~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~
ଉପସ୍ଥାପନା: ଦେଵ ତ୍ରିପାଠୀ
“ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି
(ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।”
ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲା ଓଡ଼ିଆ ଜାତି !
ଏପରି ଏକ ଅସହ୍ୟ, ଅସ୍ବସ୍ତିକର ପରିସ୍ଥିତି ଭିତରୁ ଆଗ୍ନେୟଗିରିର ବିସ୍ଫୋରଣ ଭଳି ଉତ୍କୀର୍ଣ୍ଣ ହୋଇଥିଲେ କିଛି ସ୍ଫୁଲିଙ୍ଗ, ଯେଉଁମାନଙ୍କ ଅଗ୍ନିବର୍ଷୀ ଆହ୍ୱାନରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭିଲା ସ୍ବାଭିମାନର ବାଜଣା, ଜାତୀୟତାର ରଣହୁଙ୍କାର !
ଅଜ୍ଞତାର ଅନ୍ଧକାର ଭିତରୁ ଓଡ଼ିଆଙ୍କୁ ଜୀବନର ନୂତନ ଆଲୋକ ଦେଖାଉଥିଲେ ଜଣେ ! ଭୀରୁ, ସ୍ଥାଣୁ, ଅଭିଳାଷବିହୀନ ଜୀବନ ଜୀଉଁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନରେ ନୂତନ ଅଭିଳାଷ ଜଗାଉଥିଲେ . . ଅର୍ଦ୍ଧମୃତ କଙ୍କାଳସାର ଓଡ଼ିଆଙ୍କ ମନରେ ଦମ୍ଭ ଓ ସାହସର ସୌଧ ଗଢ଼ି ଚାଲିଥିଲେ ସେ . . ଓଡ଼ିଆ କୁଳସମ୍ଭୂତ ଅନିର୍ବାଣ ଦୀପଶିଖା କୋଟି ହୃଦେ ବିରାଜିତ ଅପ୍ରତିଦ୍ବନ୍ଦ୍ବୀ ମଉଡ଼ମଣି #ଜାତି_ନନ୍ଦିଘୋଷ ଅଗ୍ରସାରଥୀ #ଉତ୍କଳସୂର୍ଯ୍ୟ #କୁଳବୃଦ୍ଧ #ଭାରତଗୌରବ ଶତାବ୍ଦୀର ସଦା ଦିପ୍ତୀମାନ ସୂର୍ଯ୍ୟ ମଧୁସୂଦନ ଦାସଙ୍କ ସାଧନା ବଳରେ ଅଣ୍ଟା ସଳଖି ଛିଡ଼ା ହେଉଥିଲା ଏ ଜାତି !
ଅଧିକନ୍ତୁ, ଉତ୍କଳସୂର୍ଯ୍ୟଙ୍କ ଜାତୀୟତାର ମନ୍ତ୍ରରେ ଅଭିମନ୍ତ୍ରିତ ହେଉଥିଲେ ସତ୍ୟବାଦୀର ପଞ୍ଚସଖାଙ୍କ ସମେତ ଅନେକାନେକ ଓଡ଼ିଆ ! ଆତ୍ମପ୍ରତ୍ୟୟହୀନ ନିଶ୍ଚେଷ୍ଟ ଓଡ଼ିଆଙ୍କ ମନରେ ଜାଗରଣ ସୃଷ୍ଟି କରିବା ପାଇଁ ଅତୀତର ଗୌରବଗାନ କରିଛନ୍ତି ତତ୍କାଳୀନ ମହାନ ପ୍ରତିଭାଦୀପ୍ତ କବି, କଥାଶିଳ୍ପୀ ଓ ବ୍ୟଙ୍ଗକାର ଗୋଦାବରୀଶ ‘ନିଆଁଖୁଣ୍ଟା’ ମହାପାତ୍ର ! ଓଡ଼ିଶାର ଗୌରବାବହ ବୀରତ୍ଵର ଇତିହାସର ପଟ୍ଟଭୂମିରେ ରଚିଯାଇଛନ୍ତି ଅନନ୍ୟ ଜାତୀୟତାବାଦୀ ତଥା ଚିରନ୍ତନ ମୂଲ୍ୟବୋଧସମ୍ପନ୍ନ କବିତା #ଉଠକଙ୍କାଳ ଗଭୀର ତଥା ବ୍ୟାପକ ପ୍ରଭାବୀ ଉକ୍ତ କବିତା ପ୍ରାଣ ଉନ୍ମାଦନାକାରୀ ଏବଂ ଉଦାତ୍ତ ଭାବ, ଭାଷା ଓ ଛନ୍ଦ ଏବଂ ଶୈଳ୍ପିକ ବିନ୍ୟାସ ଦୃଷ୍ଟିରୁ ଓଡ଼ିଆ କାବ୍ୟଜଗତରେ ଏକ ସ୍ଵତନ୍ତ୍ର ପ୍ରତିଷ୍ଠାର ଅଧିକାରୀ !
୧୯୩୧ ମସିହା, ମେଦିନୀପୁର । ଜଣେ କର୍ମୀ ଭାବରେ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଉଦ୍ଦେଶ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ କର୍ମରତ ଥିଲେ #ଗୋଦାବରୀଶ_ମହାପାତ୍ର ! ସେଠାକାର ଓଡ଼ିଆଙ୍କ ମଧ୍ୟରେ ଜାତୀୟ ଚେତନାର ଅଭାବ ପରିଲକ୍ଷିତ କରି ବ୍ୟଥିତ ହେଉଥିଲା ସେଇ ୩୨ ବର୍ଷୀୟ #ଅଗ୍ନିମାନ ଯୁବକବିଙ୍କ ମନ !
ସମରକୁଶଳୀ ଓଡ଼ିଆ ଜାତି ଯୁଦ୍ଧାଭିଯାନ କରି କେତେ କେତେ ରାଜ୍ୟ ନ ଜିଣିଛି ! ଆଗଙ୍ଗାଗୋଦାବରୀ ପରି ବିଶାଳ ଭୂଖଣ୍ଡର ଅଧିକାରୀ ଏ ଜାତି ! ଅପ୍ରତିହତ ସମ୍ରାଟ ମହାମେଘବାହନ ଐର #ଖାରବେଳ, ଅନଙ୍ଗଭୀମ ଦେବ, ନରସିଂହ ଦେବ ଏବଂ ପ୍ରଥମ ଓଡ଼ିଆ ସମ୍ରାଟ ଗଜପତି #କପିଳେନ୍ଦ୍ର_ଦେବ ଙ୍କ ନେତୃତ୍ୱରେ ପ୍ରଚଣ୍ଡ ବୀରତ୍ଵର ଶିରପା ପରିଧାନ କରେ ଏ ଜାତି !
ଅଥଚ ଆଜି ଏ ଜାତିର ଦେହରେ ବଳ ନାହିଁ !
ମନରେ ସାହସ ନାହିଁ !
ଆଜି ଏ ଜାତି ଯେପରି ମୃତ, ପ୍ରାଣହୀନ କଙ୍କାଳ ମାତ୍ର !
ଓଡ଼ିଶା ମାଟି ଆଜି ପରିଣତ ବୀରତ୍ଵର ଶ୍ମଶାନ ଭୂମିରେ !
ଜାତିପ୍ରାଣ କବି କଳ୍ପିଛନ୍ତି ଜଣେ ତାନ୍ତ୍ରିକଙ୍କୁ ! ନିସ୍ତେଜ ଓଡ଼ିଆଙ୍କ ମନରେ ନୂତନ ପ୍ରାଣସ୍ପନ୍ଦନର ସଂରଚନା ପାଇଁ ! ଉତ୍ସାହ, ଉଦ୍ଦୀପନା ଭରି ଦେବା ପାଇଁ ! ଭଗ୍ନ ଗିରିଦୁର୍ଗରେ ମୃତ ବୀରଙ୍କ କଙ୍କାଳମାନଙ୍କୁ ଜାଗ୍ରତ ହେବାକୁ ଆହ୍ୱାନ ଦେବା ପାଇଁ !
କବିଙ୍କ ଚିତ୍ତପଟରେ ଆଭାସିତ ହୋଇଛି ଓଡ଼ିଶାର ପାରମ୍ପରିକ ରାଜଧାନୀ ଦୁର୍ଭେଦ୍ୟ ବୀରମାଟି #ବାରବାଟୀ ଦୁର୍ଗ, ଯାହାର ନବତଳ ପ୍ରାସାଦ ନିର୍ମିତ ହୋଇଥିଲା ମୋଗଲ ସହିତ ପ୍ରତିରୋଧ-ସଂଗ୍ରାମରେ ନିହତ ହୋଇଥିବା ଶେଷ ସ୍ୱାଧୀନ ଓଡ଼ିଆ ରାଜା #ମୁକୁନ୍ଦଦେବ ଙ୍କ ଦ୍ଵାରା ! ସ୍ୱାଧୀନ ଓଡ଼ିଶାର ଅନ୍ତିମ ଯୁଦ୍ଧର ମୂକସାକ୍ଷୀ ଏ ଦୁର୍ଗ ! ଏ ଦୁର୍ଗ ହିଁ ବଖାଣେ ଓଡ଼ିଶାର ବୀରତ୍ଵପୂର୍ଣ୍ଣ ଦୀର୍ଘ ଇତିହାସର ସ୍ମୃତି ! କବିଙ୍କୁ ଉଦବେଳିତ କରିଛି ଖୋରଧାର ଭଗ୍ନ ଗିରିଦୁର୍ଗ ବରୁଣେଇ, ଯେଉଁଠାରେ ପ୍ରଥମ ଥର ପାଇଁ ଜଳି ଉଠିଥିଲା ଇଂରେଜଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହର ଅଗ୍ନି ! ସେ ଦୃଷ୍ଟିରୁ #ଭାରତମଣି ଗୋପବନ୍ଧୁ ଙ୍କ ଠାରୁ ଆରମ୍ଭ କରି ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହଙ୍କ ପ୍ରମୁଖ କବି ଏହାକୁ ନେଇ ରଚିଛନ୍ତି ଅସୁମାରୀ ଜାତୀୟ ଭାବବ୍ୟଞ୍ଜକ କବିତା ! ଓଡ଼ିଆ ଜାତିର ସାମରିକ ଐତିହ୍ୟର ସ୍ମୃତି ଉଦ୍ଘାଟନ କରିବାକୁ ଯାଇ ବାରବାଟୀ ଦୁର୍ଗର ମୃତ ସୈନିକ ଏବଂ ଖୋରଧାର ପାଇକ ସର୍ଦ୍ଦାରମାନଙ୍କୁ ସର୍ବପ୍ରଥମେ ଆହ୍ୱାନ ଦେଇଛନ୍ତି କବି-ତାନ୍ତ୍ରିକ !
“ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର ।
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ,ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ଆଗଙ୍ଗାଗୋଦାବରୀ ପରିବ୍ୟାପ୍ତ ଓଡ଼ିଶା ରାଜ୍ୟର ଛିନ୍ନବିଚ୍ଛିନ୍ନ ସଙ୍କୁଚିତ ରୂପଦର୍ଶନରେ ମ୍ରିୟମାଣ ବ୍ୟଥିତ କବିହୃଦୟ ! ଆଜି ମେଦିନୀପୁର ଅଞ୍ଚଳ ପଶ୍ଚିମ ବଙ୍ଗରେ, ସିଂହଭୂମର ଷଢ଼େଇକଳା -ଖରସୁଆଁ ବିହାରରେ, ବିଶାଖାପାଟଣା ପର୍ଯ୍ୟନ୍ତ ଓଡ଼ିଆ ଅଞ୍ଚଳ ଆନ୍ଧ୍ରପ୍ରଦେଶରେ ଏବଂ ଫୁଲଝର ଅଞ୍ଚଳ ମଧ୍ୟପ୍ରଦେଶରେ ! ଓଡ଼ିଶାର ଉତ୍ତର ସୀମାନ୍ତର ରାଇବଣିଆ ଦୁର୍ଗ ଦିନେ ଥିଲା ଓଡ଼ିଶାର ଏକ ପ୍ରଧାନ ଶତ୍ରୁପ୍ରତିରୋଧ ସ୍ଥଳ ! ଅତୀତ ବୀରତ୍ଵର ସ୍ମାରକୀ ରାଇବଣିଆର ରଣସଙ୍ଗୀତ ଆଜି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ପର୍ଯ୍ୟନ୍ତ ପ୍ରତିଧ୍ଵନିତ ହେଉ ବୋଲି କବିତାର ଦ୍ଵିତୀୟ ସ୍ତବକରେ ଆହ୍ୱାନ ଦେଇଛନ୍ତି କବି:
“ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ” ।।
ଉତ୍କଳ ସମ୍ମିଳନୀର ପ୍ରଥମ ସମାବେଶରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓଡ଼ିଆ ଜାଗରଣର ଆହ୍ୱାନ ଦେଇଥିଲେ। ମୟୂରଭଞ୍ଜର ପ୍ରତୀକ ମେଘାସନର ଆହ୍ୱାନ ପଶ୍ଚିମ ସୀମାନ୍ତର ବିଚ୍ଛିନ୍ନାଞ୍ଚଳ ଫୁଲଝର ପର୍ଯ୍ୟନ୍ତ ପ୍ରତିଧ୍ଵନିତ ହୋଇଉଠୁଛି ! ସିଂହଭୂମ ଓ ବିଶାଖାପାଟଣାର ବିଚ୍ଛିନ୍ନାଞ୍ଚଳ ଆଉ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ନ ଦେଖି ଓଡ଼ିଆମାନେ ହତାଶ ହୋଇଯାଉଛନ୍ତି। ପୂର୍ଣାଙ୍ଗ ଉତ୍କଳ ଗଠନ ସମ୍ପର୍କରେ କେଉଁଠି ଆଶାର ସଞ୍ଚାର ହୋଇଛି ତ କେଉଁଠି ନୈରାଶ୍ୟ ଗ୍ରାସ କରିବସିଛି ! ସବୁ ଅଞ୍ଚଳର ଓଡ଼ିଆଙ୍କ ପ୍ରତି କବିଙ୍କର ଏ ଆହ୍ୱାନ:
“ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ
ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ ।।
ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ତୃତୀୟ ସ୍ତବକରେ କବି ସମ୍ବଲପୁରବାସୀଙ୍କ ଉପରେ ବିଶେଷ ଭରସା ରଖିଛନ୍ତି କବି ! ସମ୍ବଲପୁରର ବୀରମାନେ ମହାବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଇଂରେଜ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ ଏବଂ ପରବର୍ତ୍ତୀ କାଳରେ ଲଢ଼େଇ କରି ସମ୍ବଲପୁର ଅଞ୍ଚଳକୁ ଯୁକ୍ତପ୍ରଦେଶରୁ ଛଡ଼ାଇ ଆଣି ଓଡ଼ିଶାରେ ମିଶାଇ ଥିଲେ, ସେମାନେ ଏବେ ନୂତନ ସାହସରେ ପୁନଃ ମାତି ଉଠନ୍ତୁ !
“ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ,
ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ?
ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ
ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ ।।
ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ଏହିପରି ଓଡ଼ିଶାର ଭିତରେ ଓ ବାହାରେ ଥିବା ପ୍ରତ୍ୟେକ ଉତ୍କଳୀୟଙ୍କୁ କବିଙ୍କର ରକ୍ତ ଉନ୍ମାଦନକାରୀ ଆହ୍ୱାନ କବିତାଟିରେ ପ୍ରତିଫଳିତ !
ପ୍ରଥମ ତିନିଟି ସ୍ତବକ ପରେ କବି ରଚିଛନ୍ତି ଅତୀତ ଓଡ଼ିଶାର ବୀରତ୍ଵପୂର୍ଣ୍ଣ ଅଭିଯାନ ଓ ଯୁଦ୍ଧ ଜୟର କାହାଣୀ ! ଓଡ଼ିଶାର ସାମ୍ରାଜ୍ୟକୁ ସର୍ବାଧିକ ବିସ୍ତୃତି କରିବାରେ ମହାମେଘବାହନ ଖାରବେଳଙ୍କ ପରେ ଗଜପତି କପିଳେନ୍ଦ୍ର ଦେବଙ୍କ ଭୂମିକା ସ୍ୱୀକୃତ। କପିଳେନ୍ଦ୍ର ଦେବ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନରେ ବିଜୟ ଲାଭ କରିଥିଲେ ବାହମନି ଓ ବିଜୟ ନଗର ପରି ବିଶାଳ ରାଜ୍ୟଦ୍ବୟ ! ଗୁଲବର୍ଗା ବା କୁଳବର୍ଗ ଥିଲା ବାହମନି ସାମ୍ରାଜ୍ୟର ରାଜଧାନୀ। ଅନ୍ୟ ଏକ ବିଶିଷ୍ଟ ନଗର ଥିଲା ବେରାର ବା ବିଦର। ଗଜପତି କପିଳେନ୍ଦ୍ର ଦେବ ବାହମନି ଜୟ କରିଥିଲେ ନିଜାମ ହୁମାୟୁନ୍ ଶାହଙ୍କୁ ଦେବରକୋଣ୍ଡା ଯୁଦ୍ଧରେ ପରାସ୍ତ କରି ! ଉକ୍ତ ବିଜୟରୁ ସେ ଲଭିଥିଲେ #କଳବର୍ଗେଶ୍ୱର ଉପାଧି ! ତେଲେଙ୍ଗାନାର ରାଜା ବେଲମ୍ମାଙ୍କୁ ପରାସ୍ତ କରି ସେ ଜିଣିଥିଲେ #ଦେବରକୋଣ୍ଡା ଦୁର୍ଗକୁ ! ବିଜୟୀ କପିଳେନ୍ଦ୍ର ଦେବଙ୍କ ଶିରୋନ୍ନତ ଗାରିମା ଗାନ କରିଛନ୍ତି କବି:
“ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ
ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ ।।
ଦୁର୍ବାର ଗଡ଼, ‘ଦେବର କୋଣ୍ଡା’ କହେ ଆଜି ସେହି କଥା
ବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା ।।
ଛିଡ଼ୁ ଶୃଙ୍ଖଳ, ଜାଗ କଙ୍କାଳ, ଉଠ ଦୁର୍ବାର ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ଗଜପତି କପିଳେନ୍ଦ୍ର ଦେବଙ୍କ ଦୁଦ୍ଧର୍ଷ ସେନା ଦ୍ୱାରା ବଙ୍ଗର ଜୈନପୁର ନବାବ ଅହମ୍ମଦ ଶାହ ପରାଜିତ ହୋଇଥିଲେ। ଗୌଡ଼ ଦେଶ ମହାମେଘବାହନ ଖାରବେଳ, ଅନଙ୍ଗଭୀମ ଦେବ, ଲାଙ୍ଗୁଳା ନରସିଂହ ଦେବଙ୍କ ଠାରୁ ଆରମ୍ଭ କରି ଗଜପତି କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ବାରମ୍ବାର ବିଜିତ ହୋଇଛି। ଅପ୍ରତିହତ ସମ୍ରାଟ ଖାରବେଳଙ୍କ ଦ୍ଵାରା ଉତ୍ତର ଭାରତର ଶକ୍ତିଶାଳୀ ରାଜ୍ୟ ମଗଧର ସମ୍ରାଟ ବୃହସ୍ପତି ମିତ୍ର (ପୁଷ୍ପମିତ୍ର) ପରାଜିତ ହୋଇ ଖାରବେଳଙ୍କ ବଶ୍ୟତା ସ୍ୱୀକାର କରିଥିଲେ ! ଏହିପରି ଭାବେ ଗୌଡ଼ ଓ ମଗଧ ରାଜ୍ୟ ପଦାନତ ହୋଇଥିଲେ ଓଡ଼ିଶାର ! ତେଣୁ ଭାବାସିକ୍ତ କବିଙ୍କ ସୃଷ୍ଟି:
“ଖଣ୍ଡାକୁଶଳ ଖଣ୍ଡାୟତର ଦୁର୍ବାର କରବାଳେ
ଅଜେୟ ବଙ୍ଗ-ବାହିନୀ ଶୋଇଲେ ‘ଶତଗଡ଼’ ପ୍ରାନ୍ତରେ ।।
ଗଉଡ଼ ଭୁବନ ହେଲା ପଦାନତ ମଗଧ ପାଇଲା ଲୀନ,
ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ ।।
ଜାଗ କଙ୍କାଳ, ଜାଗ କଙ୍କାଳ, ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ଷଷ୍ଠ ସ୍ତବକରେ ଏହି ଇତିହାସର ପୁନରାବୃତ୍ତି କରିଛନ୍ତି କବି ! ହିମାଚଳ ପର୍ଯ୍ୟନ୍ତ ଓଡ଼ିଶାର ସାମ୍ରାଜ୍ୟ ବିସ୍ତୃତି ଲାଭ କରିଥିଲା ଖାରବେଳଙ୍କ ରାଜତ୍ଵ କାଳରେ। ବିଜୟ ନଗର ଓ ବାହମନିର ପତନ ଘଟଣାର ପୁନରାବୃଦ୍ଧି ଏହି ଏହି ସ୍ତବକରେ କରାଯାଇଛି।
“କଥା କହ କଥା କହ କଙ୍କାଳ ! ସେ କେତେ ଯୁଗର କଥା,
ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା ।।
ବିଜୟୀ ‘ବିଜୟ ନଗର’ ମାଗିଲା ଶରଶ ଚରଣ ତଳେ,
‘ବାହାମନୀ’ ପତି ଯବନ, ଶମନ କାତରେ ଲୁଚିଲା ଘରେ ।।
ଉଠ କଙ୍କାଳ, ଉଠ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ଶେଷ ଦୁଇଟି ସ୍ତବକ ଓଡ଼ିଆ ଜାତିର ଜାଗରଣ ଲାଗି କବିଙ୍କର ଉଦ୍ବୋଧନ ! ‘ହାଡ଼ ପାଶୁ ଆଜି ଭାଷା ବହି ଆସୁ’, ‘ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି’, ‘ଶମଶାନ ଧୂଳି ଅଞ୍ଜଳି ଭରିନିଅ’, ‘ଲକ୍ଷ ଜୀବନ ସାକ୍ଷ୍ୟ ଦେବରେ’, ‘ବେଳ ନାହିଁ ବେଳ ନାହିଁ କଙ୍କାଳ ଟେକ ଚଞ୍ଚଳ ମଥା’, ‘ବିଦାରି ଉପଳ ନିର୍ମଳ ତବ ପଞ୍ଜରୁ ଉଠୁ ବଥା ।’ ‘ବାଜି ଉଠୁ ଥରେ ମରଣ ବିଜୟୀ ବଂଶୀ ସେ ବୁକୁତଳେ’, ‘ଧୂର୍ଜଟି ଜଟା ଛୁଟୁ କମ୍ପାଇ’ – ପରି ଶବ୍ଦପୁଞ୍ଜର ପ୍ରୟୋଗ କାବ୍ୟିକ ଓ ଅର୍ଥପୂର୍ଣ୍ଣ । ଏପରି ଶକ୍ତିଶାଳୀ ପ୍ରାଣ ଉନ୍ମାଦକାରୀ ଭାଷାର ପ୍ରୟୋଗ ବିରଳ।
“ହାଡ଼ ପାଶୁ ଆଜି ଭାଷା ବହି ଆସୁ, ଫୁଟୁ ମଡ଼ା ମୁଖେ ହସ
ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ ।।
ଶମଶାନ ଧୂଳି ଅଞ୍ଜଳି ଭରି ନିଅ ପୁରବାସୀ ଜନ;
ଲକ୍ଷ ଜୀବନ ସାକ୍ଷ୍ୟ ଦେବ ସେ ଗୌରବେ ମହୀୟାନ ।।
ଉଠ କଙ୍କାଳ, ଭେଦି ମହାକାଳ,ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।।
ବେଳନାହିଁ, ବେଳ ନାହିଁ, କଙ୍କାଳ ! ଟେକ ଚଞ୍ଚଳ ମଥା
ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା ।।
ବାଜିଉଠୁ ବାରେ ମରଣ-ବିଜୟୀ ବଂଶୀ ସେ ବୁକୁତଳେ,
ଧୂର୍ଜଟି ଜଟାଜୁଟ କମ୍ପାଇ ଯୌବନ କୁତୂହଳେ ।।
ଉଠ କଙ୍କାଳ, ଉଠ ଦୁର୍ବଳ, ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି” ।।
ଓଡ଼ିଆ ସାହିତ୍ୟରେ ଜାତୀୟତାବାଦୀ କବିତାର ସମ୍ଭାର ବିଶାଳ ! ଉଭୟ ସର୍ବଭାରତୀୟ ଜାତୀୟତା ଓ ଉଗ୍ର ଉତ୍କଳୀୟ ଜାତୀୟତାକୁ ନେଇ ବହୁ କବିତା ରଚିତ ହୋଇଛି। ତେବେ ‘ଉଠ କଙ୍କାଳ’ ପରି ଅତୀତ ଉତ୍କଳର ଦିଗ୍ବିଜୟ ତଥ୍ୟ ସମ୍ବଳିତ କବିତା କୌଣସି ସମୟରେ ଲିଖିତ ହୋଇନାହିଁ । କବିତାର ଆରମ୍ଭ ‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ପଙ୍କ୍ତିରେ ଏକ ଆବେଗଦୀପ୍ତ ଆଗ୍ନେୟବାଣୀ ଉତ୍ସାରିତ।
ତେବେ ଉଠ କଙ୍କାଳ କବିତା ବାବଦରେ ରୋଚକ କାହାଣୀର ଅବତାରଣା ବିନା ଉପସ୍ଥାପନା ଶେଷ ହୋଇପାରେନା ! ‘ଶ୍ମଶାନ ପୂଜାରୀର କାହାଣୀ’ ନାମରେ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦିତ ‘ମୁକୁର’ରେ ୧୯୩୨ ମସିହାରେ ପ୍ରକାଶିତ ହୋଇଥିଲା। ୧୯୪୨ରେ ସ୍ୱାଧୀନତା ଆନ୍ଦୋଳନ ଅବସରରେ ପୁରୀରେ ଅନୁଷ୍ଠିତ ଏକ ବିଶାଳ ଜନସଭାରେ ଏହାର ପ୍ରଥମ ଗାୟନ ହିଁ ଉଦ୍ବେଳିତ ଓ ଅଭିପ୍ରେରିତ କରିଥିଲା ଓଡ଼ିଆମାନଙ୍କୁ ସେବେଳରୁ ହିଁ ଉକ୍ତ କବିତା ଓଡ଼ିଆଙ୍କ ମାନସପଟରେ ‘ଉଠ କଙ୍କାଳ’ ନାମରେ ଅଭିହିତ ଏବଂ ପ୍ରଚାରିତ !
ଗଭୀର ଦେଶପ୍ରେମ, ସାଂସ୍କୃତିକ ଜାଗରଣ, ନିର୍ଭୀକ ଚିନ୍ତାଧାରା ଓ ମାନବିକତାର ଜୟଜୟକାରର ପ୍ରତିଧ୍ୱନି ଶୁଣିବାକୁ ମିଳୁଥିଲା ସେହି ମହାନ ପ୍ରତିଭା ଗୋଦାବରୀଶଙ୍କ ଲେଖନୀରୁ ! ସେ ଥିଲେ ଯଥାର୍ଥରେ ସତ୍ୟବାଦୀ ଗୋଷ୍ଠୀର ଶେଷ ପ୍ରତିଧ୍ୱନି ବା ସତ୍ୟବାଦୀ କାବ୍ୟ ଚେତନାର ଶେଷଶିଖା !
୧୯୬୫ ମସିହା ନଭେମ୍ବର ମାସ ୨୫ ତାରିଖରେ ଚିର ବିଦାୟ ନେଇଗଲେ ଏହି ମହାନ ମଣିଷ, ଆମ ମାଟିରୁ। କିନ୍ତୁ ପ୍ରକୃତରେ ବିଦାୟ ନେଇ ପାରିଲେ ନାହିଁ ଓଡ଼ିଆ ଭାଇଭଉଣୀମାନଙ୍କ ହୃଦୟରୁ !
ସେ ଯଦି ବିଦାୟ ନେବେ, ଆମକୁ ଉଠାଇବ କିଏ ?
Utha Kankala Godabarisha Mohapatra
Dev Tripathy Deba