ଲେଖା: ଶ୍ରୀକାନ୍ତ ସିଂହ
~ କଟକର ଶ୍ରୀଚୈତନ୍ୟ ମଠ ~
ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି ଐତିହାସିକ ପ୍ରମାଣ ମିଳେ। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ସାଧନା ଓ ସଂପ୍ରଦାୟ ସେ ଜାତୀୟ ମଠଗୁଡ଼ିକରେ ପରମ୍ପରାକ୍ରମେ ସୁରକ୍ଷିତ ହୋଇ ରହିଛି । ପ୍ରାୟତଃ ଶାସ୍ତ୍ରବିଚାର, ସେବାପୂଜା, ନାମ ସଂକୀର୍ତ୍ତନ ଓ ଧ୍ୟାନଧାରଣା ପ୍ରଭୃତି ଶିକ୍ଷା ଦେବା ତଥା ଅଖଣ୍ଡିତ ଭାବେ ଆଚରଣ କରିବା ମଠର ମୂଳକାର୍ଯ୍ୟ। ଏଣୁ ଆଧ୍ୟାତ୍ମିକ ଓ ପାରମାର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ ସମାଜରେ ମଠମାନଙ୍କର ସ୍ଥାନ ଅତୁଳନୀୟ।
(ଶ୍ରୀଚୈତନ୍ୟଙ୍କ ପାଦୁକା ସ୍ଥାପିତ ସ୍ତମ୍ଭର ଛବି)
ପରମ ପବିତ୍ର ଐତିହାସିକ ସହର କଟକରେ ମଧ୍ୟ ଦୃଶ୍ୟମାନ ହୁଅନ୍ତି ଅଗଣିତ ମଠ ! ଶତାବ୍ଦୀ ଶତାବ୍ଦୀ ଧରି ଆଧ୍ୟାତ୍ମିକତାର ବାସ ଚହଟାଇବା ସହ କଳାସାହିତ୍ୟ, ସଂସ୍କୃତିର ପରିସ୍ଫୁଟନ ଘଟାଇ ଜନଜୀବନରେ ସୁପ୍ରଭାବ ବିସ୍ତାର କରିଥିବା ସତ୍ତ୍ୱେ ଐତିହାସିକ ଅବା ଗବେଷକମାନଙ୍କ ସଦୟ ଦୃଷ୍ଟିରୁ ବଞ୍ଚିତ ରହିଛନ୍ତି ଏଇ ମଠମାନ !
#କଟକ ମହାନଗରର ଐତିହାସିକ #ଚାନ୍ଦିନୀଚୌକ ଓ ଆଧ୍ୟାତ୍ମିକ କ୍ଷେତ୍ର କଟକଚଣ୍ଡୀ ମନ୍ଦିର ମଧ୍ୟବର୍ତ୍ତୀ #ମହମ୍ମଦିଆ ବଜାର #ବଣିଆସାହି ଅଞ୍ଚଳ । ଘନ ଜନବସତି ଭିତରେ ଅଧ ଏକର ଜମି ପରିମିତ ଅଞ୍ଚଳରେ ବୃକ୍ଷରାଜି ପରିବେଷ୍ଟିତ ସୁନ୍ଦର ଶାନ୍ତ ପରିବେଶରେ ଅବସ୍ଥିତ କଟକର ଶ୍ରୀଚୈତନ୍ୟ ମଠ !
ଗତ ୧୨ ତାରିଖ ରବିବାରର ବର୍ଷାକ୍ଳିଷ୍ଟ ସକାଳରେ ଅଧିକାଂଶ ବନ୍ଧୁଙ୍କ ଅନୁପସ୍ଥିତି ସତ୍ତ୍ୱେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ୨ୟ ପର୍ବ ଭାବେ ଆମେ କେଇଜଣ ପହଞ୍ଚିଥିଲୁ ଏପରି ଏକ ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନରେ । ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ଆମ ପାଖରେ ପହଁଞ୍ଚିଥିଲେ ମଠର ଜନୈକ ନିଷ୍ଠାପର ସେବକ ଶ୍ରୀ ରବିନାରାୟଣ ସାହୁ ମହାଶୟ । ନିଜ ଅନୁଭବ ଓ ଅଧ୍ୟୟନରୁ ହିଁ ବଖାଣିଥିଲେ ମଠର ଇତିହାସ ତଥା ଅଞ୍ଚଳବାସୀଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଏହାର ଅହେତୁକ ପ୍ରଭାବ ବାବଦରେ !
୨୦୧୦ ମସିହା । କଟକ ସହରରେ #ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀଟିଏ ଗଢ଼ାଗଲା, ଗୌରାଙ୍ଗ #ଶ୍ରୀଚୈତନ୍ୟଙ୍କ କଟକ ଆଗମନ ଓ ଅବସ୍ଥାନର ୫୦୦ ବର୍ଷ ପୂର୍ତ୍ତିପାଳନ ଉପଲକ୍ଷେ !
(ମଠର ପ୍ରାଚୀନ ପ୍ରବେଶପଥ)
ଦୁର୍ଭାଗ୍ୟକୁ ଏ ବାବଦରେ ଆଖିଦୃଶିଆ ଗବେଷଣା କିଛି ନାହିଁ ଏବଂ ବହୁ ପୋଥିପତ୍ର ନଷ୍ଟ ବା ଲୁପ୍ତପ୍ରାୟ ! ତଥାପି ବିଭିନ୍ନ ଉତ୍ସରୁ ଯାହା ଜଣାପଡ଼େ, ଆନୁମାନିକ ୧୫୧୨ ମସିହା (ପ୍ରକାରାନ୍ତରେ ୧୫୧୪) ଆଶ୍ୱିନ ଶୁକ୍ଳ ତ୍ରୟୋଦଶୀ ତିଥିରେ, ଶ୍ରୀଜଗନ୍ନାଥଙ୍କ ଦର୍ଶନାଭିଳାଷୀ ଶ୍ରୀଚୈତନ୍ୟ ନିଜର ଭକ୍ତ ତଥା ଅନୁଗାମୀଙ୍କ ସହ ଆସି #ସତୀଚଉରା ଘାଟରେ ପହଞ୍ଚିଥିଲେ ! ତେବେ ଶ୍ରୀକ୍ଷେତ୍ରରୁ ଫେରନ୍ତା ସମୟରେ କଟକ ମାଟିରେ ନିଜର ଭକ୍ତଙ୍କ ଗହଣରେ ଅବସ୍ଥାନ କରିବାକୁ ମନ ବଳାଇଲେ ! ଅସୁମାରୀ ବକୁଳ ବୃକ୍ଷରେ ଆଚ୍ଛାଦିତ ଏ ସ୍ଥାନଟିର ନୈସର୍ଗିକ ଶୋଭା ଆକର୍ଷିଥିଲା ତାଙ୍କୁ ! ସେଇଠି ଅଟକି ରହିଥିଲେ ସେ, ମାତ୍ର ୩ଟି ଦିନ ପାଇଁ !
(ଶ୍ରୀଚୈତନ୍ୟଙ୍କ ପାଦଚିହ୍ନ)
କିମ୍ବଦନ୍ତୀ କହେ, ଏ ରହଣି କାଳରେ ଉତ୍କଳର ଗଜପତି #ପ୍ରତାପରୁଦ୍ର_ଦେବ ନଦିଆଭୂମିରୁ ଆଗତ ସନ୍ଥଙ୍କ ଉଦ୍ଦେଶ୍ୟରେ ଭେଟି ଦେଇଥିଲେ କେତେକ ସ୍ବର୍ଣ୍ଣମୁଦ୍ରା ! ତେବେ ରାଜାନୁଗ୍ରହକୁ ଅସ୍ବୀକାର କରନ୍ତେ ସନ୍ଥଙ୍କ ପ୍ରତି କ୍ଷୁବ୍ଧ ହୋଇଥିଲେ ଗଜପତି ! ଜଣେ ସାଧୁର ଏତେ ଆସ୍ପର୍ଦ୍ଧା ! ଗୌରବର୍ଣ୍ଣା, ସୌମ୍ୟଦର୍ଶୀ, ଲଣ୍ଡିତମସ୍ତକ, ବିଶାଳବପୁଧାରୀ, ଶ୍ରୀଚୈତନ୍ୟଙ୍କ ଦର୍ଶନାନ୍ତେ ଗଜପତି ସ୍ବୟଂ ଭକ୍ତ ପାଲଟି ଯାଇଥିଲେ !
ସେଦିନର ସନ୍ଥ ଓ ଗଜପତିଙ୍କ ମହାମିଳନ ଉତ୍କଳଭୂଖଣ୍ଡର ଇତିହାସକୁ ବଦଳାଇ ଦେଇଥିଲା, ତେବେ ସେଇ ବକୁଳବନରୁ ଆଧ୍ୟାତ୍ମିକତାର ଯେଉଁ ସ୍ବର ଶୁଭିଥିଲା, ସେ ସ୍ବରର ବଳୟ ସ୍ପର୍ଶ କରିଥିଲା ସମଗ୍ର ଭୂଖଣ୍ଡକୁ ! ଆଜି ଶ୍ରୀଚୈତନ୍ୟଙ୍କ ସ୍ମୃତିକୁ ବକ୍ଷରେ ବହନ କରିଥିବା ସହରର ଏ ପବିତ୍ର ବୈଷ୍ଣବ ପୀଠଟି ଅଞ୍ଚଳବାସୀଙ୍କ ମନ ଓ ହୃଦୟରେ ଆଧ୍ୟାତ୍ମିକତାର ସ୍ପନ୍ଦନ ତୋଳିଚାଲିଛି ! କହିବା ବାହୁଲ୍ୟ, ଅଞ୍ଚଳବାସୀଙ୍କ ସୁଖଦୁଃଖର ସାଥୀ ସାଜିଥିବା ଏ ପୀଠ ସହରର ପୂଜାପାର୍ବଣ, ଅନ୍ୟାନ୍ୟ ଦେବ ଅବା ସାଂସ୍କୃତିକ ପୀଠର ଉନ୍ନତି ସହିତ କଳାସଂସ୍କୃତିର ପରିବ୍ୟାପ୍ତି ପାଇଁ ସତତ ଚେଷ୍ଟିତ ରହିଆସିଛି !
ପ୍ରଭୁଙ୍କ ସେବା ପାଇଁ ସେ ସମୟରୁ ବିଭିନ୍ନ ସେବାକାରୀଙ୍କ ପାଇଁ ‘ଖଞ୍ଜା’ର ବ୍ୟବସ୍ଥା କରାଯାଇଥିଲା ! ଏବେ ଅବଶ୍ୟ ପୀଠଟି ସହରର ଅନ୍ୟତମ ବୈଷ୍ଣବ ପୀଠ #ରାସବିହାରୀ ମଠର ପରିଚାଳନାଧୀନ ! ମଠର ବିପୁଳ ସମ୍ପତ୍ତି ଆଜି କିଛି ବାହୁବଳୀଙ୍କ ଦ୍ଵାରା କବଳିତ ! ଏହାସତ୍ତ୍ୱେ ନୀତିକାନ୍ତିର ସମସ୍ତ ଖର୍ଚ୍ଚ ସ୍ବୟଂ ବହନ କରିଚାଲିଛି ମଠ !
(ମଠ ପରିସରର #ରାମଲୀଳା ମଣ୍ଡପ)
ଭାବସିକ୍ତ ସ୍ବରରେ ଶ୍ରୀଯୁକ୍ତ ସାହୁ ଗପିଚାଲିଥିଲେ, “ଏ ଭଳିଆ ବୈଷ୍ଣବ ପୀଠ କଟକ ସହର କାହିଁକି, ସମଗ୍ର ଓଡ଼ିଶାରେ ନାହିଁ ! ଏଠାରେ ସ୍ବୟଂ ମହାପ୍ରଭୁଙ୍କ ପଦରେଣୁ ପଡ଼ିଛି, ଲୀଳାଖେଳା କରିଛନ୍ତି ସେ !”
ସତକଥା ! ଅସରନ୍ତି ସେ ଲୀଳାର ଗାଥା ! ଦୁଃଖ ରହିଗଲା, ସେ ଗାଥା ଅଧୁରା ରଖିବାକୁ ଆମେ ବାଧ୍ୟ ହେଲୁ ! ଆହୁରି ଦୁଃଖ ଲାଗିଲା, ସବୁ ଥାଇ ମଧ୍ୟ ଏ ପବିତ୍ର ବୈଷ୍ଣବ ପୀଠ କଟକର ଶ୍ରୀଚୈତନ୍ୟ ମଠ ଆଜି ଅବହେଳିତ !
(ମଠ ପରିସରରେ ପଡ଼ି ରହିଥିବା ଏକ ପାଷାଣ କଳାକୃତି)