ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ବଳଦେବ ରଥ
ରାଗ ‘ଆଷାଢ଼ ଶୁକ୍ଳ’ ତଥା ‘ଆଦ୍ୟଯମକ’ ଅଳଙ୍କାରରେ ସୌରଭିତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କବିତା ଜଗତେ କେବଳ . .
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ।
କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି
କୁଟିଳ କରି ଭ୍ରୁକୁଟିକୁ ଚାହୁଁ, ସରମା କଣ୍ଠିରବ ହେବ କାହୁଁ ।
ଅଲକତ ଦ୍ରବ ନୟନେ ବୋଳି, ରସାଳ ଗହଳ ଶାଖାରେ ଖେଳି
କବଳ କରୁ ତା କଳି କଳାପ, କାକ କି କରିବ ପଞ୍ଜମାଳାପ ।
ବରଜୀବ ରସେ ଦେଇ ମାନସ, ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକର କି ହୋଇବ ଗାଈ ।
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ, ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ
ଚାଲୁଁ ପୂର୍ବଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି ।
ରଞ୍ଜି ନାୟକ ରଙ୍ଗେ ଚୋପଦାର, ଖଞ୍ଜିଲେ ହେଲେ ଚାବୁକ ସବାର
ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏ କି ରାସଭ ପିଲା ।
ବଦରିକା ବନେ ନିତ୍ୟ ନିବାସ, କରି ଆଚରି ବ୍ରତ ଉପବାସ
ପ୍ରଯତ୍ନ କଲେ ହେଁ ନାନା ପ୍ରକାର, ଖଦ୍ୟୋତ ହୋଇବ କି ପ୍ରଭାକର ।
ଯାହାକୁ ଯାହା କରିଛି ଦଇବ, ତହୁଁ ନି କି ସେ ଅନ୍ୟଥା ହୋଇବ
ଘେନିଲେ ହେଲେ ଯତ୍ନେ କୋଟି ପୁଟ, ପିତ୍ତଳୁଟି କେହି ହେବ ପୁରଟ ।
ଦେବ ଉପବନେ ହୋଇ ଜନିତା, ସ୍ବବାସ ମଦରୁ ଜବସ ଲତା
ତୁଳସୀ ତୁଲେ ହେଲେ ମିଶାମିଶି, ତାହାକୁ ଯେବେ ବୋଲିବା ତୁଳସୀ ।
ସମଜଇ ନାହିଁ ସ୍ବଜାତି ଭାଷା, କହିଲେ ଯେ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ, ଷଡ଼ଦର୍ଶୀ ତୁଲେ କଲେ ବିବାଦ ।
ଦେହରେ ବାଜିଲେ ପର ନିଶ୍ବାସ, ସମ୍ଭାଳିବାକୁ ନ ଥାଇ ବିଶ୍ବାସ
ନିର୍ଲ୍ଲଜ ଅଭିମାନେ ଡେରି ଛାତି, ହାତୀ ଲଢ଼ାଇକି ବାନ୍ଧିଲେ କାତି ।
କରମରେ ତ ହୋଇଅଛି ଲେଖା, କରମର୍ଦ୍ଦକ ଯୋଗ୍ୟ ତୋର ଶିଖା
ହର ମଉଳ ଯୋଗ୍ୟ ଚମ୍ପକକୁ, ଭରମରେ ବୃଥା ପଡ଼ି ଯା ଟାକୁ ।
ଚାରୁ ଚନ୍ଦ୍ରୋଦୟା ମଶାଲ ପାଖେ, ବହ୍ନି ଜାଳିବ ଯେବେ ଦିଶା ମୁଖେ
ଧାତା ତ କରିନାହିଁ ତା ନିକାଶେ, କି ରୂପେ ହେବ ସେପରି ପ୍ରକାଶ ।
ବୋଳିହୋଇ ଭୂତି ଧରି ପରଶୁ, ବଳୀବର୍ଦ୍ଦବର ଚରମେ ବସୁ
ଗଉରୀ-ପ୍ରାଣନାଥ ଅନୁଭାବ, ଠଉରି ପାରିବନାହିଁ ତ ଲବ ।
ସର ପର୍ପଟି ଯାହାକୁ ମିଳଇ, ସେ ସୁଖେ ତା ଭୋଜନେ ପ୍ରଚଳଇ
ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବ ଘଷି ।
ଚିର ତପବଳୁ କେଉଁ ପୁରୁଷ, ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ
କରିଷେ ସଞ୍ଚରିବା ନ ସହିବ, କରୀଷକଟେ ଯେବେ ଆରୋହିତ ।
ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି, ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି
ବଳାହିତ ରତ୍ନ ପରି ଦିଶିବ, ବାଳା ପୟୋଧର ହାରେ ମିଶିବ ।
ସତରବୟସୀ ସତତ ମନ, କରଇ ଯାହାକୁ ଅନୁଗମନ
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ, ଅବିବେକଦଶୁ ବିବାଦୀ ହେଲେ ।
ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା, ସଙ୍ଗକୁ ଅଙ୍ଗୀକାର କଲା ସୁନା
ହୋଇଲି ତ ବୋଲି କନକ ତୁଲ୍ୟ, ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ ।
ଗଜପତି କୁମ୍ଭସ୍ଥଳେ ବିଦାରି, ସଜ ପଲକ ଭୁଞ୍ଜିବାରୁ ହରି
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ, ଜମ୍ବୁକେ ଯଶସ୍ବୀ ବୋଲିବା ଯେବେ ।
ମାନୋଦ୍ଧାରଣ ଶରଣପଞ୍ଜର, ବଘେଇ ବାଦଶା ନୃପକୁଞ୍ଜର
ରାଜା ଜଗଦ୍ଦେବ ହରିଚନ୍ଦନ, ଲଙ୍ଘିଲେ ତାକୁ ନ କରି ଚନ୍ଦନ ।
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି, ଭଣିଲେ ରାୟଗୁରୁ କବିରବି
ଶ୍ରବଣ-ସର୍ବାବୟବୀ ମାନବ, ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ।
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ।