ଲେଖା: ନିରଞ୍ଜନ ସାହୁ
“ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ,
ଦୀପିକା ଲେଖୁଛ ବସି ତିରିଶ ବରଷ ।
ନ ମାନି ବିପଦ ବାଧା ନ ଚାହିଁ ଦେହକୁ,
ମନପ୍ରାଣ ସମରପି ପାଳିଛ ବ୍ରତକୁ ।
ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ,
ଅଟ ତୁମ୍ଭେ ଜଣେ man of business”
ବ୍ୟାସକବି ଫକୀରମୋହନଙ୍କ ଉକ୍ତି ଥିଲା ଏହି ମହାମନିଷୀଙ୍କ ପ୍ରତି, ଯିଏ ଏବେ ମଧ୍ୟ ପ୍ରାତଃସ୍ମରଣୀୟ। ‘ଉତ୍କଳପ୍ରାଣ ଲୌହପୁରୁଷ କର୍ମବୀର ଗୌରୀଶଙ୍କର‘। ୧୮୩୮ ମସିହା ଜୁଲାଇ ମାସ ୧୩ ତାରିଖରେ କଟକ ଜିଲ୍ଲା ଅନ୍ତର୍ଗତ ଦିକ୍ଷୀତପଡା ଗ୍ରାମରେ ଧରାବତରଣ। ପରବର୍ତ୍ତୀ ସମୟରେ ଜଣେ କୃତବିଦ୍ୟ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡର।
ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରଥମ ସମ୍ପାଦକ ଓ ଓଡ଼ିଶାର କୃତକର୍ମା ସାମ୍ବାଦିକ ତଥା ଅବିସମ୍ବାଦିତ ନେତା ଗୌରୀଶଙ୍କର ରାୟ।
ଉନ୍ନବିଂଶ ଶତାବ୍ଦୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଓ ଜାତୀୟ ଜୀବନର ଏକ ସ୍ୱୟଂସମ୍ପୂର୍ଣ୍ଣ ଚିତ୍ର ଉତ୍କଳ ଦୀପିକାରେ ଯେଉଁ ଭାବରେ ଲିପିବଦ୍ଧ ହୋଇଛି, ତାହା ବାସ୍ତବରେ ତାଙ୍କର ଆଜୀବନ ସାଧନାର ଯଥାର୍ଥ ପରିଚାୟକ। ଉତ୍କଳ ଦୀପିକା ପ୍ରଥମେ ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ କଟକ ପ୍ରିଣ୍ଟିଂ କୁମ୍ପାନୀ ଯନ୍ତ୍ରାଳୟରୁ ଆତ୍ମପ୍ରକାଶ କରିଥିଲା। ଏକ ଘଡିସନ୍ଧି ମୂହୁର୍ତ୍ତରେ ପ୍ରକାଶିତ ଉତ୍କଳ ଦୀପିକା ସେ ସମୟରେ ହୋଇଉଠିଥିଲା ଓଡ଼ିଆ ଜାତିର ଗର୍ବ ଓ ପ୍ରାଣ। ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ହୋଇଥିବାରୁ ଓଡ଼ିଶାର ବନ୍ଧୁ ପ୍ରତୀମ ‘ରେଭେନ୍ସା ସାହେବ’ଙ୍କ ଉତ୍ସାହ ପ୍ରଣିଧାନ ଯୋଗ୍ୟ। ଅତଏବ ଏହି ସମ୍ବାଦପତ୍ର ଆମ ଜାତୀୟ ଜୀବନର ମୁଖପାତ୍ର ଭାବରେ ପରିଗଣିତ ହେଲା।
ଉତ୍କଳ ଦୀପିକା ଦେଶବିଦେଶର ବିଭନ୍ନ ବିଷୟକ ସମ୍ବାଦମାନ ବିସ୍ତୃତ ଭାବରେ ପ୍ରକାଶ କରୁଥିଲେ। ବଜାରଦର ଠାରୁ ଆରମ୍ଭ କରି ଓଡ଼ିଶାର ରାଜସ୍ବ, ଅର୍ଥନୀତି ସମ୍ପର୍କରେ ନାନା ତଥ୍ୟ ସ୍ଥାନିତ ହେଉଥିଲା। ବିଭିନ୍ନ ପ୍ରକାରର ଓ ବିଭିନ୍ନ ଢ଼ଙ୍ଗରେ ପ୍ରକାଶ ପାଉଥିଲା ଖବରଗୁଡ଼ିକ। ଆଲୋଚନା, କଥୋପକଥନ ଛଳରେ, କବିତା ଆକାରରେ ପରିବେଷଣ କରାଯାଉଥିଲା ସମ୍ବାଦମାନ। ଜାତୀୟଚେତନା ମୂଳକ କବିତା ତଥା ପ୍ରବନ୍ଧ ପରିବେଷିତ ହୋଇ ଲୋକପ୍ରିୟତା ବୃଦ୍ଧି ଘଟୁଥିଲା ଦିନୁଁ ଦିନ। ନ’ଅଙ୍କ ଦୁର୍ଭିକ୍ଷର କରୁଣ ଆର୍ତ୍ତନାଦର ସ୍ଵର ପ୍ରଥମେ ହିଁ ଉତ୍କଳ ଦୀପିକା ପୃଷ୍ଠା ମଣ୍ଡନ କରିଥିଲା । ସେ ସବୁର ସ୍ଵରୂପ ଏଇପରି —
*ଓଡିଶ୍ୟା ବିଳାପ*
କରଇ ରୋଦନ ଓଡିଶ୍ୟା ବସିଣ ବହୁ ସନ୍ତାନ ହରାଇ
ଦୁର୍ଭିକ୍ଷ ବିପଦ ଘୋର ପରମାଦ ଘୋଟିଲା ମତେ କିମ୍ପାଇଁ,
ନ ଜାଣଇ ମୁଁ କିଛି, କିବା ଅପରାଧ କରିଅଛି ।
* * *
ବଞ୍ଚିଲେ ଯେ ଜନ ନ ପାଇ ଭୋଜନ ଉଦର ସମ୍ପୂର୍ଣ୍ଣ ମତେ,
କ୍ଷୀଣ ହେଲା ଦେହ ତୁଛ ଚର୍ମମୟ ଦିଶେ ଅସ୍ଥି ଅଛି ଯେତେ,
ଚାଲିବାକୁ ଅକ୍ଷମ, କରିପାରିବେ ଆଉ କି କର୍ମ ।
ଯଦି କମିସ୍ନର ହୋଇଣ ତତ୍ପର କରିଥାନ୍ତା ଅନ୍ଵେଷଣ
ପ୍ରକୃତ ଅବସ୍ଥା ଜାଣିପାରିଥାନ୍ତା ନ ହୁଅନ୍ତା ଏ ମରଣ
ବଡ଼ ଆଳସ୍ୟ କଲା, ପର କଥାରେ ଭୁଲି ରହିଲା ।”
ଓଡ଼ିଶା ତଥା ଭାରତବର୍ଷର ସମ୍ବାଦ ପରିବେଷଣରେ ଅତ୍ୟନ୍ତ ଯତ୍ନବାନ ଥିଲେ ଆମର ‘କର୍ମବୀର’। ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ, ଦୁର୍ଘଟଣା, ବନ୍ୟା, ପ୍ରାକୃତିକ ଦୁର୍ବିପାକ, ଚାକିରି, ବିଜ୍ଞାନ ସମ୍ବନ୍ଧୀୟ ଲେଖା ଗୁଡିକୁ ଅତି ସୁନ୍ଦର ଭାବରେ ସଜାଇ ପ୍ରକାଶ କରୁଥିଲେ ଗୌରୀଶଙ୍କର। ଶିକ୍ଷା, ଜାତୀୟତାବୋଧ, ସଂସ୍କୃତି ସମ୍ପର୍କରେ ସୂଚନା ପ୍ରାୟ ଅର୍ଦ୍ଧେକ ପୃଷ୍ଠା ମଣ୍ଡନ କରୁଥିଲେ। ସରକାରଙ୍କ ଦୋଷ ଦୁର୍ବଳତାକୁ ମଧ୍ୟ ଆକଳନ କରିବାରେ ପଛାଉ ନଥିଲା ଉତ୍କଳ ଦୀପିକା।
ଉତ୍କଳ ଦୀପିକା ଓଡ଼ିଶା ନବନିର୍ମାଣର ବାର୍ତ୍ତାବହ। ସେ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ। ସେ ସମୟର ବିଶିଷ୍ଟ ମଣିଷ ଯାହାଙ୍କୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ସମସ୍ତ ବୁଦ୍ଧିଜୀବୀ ମାନେ ସମ୍ମାନିତ କରିଥାନ୍ତି। କବିବର ରାଧାନାଥ ରାୟଙ୍କ କବିତା ଯାହା ସେ ଉତ୍ସର୍ଗ କରିଛନ୍ତି କର୍ମବୀରଙ୍କୁ, ସେହି ପଦଟି ଉପସ୍ଥାପନ କରି ‘ଅନ୍ତରଙ୍ଗ କଳିଙ୍ଗ’ ତା’ର ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛି ଓଡ଼ିଆ ଭାଇଭଉଣୀ ମାନଙ୍କ ତରଫରୁ।
“ଉତ୍କଳ ତିମିର ସହ କେତେ ରଣ କରି
ଉତ୍କଳ ଦୀପିକା ରୂପ ପାଶୁପତ ଧରି
ବିରାଜେ ବାଳେନ୍ଦୁ ଯଥା ଚନ୍ଦ୍ରଚୂଡ ଶିରେ
ତବ ଭାଲେ ଯଶଚନ୍ଦ୍ର ଭାତିବେ ଅଚିରେ।”
ତତ୍କାଳୀନ ଶିକ୍ଷା ସମ୍ପର୍କରେ ଯେଭଳି ଭାବରେ ସମ୍ବାଦ ପରିବେଷଣ କରାଯାଉଥିଲା, ସେ ଦୃଷ୍ଟିରୁ ଓଡ଼ିଶାର ସାଂସ୍କୃତିକ ଜୀବନ ଉପରେ ଉପସ୍ଥାପନା ମଧ୍ୟ କୌଣସି ଗୁଣରେ କମ ନଥିଲା ଉତ୍କଳ ଦୀପିକାରେ। କର୍ମବୀରଙ୍କର ଚିନ୍ତା ଓ ଚେତନାରେ କେବଳ ରହିଥିଲା ଓଡ଼ିଶାର ନବନିର୍ମାଣର ସ୍ଵପ୍ନ। ସେଇଥିପାଇଁ ଉତ୍କଳ ଦୀପିକା ପ୍ରତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ଆମ ସାଂସ୍କୃତିକ ଜୀବନ ସମ୍ବନ୍ଧୀୟ ଏକ ଦୀର୍ଘ କବିତା, ଯାହା ଉତ୍କଳ ଦୀପିକାରେ ତା୨୬/୮/୧୮୯୩ ଦିନ ପ୍ରକାଶ ପାଇଥିଲା ସୂଚାଇ ଦିଏ ଉତ୍କଳୀୟମାନଙ୍କର ସେ ସମୟରେ ସାଂସ୍କୃତିକ ବିପର୍ଯ୍ୟୟର କଥା। ତା’ର ଉପସ୍ଥାପନା ଏହିପରି —
“ଏ କାଳ ଆଉ ନୋହେ ସମ୍ଭାଳି,
ତ୍ରାହିକର ପ୍ରଭୁ ଶ୍ରୀବନମାଳୀ। (ଘୋଷା)
ଯୋଗି ଚାଉଳିଆ ମହାକବି ହେଲେ
ଉପଇନ୍ଦ୍ରଭଞ୍ଜ ଖାଇଲେ ଗାଳି।
ଶ୍ରୀ କରଣଠାରୁ ତନ୍ତୀ ତୁଳାଭିଣା ପର୍ଯ୍ୟନ୍ତ
ଧରିଲେ କଲମ କାଳି। (୧)
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
View Comments
Beautiful write up