ଲେଖା: ଡ. ଜୟଶ୍ରୀ ନନ୍ଦ
  
  ~ ତୁଳସୀ ପୂଜା ~
   ତୁଳସୀ ପୂଜା ପ୍ରତି ଓଡ଼ିଆ ଘରର ପରମ୍ପରା । ସକାଳର ପୂଜା, ତୁଳସୀ ମୂଳେ ଜଳଦାନ, ଦୀପ ଭୋଗ ନୈବେଦ୍ୟ ଅର୍ପଣ ପ୍ରତିଦିନର ଆଦ୍ୟ ପୂଜା ମାଆ ତୁଳସୀଙ୍କ ପାଖରେ ହୁଏ । ତୁଳସୀ ପତ୍ର ନାରାୟଣଙ୍କୁ ଅର୍ପଣ କରାଯାଏ । ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ ତୁଳସୀ । ମହଣ ମହଣ ତୁଳସୀରେ ମାଳ ତିଆରି ହୁଏ ଶ୍ରୀଜଗନ୍ନାଥଙ୍କ ପାଇଁ । ବିନା ତୁଳସୀରେ ଭୋଗ ଲାଗିହୁଏନି ଶ୍ରୀବିଷ୍ଣୁଙ୍କୁ । ସେଇ ଛଡା ତୁଳସୀଟିକେ ପାଇଁ ଭକ୍ତମାନେ ଚାହିଁ ବସିଥାନ୍ତି । ସାଇତି ରଖିଥାଆନ୍ତି ଲୋକମାନେ ପ୍ରତିଦିନ ପାଇବା ପାଇଁ । ଅନ୍ନ ବ୍ୟଞ୍ଜନ ଭୋଗ ଲାଗି ହେଲେ ତୁଳସୀଟିଏ ପଡିଲେ ଏହାର ବାସ ତାର ସ୍ବାଦକୁ ଦ୍ବିଗୁଣିତ କରିଦିଏ । ଆହା ! ସେ ତୁଳସୀ ବାସ ! ଅନେକ ଘରେ ତୁଳସୀ ଚଉଁରାରେ ପାଣି ନ ଦେବା ଯାଏ ସ୍ତ୍ରୀ ଲୋକମାନେ ପାଣି ଗ୍ରହଣ କରି ନଥାନ୍ତି।
       ତୁଳସୀ ପୂଜା ପରମ୍ପରା ଓଡ଼ିଆ ଘରେ ନିତିପ୍ରତି ଓ ଅନନ୍ୟ । ନାରାୟଣ ବା ବିଷ୍ଣୁଙ୍କର ପୂଜା ପରେ ଛଡା ତୁଳସୀ ଓ ଶାଳଗ୍ରାମଙ୍କ ସ୍ନାନ ଜଳ ଗ୍ରହଣ ପ୍ରାୟ ଅନେକ ଘରେ ଆଜିବି ଏକ ପରମ୍ପରା ପରି । ସେ ତୁଳସୀ ଜଳ ଟିକକ ଅନେକ ଦୁଃଖ ଶୋକରୁ ଆମକୁ ରକ୍ଷାକରେ । ବାହାରକୁ ଗଲାବେଳେ ମାଆ ତୁଳସୀ ମାଆଙ୍କ ମାଟି ଟିକେ ମଥାରେ ଲଗାଇ ତୋର ମଙ୍ଗଳ ହେଉ ଏ ଆଶିଷ ଦିଏ । ତୁଳସୀ ଗଛ ଶୁଖିଗଲେ ଘରେ ବା ଗାଁରେ ଥିବା ପୁରୁଖା ଲୋକମାନେ ତାକୁ ସଜାଡି ରଖନ୍ତି କହନ୍ତି ଚନ୍ଦନ କାଠ ମୋର କଣ ହେବ ଏ ତୁଳସୀ କାଠଟିକେ ମୋ ମୁଣ୍ଡ ପାଖରେ ରଖିବୁ ମୋତେ ବିଷ୍ଣୁ ପାଦରେ ସ୍ଥାନ ଟିକେ ମିଳିବ ଏ ଲୋକୋକ୍ତି ବି ରହିଛି । ତୁଳସୀ ମାଳ ଧରି ଅନେକ ଲୋକ ଜପକରନ୍ତି । ତୁଳସୀ କାଠରେ ମାଳି ବନେଇ ଅନେକ ଲୋକ ତାକୁ ଗଳାରେ ପିନ୍ଧନ୍ତି । ଅନେକ ବୟୋଜ୍ୟେଷ୍ଠା ଯେପରି ଆଈ ଜେଜେମାଙ୍କ ବୟସର ଲୋକମାନେ ନିଜର ଅଳଙ୍କାର ନ ପିନ୍ଧି ଏ ତୁଳସୀ ମାଳି ଓ ତୁଳସୀ କାଠି କାନରେ ପିନ୍ଧନ୍ତି କହନ୍ତି ଏ ବୟସରେ ଅଳଙ୍କାର ଏଇ ତୁଳସୀ କାଠି । ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛାଲି, ଗଣ୍ଡି ଓ ମାଟି ଆଦି ସବୁ ପବିତ୍ର ଅଟେ ।        ତୁଳସୀର ମହିମା ଗାଇ ଭଗବାନ ଶିବ ନାରଦଙ୍କୁ କହୁଛନ୍ତି –
    ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍।
 ତୁଳସୀସମ୍ବବଂ ସର୍ବଂ ପାବନଂ ମୃତ୍ତିକାଦିକମ୍ ।।
      ଏମିତି ତୁଳସୀଙ୍କର ପୂଜା ଓ ମହତ୍ତ୍ବ ଆମ ଓଡିଆଘରେ ବହୁଉର୍ଦ୍ଧ୍ବରେ । ବିଶେଷ କରି କାର୍ତ୍ତିକ ମାସରେ ତୁଳସୀ ଆରାଧନାର ମହତ୍ତ୍ବ ଅଧିକ। କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ତୁଳସୀଙ୍କ ସେବା ସବୁ ତୀର୍ଥଧର୍ମରୁ ଉର୍ଦ୍ଧ୍ବରେ। ତୁଳସୀଙ୍କର ଦର୍ଶନରେ ସର୍ବଇଷ୍ଟ ଖୁସି ହୁଅନ୍ତି । ତୁଳସୀ ଦାନ ମହାପୂଣ୍ୟ ବୋଲି ଲୋକୋକ୍ତି ରହିଛି। ତୁଳସୀ ପ୍ରଦକ୍ଷିଣ ତୀର୍ଥଭ୍ରମଣ ସହ ସମାନ। ଯେତେ ଯଜ୍ଞ ବିଧି ତୁଳସୀ ପୂଜନରେ ସର୍ବ ସିଦ୍ଧି ହୁଏ । କାର୍ତ୍ତିକ ମାସରେ ତୁଳସୀ ଚଉଁରାରେ ମୁରୂଜ ପଡେ ।
     କେହି ସାରା ମାସ ମୁରୂଜ ପକାନ୍ତି ତ କେହି ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣମୀ ଯାଏ ପକାଇ ଥାଆନ୍ତି ମୂରୁଜ। ଓଡିଆ ଘର ପରମ୍ପରା ଅନୁଯାୟୀ ରାଈ ଦାମୋଦରଙ୍କ ପୂଜା ତୁଳସୀ ମୂଳେ କରାଯାଏ ।
  ତୁଳସୀ ଆରାଧିବ ଯେହୁ
 ତାର ସ୍ବୀକୃତି ଫଳ କହୁ
 ବିଶେଷ କାର୍ତ୍ତିକ ମାସରେ
 ପାଇବ ସକଳ ଲୋକରେ ।
 ପାଳନେ ସର୍ବ ତୀର୍ଥଧର୍ମ
 ଦର୍ଶନେ ସର୍ବ ଈଷ୍ଟକାମ
 ଯେ ଜନ ଦାନ ଦେବେ ନିତ୍ୟେ
 ତୁଳାଦି ଦାନ ଫଳ ଯେତେ ।
 ତୁଳସୀ ପ୍ରଦକ୍ଷିଣ କଲେ
 କି ପୁଣ୍ୟ ଅନ୍ୟ ତୀର୍ଥ ଗଲେ
 ପୂଜନେ ସର୍ବ ଯଜ୍ଞବିଧି
 ପ୍ରାପତ ହେବ ଫଳସିଦ୍ଧି ।
 ଶୁଣ ସକଳ ସୁରଲୋକେ
 ଯେ ଜନ ତୁଳସୀ ପାଳକେ
 ଚଉଁରା ସିଞ୍ଚି ବିଧିମତେ
 ଲେପନ କରୁଥିବ ନିତ୍ୟେ ।
 ଚଉଁରା ହେବ ଯେତେ ପୀଢ
 ଜାଣିବେ ତେତେ ରତ୍ନକୂଢ
 ସେତେ ଭୁବନେ ଉର୍ଦ୍ଧେ ଆସି
 ମୋର ସମୀପେ ଥିବ ବସି ।
 ମୁରୂଜ ହେବ ଯେତେ ରେଣୁ
 ତେତେ ସଂଖ୍ୟାରେ ଯୁଗ ଗଣୁ।
 ସନ୍ଧ୍ୟା ସମୟେ ଯେଉଁ ଜନ
 ତୁଳସୀ ମୂଳେ ଦୀପଦାନ
 ଶ୍ରଦ୍ଧାରେ ବସାଇବ ନିତି
 ଅଗ୍ନି ପରାୟେ ତାର ଜ୍ୟୋତି ।
 ସୁନ୍ଦର ହେବ ସବୁଗୁଣେ
 କମଳା ନ ଛାଡିବେ କ୍ଷଣେ ।
 ତୁଳସୀ ଆରାଧନେ ବାଡ
 ଯେ ଯେତେ କରିବ ଉହାଡ
 ସେ ବାଡ ଯେତେ ଦିନ ଥାଏ
 ମୋ ପୁରେ ତେତେ ଦିନ ଯାଏ ।
 କୈବଲ୍ୟ ଭୁଞ୍ଜୁ ଥାଏ ବସି
 କହନ୍ତି ପ୍ରଭୁ ବ୍ରହ୍ମରାଶି ।
 ତୁଳସୀ ବୃକ୍ଷ ଯେଉଁ ଦ୍ବାରେ
 ମୋତେ ଦେଖିବ ତାର ଘରେ
 ତାର ଭୁବନେ ବିଷ୍ଣୁ କ୍ଷେତ୍ର
 ତା ଅଙ୍ଗ ସର୍ବଦା ପବିତ୍ର ।
     ସଂଧ୍ୟାରେ ଦୀପ ଦାନ ତୁଳସୀ ମୂଳେ କରାଯାଏv। ପ୍ରତି ପୂଜା ପାର୍ବଣରେ ଠାକୁରଙ୍କ ପାଖେ ଯାହା ଭୋଗ ହୁଏ ତୁଳସୀଙ୍କ ପାଖେ ତାହା ମଧ୍ୟ ଅର୍ପଣ ହୁଏ । ଜହ୍ନିଓଷା, କୁମାର ପୂର୍ଣ୍ଣିମା, ପଣା ସଂକ୍ରାନ୍ତି ଏମିତିକି ପ୍ରତିଟି ପୂଜା ପାର୍ବଣରେ ତୁଳସୀଙ୍କୁ ପ୍ରାୟତଃ ପୂଜା କରାଯାଏ । ତୁଳସୀ ପତ୍ରର ଅନେକ ଔଷଧୟ ଗୁଣ ଥିବାରୁ ତାହା ଦେହ ପାଇଁ ଲାଭଦାୟକ । ତୁଳସୀ ଯେଉଁଠି ଥାଆନ୍ତି ସେଠାରେ ବିଷ୍ଣୁ ବାସ କରନ୍ତି ।        ଲୋକୋକ୍ତି/ପୁରାଣରେ ବର୍ଣ୍ଣିତ ଅଛି କି ଯେତେବେଳେ ସ୍ବୟଂ ବିଷ୍ଣୁ ମାୟା କରି ବୃନ୍ଦାବତୀଙ୍କ ସତୀତ୍ବ ନଷ୍ଟ କରିଥିଲେ ସେତେବେଳେ ବୃନ୍ଦାବତୀ ବିଷ୍ଣୁଙ୍କୁ ଶାପ ଦେଇଥିଲେ ପଥର ହେବା ପାଇଁ । ତେଣୁ ଶାଳଗ୍ରାମଙ୍କ ସହ ତୁଳସୀଙ୍କର ବିବାହ କାର୍ତ୍ତିକ ମାସରେ ଦ୍ବାଦଶୀ ଦିନ କରାଯାଇଥାଏ। ତୁଳସୀଙ୍କୁ ସେଦିନ ବହୂ ରୂପରେ ସଜା ଯାଇଥାଏ। ସେହି ଦିନକୁ ତୁଳସୀ ବିବାହ କହନ୍ତି ।
     ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ଏବଂ ପୂଜନୀୟ ମଧ୍ୟ କୁହାଯାଇଥାଏ । ଏହା ବ୍ୟତୀତ ଆୟୁର୍ବେଦରେ ମଧ୍ୟ ଏହାର ଅନେକ ସ୍ବାସ୍ଥ୍ୟଦାୟକ ଗୁଣ କୁହାଯାଇଛି। ଧାର୍ମିକ ବିଶ୍ବାସ ଅନୁସାରେ, ତୁଳସୀ ମାତାଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ସ୍ବରୂପ ଶାଳଗ୍ରାମ ସହ ହୋଇଥିଲା। ପୌରାଣିକ କଥା ଅନୁସାରେ ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର, ଶ୍ରୀକୃଷ୍ଣଙ୍କ ରୂପ । ତୁଳସୀକୁ ବିଷ୍ଣୁପ୍ରିୟା କୁହାଯାଇଥାଏ, ଏଥିପାଇଁ ଦେବ ଶୟନ ଏକାଦଶୀ ଦିନ ଯେତେବେଳେ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୁଅନ୍ତି, ସର୍ବପ୍ରଥମେ ସେ ତୁଳସୀଙ୍କୁ ପ୍ରାର୍ଥନା କରିଥାଆନ୍ତି ଏବଂ ଏହି ଦିନ ତୁଳସୀ-ଶାଳଗ୍ରାମ ବିବାହକୁ ଅତ୍ୟନ୍ତ ମହତ୍ତ୍ବ ଦିଆଯାଇଥାଏ ।
     କାର୍ତ୍ତିକ ଉଦ୍ୟାପନ ବିଦ୍ଧି
    ତେଣୁ ତୁଳସୀ ମୂଳେ ବିଧି
 ସେ ମହାତପ ବ୍ରତ ଫଳ
 ଏବେ କହିବା ତପଶୀଳ ।
  କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ଧର୍ମଦତ୍ତ ନାମକ ଜଣେ ବ୍ରାହ୍ମଣ ଯେ ବିଷ୍ଣୁଙ୍କ ସେବାରେ ସବୁବେଳେ ମତି ରଖନ୍ତି । ସେ କାର୍ତ୍ତିକ ବ୍ରତ ଉଦ୍ୟାପନ ସାରି ରାତିରେ ଘରକୁ ଫେରୁଥାନ୍ତି । ହାତରେ ଥାଏ ତୁଳସୀଜଳ ପୂର୍ଣ୍ଣ ପାତ୍ରଟିଏ । ମୁଖରେ ଗୋବିନ୍ଦ ନାମ ।  କଳହା ନାମକ ଗୋଟିଏ ପିଶାଚୀ ତାଙ୍କ ଆଗରେ ଉଭା ହୋଇଗଲା ଓ ତାଙ୍କର ପଥ ଓଗାଳିଲା । ଧର୍ମଦତ୍ତ ସେ ତୁଳସୀ ଜଳ ପିଶାଚୀ ଉପରକୁ ପକାଇ ଦେଲେ । ସେ ସେହିକ୍ଷଣୀ ଏକ ସୁନ୍ଦର ରୂପବତୀ ନାରୀ ହୋଇଗଲା । ସେ ତାର ପୂର୍ବ ଜନ୍ମରେ କରିଥିବା ଅକର୍ମ ପାପ ପାଇଁ ଏମିତି ପିଚାଶୀ ଜୀବନ ଜିଉଁଥିଲା । ତୁଳସୀ ଜଳ ତା ଉପରେ ପଡିବାରୁ ସେ କଷ୍ଟରୁ ମୁକ୍ତି ପାଇଲା ।
    ତୁଳସୀ ଜଳ ପ୍ରାପ୍ତିମାତ୍ରେ
 କଳ୍ମଶ ନ ରହିବ ଗାତ୍ରେ
 ଏ କଥା ଦେଖିଲି ପ୍ରତକ୍ଷ୍ୟ
 କଳହା ନାମେ ସ୍ତିରୀ ମୋକ୍ଷ ।
       ସେମିତି ଅନ୍ୟ କଥାଟିଏ ବର୍ଣ୍ଣନା ଅଛି ପଦ୍ମପୁରାଣ କାର୍ତ୍ତିକ ମାହାତ୍ମ୍ୟରେ ! ଚୋଳ ଚକ୍ରବର୍ତ୍ତୀ ନାମକ ଜଣେ ରାଜା ଥିଲେ । ସେ ଜଣେ ବଡ ବିଷ୍ଣୁ ଭକ୍ତ ଥିଲେ । ସେ ବିଷ୍ଣୁଙ୍କ ପୂଜାରେ ରତ୍ନ ହୀରାନୀଳା, ମାଣିକ୍ୟ, ପାଟବସ୍ତ୍ର ଆଦି ବିଭିନ୍ନ ଉପହାର ସହ ଖୁବ୍ ଶୁଦ୍ଧ ଚିତ୍ତରେ ପୂଜା କରିଥିଲେ । ବିଷ୍ଣୁଦାସ ନାମକ ଜଣେ ବ୍ରାହ୍ମଣ ତୁଳସୀ ଜଟା ଧରି ଆସି ବିଷ୍ଣୁଙ୍କ ଶିରରେ ଲାଗିକଲେ। ତାହା ଦେଖି ରାଜା ରୋଷରେ ବ୍ରାହ୍ମଣକୁ ଧିକ୍କାର କଲେ ।
    ତା ଦେଖି କୋପେ ନୃପବର
 ବିପ୍ରଙ୍କୁ କରଇ ଧିକ୍କାର
 ବୋଇଲା ଧିକ ତୋର ବୁଦ୍ଧି
 ତୁ କିସ ଜାଣୁ ପୂଜାବିଧି
 ସ୍ବଭାବେ ଦୁଃଖି ଅକିଞ୍ଚନ
 ଦରିଦ୍ର ପଣେ ଜ୍ଞାନହୀନ ।
 ତୋତେ ମିଳିବ ଅବା କିସ
 ବିଷ୍ଣୁଙ୍କୁ କରିବୁ ସନ୍ତୋଷ ।
 ଦେଖ ମୋହର ପୂଜାବିଧି
 ରତ୍ନ କାଞ୍ଚନେ ସର୍ବସିଦ୍ଧି ।
 ମଣ୍ଡିଛି ବିଷ୍ଣୁ କଳେବର
 କେମନ୍ତେ ଦିଶଇ ସୁନ୍ଦର ।
 ତୁ ଆସି ବେଶ ଭ୍ରାନ୍ତିକଲୁ
 ତୁଳସୀ ଦଳେ ଉହାଡିଲୁ ।
    ବ୍ରାହ୍ମଣ ବିଷ୍ଣୁ ଦାସ ଉତ୍ତର ଦେଲେ
    ପୃଥିବୀ ତୁଲେ ପାତ୍ର କରି
 ବ୍ରହ୍ମା ବଚନେ ଶକ୍ତିଧରି
 ଦ୍ରବ୍ୟ ସଞ୍ଚିବ ଶୁଦ୍ଧଚିତ୍ତେ
 ସାତ ସମୁଦ୍ର ଜଳଯେତେ
 ଅର୍ଘ୍ୟ ନିମନ୍ତେ ତେତେ କ୍ଷୀର
 ମେରୁ ସମାନେ ଅଳଙ୍କାର
 ସପତ ନିଧି ରତ୍ନମଣି
 ମଣ୍ଡିବ ବିଷ୍ଣୁ ଅଙ୍ଗେ ଆଣି
 ପାରିଜାତକ ଆଦି ପୁଷ୍ପେ
 ମଳୟ ଚନ୍ଦନ ସୁବାସେ ।
 ତେଣେ ହୋଇବ ଯେତେ ଧର୍ମ
 ତୁଳସୀ ଦଳେ ନୋହେ ସମ ।
 ତୁଳସୀ କୋମଳ ମଞ୍ଜରୀ
 ବେନି ହସ୍ତରେ ଥିବଧରି
 ଯେ ତାହା ଦେବ ବିଷ୍ଣୁଶିରେ
 ସେ ଧର୍ମ କହିଲେ ନ ସରେ।
 ତେଣୁ ପ୍ରସିଦ୍ଧ ଏ ତୁଳସୀ
 ଗୋବିନ୍ଦ ପୂଜାରେ ପ୍ରଶଂସି ।
       ହେଲେ ରାଜା ଚୋଳ ଚକ୍ରବର୍ତ୍ତୀ ତ ବୁଝିବାର ନୁହେଁ। ଦୁହେଁ ବିପ୍ର ଓ ରାଜା, ଗୟାକୁ ଗଲେ ମୁଦୁଗଲଙ୍କ ପାଖକୁ । ରାଜା କହି ବସିଲେ ବିଷ୍ଣୁ ପୂଜା ସହ ଦାନ ଧର୍ମ ଜଳଦାନ ସ୍ବର୍ଣ୍ଣ ଦାନ ଇତ୍ୟାଦି । ହେଲେ ବିପ୍ର ବିଷ୍ଣୁଦାସ କହିଲେ,
    ତୁଳସୀ ବୃକ୍ଷ ପୂଜାକରି
 ମୁଖେ ଗୋବିନ୍ଦ ନାମଧରି
 ଦେବଧ୍ୟାୟନ କରି ମୁଖେ
 ଦିନ ବଞ୍ଚଇ ସୁଖେ ଦୁଃଖେ ।
 ଏଥୁ ଆନ ମୋ ଧର୍ମ ନାହିଁ
 ନୃପତି ତୁଲେ ବାଦ କାହିଁ ।
       ବିପ୍ର ବିଷ୍ଣୁ ଦାସ ଓ ରାଜା ଚୋଳ ଚକ୍ରବର୍ତ୍ତୀଙ୍କ କଥା ମୁଦୁଗଲ ଶୁଣିଲେ।
 ଜାଣିଲେ ବିପ୍ର ଧର୍ମଶ୍ରେଷ୍ଠ
 ନୃପତି କରିଛି ଅନିଷ୍ଠ।
 ସ୍ବଭାବେ ରଜଗୁଣ ଫଳେ
 ତାମସ ଉପୁଜଇ ହେଳେ।
     ମୁଦୁଗଲଙ୍କ କଥା ମାନି ଦୁହେଁ ଏକ ସ୍ଥାନରେ ରହିଲେ । ପ୍ରତିଦିନ ମୁନିବର ସଞ୍ଚା ଦିଅନ୍ତି ବିପ୍ରଙ୍କୁ । ସେ ସଞ୍ଚାରେ ଭୋଜନ ତିଆରି କରି ବିପ୍ର ସ୍ନାନ ନିମିତ୍ତ ଗୟା ନଦୀକୁ ଗଲେ । ଫେରିବା ପରେ ଦେଖିଲେ ଅନ୍ନ ବ୍ୟଞ୍ଜନ କିଛି ନ ଥିଲା । ବିଷ୍ଣୁଦାସ କାହାକୁ କିଛି ନ କହି ସେ ତୁଳସୀ ଜଳ ପାନ କରି ଉପବାସ ରହିଲେ।ଏହିପରି ଚାରିଦିନ କ୍ଷୁଦାର୍ଥ ରହିଲେ । ପଞ୍ଚମ ଦିନ ପାକ ରାନ୍ଧି ଆଖି ବୁଜି ଗୋବିନ୍ଦ ଧ୍ୟାୟୀ ଚଳୁ କଲେ ଦେଖନ୍ତେ ଅନ୍ନ ବ୍ୟଞ୍ଜନ ପାତ୍ରରେ ନାହିଁ।ହେଲେ ବିପ୍ର ଦୁଃଖ ବା ରୋଷ ନ କରି ଭାବିଲେ କେହି କ୍ଷୁଦାର୍ଥ ଅଛି ତେଣୁ ଏ ସବୁ ଭୋଜନ କରୁଛି । ଶେଷରେ ଜଣେ କ୍ଷୁଦାର୍ଥକୁ ଧରିଲେ ଯେ ଖାଲି ଅନ୍ନ ନେଇ ପଳାଉ ଥିଲା । ବିପ୍ର ପଛରୁ ଡାକି କହିଲେ ଖାଲି ଅନ୍ନ ନେଉଛ ରୁହ ମୁଁ ବ୍ୟଞ୍ଜନ, ଲୁଣ ଘୃତ ଆଦି ଦେବି। ତୁମ ଶାନ୍ତି ହୋଇ ଖାଇବ। ହେଲେ ଏହି ସମୟରେ କ୍ଷୁଦାର୍ଥ ଜଣକ ଝୁଣ୍ଟିପଡି ପ୍ରାଣ ହାରିଲେ । ବିପ୍ର କ୍ଷୁଦାର୍ଥର ମୃତ୍ୟୁର କାରଣ ନିଜେ ବୋଲି ନିଜକୁ ଦୋଷ ଦେଇ ଅନଳରେ ଝାସ ଦେଉଥିଲେ । ସେହି ସମୟରେ ମୃତ କ୍ଷୁଦାର୍ଥର ଶବ ଅନ୍ତର୍ଧ୍ୟାନ ହେଲା । ସ୍ବୟଂ ନାରାୟଣ ଗରୁଡ ପୃଷ୍ଠରେ ବିଜେ କରି ବିଷ୍ଣୁ ଦାସଙ୍କୁ ନିଜ କୋଳରେ ବସାଇ ନେଇଗଲେ । ଗୟା ବାସୀ ଏ ସବୁ ଦେଖିଲେ ।
    ଏମନ୍ତେ ବିପ୍ର ଶୁଦ୍ଧମନ
 ଜାଣିଲେ ଜଗତ ଜୀବନ।
 ଆପଣେ ଦିବ୍ୟରୂପଧରି
 ଗରୁଡ ପୃଷ୍ଠେ ବିଜେ କରି
 ଅତସି ପୁଷ୍ପ କାନ୍ତିବର୍ଣ୍ଣ
 ପୀତ ବସନ ପରିଧାନ
 ଚକ୍ର କମଳ ଶଙ୍ଖ ଗଦା
 ଯେ ଅଳଙ୍କାର ଅଙ୍ଗେ ସଦା ।
 ଚାରି ଆୟୁଧ ଚାରି ଭୁଜେ
 ଘେନି ଦେବାଧି ଦେବରାଜେ
 ବିପ୍ରକୁ ଘେନି କରେ ତୋଳି
 ଗରୁଡ କନ୍ଧେ ବନମାଳୀ ।
 ଦେଖ ବ୍ରାହ୍ମଣ କର୍ମଗୁଣ
 ପ୍ରତ୍ୟକ୍ଷ ଆସି ନାରାୟଣ
 ଗରୁଡ ଆସନେ ବସାଇ
 ବିପ୍ରଙ୍କୁ ନିଜ ପୁରେ ନେଇ ।
 ମୁଁ ଯେ ଅନେକ ତପ କରି
 ନୋହିଲି ବିପ୍ର ସଙ୍ଗେ ସରି ।
 ଏଥିରୁ ସ୍ବୟଂ ନାରାୟଣଙ୍କର ତୁଳସୀ ପ୍ରତି ଭଲପାଇବା ଜଣାପଡେ । ସାଧାରଣ ଗରିବ ବିପ୍ରଟିଏ ପ୍ରତିଦିନ ତୁଳସୀ ପୂଜା ଓ ନାରାୟଣଙ୍କୁ ଅର୍ପଣ କରି ବିଷ୍ଣୁ ଭୁବନେ ସ୍ଥାନ ପାଇଲେ। ସେଇ ବିପ୍ର ଅତିଶୀଳ ନାମେ କାର୍ତ୍ତିକ ମାସରେ ପୂଜା ପାଆନ୍ତି ।
    ତୁଳସୀ ପୂଜା ବିଷ୍ଣୁଭକ୍ତି
 ସଂସାରେ ସାର ଧର୍ମରୀତି ।
        ତୁଳସୀ_ଚୟନ_ମନ୍ତ୍ର
    ****************
 ମୃତ ନାମାଂସି ସଦାତୁ କେଶବ ପ୍ରିୟେ।
 କେଶବାର୍ଥେ ତବ ଚୟାମି ମମଦୋଷ ନୈବେଦ୍ୟତେ ।।
     ତୁଳସୀ_ଜଳପାନ_ମନ୍ତ୍ର
 ***************************
 ଶାଳଗ୍ରାମ ଶିଳାତୋୟଂ ତୁଳସୀ ଜଳ ମିଶ୍ରିତମ୍।
 ଯଃ ପିବେତ୍ ସତୁସ୍ୟାମୁକ୍ତଃ ଜନ୍ମ ସଂସାର ବନ୍ଧନାତ୍।।
     ତୁଳସୀ_ପତ୍ର_ଆହରଣ_ବିଧି
 ****************************
 ପ୍ରଣମ୍ୟାମ୍ ମହାବିଷ୍ଣୁ ପ୍ରର୍ଥାନୁଜ୍ଞାତ୍ୱା ବୈଷ୍ଣବଃ।
 ସମହରେତ୍ ଶ୍ରୀ ତୁଳସୀ ପୁଷ୍ପାଦିଂ ଚ ଯଥୋଜିତମ୍।।
 ସ୍ନାନକୃତ୍ୱାତୁ ଯେ କୋଚିତ୍ ପୁଷ୍ପ ଚିନ୍ୱନ୍ତ ବୈଦ୍ୱିଜାଃ।
 ଦେବତାସ୍ତନ୍ନ ଗୃହଣନ୍ତି ଭସ୍ମୀ ଭବତି କାଷ୍ଠବତ୍।।
      ଆମ ଓଡ଼ିଆ ଘରେ ତୁଳସୀ ପତ୍ର ଚୟନ କେଉଁ ଦିନରେ ନିଷେଧ ତାହାବି ପଦ୍ମପୁରାଣ କାର୍ତ୍ତିକ ମାହାତ୍ମ୍ୟରେ ଲେଖା ଅଛି: 
    ଏକ କଥାଏ ପାଳିଥିବ
 ଯେବଣ ଦିନେ ନ ତୋଳିବ ।
 ସେ କଥା ଶୁଣ ସର୍ବଦେବେ
 ଗ୍ରହଣ ରବି ଚନ୍ଦ୍ର ଯେବେ ।
 ଦ୍ବାଦଶୀ ସଙ୍କରାନ୍ତି ଦିନେ
 ଅଥବା ଚତୁର୍ଥୀ ସମ୍ପର୍ଣ୍ଣେ ।
 ପ୍ରତ୍ୟହ ସନ୍ଧ୍ୟା ବେଳେ ନିଶି
 ଅଶୌଚେ ନ ତୋଳି ତୁଳସୀ ।
 ଯେ ଅବା ଅଜ୍ଞାନେ ତୋଳିବ
 ମୋତେ ଦଣ୍ଡିବା ଦୋଷ ହେବ ।
    ଅଣ ଓଡିଆ ଘରେ ରବିବାର ମଧ୍ୟ ଲୋକମାନେ ତୁଳସୀ ତୋଳନ୍ତି ନାହିଁ। ଶୁଖା ତୁଳସୀ ପକାଇ ନୈବେଦ୍ୟ ଅର୍ପଣ କରନ୍ତି ।
     ତୁଳସୀ_ଚୟନ_ନିଷେଧ
 ******************
 ଆସ୍ୱାତ୍ୱା ତୁଳସୀ ଛିତ୍ୱା ଯଃ ପୂଜା କୁରୁତେ ନରଃ ।
 ସୋଽପରାଦ୍ଧୋ ଭବେତ୍ସତଂ ନିଷ୍ଫଳଂ ଭବେତ୍ ।।
 ପୂର୍ଣ୍ଣିମାୟା ଅମାବାସ୍ୟା ଦ୍ୱାଦଶ୍ୟାଂ ରବି ସଂକ୍ରମେ ।
 ତୈଳଭ୍ୟଙ୍ଗେଽପ୍ୟ ସ୍ନାତୋ ବା ମଧ୍ୟାହ୍ନେ ନିଶିସନ୍ଧ୍ୟୋୟୋଃ।।
 ଅଶୌଚେ ଶୁଚିକାଳେ ବା ରାତ୍ରି ବା ସୋନିତା ନରଃ।
 ତୁଳସୀ ଯେ ବିଚିନ୍ୱନ୍ତତେ କୃତନ୍ତି ହରେଃ ଶିରଂ।।
          ଶ୍ରୀ ବୃନ୍ଦାବତୀଙ୍କ ସ୍ତୁତି
 ***************
 ମାଗୋ ତୁଳସୀ ଦେବୀ
 ଅଟୁ ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ॥
    ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟାକାଳେ ସଞ୍ଜ ଦେଇ ।
 ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ ॥
    ଚାରିପାଶେ ଚାରି ତପୀ ବସିଥାନ୍ତି ମଧ୍ୟେ ବସେ ବସୁନ୍ଧରା ।
 ଚାରିପାଶ ଚାରି ଚାମର ଢାଳନ୍ତି ରୁକ୍ମଣୀ ଲିପେ ଚଉଁରା ॥
    ସତ୍ୟଯୁଗେ ତୋର ସତ୍ୟବତୀ ନାମ ତ୍ରେତା ଯୁଗରେ ମାଳତୀ
 ଦ୍ଵାପର ଯୁଗରେ ନାମ ଯେ ତ୍ରିପୁରା କଳିଯୁଗ ବୃନ୍ଦାବତୀ ॥
    ତୁଳସୀର ମାଳ ତୁଳସୀର ଚୁଳ ତୁଳସୀ ଭୂଷଣ ହୋଇ
 ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥
    ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ
 ତୋ ପତ୍ର ପଡ଼ିଲେ ମଣୋହୀ ହୁଅଇ କହଇ ଗୋପାଳ ଦାସ ॥
 (ସଂଗୃହିତ)
      ଓଡିଆ ଘରର ପ୍ରତ୍ୟେକ ନାରୀ ମାଆ ବୃନ୍ଦାବତୀଙ୍କ ଆଶୀର୍ବାଦରୁ ସୁଖ ଶାନ୍ତି ସହ ସୌଭାଗ୍ୟବତୀ ହୁଅନ୍ତୁ । ତୁଳସୀଙ୍କ ପରି ପବିତ୍ର ପତିବ୍ରତା ଓ ସମସ୍ତଙ୍କ ପାଇଁ କଲ୍ୟାଣମୟୀ ହୁଅନ୍ତୁ। ପ୍ରତି ଅଗଣାରେ ମାଆ ବୃନ୍ଦାବତୀ ପୂଜା ପାଆନ୍ତୁ ଓ ବିଷ୍ଣୁବଲ୍ଲଭା ସଦା ବିଷ୍ଣୁଙ୍କ ସହ ପ୍ରତିଘରେ ବାସ କରନ୍ତୁ। ଜଗତ କଲ୍ୟାଣ ମୟ ହେଉ। ଜଗତର ପ୍ରତିଟି ପ୍ରାଣ ଖୁସି ସୁଖ ଶାନ୍ତିରେ ରହୁ । 
  © Dr. Jayashree Nanda
 Tulasi, Tulasi Puja, Tulasi Pujan, Brundabati
     
View Comments
ବେଶ୍ ସୁନ୍ଦର ଆଲୋଚନା। ଧନ୍ୟବାଦ ସହ ?