ଲେଖା: ନିରଞ୍ଜନ ସାହୁ

“ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ,
ଦୀପିକା ଲେଖୁଛ ବସି ତିରିଶ ବରଷ ।
ନ ମାନି ବିପଦ ବାଧା ନ ଚାହିଁ ଦେହକୁ,
ମନପ୍ରାଣ ସମରପି ପାଳିଛ ବ୍ରତକୁ ।
ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ,
ଅଟ ତୁମ୍ଭେ ଜଣେ man of business”

ବ୍ୟାସକବି ଫକୀରମୋହନଙ୍କ ଉକ୍ତି ଥିଲା ଏହି ମହାମନିଷୀଙ୍କ ପ୍ରତି, ଯିଏ ଏବେ ମଧ୍ୟ ପ୍ରାତଃସ୍ମରଣୀୟ। ‘ଉତ୍କଳପ୍ରାଣ ଲୌହପୁରୁଷ କର୍ମବୀର ଗୌରୀଶଙ୍କର। ୧୮୩୮ ମସିହା ଜୁଲାଇ ମାସ ୧୩ ତାରିଖରେ କଟକ ଜିଲ୍ଲା ଅନ୍ତର୍ଗତ ଦିକ୍ଷୀତପଡା ଗ୍ରାମରେ ଧରାବତରଣ। ପରବର୍ତ୍ତୀ ସମୟରେ ଜଣେ କୃତବିଦ୍ୟ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡର।

ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରଥମ ସମ୍ପାଦକ ଓ ଓଡ଼ିଶାର କୃତକର୍ମା ସାମ୍ବାଦିକ ତଥା ଅବିସମ୍ବାଦିତ ନେତା ଗୌରୀଶଙ୍କର ରାୟ।

ଉନ୍ନବିଂଶ ଶତାବ୍ଦୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଓ ଜାତୀୟ ଜୀବନର ଏକ ସ୍ୱୟଂସମ୍ପୂର୍ଣ୍ଣ ଚିତ୍ର ଉତ୍କଳ ଦୀପିକାରେ ଯେଉଁ ଭାବରେ ଲିପିବଦ୍ଧ ହୋଇଛି, ତାହା ବାସ୍ତବରେ ତାଙ୍କର ଆଜୀବନ ସାଧନାର ଯଥାର୍ଥ ପରିଚାୟକ। ଉତ୍କଳ ଦୀପିକା ପ୍ରଥମେ ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ କଟକ ପ୍ରିଣ୍ଟିଂ କୁମ୍ପାନୀ ଯନ୍ତ୍ରାଳୟରୁ ଆତ୍ମପ୍ରକାଶ କରିଥିଲା। ଏକ ଘଡିସନ୍ଧି ମୂହୁର୍ତ୍ତରେ ପ୍ରକାଶିତ ଉତ୍କଳ ଦୀପିକା ସେ ସମୟରେ ହୋଇଉଠିଥିଲା ଓଡ଼ିଆ ଜାତିର ଗର୍ବ ଓ ପ୍ରାଣଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ହୋଇଥିବାରୁ ଓଡ଼ିଶାର ବନ୍ଧୁ ପ୍ରତୀମ ‘ରେଭେନ୍ସା ସାହେବ’ଙ୍କ ଉତ୍ସାହ ପ୍ରଣିଧାନ ଯୋଗ୍ୟ। ଅତଏବ ଏହି ସମ୍ବାଦପତ୍ର ଆମ ଜାତୀୟ ଜୀବନର ମୁଖପାତ୍ର ଭାବରେ ପରିଗଣିତ ହେଲା।

ଉତ୍କଳ ଦୀପିକା ଦେଶବିଦେଶର ବିଭନ୍ନ ବିଷୟକ ସମ୍ବାଦମାନ ବିସ୍ତୃତ ଭାବରେ ପ୍ରକାଶ କରୁଥିଲେ। ବଜାରଦର ଠାରୁ ଆରମ୍ଭ କରି ଓଡ଼ିଶାର ରାଜସ୍ବ, ଅର୍ଥନୀତି ସମ୍ପର୍କରେ ନାନା ତଥ୍ୟ ସ୍ଥାନିତ ହେଉଥିଲା। ବିଭିନ୍ନ ପ୍ରକାରର ଓ ବିଭିନ୍ନ ଢ଼ଙ୍ଗରେ ପ୍ରକାଶ ପାଉଥିଲା ଖବରଗୁଡ଼ିକ। ଆଲୋଚନା, କଥୋପକଥନ ଛଳରେ, କବିତା ଆକାରରେ ପରିବେଷଣ କରାଯାଉଥିଲା ସମ୍ବାଦମାନ। ଜାତୀୟଚେତନା ମୂଳକ କବିତା ତଥା ପ୍ରବନ୍ଧ ପରିବେଷିତ ହୋଇ ଲୋକପ୍ରିୟତା ବୃଦ୍ଧି ଘଟୁଥିଲା ଦିନୁଁ ଦିନ। ନ’ଅଙ୍କ ଦୁର୍ଭିକ୍ଷର କରୁଣ ଆର୍ତ୍ତନାଦର ସ୍ଵର ପ୍ରଥମେ ହିଁ ଉତ୍କଳ ଦୀପିକା ପୃଷ୍ଠା ମଣ୍ଡନ କରିଥିଲା । ସେ ସବୁର ସ୍ଵରୂପ ଏଇପରି —

*ଓଡିଶ୍ୟା ବିଳାପ*
କରଇ ରୋଦନ ଓଡିଶ୍ୟା ବସିଣ ବହୁ ସନ୍ତାନ ହରାଇ
ଦୁର୍ଭିକ୍ଷ ବିପଦ ଘୋର ପରମାଦ ଘୋଟିଲା ମତେ କିମ୍ପାଇଁ,
ନ ଜାଣଇ ମୁଁ କିଛି, କିବା ଅପରାଧ କରିଅଛି ।
*    *    *
ବଞ୍ଚିଲେ ଯେ ଜନ ନ ପାଇ ଭୋଜନ ଉଦର ସମ୍ପୂର୍ଣ୍ଣ ମତେ,
କ୍ଷୀଣ ହେଲା ଦେହ ତୁଛ ଚର୍ମମୟ ଦିଶେ ଅସ୍ଥି ଅଛି ଯେତେ,
ଚାଲିବାକୁ ଅକ୍ଷମ, କରିପାରିବେ ଆଉ କି କର୍ମ ।
ଯଦି କମିସ୍ନର ହୋଇଣ ତତ୍ପର କରିଥାନ୍ତା ଅନ୍ଵେଷଣ
ପ୍ରକୃତ ଅବସ୍ଥା ଜାଣିପାରିଥାନ୍ତା ନ ହୁଅନ୍ତା ଏ ମରଣ
ବଡ଼ ଆଳସ୍ୟ କଲା, ପର କଥାରେ ଭୁଲି ରହିଲା ।”

ଓଡ଼ିଶା ତଥା ଭାରତବର୍ଷର ସମ୍ବାଦ ପରିବେଷଣରେ ଅତ୍ୟନ୍ତ ଯତ୍ନବାନ ଥିଲେ ଆମର ‘କର୍ମବୀର’। ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ, ଦୁର୍ଘଟଣା, ବନ୍ୟା, ପ୍ରାକୃତିକ ଦୁର୍ବିପାକ, ଚାକିରି, ବିଜ୍ଞାନ ସମ୍ବନ୍ଧୀୟ ଲେଖା ଗୁଡିକୁ ଅତି ସୁନ୍ଦର ଭାବରେ ସଜାଇ ପ୍ରକାଶ କରୁଥିଲେ ଗୌରୀଶଙ୍କର। ଶିକ୍ଷା, ଜାତୀୟତାବୋଧ, ସଂସ୍କୃତି ସମ୍ପର୍କରେ ସୂଚନା ପ୍ରାୟ ଅର୍ଦ୍ଧେକ ପୃଷ୍ଠା ମଣ୍ଡନ କରୁଥିଲେ। ସରକାରଙ୍କ ଦୋଷ ଦୁର୍ବଳତାକୁ ମଧ୍ୟ ଆକଳନ କରିବାରେ ପଛାଉ ନଥିଲା ଉତ୍କଳ ଦୀପିକା।

ଉତ୍କଳ ଦୀପିକା ଓଡ଼ିଶା ନବନିର୍ମାଣର ବାର୍ତ୍ତାବହ। ସେ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ। ସେ ସମୟର ବିଶିଷ୍ଟ ମଣିଷ ଯାହାଙ୍କୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ସମସ୍ତ ବୁଦ୍ଧିଜୀବୀ ମାନେ ସମ୍ମାନିତ କରିଥାନ୍ତି। କବିବର ରାଧାନାଥ ରାୟଙ୍କ କବିତା ଯାହା ସେ ଉତ୍ସର୍ଗ କରିଛନ୍ତି କର୍ମବୀରଙ୍କୁ, ସେହି ପଦଟି ଉପସ୍ଥାପନ କରି ‘ଅନ୍ତରଙ୍ଗ କଳିଙ୍ଗ’ ତା’ର ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛି ଓଡ଼ିଆ ଭାଇଭଉଣୀ ମାନଙ୍କ ତରଫରୁ।

“ଉତ୍କଳ ତିମିର ସହ କେତେ ରଣ କରି
ଉତ୍କଳ ଦୀପିକା ରୂପ ପାଶୁପତ ଧରି
ବିରାଜେ ବାଳେନ୍ଦୁ ଯଥା ଚନ୍ଦ୍ରଚୂଡ ଶିରେ
ତବ ଭାଲେ ଯଶଚନ୍ଦ୍ର ଭାତିବେ ଅଚିରେ।”

ତତ୍କାଳୀନ ଶିକ୍ଷା ସମ୍ପର୍କରେ ଯେଭଳି ଭାବରେ ସମ୍ବାଦ ପରିବେଷଣ କରାଯାଉଥିଲା, ସେ ଦୃଷ୍ଟିରୁ ଓଡ଼ିଶାର ସାଂସ୍କୃତିକ ଜୀବନ ଉପରେ ଉପସ୍ଥାପନା ମଧ୍ୟ କୌଣସି ଗୁଣରେ କମ ନଥିଲା ଉତ୍କଳ ଦୀପିକାରେ। କର୍ମବୀରଙ୍କର ଚିନ୍ତା ଓ ଚେତନାରେ କେବଳ ରହିଥିଲା ଓଡ଼ିଶାର ନବନିର୍ମାଣର ସ୍ଵପ୍ନ। ସେଇଥିପାଇଁ ଉତ୍କଳ ଦୀପିକା ପ୍ରତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ଆମ ସାଂସ୍କୃତିକ ଜୀବନ ସମ୍ବନ୍ଧୀୟ ଏକ ଦୀର୍ଘ କବିତା, ଯାହା ଉତ୍କଳ ଦୀପିକାରେ ତା୨୬/୮/୧୮୯୩ ଦିନ ପ୍ରକାଶ ପାଇଥିଲା ସୂଚାଇ ଦିଏ ଉତ୍କଳୀୟମାନଙ୍କର ସେ ସମୟରେ ସାଂସ୍କୃତିକ ବିପର୍ଯ୍ୟୟର କଥା। ତା’ର ଉପସ୍ଥାପନା ଏହିପରି —

“ଏ କାଳ ଆଉ ନୋହେ ସମ୍ଭାଳି,
ତ୍ରାହିକର ପ୍ରଭୁ ଶ୍ରୀବନମାଳୀ। (ଘୋଷା)
ଯୋଗି ଚାଉଳିଆ ମହାକବି ହେଲେ
ଉପଇନ୍ଦ୍ରଭଞ୍ଜ ଖାଇଲେ ଗାଳି।
ଶ୍ରୀ କରଣଠାରୁ ତନ୍ତୀ ତୁଳାଭିଣା ପର୍ଯ୍ୟନ୍ତ
ଧରିଲେ କଲମ କାଳି। (୧)

ପଲ୍ଲବଗ୍ରାହୀଏ ପ୍ରବନ୍ଧ ଲେଖିଲେ
ସାରା ରାତି ଦିନ ପାଢି ବୋବାଳି।
ବିଷୁନ ଭୋଇର ହଳଗୀତ ଯେହ୍ନେ
ମୁଖେ ଧରୁଥିଲେ ଧୂଆଁ କାହାଳୀ। (୨)
ବିଦେଶୀ ବେପାରୀ ଚାଉଳ ଛାଣିଲେ
ଦେଶୀ ଅନ୍ଧ ଦେଲେ ଅମାର ଟାଳି।
ଟଙ୍କାକୁ ଚାଉଳ ସାତ ସେର ହେଲା
ଦୁଃଖୀରଙ୍କୀ ଘରେ କାନ୍ଦ ବୋବାଳି। (୩)
ଦଳ ଦଳ ହୋଇ ପୁରୀ ଯାତ୍ରୀ ମଲେ
ଜାହାଜିଆ କଲେ ଧନସଂଖାଳି।
ହାକିମଙ୍କ ହୃଦ କଠିନ ହୋଇଲା
ଯେହ୍ନେ ଟିପା ନାଗପୁରିଆ ଥାଳି। (୪)
ଭୁଇଆଁ ପ୍ରଜାଙ୍କୁ ସାହେବ ଶାସିଲେ
ଦେଶୀରାଜା ତହୁଁ ପାଇଲେ ତାଳି।
ନନ୍ଦରାଜା ବାଡ଼ି ଲଉଡି ଛାଡ଼ିଲେ
ହାତେ ଧରି ଧୀରେ ତୁଳସୀ ମାଳୀ। (୫)
ବୈକୁଣ୍ଠପୁରରେ ସ୍ଥିର ନ ରହିଲେ
ଯେ ଫ୍ରେଞ୍ଚ ବ୍ରିଟିଶେ କୀରତିଶାଳୀ।
କେତେ ଧନ ମାନ ଖରଚ ହେଉଛି
କାଳ ଧରିଅଛି ବାଟ ଓଗାଳି। (୬)
ଟୋକାଟାକାଳିଆ ଚୁଟି କଟାଇଲେ
କେ ଚିହ୍ନେ ଉତ୍କଳ କେ ବଙ୍ଗାଳୀ।
ସାନ ବଡ଼ ଆଉ କେହି ନ ମାନିଲେ
ଦେଖିଲେ ମେଲିଲେ ଢଗଢମାଳୀ। (୭)
ହିନ୍ଦୁ ଯବନଙ୍କ ମଧ୍ୟେ ଭାରତରେ
କେଉଁ ଦଶା ହେଲା ବିବାଦ ଜାଳି।
କେତେ ମହାପ୍ରାଣୀ କାଳକବଳରେ
ଏ ଯୋଗେ ହେଲେଣି ହରଣ ଚାଳି। (୮)
ବ୍ରାହ୍ମଣ ପିଲାଏ ପଇତା ପୋଡ଼ିଲେ
ହିନ୍ଦୁ ଧର୍ମ ମିଛ କଲେ ବୋବାଳି।
ବୃଦ୍ଧ ପିତାମାତା ଧରଣୀ ଲୋଟନ୍ତି
ଭୂମିସିକ୍ତ କରି ଲୋତକ ଢାଳି। (୯)
ହିନ୍ଦୁ ଦେବାଳୟେ ଘଣ୍ଟା ନ ବାଜିଲା
ସେବାୟତ ଦେବନୀତି ନ ଚାଳି।
ରାଜ ଦୃଷ୍ଟି ଯେଉଁ କାର୍ଯ୍ୟେ ନ ପଡଇ
କେ ହେବ ଦୁଃଖରେ ହେଲେ ହଣ୍ଟାଳି। (୧୦)
***     ***     ***     ***

ଓଡିଆଙ୍କ ଚରିତ୍ର ସମ୍ପର୍କରେ ସୂଚନା ଦେବାକୁ ଯାଇ ଉତ୍କଳ ଦୀପିକାରେ ଯେଉଁ ମତାମତ ପ୍ରକାଶ ପାଇଥିଲା ତାହା ଏହିପରି —“ଓଡ଼ିଶାର ଲୋକମାନଙ୍କ ଆଚରଣ ଓ ଭାଷା ସ୍ଵତନ୍ତ୍ର ଅଟଇ। ସେମାନେ ଅଧିକାଂଶରେ ବିଶେଷ ହିନ୍ଦୁ ଧର୍ମ ରକ୍ଷା କରିଅଛନ୍ତି ଓ ତାହାଙ୍କ ଜାଣି ସଂସାର ଅଧିକ ଅଛି। ସେମାନେ ଚଞ୍ଚଳତାରେ ବଙ୍ଗାଳୀଙ୍କ ଠାରୁ ନ୍ୟୂନ ଅଛନ୍ତି ଓ ଉଚ୍ଚ ଶ୍ରେଣୀ ଲୋକମାନେ ଅଳ୍ପ ମାତ୍ର ବିଦ୍ୟା ଶିକ୍ଷା କରିଅଛନ୍ତି ଅଥବା କିଛି ଶିକ୍ଷା କରିନାହାନ୍ତି। ଅନ୍ୟ ପ୍ରକାର ବିବେଚନାରେ ଆମ୍ଭମାନଙ୍କର ବୋଧ ହେଉନାହିଁ ଯେ ଏମାନେ ପରିଶ୍ରମ କରିବାରେ ଊଣା ଅଟନ୍ତି। ଏମାନଙ୍କର ଏକ ପ୍ରକାର ବୁଦ୍ଧି ଅଛି ଏବଂ ବୋଧ ହୁଅଇ ଏମାନେ ଅଳ୍ପ ପ୍ରବଞ୍ଚନା ଶିକ୍ଷା କରିଅଛନ୍ତି ଓ କେତେକ ପ୍ରକାରେ ଅଧିକ ବିଶ୍ଵାସଯୋଗ୍ୟ ଅଟନ୍ତି। ଏମାନେ ଅନେକ କଲିକତାକୁ କର୍ମ ପ୍ରତ୍ୟାଶାରେ ଆସନ୍ତି ଓ ସେଠାରେ ଏମାନଙ୍କ ଆଚରଣର ପ୍ରଶଂସା ଶୁଣାଯାଏ।” (ଉତ୍କଳ ଦୀପିକା, ତା ୨୪/୮/୧୮୬୭, ପୃଷ୍ଠା ୧୩୪) ‘ଉଡିୟା ସ୍ଵତନ୍ତ୍ର ଭାଷା ନୟ’, ଏହି ଗୁରୁ ଆଘାତରେ ଓଡ଼ିଆ ଭାଷାର ଗୌରବରବି ଯେତେବେଳେ ଆହ୍ବାନର ସମ୍ମୁଖୀନ ସେତିକିବେଳେ ଓଡ଼ିଆ ଭାଷା ସାହିତ୍ୟର ଜୀବନ ପ୍ରଦୀପ ଶିଖାକୁ ଜ୍ୟୋତିର୍ମୟ କରିବା ପାଇଁ ନେତୃତ୍ୱ ନେଇଥିଲେ ‘ଉତ୍କଳ ଦୀପିକା’ ଏବଂ ଏ ଜାତିର ବନ୍ଦନୀୟ, ସ୍ମରଣୀୟ ଅସାଧାରଣ ପ୍ରଜ୍ଞାପୁରୁଷ ‘କର୍ମବୀର ଗୌରୀଶଙ୍କର’। ସଶ୍ରଦ୍ଧ ପ୍ରଣାମ ‘ଅନ୍ତରଙ୍ଗ କଳିଙ୍ଗ’ର, ଓଡ଼ିଶାବାସୀଙ୍କ ସହ।
ଆଧାର: ଡ. ବାଉରୀବନ୍ଧୁ କର, ଓଡ଼ିଆ ସାହିତ୍ୟର ଇତିହାସ
Utkala Deepika Karmaveer Gourishankar Ray
© Niranjan Sahu
Spread the love
admin

View Comments

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago