ଲେଖା: ନିରଞ୍ଜନ ସାହୁ

‘ଉତ୍କଳ ଦୀପିକା’ ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସଂବାଦପତ୍ର । ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗ ପ୍ରାରମ୍ଭ ବେଳକୁ ଓଡ଼ିଶା ଭୂମିରେ ଦେଖା ଦେଇଥିଲା ସାମାଜିକ, ସାଂସ୍କୃତିକ ବିପର୍ଯ୍ୟୟର ଧୂମକେତୁ । ସେହି ସମୟକୁ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ ଏବଂ ତା ସହ ଓଡ଼ିଆ ଭାଷା ବିଲୋପ ପାଇଁ ସଂଘବଦ୍ଧ ସଣ୍ଡୁଆସୀ ଆକ୍ରମଣ । ସବୁକିଛି ଛିନ୍ନ ହେବା ସହ ଜାତିଟା ଯେମିତି ଭୂଲୁଣ୍ଠିତ ହେବା ପାଇଁ ଅଗ୍ରସର ହେଉଥିଲା । ଉତ୍କଳ ଜନନୀ ହୋଇସାରିଥିଲେ ଛିନ୍ନମସ୍ତା । ଜନନୀର ଶରୀର ହେଉଥିଲା କ୍ଷୀଣରୁ କ୍ଷୀଣତର ।

ଏହି ଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଓଡ଼ିଶାରେ ନବଜାଗରଣର ସ୍ଵପ୍ନ ଦେଖୁଥିଲେ କିଛି ଭାଷାପ୍ରେମୀ, ଦେଶପ୍ରେମୀ, ସାହିତ୍ୟ ସଂସ୍କୃତିପ୍ରେମୀ ଏବଂ ଜନ୍ମଭୂମିକୁ ପୁନର୍ବିନ୍ୟାସ କରିବା ପାଇଁ କିଛି ନେତୃମଣ୍ଡଳୀ। ସେହି ସମୟରେ ବିଭିନ୍ନ କ୍ଷେତ୍ରରେ ଏହି ଭୂଖଣ୍ଡର ସମ୍ମାନ ରକ୍ଷା ସହ, ପୁନର୍ଜୀବନ ସଂଚାରି ଥିଲେ ଯେଉଁ ମନିଷୀଗଣ, ସେହି ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କର (Karmaveer Gourishankar Ray)

ପତ୍ରପତ୍ରିକା ସହିତ ଜ୍ଞାନ, ବିଜ୍ଞାନ, ରାଜନୀତି, ଅର୍ଥନୀତି ଓ ଆଧୁନିକ ଜୀବନର ବହୁବିଧ ସମସ୍ୟା ଜଡ଼ିତ। ଖାଦ୍ୟ, ପୋଷାକ, ଆଶ୍ରୟ ପରି ପତ୍ରପତ୍ରିକା ଆଧୁନିକ ମଣିଷର ଏକାନ୍ତ ପ୍ରୟୋଜନ । ଏଥିରେ ମଣିଷ ସଭ୍ୟତା, ସଂସ୍କୃତି ଓ ସାମାଜିକ ଚିନ୍ତାଧାରାର ସନ୍ଧାନ ମିଳେ । ଏଇହେତୁ ପତ୍ରପତ୍ରିକା ହିଁ ସମାଜର ପ୍ରକୃତ ମୁଖପାତ୍ର । ଏହା ଜନସାଧାରଣଙ୍କ ହିତାର୍ଥେ ସହାୟକ ଓ ସମାଜର ଜାଗ୍ରତ ପ୍ରହରୀ । ଏହା ଦ୍ବାରା ଜନଜୀବନର ସମସ୍ୟା ସମାଧାନ ହେବା ସହ ସମସ୍ୟାର ମୁକାବିଲା ମଧ୍ୟ କରାଯାଇଥାଏ । ନିଃସନ୍ଦେହରେ ଏହାର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ଏହି କଥାକୁ ଠିକ୍ ଭାବରେ ହୃଦୟଙ୍ଗମ କରିଥିଲେ କର୍ମବୀର ଗୌରୀଶଙ୍କର । ଜାତିପ୍ରେମର ଏହି ମହାନ ସାଧକ ତେଣୁ ଚିନ୍ତା କରିଥିଲେ ଏକ ପତ୍ରିକା ସଂପାଦନ ପାଇଁ, ଯାହା ହୁଏତ ଓଡ଼ିଶାର ସମସ୍ୟା ମଧ୍ୟରେ ଅଂଶୀଦାର ହେବା ସହ ନବଜାଗରଣର ବାର୍ତ୍ତା ପହୁଞ୍ଚାଇବ ସମଗ୍ର ଓଡ଼ିଶାରେ

ଏହି ଭଳି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହେଲା କର୍ମବୀରଙ୍କ ଦ୍ଵାରା ୧୮୬୪ ମସିହାରେ କଟକ ପ୍ରିଣ୍ଟିଂ କୁମ୍ପାନୀ (Cuttack Printing Co.) ନାମରେ । ସୁପରିଚାଳନା ପାଇଁ ଏକ ବୋର୍ଡ ଅଫ ଡାଇରେକ୍ଟର ଗଠିତ ହେଲା ଯହିଁରେ ସଦସ୍ୟ ମାନେ ରହିଲେ, ଶ୍ରୀଯୁକ୍ତ  ହରେକୃଷ୍ଣ ଦାଶ, ଜଗମୋହନ ରାୟ, ବିଚିତ୍ରାନନ୍ଦ ଦାସ, ଦୀନନାଥ ସରକାର, ସୁଦର୍ଶନ ଦାସ, ଚୌଧୁରୀ ରଘୁନାଥ ଦାସ, ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ, ରାଧାଶ୍ୟାମ ନରେନ୍ଦ୍ର, ଗୌରିଶ୍ୟାମ ଜେନା, ଗୋଲୋକ ଚନ୍ଦ୍ର ବୋଷ, ବନମାଳୀ ସିଂହ ଏବଂ ଶ୍ରୀଯୁକ୍ତ  ଗୌରୀଶଙ୍କର ରାୟ (ସଂପାଦକ) । ଏହି କୁମ୍ପାନୀ ୧୮୬୫ ମସିହାରେ ପୁରୀରୁ ଏକ ପଥର ତିଆରି ମେସିନ ଆଣି ଛାପାକାମ ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ବାବୁ କାଳୀପଦ ବନ୍ଦୋପାଧ୍ୟାୟଙ୍କ ଉଦ୍ୟମରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କିଛି ସୀସା ଅକ୍ଷର କଲିକତାରୁ ଯୋଗାଡ଼ କରି ପଠାଇଥିଲେ । ଏହି ଛାପାଖାନାରେ ମୁଦ୍ରାକର ଥିଲେ ଶ୍ରୀ ଭାଗିରଥି ଷାଠିୟା । ଏହାର ମୂଳଧନ ଥିଲା  ସାତ ହଜାର ପାଞ୍ଚଶହ ଟଙ୍କା । ଅଂଶୀଦାର ମାନେ ଥିଲେ ବାବୁ ଲକ୍ଷ୍ମୀ ନାରାୟଣ ରାୟ ଚୌଧୁରୀ, ଖୋସଲା ଚାନ୍ଦ ମାରୱାଡ଼ି, ମଧୁସୂଦନ ଦାଶ, ନନ୍ଦଲାଲ ମିଶ୍ର, ମାୟାଧର ଦାସ, ବିହାରୀ ଲାଲ ପଣ୍ଡିତ, ଗୋପୀମୋହନ ସେନ୍, ପଦ୍ମନାଭ ଦାସ, ଅକ୍ଷୟ କୁମାର ଘୋଷ ଏବଂ ଗୌରୀଶଙ୍କର ରାୟ ।

ପ୍ରେସ କାମରେ ଛୋଟ ଛୋଟ ପ୍ରଚାର ପତ୍ର, ବ୍ୟକ୍ତିଗତ କାର୍ଡ ଯଥା ନିମନ୍ତ୍ରଣ ପତ୍ର ଇତ୍ୟାଦିର ଛାପାକାମ ଆରମ୍ଭ ହୋଇ, ଯେତେବେଳେ ସମ୍ପୂର୍ଣ୍ଣ କ୍ଷମ ହେଲା, ସେତିକିବେଳେ ପୂର୍ବ ଆଶା, ଉତ୍ସାହ ନେଇ ଆରମ୍ଭ ହେଲା “ଉତ୍କଳ ଦୀପିକା” ପ୍ରକାଶନ ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖ ଦିନ । ଓଡ଼ିଶା ପାଇଁ ଏକ ସ୍ୱର୍ଣିମ ଦିବସ ୦୪ ଅଗଷ୍ଟ, ୧୯୬୬ । “ଉତ୍କଳ ଦୀପିକା” ପ୍ରକାଶିତ ହେଲା ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦ ପତ୍ର ଭାବରେ। ପ୍ରାଣରେ ଓଡ଼ିଆ, ଜାତିରେ ବ୍ରିଟିଶ T.E Ravenshaw ମହାଶୟଙ୍କ ପ୍ରତ୍ୟକ୍ଷ ଉତ୍ସାହ ଆହୁରି ପୁଲକିତ କଲା ଗୌରୀଶଙ୍କରଙ୍କୁ ଆଗେଇ ଯିବା ପାଇଁ।


“ଉତ୍କଳ ଦୀପିକା” କିନ୍ତୁ ଥିଲା ଏକାଧାରରେ ଓଡ଼ିଶାର ସାଂସ୍କୃତିକ, ରାଜନୈତିକ, ଜାତୀୟ ଜୀବନର ମୁଖପାତ୍ର । ଏଥିରେ ମୁଖ୍ୟତଃ ପ୍ରକାଶିତ ହେଉଥିଲା–

୧. ଓଡ଼ିଶାର ଓ ଦେଶର ବିଭିନ୍ନ ସମ୍ବାଦ
୨. ବିଦେଶର ଖବର
୩. ଶିକ୍ଷା, ସଂସ୍କୃତି ଓ ଜୀବନ ସମ୍ବଧୀୟ ବିବରଣୀ
୪. ଓଡ଼ିଆ ଭାଷା ଓ ସାହିତ୍ୟ ଚର୍ଚ୍ଚା
୫. ଓଡ଼ିଶାର ଅଭାବ, ଅସୁବିଧା ସହ ସମସ୍ତ ଖବର
୬. ରାଜ୍ୟର ନାଯ୍ୟ ଦାବି
୭. ଛୁଟି ତାଲିକା, ଦିନ ପଞ୍ଜିକା
୮. ବଜାର ଦର, ଅର୍ଥନୀତି ଇତ୍ୟାଦି
୯. ହାଇକୋର୍ଟ ରାୟ, ସରକାରୀ ଚାକିରିଆଙ୍କ ବଦଳି

ସଠିକ୍ ସମ୍ବାଦ ପରିବେଷଣ ଥିଲା ଉତ୍କଳ ଦୀପିକାର ଏକ ବିଶିଷ୍ଟ ଅଂଶ। ସରକାରୀ ଉଦାସୀନତାକୁ ଠିକ୍ ଭାବରେ ଲୋକଲୋଚନକୁ ଆଣିବାରେ ଏହି ସମ୍ବାଦପତ୍ର କେବେ କୁଣ୍ଠାବୋଧ କରିନାହାନ୍ତି। ପୁନଶ୍ଚ ଓଡ଼ିଶାର ଦାବି ସହ ବ୍ରିଟିଶ୍ ସରକାରଙ୍କ ସହଯୋଗ ମଧ୍ୟ ପ୍ରଶସିତ ହେଉଥିଲା ଏହାରି ପୃଷ୍ଠାରେ। ନଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର ପରିବେଷଣ କରି ସରକାରୀ ସାହାଯ୍ୟ ପାଇଁ ଦାବି ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଉତ୍କଳ ଦୀପିକା। ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍କୁଲ, କଲେଜ ସମ୍ବନ୍ଧୀୟ ବହୁବିଧ ତଥ୍ୟ ଏଥିରେ ସ୍ଥାନ ପାଇଥିଲା। ସମ୍ବଲପୁର ଅଞ୍ଚଳରେ ବିଦ୍ୟାଳୟ ସଂପର୍କୀୟ ବିବରଣୀ ଥିଲା ଏହିପରି “ସମ୍ପ୍ରତି ଓଡ଼ିଶାସ୍ଥ ସମସ୍ତ ବିଦ୍ୟାଳୟରେ ଉତ୍କଳ ଭାଷାରେ ଶିକ୍ଷାଦାନ ହେବାର ଶ୍ରୀଯୁକ୍ତ ଗବର୍ଣ୍ଣମେଣ୍ଟଙ୍କ ଠାରୁ ଆଦେଶ ହୋଇଥିବାର ଶୁଣାଯାଏ । ବରଂ ଏ ପ୍ରଦେଶରେ ଯେଉଁ ପ୍ରଣାଳୀ ଅନୁସାରେ ଶିକ୍ଷା ଦାନ ହେଉଅଛି, ସେ ପ୍ରଣାଳୀ ଯଦି ସମ୍ପାଦକଙ୍କ ବିବେଚନାରେ ଦୋଷଶୁନ୍ୟ ହୁଏ । ** ଅତଏବ ଆମ୍ଭେ ତାଙ୍କୁ ଅନୁରୋଧ କରୁଅଛୁ ଯେ, ସେ ମଧ୍ୟ ସେ ପ୍ରଦେଶସ୍ଥ ବିଦ୍ୟାଳୟ ସମୂହର ଡାଇରେକ୍ଟର ସାହେବଙ୍କ ସମ୍ମତି କ୍ରମେ ଅନ୍ୟାନ୍ୟମାନଙ୍କୁ ଉକ୍ତ ପ୍ରଣାଳୀ ଅନୁସାରେ ଶିକ୍ଷା ଦାନ ପାଇଁ ଅନୁରୋଧ କରିପାରନ୍ତି ।” (ଉତ୍କଳ ଦୀପିକା, ଫେବୃଆରୀ ମାସ ଛଅ ତାରିଖ, ୧୮୬୯)।


ପୁନଶ୍ଚ, ଇଂରେଜୀ ଶିକ୍ଷାର ପ୍ରସାର ଫଳରେ ଯେଉଁ ସାମାଜିକ ସମସ୍ୟା ସୃଷ୍ଟି ହୋଇଥିଲା ତାହାର ଆଲୋଚନା କରି ଦୀପିକା ଲେଖିଥିଲେ “** ଅଦ୍ୟାବଧି ଓଡ଼ିଶାରେ ସ୍କୁଲ ସ୍ଥାପନର ଏହି ଫଳ ହୋଇଅଛି ଯେ, ସରକାରୀ ମହକୁମା ମାନଙ୍କ ନିମିତ୍ତ ଗୁଡା଼ଏ କେରାନୀ ପ୍ରସ୍ତୁତ ହୋଇଅଛନ୍ତି । ଏହା ଛଡ଼ା ଆଉ କିଛି ଭଲ ହୋଇନାହିଁ । କେରାନୀଗିରୀ ଭିନ୍ନ ଅନ୍ୟ ଉପାୟରେ କାହାରିକୁ ଜୀବିକା ନିର୍ବାହ କରିବାର ଦେଖାଯାଇ ସ୍ଵାଧୀନତା କି ପଦାର୍ଥ ସେଥିରେ ପରିଚୟ ପ୍ରାୟ କେହି ପ୍ରାପ୍ତ ହୋଇନାହାଁନ୍ତି ।” (ଉତ୍କଳ ଦୀପିକା /୧୯.୧୦.୧୮୬୭)

ଓଡିଆ ଯୁବ ସମାଜର ଅଧୋଗତି ବାବଦରେ ଉତ୍କଳ ଦୀପିକା ସମ୍ପୂର୍ଣ୍ଣ ସଚେତନ ଥିଲେ। ୨୪.୦୮.୧୯୬୬ର ଉତ୍କଳ ଦୀପିକା ବର୍ଣ୍ଣନା କରିଥିଲେ-

“ଓଡ଼ିଶାର ଲୋକମାନଙ୍କର ଆଚରଣ ଓ ଭାଷା ସ୍ଵତନ୍ତ୍ର ଅଟଇ । ସେମାନେ ଅଧିକାଂଶରେ ବିଶେଷ ହିନ୍ଦୁ ଧର୍ମ ରକ୍ଷା କରିଅଛନ୍ତି ଓ ତାହାଙ୍କ ଜାଣି ସଂସାର ଅଧିକ ଅଛି । ଅନ୍ୟପ୍ରକାର ବିବେଚନାରେ ଆମ୍ଭମାନଙ୍କର ବୋଧ ହେଉନାହିଁ ଯେ, ଏମାନେ ପରିଶ୍ରମ କରିବାରେ ଊଣା ଅଟନ୍ତି । ଏମାନଙ୍କର ଏକ ପ୍ରକାର ବୁଦ୍ଧି ଅଛି ଏବଂ ବୋଧ ହୁଅଇ ଏମାନେ ଅଳ୍ପ ପ୍ରବଞ୍ଚନା ଶିକ୍ଷା କରିଅଛନ୍ତି ଓ କେତେକ ପ୍ରକାରରେ ଅଧିକ ବିଶ୍ଵାସଯୋଗ୍ୟ ଅଟନ୍ତି । ଏମାନେ ଅନେକ କଲିକତାକୁ କର୍ମ ପ୍ରତ୍ୟାଶାରେ ଆସନ୍ତି ଓ ସେଠାରେ ଏମାନଙ୍କ ଆଚରଣର ପ୍ରଶଂସା ଶୁଣାଯାଏ ।”

ସାହିତ୍ୟଚର୍ଚ୍ଚା ଉତ୍କଳ ଦୀପିକାର ମଧ୍ୟ ଏକ ଅଂଶ ଥିଲା। ଏଥିରେ ସାହିତ୍ୟ ସମ୍ପର୍କିତ ଆଲୋଚନା ସାହିତ୍ୟ ସୁଲଭ ଶୈଳୀରେ ନ ହେଲେ ମଧ୍ୟ ନୂତନ ପ୍ରକାଶିତ ପୁସ୍ତକମାନଙ୍କର ଆଲୋଚନା ସ୍ଥାନ ପାଉଥିଲା। କିନ୍ତୁ ସେତେବେଳେ ପାଠ୍ୟ ପୁସ୍ତକର ଅଭାବ ଓଡ଼ିଶାରେ ପରିଲକ୍ଷିତ ହେଉଥିବାରୁ ଏ ସମ୍ପର୍କରେ ବିଶଦ ଆଲୋଚନା ମଧ୍ୟ କରାଯାଉଥିଲ।


ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା, “ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାର ଚେଷ୍ଟା । ‘ଓଡ଼ିଆ ସ୍ଵତନ୍ତ୍ର ଭାଷା ନୟ’କୁ ବିରୋଧ କରି ଉତ୍କଳ ଦୀପିକାରେ ପୃଷ୍ଠା ପରେ ପୃଷ୍ଠା ଓଡ଼ିଆ ଭାଷା ଆନ୍ଦୋଳନର ଚିତ୍ର ପରିଦୃଷ୍ଟ ହୋଇଥିଲା। ସମ୍ପାଦକ ଗୌରୀଶଙ୍କରଙ୍କର ସିଂହରଡ଼ି, ଆକ୍ଷେପ, ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଉପାଦେୟତା ଯେଉଁ ଭାବେ ପ୍ରକାଶିତ ହୋଇଥିଲା ତାହା ବାସ୍ତବିକ ଓଡ଼ିଆ ଜାତିର ସର୍ବକାଳୀନ ସ୍ମରଣୀୟ। ଓଡ଼ିଶାର ପୁରପଲ୍ଲୀରେ ଜନମତ ସୃଷ୍ଟି କରିବାରେ ଉତ୍କଳ ଦୀପିକା ଥିଲା ଅଗ୍ରଣୀ।

ପତ୍ରିକା ପ୍ରତିଷ୍ଠାତା ସମ୍ପାଦକ ଗୌରୀଶଙ୍କରଙ୍କର ଚିନ୍ତା ଓ ଚେତନା ସହ ଓଡ଼ିଶାର ଜାତୀୟ ଜୀବନର ପ୍ରତିନିଧି ହିଁ ଉତ୍କଳ ଦୀପିକା। ପ୍ରାୟ ସତୁରି ବର୍ଷ କାଳ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଜୀବନର ନେତୃତ୍ଵ ନେଇଥିଲା ଦୀପିକା। ୧୯୧୭ ମସିହାରେ ଏହାର ସୁଯୋଗ୍ୟ ସମ୍ପାଦକ ଗୌରୀଶଙ୍କରଙ୍କ ଦେହାବସାନ ହେବାପରେ ରାୟବାହାଦୁର ସୁଦାମ ଚରଣ ନାୟକ ଏହାର ସମ୍ପାଦକ ରହିଲେ। ପରାଧୀନ ଓଡ଼ିଆ ଜାତିର ଜୀବନଧାରା, ଜାତୀୟ ଐତିହ୍ୟର ଆଲେଖ୍ୟ ଓ ନିର୍ଭୀକ ବାଣୀରେ ଏହାର ପ୍ରତି ପୃଷ୍ଠା ବିମଣ୍ଡିତ । କବିବରଙ୍କ ଭାଷାରେ ଏହା ଓଡ଼ିଆ ଜାତିର “ପାଶୁପତ”

ଓଡ଼ିଆ ଜାତି ଅସ୍ମିତାର ବାର୍ତ୍ତାବହ ସେହି ଉତ୍କଳ ଦୀପିକାର ଶୁଭ ଲୋକାର୍ପଣ ହୋଇଥିଲା ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖରେ । ଓଡ଼ିଶା ମାଟିର ପ୍ରଥମ ସାମ୍ବାଦିକ, ବରପୁତ୍ର କର୍ମବୀର, ଉତ୍କଳପ୍ରାଣ ଗୌରୀଶଙ୍କର ରାୟଙ୍କ ଉଦ୍ଦେଶ୍ୟରେ କୋଟି କୋଟି ପ୍ରଣାମ ।

Utkala Deepika Karmaveer Gourishankar Ray © Niranjan Sahu

Spread the love
admin

View Comments

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

8 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago