ହେବ ।
ଏତାଦୃଶ କେତେ ଉପତ୍ୟକା, ହରିତାଳୀରେ ବୟଃପ୍ରାପ୍ତ ଦେଉଳ ଖୋଦିତ ସ୍ଥୂଳଗାତ୍ର ଦେଇ ଖଞ୍ଜ, କୁବ୍ଜ, କୃଶଗର୍ଭା ଓ ନାନା ଗୁଳ୍ମ ଲତାପ୍ରୋଥିତ ଚମଚଟାଣ ଦ୍ଵାରା ଅଳଙ୍କୃତ । ସେହିପରି ଜଳେଶ୍ବର ମହାଦେବଙ୍କ ମନ୍ଦିର ଯାବଚ୍ଚନ୍ଦ୍ରାର୍କେ ଉନ୍ନତ ଉତ୍ଥାନକ୍ରିୟ ଶକ୍ତି ମଧ୍ୟରେ କ୍ଷୟିଷ୍ଣୁ ପ୍ରସ୍ତରରାଜିଙ୍କ ମଧ୍ୟରେ ରହିଅଛି । ଚନ୍ଦ୍ରଶିଳାର ୬ ଯବ ତଳ ଅଧୋଦେଶରେ ସ୍ଥିତ ଏକ ବର୍ତ୍ତୁଳାକାର ଯୋନିପୀଠ ପରେ ଲିଙ୍ଗ ଥିବା ବେଳେ ଗର୍ଭଗୃହ ପାଖାପାଖି ୨ ବର୍ଗମିଟର ହେବ । ଏହି ଜଳେଶ୍ବର ମନ୍ଦିର ମଧ୍ୟରେ କାଳଭୈରବୀ ମନ୍ଦିର ମଧ୍ୟ ରହିଅଛି ।
ଲୋକବିଶ୍ରୁତ କିମ୍ଵଦନ୍ତୀ ଅନୁସାରେ ବର୍ତ୍ତମାନର ବାରଙ୍ଗ ଷ୍ଟେସନ କଡକୁ କଳାରାହାଙ୍ଗ ଓ ରଘୁନାଥପୁର ଗ୍ରାମ ଅତିକ୍ରମ କରି ଦେଇ ପଳାଶୁଣି ଏବଂ ତହିଁ ଉତ୍ତାରୁ ପାଣ୍ଡେରା ଛକ ପରେ ଲିଙ୍ଗରାଜଙ୍କ ଦେଉଳକୁ ପଥ ଥିଲା । ହେଲେ ଦହଭର୍ତ୍ତି ଅଞ୍ଚଳ ହେବା ସହ ପଥରେ ଗଙ୍ଗୁଆ ଓ କୁଆଖାଇ ନଦୀ ପଡୁଥିବାରୁ ବର୍ଷାଦିନରେ ଏହି ଅଞ୍ଚଳ ଜଳାର୍ଣ୍ଣବ ହେଇ ଯାଉଥିଲା । ସେତେବେଳେ ଚୂଡଙ୍ଗ ଗଡ ରାଜା ଏହି ପଥ ଦେଇ ଯାଉଥିବା ବେଳେ ବର୍ଷାଦିନେ ତାଙ୍କ ଦର୍ଶନାଭିଳାଷ ଲିଙ୍ଗରାଜଙ୍କୁ ବ୍ୟାହତ ହେଇପଡୁଥିଲା ।
ନିରାଶ ହେଇପଡିଥିବା ଚୂଡଙ୍ଗରାଜାଙ୍କୁ ମହାପ୍ରଭୁ ଲିଙ୍ଗରାଜ ସ୍ଵପ୍ନେଇ କୁହନ୍ତି ଯେ ନିଜ ଗଡର ଏକ ପଦ୍ମତଡାଗର ନିକଟବର୍ତ୍ତୀ ଜଳଶାୟୀ ଲିଙ୍ଗ ପ୍ରତିଷ୍ଠା କରି ତାଙ୍କୁ ପୂଜିବେ । ଭକ୍ତ ପାଖରେ ପ୍ରଭୁଙ୍କ ବର ଫଳିବାରୁ ରାଜା ସେଠାରେ ଏକ ପଦ୍ମ ପୋଖରୀ ଦେଖି ଏହି ଦେଉଳ ଭିଆଣ ଅନ୍ତେ କଳାରାହାଙ୍ଗ ଶାସନୀ ବ୍ରାହ୍ମଣଙ୍କୁ ଭୂମି ଦାନ କରିଲେ । ସେହିଦିନ ଠାରୁ ଏହି ଗ୍ରାମର ନାମ କଳାରାହାଙ୍ଗ । ପୂର୍ବେ ଏହି ପଟିଆ, ରାହାଙ୍ଗ, ଇଞ୍ଜଣା, ଚୂଡଙ୍ଗ, ବାରଙ୍ଗ ପ୍ରଭୃତି ସ୍ଥାନରୁ ପ୍ରଚୁର ପଦ୍ମ ମିଳୁଥିଲା ।
ମୋର ସ୍ମରଣ ହୁଏ ୨୦୧୩ ଓ ୨୦୧୪ ମସିହାରେ ନନ୍ଦନକାନନ ରାସ୍ତା ଦେଇ ଗଙ୍ଗୁଆ ସେତୁ ଉପରେ ଗଲାବେଳେ ପ୍ରବଳ ବର୍ଷା ଯୋଗୁଁ ରଘୁନାଥପୁର ଏବଂ ତତ୍ ପାର୍ଶ୍ଵବର୍ତ୍ତୀ ନନ୍ଦନ ବିହାର ସମେତ ବହୁ ଅଞ୍ଚଳ ଜଳପ୍ଳାବିତ ହୋଇପଡେ। ଏହିପରି କେତେକ ବର୍ଷ ହେଉଥିଲା । ଗଙ୍ଗୁଆ ନାଳ ଏଠାରେ ଏତେ ପ୍ରଶସ୍ତ ନଥିଲେ ମଧ୍ୟ ଅଗଭୀର ଜଳଶଯ୍ୟା କାରଣରୁ ଜଳପ୍ଳାବନ ବୃଦ୍ଧି ପାଇ ବର୍ଷାଦିନେ ବନ୍ୟା ଆକାରରେ ଏଠାରେ ପାଣି ଗାଁ ସାହିକୁ ପଶିଯାଉଥିଲା ।
ଏହି ଜଳେଶ୍ବର ମନ୍ଦିର କ୍ଷତ୍ରିୟ ଜାତୀୟ ପଞ୍ଚରଥ (ଦୁଇ ରାହାପାଗ, ଦୁଇଟି କୋଣକ ପାଗ ଓ ଏକ ଅନର୍ଥ ପାଗ ବିଶିଷ୍ଟ) ଶୈଳୀରେ ନିର୍ମିତ । ପ୍ରଥମେ ବୌଦ୍ଧାଗମ ଓ ଜୈନାଗମ ଜନିତ ବୌଦ୍ଧାନୁଶାସନ, ଅଭିଲେଖ ସହ ଏମାନଙ୍କ ମୂର୍ତ୍ତିମାନ ଠାବ ହେବା କ୍ଷଣି ପରବର୍ତ୍ତୀ ଶୈବୋପାସନା ପ୍ରାଧାନ୍ୟ ବିସ୍ତାର କରିଥାଏ। ପଞ୍ଚୋପାସନା ପଦ୍ଧତି ମୂଳକ ଶୈବଧର୍ମର କ୍ରମବିକାଶ ବୈଦିକ ଯୁଗରୁ ଶୈବଧର୍ମର ବିକାଶ ସହିତ ଆମ ଶିଳ୍ପକଳାରେ ମଧ୍ୟ ସମାନ ବୃଦ୍ଧି ଘଟେ । ଉତ୍କଳୀକ୍ଷେତ୍ର ପରିପ୍ରେକ୍ଷୀରେ ବିମାନ ବା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଓ ଭୋଗ ମଣ୍ଡପ ଏହାର ପ୍ରଧାନ ଅଂଶ ।
(ଜଗମୋହନର ପାର୍ଶ୍ଵପ୍ରାଚୀରରେ ଶିବଙ୍କ ବିଭିନ୍ନ ରୂପାବେଶ)
ନାହାଚାଳିଆ ପୀଢ ଉପରେ ସ୍ଥିତ ଏହାର ଜଗମୋହନ ନଡୁ ମୋହନ (କାନ୍ତିଶୂନ୍ୟ) ଦେଉଳର ଅଂଶଭୁକ୍ତ ରୂପେ ବିବେଚିତ କରାଯାଇଛି । ଏହାର ବିମାନ ଅଂଶ ରେଖା ଦେଉଳ ଶୈଳୀ ଅନ୍ତର୍ଗତ । ସମୁଦାୟ ସ୍ଥାପତ୍ୟରେ ଗୋଟିଏ ବିମାନ, ଗୋଟିଏ ଅନ୍ତରାଳ, ଗୋଟିଏ ଜଗମୋହନ ଏବଂ ସମ୍ମୁଖସ୍ଥ ନାଟମନ୍ଦିର ରହିଅଛି । ବିମାନ ଗୋଟି ୫.୪ ମିଟର ହୋଇଥିବାବେଳେ ଯଥା କ୍ରମେ ଜଗମୋହନ ଏବଂ ଅନ୍ତରାଳ ୯ ବର୍ଗମିଟର୍ ଓ ୧.୩ ବର୍ଗ ମିଟର୍’ର । ଏଥି ସହ ବିମାନସ୍ଥ ବାଡର ଦୈର୍ଘ୍ୟପଟ ଗବାକ୍ଷାକୃତ ପଞ୍ଚକୋଣ ସହ ବାରଣ୍ଡା ତିନିଗୋଟି ଅନୁଭାଗରେ ରହିଛି ।
ରେଖାର ପାଞ୍ଚଗୋଟି ଭାଗ ମଧ୍ୟରୁ ଏହାର ଜଙ୍ଘା (ଦେଉଳର ବନ୍ଧନ ଉପରେ ଦୁଇଗୋଟି ଜଙ୍ଘା ଅବସ୍ଥିତ ; ଦେଉଳ ଶରୀର ପରି ପରିକଳ୍ପିତ ଯେଣୁ ଏହାର ଗର୍ଭଭାଗର ସ୍ବଳ୍ପ ତଳକୁ) ଦୁଇଭାଗରେ ବିଭକ୍ତ । ଉଭୟ ଖାକରା ଓ ପୀଢମୁଣ୍ଡି ଦୁଇଗୋଟି ତଳଜଙ୍ଘାରେ ସ୍ଥାନୀତ ହୋଇଥିବା ବେଳେ ଏହାର ପରବର୍ତ୍ତୀ ଭାଗକୁ ଶିବଙ୍କ ବିଭିନ୍ନ ରୂପର ବର୍ଣ୍ଣନା ଦେଖିବାକୁ ମିଳେ । ଖାକରା ମୁଣ୍ଡିର ଖୋପ ଦେଇ ଅଷ୍ଟ ଦିଗପାଳ ମଧ୍ୟରୁ କେବଳ ବରୁଣ, ବାୟୁ, କୁବେର ଏବଂ ଈଶାନ ହିଁ ଦୃଶ୍ୟମାନ ହୁଅନ୍ତି । ସମ୍ଭବତଃ ଅନ୍ୟ ଦିଗପାଳଙ୍କ କୃତି ଭଗ୍ନାଂଶରେ ପତିତ (ଦେଉଳ ପ୍ରାଚୀରକୁ ଲାଗି ପଡିରହିଛି) ।
(ଦିଗପାଳ)
ଏହାର ଜଗମୋହନର ନିର୍ମିତି ଘେନି ଅନୁମେୟ ଯାହା ବିଦିତ ଏହା ପୁରୁଣା ଭୁବନେଶ୍ୱର କେଦାରଗୌରୀ ମନ୍ଦିର ଅଦୂରରେ ସ୍ଥିତ ପର୍ଶୁରାମେଶ୍ଵର ଦେଉଳର ପରବର୍ତ୍ତୀ ସମୟର । କାରଣ ଏହାର ପ୍ରଥମ ଓ ଶେଷ ଗ୍ରହଭାଗଟି ଜଗମୋହନର ପଛଭାଗ ପ୍ରାଚୀର ସହ ସଂଲଗ୍ନ । ଏହାର ମସ୍ତକ ବେକୀ, ଅମାଳକ, ଘଣ୍ଟ, ଖପୁରୀ ଓ କଳସ ଦ୍ଵାରା ଶୋଭିତ ଥିଲେ ହେଁ ଏହା ବିଶେଷ କାନ୍ତି ରଖି ନାହାନ୍ତି । ତେବେ ପୂର୍ବୋକ୍ତ ଦିଗପାଳଙ୍କ ସ୍ଥାନାଦିର ନିର୍ଣ୍ଣୟ ଅଗ୍ନି ପୁରାଣରେ ଅନୁସନ୍ଧେୟ ।
ଜଳେଶ୍ବର ମନ୍ଦିର ନିର୍ମାଣଧାରା ରାଜାରାଣୀ ମନ୍ଦିର ସହ ଅନେକତଃ ସାମଞ୍ଜସ୍ୟ ରକ୍ଷା କରେ ଏହାର ଦିଗପାଳଙ୍କ ନିର୍ମାଣ, ଜଗମୋହନର ମୁଖ୍ୟ ଦେହଳୀରେ ନାଗବନ୍ଧ, ନବଗ୍ରହ ଫଳକରେ କେତୁଙ୍କ ସ୍ଥାନ ପାଇଁ । ତେବେ ରାଜାରାଣୀ ମନ୍ଦିର ସହ ଏହାର ନିର୍ମାଣ ତୁଳନୀୟ ଭାବରେ ବିଶ୍ଳେଷିତ ହେଲେ ଏହାର ପୀଢ ଓ ଖାକରାମୁଣ୍ଡି ଏକ ପରବର୍ତ୍ତୀ ସୃଷ୍ଟି ବୋଲି ମନେହୁଏ । ତେବେ ଜଙ୍ଘାର ସ୍ଥାନୀୟତା ବିଶେଷରେ ଏହା ଲିଙ୍ଗରାଜ, ବ୍ରହ୍ମେଶ୍ଵର, ରାଜାରାଣୀ ମନ୍ଦିର ଠାରୁ ଭିନ୍ନ ହେଲେ ହେଁ ଆଉ ଏକ ସ୍ଥାପତ୍ୟ ବିଷୟ ଉଲ୍ଲେଖନୀୟ ।
(ଜଗମୋହନର ପାର୍ଶ୍ଵବର୍ତ୍ତୀ କାରୁକଳା)
ବ୍ରହ୍ମେଶ୍ଵର ମନ୍ଦିର ପରି ଜଳେଶ୍ବର ମନ୍ଦିର ଜଙ୍ଘାରେ ଶିବଙ୍କ ରୂପବିଶେଷ ସହିତ ଛାତ ଏକ ଓଲଟ ସ୍ଫୁଟକମଳ କୃତି ଦ୍ଵାରା ଶୋଭିତ । ଷୋଡଶ ପାଖୁଡାବିଶିଷ୍ଟ ପଦ୍ମାକୃତି ପରେ ଏହାର ନିମ୍ନଭାଗକୁ ନାନା ପଶୁପକ୍ଷୀଙ୍କ ସୂକ୍ଷ୍ମ ଚିତ୍ରଣ ଦର୍ଶନୀୟ । ହେଲେ ପୂର୍ବୋକ୍ତ କମଳରାଗର ମାଧୁରୀ ଦ୍ଵାରା ସେମାନଙ୍କ ଛଟା ଆପାତତଃ ଗୌଣ । ପାର୍ଶ୍ଵବର୍ତ୍ତୀ କୀର୍ତ୍ତି ଶତଦଳ ମଧ୍ୟ କାଳାନୁକ୍ରମରେ ଏହିପରି କିଛି ସମଦଶାର ସମ୍ମୁଖୀନ ହୋଇଛନ୍ତି ।
ଏଥିସହ ବ୍ରହ୍ମେଶ୍ଵର ଦେଉଳର ଜଗମୋହନ ସ୍ଥାପତ୍ୟ ପରି ଏକ ନାୟିକା ଅବଗୁଣ୍ଠନ ଧରି ଜଗମୋହନର ପୂର୍ବମୁଖକୁ ଖୋଦିତ ହୋଇଥିବାର ଦୃଶ୍ୟମାନ ହୁଏ । ଏହା ଲିଙ୍ଗରାଜ ଦେଉଳର ବୃହତ୍ତର ନାୟିକା ବିଗ୍ରହ ସହ ସମାନ । ଏଥି ସହ ଗଜବିଡାଳ ପ୍ରତିକୃତି ସମବେତ ନାଗ ଓ ଯକ୍ଷ ମୂର୍ତ୍ତିମାନଙ୍କର ଫଣାକୃତି ଛତି ସଦୃଶ ମଣ୍ଡନାକାର ମଧ୍ୟ ସୁଦୃଶ୍ୟ । ତଳଜଙ୍ଘାରେ ପୀଢମୁଣ୍ଡି ଅନୁରଥ ଭାଗ ସହିତ, କନିକା ପାଗ ସହିତ ଖାକରାମୁଣ୍ଡି ଏବଂ ଉପରଜଙ୍ଘାକୁ ବଜ୍ରମୁଣ୍ଡିର ଗଠନ ସମଗ୍ର ଓଡିଶାରେ ବିରଳ ।
(ଦେଉଳର ଦ୍ଵାରଦେଶରେ ନାଗନାଗୀ ପ୍ରତିମା,
ଉପରେ ନବଗ୍ରହ ଫଳକ ସହ ଗଣପତି ଓ ଚତୁର୍ହସ୍ତା ବିପଞ୍ଚିବାଦିନୀ)
ତତ୍ ସଂଲଗ୍ନ, ଏହି ସମ୍ମିଳିତ ଅନୁରଥ ଓ କନିକାପାଗରେ ଉଭୟ ପଟର ଉଲ୍ଲିଖିତ ନାଗନାଗୁଣୀ ସ୍ତମ୍ଭ ଓ ପୁନଶ୍ଚ ରାହା ପାଗ ପାଖରେ ବ୍ୟାଳମାନଙ୍କ ଦ୍ଵାରା ସମାକୁଳ । ଏହା ଉତ୍କଳରେ ନାଗ ଓ ଯକ୍ଷ ଉପାସନା ସମ୍ପର୍କରେ ଅନେକ ଧାରଣା ପ୍ରଦାନ କରିବା ସଦୃଷ୍ଟାନ୍ତ ଇତିହାସରେ ଉନ୍ମୋଚିତ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ନାଗ ଇତିହାସ’ ଗ୍ରନ୍ଥମତେ ଆର୍ଯ୍ୟମାନଙ୍କ ଦ୍ଵାରା ବିତାଡିତ ନାଗ ମାନେ ଅରଣ୍ୟାବୃତ୍ତ ଓଡିଶାରେ ଆତ୍ମଗୋପନ କରିଥିଲେ । ଏବଂ ଏମାନଙ୍କ ଭାରତୀୟ ସଭ୍ୟତାରେ ବାସ୍ତୁବିଜ୍ଞାନ ଓ ଶିଳ୍ପଶାସ୍ତ୍ରକୁ ପ୍ରଭୂତ ଅବଦାନ ଥିବାର ଜଣାଯାଏ ।
ରଣପୁରର ମଣିନାଗ ପର୍ବତର ମଣିନାଗେଶ୍ଵର ଏହାର ମୂର୍ତ୍ତ ପ୍ରମାଣ । ତାମ୍ରଶାସନ ମାନଙ୍କ କଳ୍ପେ ତାହାଙ୍କ ଉପାସନାର ପ୍ରାରମ୍ଭିକ ସମୟକୁ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ବୋଲି ଦର୍ଶିତ । ‘ମତ୍ସ୍ଯପୁରାଣ’ ଓ ‘ଶିଳ୍ପରତ୍ନ’ ପରି ଗ୍ରନ୍ଥରେ ଯକ୍ଷ ଓ ନାଗମାନଙ୍କ ଅର୍ଦ୍ଧପ୍ରୋତ୍ଥିତ ବିଗ୍ରହ (ମାନବ ଉପର ଭାଗ ଓ ତଳଭାଗ ସର୍ପ) ବର୍ଣ୍ଣନା ଅନୁସାରେ ଭୁବନେଶ୍ଵରର ଶିଖରଚଣ୍ଡୀଠୁ ଅଦୂରରେ ସ୍ଥିତ ସୁନ୍ଦରପଦା ଓ ପଥରଗାଡିଆ ପାଖରେ ଗ୍ରାମଦେବତା ରୂପେ ଏହି ବିଗ୍ରହ ପୂଜା ପାଆନ୍ତି ।
ଏହି ନାଗ ମୂର୍ତ୍ତି ସବୁ ପଞ୍ଚଫଣା ବିଶିଷ୍ଟ ଥିବାବେଳେ କଡରେ ଥିବା ଦୁଇନାଗୁଣୀ କେବଳ ଏକଫଣା ବିଶିଷ୍ଟ ଥିବାର ପରିଲକ୍ଷିତ । ଆଜି ଏହିମାନେ ଉପଦେବତା ରୂପରେ ସତ, ହେଲେ ଜନମାନସର ଗୁଡିଏ ସମାଧିପ୍ରାପ୍ତ ଇତିହାସକୁ ସୁଦ୍ଧା କହିବାକୁ କ୍ଷମ । ଆଧୁନିକ ମନୁଷ୍ୟ ଆଜି ନିଜସ୍ଵ ନିଷ୍କୃତ ସୌଧମାନଙ୍କୁ ଭୂତଳଶାୟୀ କରିବା ପାଇଁ ଅବିଳମ୍ଵେ ଆଗୁଁସାର ହେଇପାରିବ, ମାତ୍ର ଏହି ଦେଉଳର ଅବଗୁଣ୍ଠିତା ଦୁର୍ଜୟ ଅଭିମାନର ଗଦାଗଦା ନିଭୃତିକୁ ସ୍ପର୍ଶ ସୁଦ୍ଧା କରିପାରିବ ନାହିଁ !
(ସୌଜନ୍ୟ : Deepak Kumar Nayak)
ତେବେ ଏହି ମାଟିର କମ୍ର ହରିତାଳୀରେ ଶିବଙ୍କ ଭୀଷଣୋଗ୍ର ମୂର୍ତ୍ତି ଖୁବ୍ ଲଳିତ ପଦପାତ କରନ୍ତି। ତାଙ୍କର ଆନତ ମୁଖର କୁସୁମବାଣର ଦୁର୍ଦ୍ଧର୍ଷ ଧନୁଚାପରେ ଭ୍ରୂଲତା ଟଙ୍କାର ମାରେ । ତ୍ରିଦିବର ଭାସ୍ଵର ଦିଗନ୍ତ ତାଙ୍କ ନିର୍ବିକାର ତନ୍ତ୍ରୀର ପ୍ରାଣ ବିକ୍ଷୋଭ ଦ୍ଵାରା ବେଶ୍ ପୂତ ! ସେଥିପାଇଁ ବୋଧହୁଏ ଓଡିଆ ମାଟିରେ ନଟରାଜ ଅପେକ୍ଷା ହର ଏକ ମଧୁରୁଚି ଭିନ୍ନାଞ୍ଜନପ୍ରଭ (ଦଳା କଜ୍ଜ୍ଵଳର ବର୍ଣ୍ଣ) କଟାକ୍ଷ ଦିଅନ୍ତି ଏହି ଶ୍ୟାମଳିମାକୁ । ମନେପଡେ ଏକ ଅଭିଲେଖ :
“ଜୟତୁ କୁସୁମବାଣଂ ପ୍ରାଣବିକ୍ଷୋଭଦକ୍ଷଂ
ସ୍ଵକିରଣପରିବେଶୋର୍ଜିତ୍ୟ ଜୀର୍ଣ୍ଣେନ୍ଦୁଲେଖମ୍ ।
ତ୍ରିଭୁବନ ଭୁବନାନ୍ତର୍ଦ୍ୟୋ ତଭାସ୍ଵତ୍ ପ୍ରଦୀପଂ
କନକ ନିକଷ ଗୌରଂ ଚାରୁନେତ୍ରଂ ରହସ୍ଯ ।”
ଏଥି ସହିତ ଜଳେଶ୍ଵର ଦେଉଳର ଦ୍ଵାରଦେଶ ଶୈବ ଦ୍ଵାରପାଳଙ୍କ ସହ ତଳପଟକୁ ଗଙ୍ଗା ଓ ଯମୁନାଙ୍କ ଦ୍ଵାରା ଖୋଦିତ । ଗଜଲକ୍ଷ୍ମୀ ତୋରଣର କେନ୍ଦ୍ର ରହିବା ଅପେକ୍ଷା ଗଣେଶ ଏବଂ ବିପଞ୍ଚିବାଦିନୀ ସରସ୍ଵତୀ ଚତୁର୍ହସ୍ତା ରହିଅଛନ୍ତି । ଉପରଜଙ୍ଘାର ବଜ୍ରମୁଣ୍ଡି ପାଖ ଦେଇ ଚୈତ୍ୟଶୈଳୀର ଗବାକ୍ଷମାନ ସୂକ୍ଷ୍ମ ଭାବରେ ଦେଖାଯାଏ । ଜଗମୋହନର କ୍ଷୀୟମାଣ ଅବୟବ ଉପରେ ଆଜି ବି ଅନାୟାସରେ ‘ଅନ୍ତରାଳ’ ମାଧ୍ୟମରେ ଦେଉଳ ସହ ତୁଙ୍ଗିମା ବଜାୟ ରଖିଛି ।
ସେହିପରି ଯକ୍ଷପତି କୁବେରଙ୍କ ହାତରେ ଏକ ତୋଡା ଏବଂ ଦକ୍ଷିଣ ହାତରେ ଯଷ୍ଟି ଧାରଣ କରିଥିବାର ଦୃଶ୍ୟ ସମକାଳୀନ ଫୁଲ୍ଲ ଉଦରଧାରୀ ଯକ୍ଷଙ୍କ ସହ ବିଦ୍ୟମାନ । କଟକର ସିଂହନାଥ ମନ୍ଦିର ପରି ଜଳେଶ୍ବର ମନ୍ଦିରର ଅଗ୍ନିଙ୍କ ଦକ୍ଷିଣହସ୍ତରେ ମେରୁମାଳି ସହ ବାମହସ୍ତରେ ମାଠିଆ ଧରିଥିବା ବେଳେ ତାଙ୍କ ପୃଷ୍ଠପଟ୍ଟଟି ବହ୍ନିମାନ ଦୃଷ୍ଟିଗୋଚର ହୁଏ । କିନ୍ତୁ ସିଂହନାଥ ମନ୍ଦିରରେ ଅଗ୍ନି ଗାରଡବାହୀ (ମେଣ୍ଢା) ମାତ୍ର ଜଳେଶ୍ଵରରେ ତାହା ତାଙ୍କ ପଦାନତ । (ବୋଧହୁଏ ଏହି କୀର୍ତ୍ତି ଆଜିର ମେଷଜାତୀୟ ମାନବଙ୍କ ଲାଗି କିଛି ସନ୍ଦେଶ ଦେଉଛି କି ?)
(କାର୍ତ୍ତିକେୟ)
ପରିଶେଷରେ ଏହାର ଉଲ୍ଲେଖନୀୟ ପାର୍ଶ୍ଵଦେବତାଙ୍କ ମଧ୍ୟରେ ଖାକରାମୁଣ୍ଡି ଅଞ୍ଚଳରେ ଉଡନ୍ତା ହନୁମାନଙ୍କ ପର୍ବତଧାରଣ ରୂପ, ଦକ୍ଷିଣ ଭାଗରେ ପଦ୍ମପୀଠ ଉପରେ ତ୍ରିଭଙ୍ଗୀ ଠାଣିରେ ଚତୁର୍ଭୁଜ ଗଣେଶ, ପୂର୍ବକୁ କାର୍ତ୍ତିକ ଏବଂ ଉତ୍ତରକୁ ମହିଷାସୁରମର୍ଦ୍ଦିନୀ ମା’ ରହିଛନ୍ତି। ତେବେ ପାର୍ବତୀଙ୍କ ପରି ଦିଶି ଯାଉଥିବା ମା’ଙ୍କ ବିଗ୍ରହ ଗୋଟିକ ପ୍ରକୃତରେ ଦଶଭୁଜା ମାଆ, ଯଦିଓ ଆଜି ଦଶପ୍ରହରଣ ମଧ୍ୟରୁ ଅନେକ ଭଙ୍ଗୁର । ଏଥିରେ ଯଥାକ୍ରମେ ମହିଷାର ବାମଗତି ଓ ବିଦ୍ୟାଧରଙ୍କ ଶୋଭିତ ଗଣପତି ବିଗ୍ରହ ନିତାନ୍ତ ସୁଷମାମଣ୍ଡିତ ।
ପରିଶେଷରେ କାର୍ତ୍ତିକେୟଙ୍କ ତ୍ରିଭଙ୍ଗୀ ଠାଣିରେ କୁକ୍କୁଟ, ବର୍ଚ୍ଛା ଶୋଭା ପାଉଥିବା ବେଳେ ତଳ ଡାହାଣ ହାତ ମୟୂର ଥଣ୍ଟ ପରେ ଥୁଆ । ଉପର ଡାହାଣ ହାତ ଅନୁପସ୍ଥିତ । ମନ୍ଦିରଟି ହରିହର କ୍ଷେତ୍ର ଭାବରେ କହିଲେ ବାହୁଲ୍ୟ ହେବନାହିଁ କାରଣ ଆଜି ବି ବିଷ୍ଣୁଙ୍କର ଏକ ଭଗ୍ନମୂର୍ତ୍ତି ନାଟମଣ୍ଡପ ଉପରେ ପଦ୍ମାସୀନ ଭାବରେ ମକର ତୋରଣର ଶୋଭା ବର୍ଦ୍ଧନ କରୁଛନ୍ତି । ଖଡିକନ୍ଦା ପଥରର ଦେଉଳର ମସୃଣ ଓ ଛବିଳ ଇତିହାସ ଆଜି ଏ ସୁପ୍ତୋତ୍ଥିତ ଜାତିର ଦୃଷ୍ଟିଗତ ହେଉ ।
(ବିଷ୍ଣୁଙ୍କ ଭଗ୍ନ ଦେବପ୍ରତିମା)
ବସ୍ତୁତଃ ମୃତ୍ତିକାଲୀନ ଏପରି ଶତସଂଖ୍ୟକ ଦେଉଳରାଜି ଘେନି ଆମ୍ଭ ଉତ୍କଳର ସ୍ଥାପତ୍ୟର ମହୁଡ ଧରିଥିବା ଭୁବନେଶ୍ଵରରେ ସର୍ବ ଅର୍ବାଚୀନ କୀର୍ତ୍ତିମାନଙ୍କର ମଧ୍ୟ ଭାସ୍କର୍ଯ୍ୟ ସମଗ୍ର ଭାରତବର୍ଷରେ ଅନେକତଃ ସ୍ଵାତନ୍ତ୍ର୍ୟ ବହନ କରିଥାଏ । ଚିତ୍ରମୟୀ ଚାରୁଶାଳାର ଚନ୍ଦ୍ରକିତ ଚୈତ୍ୟବାତାୟନ ଠାରେ ଚେଇଁଥିବା ବହୁ ସାଧନା ଓ ଯୁଗଧର୍ମୀ ପରମ୍ପରା ଅନୁସରଣ କରି ଏହା ଗଢି ଉଠେ ।
ଏହି କ୍ଷେତ୍ରରେ ପୂର୍ବେ ପ୍ରାଚୀନଦୀ କୂଳରେ ଶ୍ରୀକୃଷ୍ଣ ଶିବଙ୍କୁ ତପସ୍ୟା କରି ଚକ୍ରପ୍ରାପ୍ତି ହେତୁ ଏହା ହେଲା “ଚକ୍ରତୀର୍ଥ” । ସେହି ପ୍ରାଚୀ ନଦୀ ଏଠାରେ ଅବଲୁପ୍ତ, କାଳର ଚିରନ୍ତନ ରୀତି ସହିତ ବଦଳି ସାରିଅଛି ତାହାର ମଧ୍ୟ ଅସମାନ ଗତିପଥଟିଏ । ହେଲେ ଏହାର କୂଳର ଦହମାନ, କୋରକିତ ଗ୍ରାମପୁଞ୍ଜର ଛାୟାରେ ବିଲପାଟକ ପ୍ରଭୃତିର ସୌନ୍ଦର୍ଯ୍ୟ ମହଳ ପଡିନାହିଁ ।
ଆଉ ତହିଁ ମଧ୍ୟରେ ଅବସ୍ଥିତ ଅନ୍ୟ ଏକ ପୀଠ ଯାହା ଜଳେଶ୍ବର ମହାଦେବ ମନ୍ଦିରଠୁ କେଇ ଦୂରରେ ଏଥର ଏକ ତଟିନୀବର୍ତ୍ତୀ ଗ୍ରାମରେ ଅବସ୍ଥିତ । ଆଦ୍ୟ ସଭ୍ୟତାର କେତେକ ପ୍ରତିବିମ୍ଵରେ ତାହାର ତଣ୍ଡିପଠା, ନୀଳବେଣୀ ଧାରା ଛୁଇଁ ସମୀରଣ ସ୍ରୋତ ବେତସର ନୀରନ୍ଧ୍ର ପର୍ଣ୍ଣଗହଳ ଠାରେ ଫୁତ୍କାରି ଉଠେ। ଦୂରାଗତ ପ୍ରତି ଏ ସ୍ଥାନର ସମାହିତ ଭକ୍ତି ନିତାନ୍ତ ଉପଲଭ୍ୟ ।
@ଅମୃତେଶ ଖଟୁଆ 
ଫଟୋଚିତ୍ର : Deepak Kumar Nayak ଙ୍କ ସୌଜନ୍ୟରୁ କେତେକ ଏବଂ ଅବଶିଷ୍ଟ ମୋର ପର୍ଯ୍ୟଟନ ସମୟରେ ଉତ୍ତୋଳିତ (ପ୍ରତି ଫଟୋଚିତ୍ରର ଅନୁଶୀର୍ଷକରେ କ୍ରମାନୁଗତ ଉଲ୍ଲିଖିତ)

Leave a Comment

Your email address will not be published. Required fields are marked *

Scroll to Top